ସୁଭାଷ ପଟ୍ଟନାୟକ

ସକାଳୁ ଉଠି ମୁହଁ ଧୋଇ ସାରିବା ପରେ ବୋହୂ ଆଣି ବଢ଼େଇ ଦିଏ କଟୁ ରସାୟନର ଗୋଟିଏ ଗ୍ଲାସ ତ୍ରିଫଳା ପାଣି। ଓଃ, କି ପିତା ତା’ର ସ୍ବାଦ! ଦିନଚର୍ଯ୍ୟା ଆମର ଆରମ୍ଭ ହୁଏ ମିଠା ବଦଳରେ ଏକ ତିକ୍ତ ସ୍ବାଦର ଅନୁଭୂତିରୁ। କୁଆଡ଼େ ଏ ତିକ୍ତ ରସର ପାନୀୟଟି ରକ୍ତଚାପ ଓ ମଧୁମେହ ରୋଗର ନିବାରକ ଏବଂ ମଳ ନିଷ୍କାସକ। ଆଣ୍ଠୁ ଯନ୍ତ୍ରଣାର ଉପଶମ ପାଇଁ ଘରେ ଅଛି ଦୁଇ ଭିନ୍ନ ଉତ୍ପାଦନକାରୀଙ୍କ ଦ୍ବାରା ପ୍ରସ୍ତୁତ ଏକ ପ୍ରକାରର ଦୁଇଟି ‘ଡାୟକ୍ଲୋଫେନାକ୍’ ମଲମ। ଗୋଟିକରେ ମିଶିଛି ପ୍ରଦାହ ସୃଷ୍ଟିକାରୀ ପିପରମିଣ୍ଟ୍। ମଲମ ଲଗାଇବା ପରେ ପୋଡ଼ାଜଳା କରିବାର ଗୁଣଟି ଥିବାରୁ ପତ୍ନୀ କୁହନ୍ତି ପିପରମିଣ୍ଟ୍ ମିଶ୍ରିତ ମଲମଟି ଅଧିକ ଭଲ କାମ ଦେଉଛି। ବିନା ପ୍ରଦାହର ମଲମ ବ୍ୟବହାର କରି ଉପଶମ ପାଇବା ବୁଦ୍ଧିମାନର କାର୍ଯ୍ୟ ହେଲେ ମଧ୍ୟ ଆମର ଧାରଣା ଯେ, ଯେଉଁ ଔଷଧ ଯେତେ କଡ଼ା ତାହା ଅଧିକ ଉପକାରୀ। ସାଧା ‘ଅମୃତାଞ୍ଜନ’ଠୁ ‘ଅମୃତାଞ୍ଜନ ଷ୍ଟ୍ରଙ୍ଗ୍’ ଅଧିକ ଭଲ। ଏମିତି ବିଶ୍ବାସ ଆମର ପିଲା ଦିନରୁ। ପାଠ ଯେତେ କଡ଼ା ହେବ ବୁଦ୍ଧି ସେତେ ଉନ୍ନତ ହେବ। ପଣକିଆ ଖନ୍ଦା ଯିଏ ଯେତେ ଅଧିକ ମନେରଖିବ ଅଙ୍କ ପାଠ ସେତେ ଭଲ ହେବ। ଇତିହାସର ତାରିଖ ଅଧିକ ମନେରହିଲେ ମେଧାଶକ୍ତି ଅଧିକ ଶାଣିତ ହେବ। ଠିକ୍ ସେମିତି ଯେତେସବୁ ଖରାପ ସ୍ବାଦର ଖାଦ୍ୟ ତାହା ଦେହପାଇଁ କୁଆଡ଼େ ଉପକାରୀ। ସିଙ୍ଗଡ଼ା, ଜିଲିବି, ମିଠେଇ ସ୍ବାଦିଷ୍ଠ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅହିତକର, କିନ୍ତୁ କଲରା, ପିତାଶାଗ, ମେଥିଶାଗ, ନିମ୍ବ କଢ଼, ତ୍ରିଫଳା ଆଦି କଟୁ ସ୍ବାଦଯୁକ୍ତ ଖାଦ୍ୟ ଦେହପାଇଁ ଭଲ। ସତେ ଯେମିତି ମୁଖକୁ କଷ୍ଟ ନାହିଁ ତ ଶରୀରକୁ ମୁନାଫା ନାହିଁ। କଠିନ ସହଜଠୁ ଭଲ ଓ କଠୋର ନରମଠୁ ଉତ୍ତମ।
