ସୁଭାଷ ପଟ୍ଟନାୟକ
ରାଜା ବିକ୍ରମାଦିତ୍ୟ ପୁନର୍ବାର ଅରଣ୍ୟ ମଧ୍ୟସ୍ଥ ଗଛ ଡାଳରୁ ଶବଟିକୁ ଓହ୍ଲାଇ ଆଣି ଆଗକୁ ବଢ଼ିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜନ! ମୌନ ରହିବା ତୁମର କର୍ତ୍ତବ୍ୟ। ହେଲେ ମୌନ ରହି ଏ ଘୋର ଅରଣ୍ୟ ପାର ହେବ କେମିତି? ପଥଶ୍ରାନ୍ତ ଲାଘବ ପାଇଁ ଗପଟିଏ କହୁଛି ଶୁଣ।
ଉଡ୍ରପଦ ନାମକ ଦେଶରେ ମୁଗ୍ଧକ ନାମରେ ଜଣେ ପ୍ରଜାବତ୍ସଳ ରାଜା ଶାସନ କରୁଥିଲେ। ସେହି ରାଜ୍ୟର ସୈକତପୁରୀ ନଗରୀର ଏକ ପାଠଶାଳାରେ ମନୋଜ୍ଞା ନାମ୍ନୀ ରୂପବତୀ ଝିଅଟିଏ ଶିକ୍ଷା ଗ୍ରହଣ କରୁଥାଏ। ଏକଦା କକ୍ଷାଚାର୍ଯ୍ୟଙ୍କର ପାପ ଦୃଷ୍ଟି ତା’ ଉପରେ ପଡ଼ିଲା। ପାପ ଇଚ୍ଛା ପୂରଣ ପାଇଁ ଆଚାର୍ଯ୍ୟ ତାକୁ ପ୍ରବର୍ତ୍ତାଉଥିଲେ ମଧ୍ୟ ମନୋଜ୍ଞା ତାଙ୍କୁ ବିରୋଧ କରୁଥିଲା। ଏଥିରେ କ୍ରୋଧିତ ଆଚାର୍ଯ୍ୟ ନାନା ଉପାୟରେ ତାକୁ ଉତ୍ପୀଡ଼ନ କରି ପରୀକ୍ଷା ଦେବାରୁ ବଞ୍ଚିତ କଲେ। ବାରମ୍ବାର ମାନସିକ ଆଘାତ ପାଇ ଝିଅଟି ପ୍ରଧାନ ଆଚାର୍ଯ୍ୟଙ୍କୁ ଘଟଣାଟି ଜଣାଇଲା, ମାତ୍ର ପ୍ରଧାନ ଆଚାର୍ଯ୍ୟ କକ୍ଷାଚାର୍ଯ୍ୟଙ୍କ ପକ୍ଷଧର ହୋଇଗଲେ। ଉପାୟ ଶୂନ୍ୟା ମନୋଜ୍ଞା କଟୁଆଳଙ୍କୁ, ପାରିଷଦଙ୍କୁ, ଶିକ୍ଷା ବିଭାଗର ମନ୍ତ୍ରଣାଦାତାଙ୍କୁ ଓ ସ୍ବୟଂ ରାଜାଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କଲା। କୌଣସି ସ୍ଥାନରୁ କିଛି ପ୍ରତିକାର ନ ପାଇ ଉପାୟଶୂନ୍ୟା ଝିଅଟି ଶେଷରେ ବିଦ୍ୟାଳୟରେ ଆତ୍ମାହୁତି ଦେଇଦେଲା। ଖବର ପାଇ ରାଜା ଆସି ପହଞ୍ଚିଲେ। ପିତାମାତାଙ୍କୁ ତା’ର ଶାନ୍ତ୍ବନା ଦେଇ ଦୋଷୀକୁ କଠୋରତମ ଦଣ୍ଡ ଦେବାର ପ୍ରତିଶ୍ରୁତି ଦେଲେ ଏବଂ ପଚିଶ ଲକ୍ଷ ସ୍ବର୍ଣ୍ଣମୁଦ୍ରାର ଅନୁକମ୍ପା ରାଶି ତତ୍କ୍ଷଣାତ୍ ପ୍ରଦାନ କଲେ। ଉଭୟ ଆଚାର୍ଯ୍ୟଙ୍କୁ ବନ୍ଦୀ କରାଗଲା। ରାଜାଙ୍କ ବିରୋଧୀ ପକ୍ଷ ମନୋଜ୍ଞାକୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବି