ମନୁଷ୍ୟ ମୃତ୍ୟୁ ପରେ କାହିଁକି ଅନ୍ୟମାନଙ୍କ ମନରେ ସ୍ମୃତି ହୋଇ ସଦା ଜୀବିତ ରହିବାକୁ ପସନ୍ଦ କରେ? ନିଜ ନାମରେ ଅନୁଷ୍ଠାନ ଗଢ଼େ, ସ୍ମାରକୀ ତୋଳାଏ, ଭିତ୍ତିସ୍ତମ୍ଭ ଓ ଉଦ୍ଘାଟନ ଫଳକ ଲଗାଏ, ଆତ୍ମଜୀବନୀ ଲେଖେ, ପ୍ରତିମୂର୍ତ୍ତି ତା’ର ସ୍ଥାପନ ହୁଏ, ସମାଧି ଗଢ଼ାହୁଏ ଓ ମନ୍ଦିର ଚଟାଣରେ ନାମାଙ୍କିତ ପ୍ରସ୍ତର ଖଞ୍ଜାହୁଏ। ମୃତ୍ୟୁ ପରେ ଏସବୁ କ’ଣ ବା କାମରେ ଆସେ? ଅନ୍ୟମାନଙ୍କ ସ୍ମୃତିରେ ଜୀବିତ ରହିବାର ଇଚ୍ଛା ହେତୁ ଏସବୁ ତାକୁ କରିବାକୁ ପଡ଼େ। ପରବର୍ତ୍ତୀ ପିଢ଼ିର ସ୍ମୃତିରେ ଆମେ କେତେଦିନ ଜୀବିତ ରହିପାରିବା? ଆମକୁ ଦେଖିଥିବା ସର୍ବକନିଷ୍ଠ ବ୍ୟକ୍ତିଟି ଜୀବିତ ଥିବାଯାଏଁ। ତା’ପରେ ସବୁକିଛି ଅନ୍ଧକାର। ଆମ ପ୍ରପିତାମହଙ୍କ ପିତାଙ୍କ ନାମ ଆମେ କେତେ ଜଣ ମନେ ରଖିଛେ? ମୃତ୍ୟୁର ଉପରାନ୍ତ ପରବର୍ତ୍ତୀ ପିଢ଼ି ଦ୍ବାରା ଭଲପାଇବା ଓ ପ୍ରଶଂସିତ ହେବାର ଇଚ୍ଛା, ସେମାନଙ୍କ ମନରେ ଆଦର୍ଶ ହୋଇ ରହିଯିବାର କାମନା ଓ ସ୍ବ-ଜୀବନ କାଳର ଏକ ସନ୍ତୋଷଜନକ ପରିସମାପ୍ତି ଘଟାଇବାର ଅଭିଳାଷ ମନୁଷ୍ୟକୁ ମୃତ୍ୟୁ ପରେ ମଧ୍ୟ ଜନସ୍ମୃତିରେ ଅମର ରହିବାକୁ ପ୍ରେରଣା ଦେଇଥାଏ। ନିଜକୁ ଆମେ ଆମର ସଂସ୍କୃତି, ସମାଜ ଓ ପରିବାରରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ମନେ କରିଥାଉ ଏବଂ ସେଥିପାଇଁ ଜୀବନର କ୍ଷଣସ୍ଥାୟୀତ୍ବକୁ ଅସ୍ବୀକାର କରି ଅମର ରହିଯିବାର ସ୍ବପ୍ନ ଦେଖୁ। ଆମେ ଜାଣିଥାଉ ଯେ, ଛାଡ଼ିଯାଉଥିବା ସବୁକିଛି ଦିନେ କ୍ଷୟପ୍ରାପ୍ତ ହେବ। ଏପରି ଏକ ଭାବନା ଆମର ଜୀବନକାଳର ପରିମିତିକୁ ପ୍ରତି କ୍ଷଣରେ ଆମକୁ ସୂଚାଇ ଦେଉଥାଏ। ତେଣୁ ମୃତ୍ୟୁ ପରେ ମଧ୍ୟ ଆମେ ଅମରତ୍ବର ସନ୍ଧାନରେ ରହି ନିଜର ଅସ୍ତିତ୍ବକୁ ଅନ୍ୟର ସ୍ମୃତିରେ ଅମର ରଖିବାର ପ୍ରୟାସ କରିଥାଉ। ଦାର୍ଶନିକ ଅରନେଷ୍ଟ୍ ବେକର୍ ତାଙ୍କର ପୁଲିଜର୍ ପୁରସ୍କାରପ୍ରାପ୍ତ ପୁସ୍ତକ ‘ଡିନାଏଲ୍ ଅଫ୍ ଡେଥ୍’ରେ ଏ ସଂପର୍କରେ କୁହନ୍ତି, “ଆମେ ଯାହା ବି କିଛି କରୁ ତା’ ପଛରେ ଆମର ମୃତ୍ୟୁ ପ୍ରତି ଅପ୍ରକାଶିତ ଭୟ ଲୁଚି ରହିଥାଏ। ଏ ଭୟ ଆମକୁ ସଦା ସର୍ବଦା ଅମର ହୋଇ ରହିଯିବାର ପ୍ରବର୍ତ୍ତନା ଦେଉଥାଏ, ଯାହାର ପରିଣତି ସ୍ବରୂପ ଆମେ ଏପରି ସବୁ କାର୍ଯ୍ୟ କରି ପରବର୍ତ୍ତୀ ପିଢ଼ି ପାଇଁ ଛାଡ଼ିଯିବାର ପ୍ରଯତ୍ନ କରୁ, ଯାହା ମାଧ୍ୟମରେ ଅନ୍ତତଃ ସେମାନଙ୍କ ସ୍ମୃତିରେ ଆମେ ଅମର ହୋଇ ରହିଯାଇ ପାରିବା।”
ସ୍ମୃତିରେ ଜୀବିତ ରହିବାର ଚିରସ୍ଥାୟିତ୍ବ କିଛି ନାହିଁ। ଯେଉଁ ସବୁ ମହାନ ବ୍ୟକ୍ତିମାନଙ୍କୁ ଆମେ ଚିରସ୍ମରଣୀୟ କହି ଏବେ ମଧ୍ୟ ମନେ ପକାଉ, ସେମାନଙ୍କ ସ୍ମୃତି ଆଗାମୀ କାଲି ସମୟର ଧୂଳି ଝଡ଼ରେ ଧରିତ୍ରୀ ପୃଷ୍ଠରେ ମିଳାଇଯିବ। ବ୍ୟାସଦେବ, ହୋମର୍ ଓ ସେକ୍ସପିଅରଙ୍କ ପରି ଲେଖକ, ସକ୍ରେଟିସ, ପ୍ଲାଟୋ ଓ କନଫ୍ୟୁସିଅସଙ୍କ ପରି ଚିନ୍ତାନାୟକ, ଆଲେକଜାଣ୍ଡାର, ଅଶୋକ ଓ ଗାନ୍ଧୀଜୀଙ୍କ ପରି ଜନନାୟକ, ଆଇନଷ୍ଟାଇନଙ୍କ ପରି ବୈଜ୍ଞାନିକ ଏବଂ ହିଟଲରଙ୍କ ପରି ଗଣହତ୍ୟାକାରୀ ଏ ସମସ୍ତେ ଆଜି ଆମର ସ୍ମୃତିରେ ଜୀବିତ ଥିଲେ ମଧ୍ୟ କାଲିକୁ ହୁଏତ ସେ ସ୍ମୃତି ଆଉ ଚିରସ୍ଥାୟୀ ନହୋଇପାରେ। ଗତକାଲି ପ୍ରାତଃସ୍ମରଣୀୟ ଥିବା ଏ ମହାନାୟକମାନେ ଏବେ ଆବଶ୍ୟକ ସମୟରେ କେବଳ ଆମର ମନେ ପଡ଼ନ୍ତି। ଏମାନଙ୍କ ପୂର୍ବରୁ ଯେଉଁ ମହାନ ବ୍ୟକ୍ତିମାନେ ଥିଲେ ସେମାନେ ଆଉ ଆମର ସ୍ମରଣରେ ଅଛନ୍ତି କି?
କବି ପି. ବି. ସେଲି ଏ ବିଷୟଟି ଉପରେ ତାଙ୍କର ‘ଓଜିମାଣ୍ଡିୟାସ୍’ ସନେଟରେ ଏକ ବର୍ଣ୍ଣନା ଦେଇଛନ୍ତି। ଜଣେ ପ୍ରସିଦ୍ଧ ରାଜାଙ୍କର ପ୍ରତିମୂର୍ତ୍ତି ଭାଙ୍ଗିଯାଇ ବାଲିରେ ପୋତିହୋଇ ପଡ଼ିଛି। ସେ ପ୍ରତିମୂର୍ତ୍ତିଟି କାହାର, କବି ଜାଣି ପାରୁ ନାହାନ୍ତି। କେବଳ ଭଙ୍ଗା ଗୋଡ଼ ଦୁଇଟି ରହିଯାଇଥିବା ସ୍ତମ୍ଭରେ ଲେଖା ହୋଇଛି, “ମୁଁ ରାଜାଧିରାଜ ଓଜିମାଣ୍ଡିୟାସ୍। ପ୍ରବଳ ପ୍ରତାପୀ ରାଜାର ଆଜିର ଏ ଦୁର୍ଦ୍ଦଶା ଦେଖିନିଅ। ନିଜକୁ ଯେତେ ଶକ୍ତିଶାଳୀ ଓ ପ୍ରସିଦ୍ଧ ଭାବୁଥାଅ ପଛେ, ଦିନେ ଏପରି ଏକ ପରିତ୍ୟକ୍ତ ସ୍ଥାନରେ ତୁମର ପ୍ରତିମୂର୍ତ୍ତି ଅଚିହ୍ନା ଓ ଅଲୋଡ଼ା ହୋଇ ପଡ଼ିରହିବ। ଯେଉଁ ଦିନ ଜନମାନସରୁ ତୁମେ ହଜିଗଲ ସେହି ଦିନଠାରୁ ଜାଣିରଖ ତୁମର ଦ୍ବିତୀୟ ବାର ମୃତ୍ୟୁ ହୋଇଗଲା।”
ଅନ୍ୟମାନଙ୍କ ପରି ଆମେ ମଧ୍ୟ ଦିନେ ଦିବଂଗତ ହୋଇଯିବା। ଆମର ସମାଧି ସ୍ଥଳ ଓ ଛାଡ଼ି ଯାଇଥିବା ସବୁକିଛି ଦିନେ ମାଟିରେ ମିଶିଯିବ ଓ ଆମକୁ ମନେ ରଖିବା ପରି ଅବଶେଷ ସ୍ମୃତି ଟିକିଏ ମଧ୍ୟ କାହାରି ମନରେ ଆଉ ସଜୀବ ନଥିବ। ଏ ସ୍ମାରକୀ, ପ୍ରତିମୂର୍ତ୍ତି, ସ୍ମୃତି ଫଳକ, ନାମାଙ୍କିତ ଅନୁଷ୍ଠାନ ସବୁକିଛି ଦିନେ ଲୋକେ ପାସୋରି ଯିବେ। କେହି ମନେ ରଖିବେନି ଆମେ ଦିନେ ଏ ସଂସାରରେ ଥିଲେ ଓ ଆମର ମଧ୍ୟ ଏକ ନାମକରା ଇତିହାସ ଥିଲା। କେହି ଜାଣିବେନି ଆମେ କେଡ଼େ ପ୍ରଭାବଶାଳୀ ବାହୁବଳୀ ଥିଲେ। କେହି ମନେ ରଖିବେନି ଆମେ କେଡ଼େ ଧନଶାଳୀ ଅଥବା ଜନପ୍ରିୟ ଥିଲେ। ଆମେ କ’ଣ କରିଛନ୍ତି, କ’ଣ କହିଛନ୍ତି ତାହା ସମସ୍ତେ ଭୁଲିଯିବେ। ମାତ୍ର ଆମକୁ ନେଇ ସେମାନେ କ’ଣ ଅନୁଭବ କରିଛନ୍ତି ତାହା କେବଳ ପରବର୍ତ୍ତୀ ପିଢ଼ି କିଛିକାଳ ମନେ ରଖିବ। ତାହା ହିଁ ସେମାନଙ୍କର ସ୍ମୃତିରେ ଆମକୁ ସ୍ବଳ୍ପକାଳ ମନେ ରଖିବାର ଏକମାତ୍ର ନକ୍ସା ହେବ। ତେଣୁ ମୃତ୍ୟୁ ପରେ ଅନ୍ୟର ସ୍ମୃତିରେ ଆମେ କିପରି ରହିବାକୁ ଆଶା କରୁ, ତାହା ଏବେଠାରୁ ସ୍ଥିର କରିନେବା କଥା। ସ୍ମୃତିରେ ଚିରଞ୍ଜୀବୀ ହେବାର ନିଷ୍ଫଳ ପ୍ରୟାସ ନକରି ଏକ ସୁନ୍ଦର ଓ ପ୍ରଭାବୀ ଜୀବନ ଜିଇଁନେବା ଉଚିତ ନୁହେଁ କି? ଜୀବନ କାହାଣୀକୁ ସମୟର କାଳିରେ ଏମିତି ଲେଖିଯିବା ଉଚିତ କି, କାହାଣୀ ଶେଷ ହେଲାବେଳେ ଶୁଣୁଥିବା ଓ ଦେଖୁଥିବା ଲୋକର ଆଖି ଲୁହ ଝରାଉଥିବ ଓ ହାତ ତାଳି ବଜାଉଥିବ। “କାହାନୀ ଖତମ୍ ହୁଇ ଔର୍ ଐସି ଖତମ୍ ହୁଇ କି; ଲୋଗ୍ ରୋନେ ଲଗେ, ତାଲିୟାଁ ବଜତି ରହି....।” ତା’ପରେ ସେ କାହାଣୀର ଆଉ ସ୍ମୃତି କ’ଣ, ବିସ୍ମୃତି ବା କ’ଣ!
[email protected]
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/65sf4h654sf65fhssfhsfh.jpg)