ଆମ ସାମାଜିକ ବ୍ୟବସ୍ଥାରେ ପରିବାରରେ ସମସ୍ତେ ମିଳିମିଶି ରହିବା ଲାଭପ୍ରଦ। ସହାବସ୍ଥାନର ସୁବିଧା ଓ ଆନନ୍ଦ ଅଲଗା। ସାମାଜିକ ସଂପର୍କରୁ ଆମକୁ ଆପଣାପଣ ଓ ପୂର୍ଣ୍ଣତା ମିଳିଥାଏ। ମାତ୍ର ଉତ୍ତର ଜୀବନରେ ସବୁ ପୁରୁଣା ବସ୍ତୁ ପରି ମନୁଷ୍ୟ ମଧ୍ୟ ଯେତେବେଳେ ପରିବାର ଓ ସମାଜରେ ଅଲୋଡ଼ା ହୋଇଯାଏ, ପରିବାରର ଗହଳି ମଧ୍ୟରେ ଥାଇ ସୁଦ୍ଧା ଏକାକୀତ୍ବର ଜ୍ବାଳା ତାକୁ କ୍ଷତାକ୍ତ କରେ। ବାଦଲର ମେଳା ମଧ୍ୟରେ ଏକୁଟିଆ ଚନ୍ଦ୍ରମା ପରି ସେ ନିଜକୁ ଏକଲା ଅନୁଭବ କରେ। ସବୁ ସଂପର୍କ ମଧ୍ୟରେ ମନୁଷ୍ୟର ପ୍ରଥମ ସଂପର୍କ ତା’ ନିଜ ସହିତ ସେ ଯୋଡ଼ିପାରେ ନାହିଁ। ଆମ ହିରଣ୍ୟବାବୁଙ୍କୁ ଦେଖନ୍ତୁ। ବୟସ ପଞ୍ଚସ୍ତରି ପାର ହେଲାଣି। ତାଙ୍କର ଏକ ବିରାଟ ସଂସାର। ଏକଦା ସେ ଥିଲେ ଘରର ମୁଖିଆ। ତାଙ୍କର ସ୍ବୀକୃତି ବିନା ପରିବାରରେ କୌଣସି କାର୍ଯ୍ୟ ହେଉନଥିଲା। ଏବେ ପରିଣତ ବୟସରେ ଘରେ ସେ ସଂପୂର୍ଣ୍ଣ ଅବହେଳିତ। କେହି ତାଙ୍କୁ ଆଉ ମୁରବି ମାନନ୍ତିନି କି ଗୁରୁତ୍ୱ ଦିଅନ୍ତିନି।
ଖୁବ୍ ଏକାକୀତ୍ବ ଅନୁଭବ କରନ୍ତି ହିରଣ୍ୟବାବୁ। ସମସ୍ତ ଯାତ୍ରୀ ଓହ୍ଲାଇ ଯିବାପରେ ଶେଷ ଷ୍ଟେସନରେ ଠିଆହୋଇ ରହିଥିବା ଟ୍ରେନ୍ ପରି ଏକାକୀ ହୋଇଯାଆନ୍ତି ସେ। ଏକଦା ଭରପୂର ସଂସାର ତାଙ୍କର ଖାଲି ଖାଲି ଲାଗେ। ସବୁ ବୟସ୍କ ମାନଙ୍କର ଶେଷ ଜୀବନରେ ପ୍ରାୟତଃ ଏହିପରି ଏକ ଅବସ୍ଥା ଆସିଥାଏ। କଲାପଣରୁ ଉତ୍ତରଣ ପାଇଁ ହିରଣ୍ୟ ବାବୁ ଏବେ ବହି ଦୋକାନଟିଏ କରିଛନ୍ତି। ବିକ୍ରି ହେଉ କି ନ ହେଉ, ଦୋକାନରେ ବସିବସି ପତ୍ରପତ୍ରିକା ଓ ବହି