ଜଣାଇ ରାଜ୍ୟରେ ବିକ୍ଷୋଭ ଓ ବନ୍ଦ ପାଳନ କଲେ। ଘଟଣାକୁ ନେଇ ରାଜ୍ୟସାରା ହାଲୋହୋଳି ପଡ଼ିଗଲା। ବେତାଳ ଅଟକିଯାଇ ପ୍ରଶ୍ନ କଲା, ରାଜନ! କାହାଣୀଟି ସଂପର୍କରେ ମୋ ମନରେ ଥିବା କିଛି ସଂଶୟ ଦୂର କର। ଉତ୍ତର ଜାଣି ମଧ୍ୟ ନିରବ ରହିଲେ ଶିର ତୁମର ହେବ ସ୍କନ୍ଧଚ୍ୟୁତ। ଝିଅଟିର ମୃତ୍ୟୁ ପାଇଁ ଦାୟୀ କିଏ? ଜଣେ ଉତ୍ତମ ରାଜାର ରାଜ୍ୟରେ ଏପରି ଘଟଣା ଘଟିଲା କେମିତି? ସ୍ବର୍ଣ୍ଣମୁଦ୍ରାର ତ୍ବରିତ ପ୍ରଦାନ ରାଜାଙ୍କ କାରୁଣିକ ହୃଦୟର ପରିଚୟ ନୁହେଁ କି? ରାଜା ଦୋଷୀକୁ କଠୋର ଦଣ୍ଡ ଦେଇ ପାରିବେ ତ? ଆତ୍ମଦାହ ଛଡ଼ା ଝିଅଟି ପାଖରେ କ’ଣ ଆଉ କିଛି ବିକଳ୍ପ ନ ଥିଲା? ବିରୋଧୀଙ୍କ ଆନ୍ଦୋଳନ ସମ୍ବେଦନଶୀଳ ଓ ସହାନୁଭୂତି ସୂଚକ ନୁହେଁ କି?
ବିକ୍ରମାର୍କ ଉତ୍ତର ଦେଲେ, ବେତାଳ! ମନୋଜ୍ଞାର ମୃତ୍ୟୁପାଇଁ ତିନିଜଣ ଦାୟୀ। ସ୍ବୟଂ ରାଜା ଓ ତାଙ୍କର ସମାଜ ବ୍ୟବସ୍ଥା, ମନୋଜ୍ଞାର ପିତାମାତା ଓ ନିଜେ ମନୋଜ୍ଞା। ରାଜା ମୁଗ୍ଧକ ଥିଲେ ଅତ୍ୟନ୍ତ ଭୀରୁ, ଦୁର୍ବଳ ଓ ରାଜଧର୍ମ ବିବର୍ଜିତ। ଦୋଷର ଉତ୍ପାଟନ କରିବା ତାଙ୍କର କର୍ତ୍ତବ୍ୟ। ତାହା ନ କରି କେତେ ଅପରାଧୀଙ୍କୁ ବିନାଶ କରିପାରିବେ ସିଏ? ନାରୀ-ଉତ୍ପୀଡ଼ନର ମୂଳ କାରଣକୁ ସମୂଳେ ନାଶ କରିବା ଦାୟିତ୍ବ ରାଜାର। ତା’ ନ ହେଲେ ଆଜି ମନୋଜ୍ଞା ଓ କାଲି ଆଉ କିଏ ବଳି ପଡ଼ିବ। ରାମାୟଣରେ ଉଲ୍ଲେଖ ଅଛି, “ସଚିବ ବୈଦ ଗୁରୁ ତିନି ଜୌଁ, ପ୍ରିୟ ବୋଲହିଁ ଭୟ ଆସ/ ରାଜ ଧର୍ମ ତନ ତିନି କର, ହୋଇ ବେଗିହିଁ ନାସ”। ଅର୍ଥାତ୍ ରାଜା, ବୈଦ୍ୟ ଓ ଗୁରୁ, ଏମାନେ କିଛି ପାଇବାର ଆଶା ରଖି, ସମ୍ମାନ ଲାଳସାରେ ଅଥବା ଭୟର କାରଣରୁ ଯଦି କୋମଳ ବଚନ କହି ଦୟା ଦେଖାନ୍ତି, ସେ ରାଜ୍ୟ ନାଶ ହୋଇଯାଏ। ରାଜାଙ୍କର ରାଜଗାଦି ଚାଲିଯିବାର ଭୟ ଥିଲା। ସେଥିପାଇଁ ସେ ବୈଦ୍ୟଶାଳାରେ ସ୍ବୟଂ ଉପସ୍ଥିତ ଥିଲେ, କର୍ତ୍ତବ୍ୟ ଖାତିରରେ ନୁହେଁ। ଦୋଷୀର ଦୋଷ ସାବ୍ୟସ୍ତ ନ ହେଉଣୁ କଠୋରତମ ଦଣ୍ଡ କଥା ଘୋଷଣା କରିଦେଲେ ଏବଂ ପ୍ରଜାଙ୍କ ରାଜସ୍ବରୁ ବିପୁଳ ଧନରାଶି ପ୍ରଦାନ କଲେ ଯାହା ତାଙ୍କର ନିଜସ୍ବ ବିଭବ ନୁହେଁ। ପିତାମାତା ଓ ବିରୋଧୀଙ୍କ ସ୍ବର ନିରବ କରିବାକୁ ଏ ଧନରାଶି ଉତ୍କୋଚ ଦିଆଗଲା। ରାଜା ରାଜଧର୍ମରେ ଅଜ୍ଞ। ମହାଭାରତର ଶାନ୍ତିପର୍ବରେ ଉଲ୍ଲେଖ ଅଛି, “ପ୍ରଭାବାର୍ଥାୟ ଭୂତାନାଂ ଧର୍ମ ପ୍ରବଚନଂ କୃତମ୍/ୟତ୍ ସ୍ୟାଦ ହିଂସା ସଂଯୁକ୍ତଂ ସଧର୍ମ ଇତି ନିଶ୍ଚୟଃ”। ଯେଉଁ କାର୍ଯ୍ୟର ପରିଣାମରେ ସମସ୍ତ ପ୍ରାଣୀ ସୁଖରେ ରହନ୍ତି ତାହାହିଁ ରାଜଧର୍ମ। ଶିକ୍ଷା ମନ୍ତ୍ରଣାଦାତାଙ୍କୁ ଅବିଳମ୍ବେ ବହିଷ୍କାର କରିବା କଥା, ତାହା ନକରି ସେ ଭୀରୁତାର ପରିଚୟ ଦେଲେ। ଗର୍ଭବତୀ ମା’ ଯେମିତି ତା’ ଗର୍ଭସ୍ଥ ଶିଶୁର କଥା ଭାବୁଥାଏ, ରାଜାର ପ୍ରଜାଙ୍କ ପ୍ରତି ଭାବନା ସେହିପରି ହେବା ଉଚିତ। ସମୟ ରାଜାକୁ ମନେ ରଖେନି। ରାଜା ସ୍ବୟଂ ମନେ ରହିବା ପରି କାଳଖଣ୍ଡଟିଏ ସୃଷ୍ଟି କରିଥାନ୍ତି। “କାଳୋ ବା କାରଣଂ ରାଜ୍ୟୋ ରାଜା ବା କାଳ-କାରଣମ୍/ଇତି ତେ ସଂଶୋୟ ମା ଭୁଦ୍ ରାଜା କାଳସ୍ୟ କାରଣମ୍”। କଠୋର ଦଣ୍ଡ ଦେବାର ପ୍ରତିଶ୍ରୁତି ଏକ ପ୍ରବଞ୍ଚନା। ନ୍ୟାୟାଳୟ ନ୍ୟାୟ ସଂହିତା ଆଧାରରେ ଦୋଷୀକୁ ଦଣ୍ଡ ଦିଅନ୍ତି, ରାଜା ନୁହେଁ। ଦୋଷକୁ ସାବ୍ୟସ୍ତ କରିବା କାମ କେବଳ ରାଜାର, ଯାହା ଏ କ୍ଷେତ୍ରରେ ଖୁବ୍ କଠିନ। ମନୋଜ୍ଞା ନିକଟରେ ଆତ୍ମବିଶ୍ବାସର ଅଭାବ ଥିଲା। ଆତ୍ମହତ୍ୟା କୌଣସି ସମସ୍ୟାର ସର୍ବଶେଷ ସମାଧାନ ନୁହେଁ। ସମାଜରେ ତିନିପ୍ରକାର ନାରୀ ଅଛନ୍ତି। କିଛି ନିରବରେ ଅନ୍ୟାୟକୁ ସହ୍ୟ କରନ୍ତି, କିଛି ସମ୍ମୁଖକୁ ଆସି ଲଢ଼େଇ କରନ୍ତି ଏବଂ ଆଉ କିଛି ମନୋବଳହୀନା ଆତ୍ମହତ୍ୟା କରିଦିଅନ୍ତି। ଆତ୍ମହତ୍ୟା ଅତର୍କିତ ହେଲେ ମଧ୍ୟ ମନ ଭିତରକୁ ସେ ଭାବନାଟି ପୂର୍ବରୁ ଆସିଥାଏ। ମନୋଜ୍ଞା ମନର ଘାତକ ପୀଡ଼ାକୁ ପିତାମାତା ଅନୁମାନ କରି ପାରିଥାନ୍ତେ ଓ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିପାରିଥାନ୍ତେ। ତାହା ନ ହେବାରୁ ମୃତ୍ୟୁକୁ ସେ ଶେଷ ସମାଧାନ ଭାବିନେଲା। ଚାହିଁଥିଲେ ସେମାନେ ମୁଖ୍ୟ କଟୁଆଳ, ପାଠଶାଳାର କୁଳାଧିପତି ଓ ସ୍ବୟଂ ରାଜାଙ୍କୁ ଭେଟିପାରିଥାନ୍ତେ। ନ୍ୟାୟାଧୀଶଙ୍କୁ ଅଭିଯୋଗ କରିଥାନ୍ତେ କିମ୍ବା ପାଠଶାଳା ପରିବର୍ତ୍ତନ କରିଦେଇଥାନ୍ତେ। ଦିଗ୍ବଳୟ ଆକାଶର ଶେଷ ସୀମା ନୁହେଁ। ମନୋଜ୍ଞା ଯେତେଦିନ ଜୀବିତ ଥିଲା ପରିବର୍ତ୍ତନର ସୁଯୋଗ ତା’ ହାତରେ ରହିଥିଲା। ଜୀବନ ଗୋଟିଏ ଗତିଶୀଳ ସମୟ। ତାକୁ ଯେକୌଣସି କାଳରେ ନୂତନ ରୂପରେ ପୁନରାରମ୍ଭ କରାଯାଇ ପାରିଥାନ୍ତା।
ବିରୋଧୀଙ୍କ ଆଚରଣ ଅଭିନେତାର ଅଶ୍ରୁ ପରି। ଝିଅଟିର ମୃତ୍ୟୁ ଆଳରେ ପ୍ରଜାଙ୍କୁ ମତାଇ ଶାସନକୁ ଅସ୍ଥିର କରିବା ସେମାନଙ୍କ ଉଦ୍ଦେଶ୍ୟ। ମନୋଜ୍ଞାର ମୃତ୍ୟୁ ପରେ ‘ନ୍ୟାୟ’ ପାଇଁ ସେମାନେ ଯାହା କଲେ, ଜୀବିତାବସ୍ଥାରେ କରିଥିଲେ ଝିଅଟି ନ୍ୟାୟ ପାଇପାରିଥାନ୍ତା। ନ୍ୟାୟ ପାଇବାକୁ ଝିଅ ଏବେ ଜୀବିତ ଅଛି କି? ପିତାମାତା ତ’ ନ୍ୟାୟ ବଦଳରେ ଧନ ନେଇସାରିଛନ୍ତି! ନ୍ୟାୟ ଏକ ବସ୍ତୁ ନୁହେଁ ଯେ ତାକୁ ଆନ୍ଦୋଳନ କରି କରଗତ କରିବେ ଓ ଝିଅର ଅବର୍ତ୍ତମାନରେ ତା’ ପରିବାରକୁ ଧରାଇଦେବେ। ଜଣେ ଫକୀର କହିଥିଲେ, “ଦୋନୋଁ ରହିମନ୍ ଏକ୍ ସେ ଜୌ ଲୌଁ ବୋଲତ୍ ନହିଁ/ଜାନ୍ ପରତ୍ ହୈଁ କାକ୍ ପିକ୍ ଋତୁ ବସନ୍ତ କେ ମାଁ ହିଁ”। କାଉ ଓ କୋଇଲି ଏକାପରି, ତେଣୁ ସହଜରେ ଚିହ୍ନି ହୁଅନ୍ତିନି। ବସନ୍ତ ଋତୁରେ ଉଭୟ ରାବିଲେ ଚିହ୍ନା ପଡ଼ିଯାଆନ୍ତି। ଏ ଘଟଣାଟି ବିରୋଧୀଙ୍କୁ ଚିହ୍ନିବାକୁ ବସନ୍ତ ଋତୁ ପରି।
‘ବାଃ... ବିକ୍ରମ! ଖୁବ୍ ନ୍ୟାୟର କଥା କହିଛୁ ତୁ’, କହିଲା ବେତାଳ। କିନ୍ତୁ ମୁହଁ ଖୋଲିଦେଇ ଭୁଲ୍ କରିଦେଲୁ। ବିକ୍ରମଙ୍କ କାନ୍ଧରୁ ଖସିଯାଇ ବେତାଳ ଶବ ସହିତ ପୁନଶ୍ଚ ଗଛ ଡାଳରେ ଝୁଲିପଡ଼ିଲା।
(ମତାମତ ଲେଖକଙ୍କ ନିଜସ୍ବ)
[email protected]