କିନ୍ତୁ ସମାଜରେ ଚଳିବା ପାଇଁ ଏହାର ବିପରୀତ ସ୍ବାଦର ଗୁଣଟି ଏକାନ୍ତ ଆବଶ୍ୟକ। କର୍କଶ ବଦଳରେ ନରମ ସ୍ବଭାବ ଜରୁରି। ଭାବନାରେ, ବ୍ୟବହାରରେ ଓ କଥାବାର୍ତ୍ତାରେ ମଧୁରତା ଟିକିଏ ପରଷିଦେଲେ ହିଁ ଜୀବନ ମଧୁମୟ ହୋଇଥାଏ। ଜିଭରେ ଲାଗିଥିବା ତିକ୍ତ ସ୍ବାଦ ଅପରିବର୍ତ୍ତିତ ରହିପାରେ, ମାତ୍ର ଜିଭ ନିଃସୃତ ଶବ୍ଦ ମଧୁର ହେବା ଚାହାନ୍ତି ସମସ୍ତେ। ଆମେ କିନ୍ତୁ ଏପରି କରି ନଥାଉ। ଅନ୍ୟଠାରୁ ମଧୁର ଶବ୍ଦ ଶୁଣିବାର ଇଚ୍ଛା ରଖି ନିଜେ କଟୁ ଶବ୍ଦର ବ୍ୟବହାର କରୁ। ଅର୍ଥାତ୍, ଜୀବନ ମଧୁର କିମ୍ବା ତିକ୍ତ ହେବାପାଇଁ ଆମର ନିଜ ସ୍ବଭାବ ହିଁ ଦାୟୀ। ଏ ସଂପର୍କରେ ଜଣେ ବ୍ୟକ୍ତି ଥରେ ସାଧୁଙ୍କୁ ପ୍ରଶ୍ନଟିଏ ପଚାରିଲେ। ସାଧୁ ଉତ୍ତର ଦେଲେ, ପ୍ରଥମେ ଗ୍ଲାସେ ପାଣିରେ ଲୁଣ ମୁଠାଏ ପକାଇ ତାକୁ ପିଅ ଏବଂ ସ୍ବାଦ କିପରି ଲାଗିଲା କୁହ। ଲୋକଟି ମୁହଁ ବିକୃତ କରି ଲୁଣି ଲାଗିବା କଥା କହିଲା। ଏଥର ସାଧୁ କହିଲେ, ସେଇ ମୁଠାଏ ଲୁଣକୁ ପାଖ ଜଳାଶୟରେ ପକାଇ ସେ ପାଣିର ସ୍ବାଦ ପରୀକ୍ଷା କର। ଏଥର ଲୋକଟି ପାଣି ଲୁଣିଆ ବଦଳରେ ମଧୁର ଲାଗିବା କଥା କହିଲା। ସାଧୁ ବୁଝାଇଦେଲେ, ଆମେ ଆମ ଜୀବନର ସମସ୍ତ ତିକ୍ତ ଅନୁଭୂତିକୁ ଗ୍ଲାସେ ପାଣିରେ ପଡ଼ିଥିବା ଲୁଣ ପରି ମସ୍ତିଷ୍କର ଏକ ସଂକୀର୍ଣ୍ଣ ପରିଧି ମଧ୍ୟରେ ରଖିଦେଉଛେ। ଯଦି ତାକୁ ଜଳାଶୟ ପରି ମସ୍ତିଷ୍କର ଏକ ବିସ୍ତୃତ ପରିସରରେ ହଜାଇ ଦେବା, କୌଣସି କଥା ଆଉ କଟୁ ମନେହେବନି। ସତ୍ୟକୁ ଆମେ କଟୁ ବୋଲି କହିଥାଉ। କଟୁସତ୍ୟ ଏକ ଅପ୍ରିୟ ବାସ୍ତବତା, ଯାହାକୁ ଗ୍ରହଣ କରିନେବା କଷ୍ଟକର, ଠିକ୍ କାହାରି ଜନ୍ମଦିନ ଉତ୍ସବରେ ପହଞ୍ଚି ‘ରାମ ନାମ ସତ୍ୟ ହେ’ ଆଶୀର୍ବାଦ ଦେବା ପରି। ଜୀବନ, ତା’ର ବିକାଶ ଓ ପରିପ୍ରେକ୍ଷକୁ ବୁଝିବା ପାଇଁ ହେଲେ ସତ୍ୟର କଟୁତାକୁ ସହ୍ୟ କରିବାକୁ ହେବ। ସତ୍ୟର ସ୍ବାଦ ନିର୍ଭର କରେ ତାକୁ ଶୁଣି ଗ୍ରହଣ କରୁଥିବା ଲୋକଟି ଉପରେ। ଶୁଣିବା ଲୋକ ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ତାହା କଟୁ ହୋଇଯାଏ। 
ଆମେ ଏକଦା ଏକ ଚିତ୍ରକଳା ପ୍ରଦର୍ଶନୀରେ ଚୀନ୍ ଦେଶୀୟ ତୈଳଚିତ୍ରଟିଏ ଦେଖିଥିଲୁ। ଚିତ୍ରଟିର ନାଆଁ ଥିଲା ‘ଦ ଭିନେଗାର ଟେଷ୍ଟର୍’। ଅମ୍ଳ ରସର ଚାଖୁଣିଆ। ଚିତ୍ରରେ ତିନିଜଣ ବୃଦ୍ଧ, କନଫ୍ୟୁସିଅସ୍, ବୁଦ୍ଧଦେବ ଓ ତାଓବାଦର ପ୍ରବର୍ତ୍ତକ ଲାଓଜି ଏକତ୍ର ଠିଆହୋଇ ସମ୍ମୁଖସ୍ଥ ପାତ୍ରରୁ ଅଙ୍ଗୁଳି ଦ୍ବାରା ଅମ୍ଳରସର ସ୍ବାଦ ପରୀକ୍ଷା କରୁଛନ୍ତି। କନଫ୍ୟୁସିଅସଙ୍କ ମୁଖମଣ୍ଡଳ ଅମ୍ଳର କଟୁ ସ୍ବାଦ ହେତୁ ବିକୃତ ଦେଖାଯାଉଛି। ବୁଦ୍ଧଙ୍କ ମୁହଁରେ ଫୁଟିଉଠୁଛି ତିକ୍ତ ସ୍ବାଦର ପ୍ରତିକ୍ରିୟା ଏବଂ ଲାଓଜିଙ୍କ ମୁହଁରେ ଅମ୍ଳ ଚାଖିବା ପରେ ଶୋଭା ପାଉଛି ଚେନାଏ ମଧୁର ହସ। ତିନି ଦାର୍ଶନିକଙ୍କର ଏ ତିନି ପ୍ରକାର ଅନୁଭୂତିର ଅର୍ଥ ହେଉଛି, କଟୁ ରସ ନିଜେ ହିଁ ଜୀବନର ସାରାଂଶ ଓ ମୌଳିକ ପ୍ରକୃତିର ପ୍ରତୀକ। କନଫ୍ୟୁସିଅସ ଜୀବନକୁ ଖଟା ସ୍ବାଦ ପରି ଅନୁଭବ କରନ୍ତି ଯାହା ମନୁଷ୍ୟର ମନୋଭାବକୁ ସଂଶୋଧନ କରିବାର ଆବଶ୍ୟକତାକୁ ଦର୍ଶାଇଥାଏ ଏବଂ ସୂଚାଇ ଦିଏ ଯେ ଜୀବନ ତ୍ରୁଟିପୂର୍ଣ୍ଣ, ତେଣୁ ସ୍ବାଭାବିକ ଭାବରେ ସ୍ବାଦ ତାହାର ଖଟା। ବୁଦ୍ଧ ଜୀବନକୁ ଏକ ତିକ୍ତ ଅଭିଜ୍ଞତା ଭାବରେ ଗ୍ରହଣ କରନ୍ତି ଯାହା ଅସୁମାରି ଦୁଃଖ ଓ ଯନ୍ତ୍ରଣାରେ ପରିପୂର୍ଣ୍ଣ। ତେଣୁ ତାଙ୍କ ପାଇଁ ଜୀବନର ସ୍ବାଦ ଅତ୍ୟନ୍ତ ତିକ୍ତ। ଅପରପକ୍ଷେ ତାଓବାଦ ଜୀବନକୁ ମଧୁର ଓ ମୂଲ୍ୟବାନ ମନେ କରେ ଏବଂ ତାର ସ୍ଥିତାବସ୍ଥାକୁ ସ୍ବୀକାର କରିନିଏ। ତେଣୁ ଲାଓଜିଙ୍କ ପାଇଁ ଜୀବନର ସ୍ବାଦ ସର୍ବଦା ମଧୁର। 
ଏସବୁ ଆଲୋଚନା ସତ୍ତ୍ବେ ବାସ୍ତବ କଥାଟି ହେଉଛି, ତିକ୍ତ ସ୍ବାଦ ମଧୁରରେ ରୂପାନ୍ତରିତ ହୁଏ କେବଳ ଗୋଟିଏ ପରିସ୍ଥିତିରେ; ତାହା ହେଉଛି ମଣିଷର ଭୋକ। ଏ ଭୋକ ଖାଲି ପେଟର ନୁହେଁ, ମନର, ଶରୀରର, ଆତ୍ମାର ଓ ବାକି ସମସ୍ତ ଚିରପୋଷିତ ଅଭିଳାଷର। ଅଭୀଷ୍ଟ ଯେତେ କଟୁ ଓ କଷ୍ଟସାଧ୍ୟ ହେଉ, ପାଇବାର ଭୋକ ସ୍ବାଦକୁ ତା’ର ମିଠା କରିଦିଏ। ଏ ସୃଷ୍ଟି ଏବେ ତାହା ହିଁ ହୋଇ ଯାଇନି କି? ଜଣେ ବ୍ୟଙ୍ଗ କବି ଦୁନିଆର ସାଂପ୍ରତିକ ସ୍ଥିତିକୁ ନେଇ ବ୍ୟଙ୍ଗ କରିଛନ୍ତି: “ଶହର୍ ମୈଁ ନିମ୍ କେ ଦରଖ୍ତ୍ କମ୍ ହୋ ରହେ ହୈ, ଔର୍ ଘରୋଁ ମୈଁ କଡଵାହଟ୍ ବଢ୍ ରହି ହୈ/ଜବାନ୍ ସେ ମିଠାସ୍ କମ୍ ହୋ ରହି ହୈ, ଔର୍ ବଦନ୍ ମୈଁ ଶକ୍କର୍ ବଢ୍ ରହି ହୈ...”। ସହରରେ ନିମ୍ବଗଛ କମି ଯାଉଛି, ହେଲେ ଘର ଭିତରେ ତିକ୍ତତା ବଢ଼ିବାରେ ଲାଗିଛି। ମୁହଁରୁ ଦି’ପଦ ମିଠା କଥା ହଜି ଯାଉଛି, ଏଣେ ଶରୀରରେ ଶର୍କରା ବଢ଼ି ଚାଲିଛି। 
ଆମେ ଏବେ ବୁଝିଗଲୁ ବୋହୂର ପ୍ରାତଃ ପରିବେଷିତ ତ୍ରିଫଳା ପାଣି ତା’ର ସମସ୍ତ ତିକ୍ତତା ସତ୍ତ୍ବେ ଅକ୍ଳେଶରେ ଗଳାଧଃକରଣ ହୋଇଯାଏ କେମିତି! 
(ମତାମତ ଲେଖକଙ୍କ ନିଜସ୍ବ)
[email protected]

Advertisment