ପଢ଼ି ସମୟ ବିତାନ୍ତି। କିଛି ଲେଖାଲେଖି ମଧ୍ୟ କରନ୍ତି। ଛାତ୍ର ଜୀବନର ଚିତ୍ର ଆଙ୍କିବା ଅଭ୍ୟାସକୁ ପୁଣି ଥରେ ଆରମ୍ଭ କରିଛନ୍ତି। ପିଲାମାନେ ତ ପାଖରେ ନାହାନ୍ତି, ପରିବାରର କୌଣସି କଥାରେ ଆଉ ମୁଣ୍ଡ ଖେଳାନ୍ତିନି। ଏକଦା ଏକୁଟିଆ ଅନୁଭବ କରୁଥିବା ହିରଣ୍ୟବାବୁ ଏବେ ଖୁବ୍ ଖୁସି ଅଛନ୍ତି। ଏକାକୀତ୍ବର ଅବସାଦ ମଧ୍ୟରେ ନ ରହି ଏକଲା ଜୀବନରୁ ଏକାନ୍ତତା ଆଡ଼ାକୁ ହିରଣ୍ୟବାବୁଙ୍କ ପରି ଅବସ୍ଥାନ୍ତରିତ ହୋଇଯିବା ଆମ ସମସ୍ତଙ୍କର ବୟସର ଅପରାହ୍ଣରେ ନିଜ ପ୍ରତି ଏକମାତ୍ର ସୁବିଚାର। ଆମେ କହୁନାହୁଁ ଜଣେ ସଂପୂର୍ଣ୍ଣ ଅନ୍ତର୍ମୁଖୀ ହୋଇଯାଉ। ଗହଳି ମଧ୍ୟରେ ଥାଇ ସୁଦ୍ଧା ଜଣେ ଏକାନ୍ତତା ଅନୁଭବ କରିପାରିବ, ନିଜକୁ ନିଜ ମଧ୍ୟରେ ସୀମିତ କରିଦେଇ ପାରିବ।
ଏକାକୀତ୍ବ ଓ ଏକାନ୍ତତା ମଧ୍ୟରେ ଫରକ କ’ଣ? ଯେତେବେଳେ ଇଚ୍ଛା ନକରି ମଧ୍ୟ ଜଣେ ଏକୁଟିଆ ଅନୁଭବ କରେ ତାହା ତା’ର ଏକଲାପଣ। ସ୍ବଇଚ୍ଛାରେ ଏକୁଟିଆ ହୋଇଯିବା ଓ ସେ ଏକାକୀତ୍ବକୁ ମନଭରି ଉପଭୋଗ କରିବା ହେଉଛି ଏକାନ୍ତତା। ଉଦାହରଣ ସ୍ବରୂପ, ମଧୁସୂଦନ ରାଓଙ୍କ ‘ନିର୍ବାସିତର ବିଳାପ’ କବିତାରେ ନିର୍ଜନ ଦ୍ବୀପରେ ସେଲକର୍କ ନିଜର ଏକାକୀତ୍ବ ସହିତ ସାଲିସ କରିନପାରି ଏକଲାପଣକୁ ନେଇ ବ୍ୟଥା ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଆଲେକଜାଣ୍ଡର ପୋପ୍ଙ୍କର ‘ଓଡ୍ ଅନ୍ ସଲିଚ୍ୟୁଡ୍’ କବିତାରେ କାବ୍ୟନାୟକ ଏକାକୀତ୍ବକୁ ଏକାନ୍ତବାସର ଆନନ୍ଦ ଭାବରେ ଗ୍ରହଣ କରିଛନ୍ତି। ତାଙ୍କର ଇଚ୍ଛା ହେଉଛି “ମତେ ଏମିତି ଜିଇଁବାକୁ ଦିଅ, ଯେଉଁଠି ଦୃଷ୍ଟିପଥ ଠାରୁ ବହୁଦୂରରେ ମତେ ଜାଣିବାକୁ କିଏ ନଥିବ କି ମୋ ସମାଧିର ଚିହ୍ନଟ ପାଇଁ ପଥର ଖଣ୍ଡେ ବି ନଥିବ।” ଏକାନ୍ତତା ଆମର ଆତ୍ମ-ନିରୀକ୍ଷଣ, କଳ୍ପନା ଓ ଚିନ୍ତନ ପାଇଁ ଏକ ସୁନ୍ଦର ଅବସର ଆଣିଦିଏ। ରଚନାତ୍ମକ ହେବାର ସୁଯୋଗ ଦିଏ। ଭିଡ଼ ଭିତରେ ଥାଇ ଏକଲାପଣର ଏକମାତ୍ର ଉପଚାର ହେଉଛି ଏକାନ୍ତତା। ଏକାକୀତ୍ବ ଜଣକ ଉପରେ ଲଦି ଦିଆଯାଏ କିନ୍ତୁ ଏକାନ୍ତବାସ ଏକ ମନୋନୀତ ରାସ୍ତା। ପରିବାର ମଧ୍ୟରେ ଥାଇ ଏକାକୀତ୍ବର ଅନୁଭବ ଏକ କଠୋର ଦଣ୍ଡ ସଦୃଶ। ପ୍ରତ୍ୟାଖ୍ୟାତ ହୋଇଯିବାର ପୀଡ଼ା ସେଥିରେ ଥାଏ। ଏକାନ୍ତବାସ ଅପରପକ୍ଷେ ଆମକୁ ସ୍ବୟଂସଂପୂର୍ଣ୍ଣ ଓ ସ୍ବାଧୀନ କରିଦେଇଥାଏ। ସୃଜନଶୀଳତାର ଉନ୍ମେଷ ଘଟେ ଓ ମାନସିକ ସ୍ତରରେ ମନୁଷ୍ୟ ପୁଣି ଥରେ ବୟସର ପଛକୁ ଫେରିଯାଇଥାଏ।
ବର୍ତ୍ତମାନ ସମାଜରେ ଯୌଥ ପରିବାରଗୁଡ଼ିକ ଭାଙ୍ଗିଯିବା ପରେ ବୃଦ୍ଧାବସ୍ଥାରେ ଅନେକ ଲୋକ ଘରେ ଏକାକୀ ରହିବାକୁ ବାଧ୍ୟ ହେଉଛନ୍ତି ଓ ଏକାକୀତ୍ବର ପୀଡ଼ା ଭୋଗୁଛନ୍ତି। ଗୋଟିଏ ଶତାବ୍ଦୀ ପୂର୍ବରୁ ଅବସ୍ଥା ଏପରି ନଥିଲା।
ସମସ୍ତେ ଯଦି ଏକ ଶକ୍ତ ମନୋବୃତ୍ତି ନେଇ ଏକାନ୍ତତାକୁ ସ୍ବୀକାର କରିନିଅନ୍ତେ, ଏକାକୀତ୍ବର ଅବସାଦ ଭୋଗନ୍ତେ ନାହିଁ। ଥରେ ଏକାନ୍ତତାକୁ ଆଦରିନେଲେ ନିଜର ଲକ୍ଷ୍ୟ ବିଷୟରେ ବିଚାର କରିପାରନ୍ତେ, ସାମର୍ଥ୍ୟ ଓ ଦୁର୍ବଳତାକୁ ସମୀକ୍ଷା କରିପାରନ୍ତେ ଏବଂ ମାନସିକ ଦୃଢ଼ତା ପାଇଁ ନିଜେ ନିଜକୁ ପ୍ରଶ୍ନ ପଚାରିପାରନ୍ତେ। ଜଣେ ବ୍ୟକ୍ତି କେବଳ ସେଇ ପର୍ଯ୍ୟନ୍ତ ତା’ର ନିଜର ହୋଇ ରହିପାରିବ, ଯେପର୍ଯ୍ୟନ୍ତ ସେ ଏକାନ୍ତତାକୁ ଗ୍ରହଣ କରିନେଇପାରିଛି। ଯଦି ଏକାନ୍ତତାକୁ ସେ ଗ୍ରହଣ କରିପାରୁନି ତେବେ ନିଜର ସ୍ବତନ୍ତ୍ରତାକୁ ମଧ୍ୟ ଗ୍ରହଣ କରିପାରିବନି, କାରଣ ଯେତେବେଳେ ମନୁଷ୍ୟ ଏକାନ୍ତରେ ଥାଏ, ସେତେବେଳେ ସେ ବାସ୍ତବରେ ସ୍ବତନ୍ତ୍ର ଥାଏ। ଏକାକୀତ୍ବ ଓ ଏକାନ୍ତତା ମଧ୍ୟରେ ଥିବା ସୂକ୍ଷ୍ମ ପ୍ରାଚୀରଟି ଭାଙ୍ଗିଗଲେ ଏକାକୀତ୍ବ ବଦଳିଯିବ ଏକାନ୍ତବାସରେ। ତେଣିକି ଆପଣ ପରିବାରର ଗହଳି ଭିତରେ ଥାଆନ୍ତୁ କି ଏକୁଟିଆ ଥାଆନ୍ତୁ। ଯେ କୌଣସି ଆତ୍ମଜ୍ଞାନର ସଂଧାନ ନିମନ୍ତେ ଏକାନ୍ତତା ଆବଶ୍ୟକ। ପ୍ରକୃତ ଏକାନ୍ତତା ପରିବେଶରେ ନଥାଏ, ଥାଏ ନିଜର ଚେତନାରେ। ଥରେ ତା’ ଭିତରକୁ ଚାଲିଗଲେ ପରିବେଶ ଯେତେ କୋଳାହଳମୟ ହୋଇଥାଉ ପଛେ, ସେଥିରେ ଜଣେ ବିଚଳିତ ହେବ ନାହିଁ। ଅପରପକ୍ଷେ ଏକାକୀତ୍ବ ହେଉଛି ଗୋଟିଏ କାନ୍ଥ ନଥିବା ବନ୍ଦୀଶାଳା ପରି। ଆପଣ ନିଜକୁ ମୁକ୍ତ ଭାବୁଥିଲେ ମଧ୍ୟ ଏକାକୀତ୍ବର ଅଦୃଶ୍ୟ ଶୃଙ୍ଖଳ ଆପଣଙ୍କୁ ବାନ୍ଧି ରଖିଥିବ। ସେ ବନ୍ଦୀଶାଳାରୁ ଆପଣଙ୍କର ମୁକ୍ତି ନାହିଁ, ଯେ ପର୍ଯ୍ୟନ୍ତ ଏକାନ୍ତବାସର ଚାବିକାଠି ସେ ଶୃଙ୍ଖଳକୁ ଖୋଲି ନ ଦେଇଛି। ତେବେ ଆଉ ଡେରି କାହିଁକି? ଆଖି ପୋଛିଦିଅନ୍ତୁ ଓ ହିରଣ୍ୟବାବୁଙ୍କ ପରି ଆଦରି ନିଅନ୍ତୁ ନିଜର ଏକାନ୍ତତାକୁ। କବି ଗୁଲଜାର୍ ସେଥିପାଇଁ ଲେଖିଛନ୍ତି ପରା, ‘ଜୀବନ ଏମିତି ଏକାକୀ ହିଁ ବିତିଯାଏ। ଶୋଭାଯାତ୍ରା ସଙ୍ଗରେ ଥାଇ ନିଜସ୍ୱ ଯାତ୍ରା ଏକାନ୍ତରେ ଚାଲେ।’ ‘ଜିନ୍ଦଗୀ ୟୁଁ ହୁଇ ବସର୍ ତନହା/ କାଫିଲା ସାଥ୍ ଔର୍ ସଫର୍ ତନହା।’
[email protected]