ସୁଭାଷ ପଟ୍ଟନାୟକ
ସଭ୍ୟତାର ବିବର୍ତ୍ତନରେ କୌଣସି କାଳରେ ମଧ୍ୟ ମନୁଷ୍ୟର ବ୍ୟକ୍ତିତ୍ୱ ଉପରେ ଏକ ଶାସନ ପ୍ରଣାଳୀକୁ ବଳପୂର୍ବକ ଲଦି ଦିଆଯାଇନାହିଁ। ଏପରିକି ରାଜତନ୍ତ୍ରର ମୂଳ ଭିତ୍ତି ସ୍ଥାପନ ହୋଇଥିଲା ଅସୁରକ୍ଷିତ ଗଣ-ବ୍ୟକ୍ତିତ୍ବର ସୁରକ୍ଷା ପାଇଁ ଏକ ବଳଶାଳୀ ନେତାର ଆବଶ୍ୟକତାରୁ- ଏକଥା ସ୍ବୀକାର କରିଛନ୍ତି ବ୍ରିଟିସ ଦାର୍ଶନିକ ଥମାସ୍ ହବସ୍। ଗତ ପାଞ୍ଚ ଶହ ବର୍ଷ ମଧ୍ୟରେ ପୃଥିବୀରେ ଶାସନତନ୍ତ୍ରର ଅନେକ ପରୀକ୍ଷାନିରୀକ୍ଷା ହୋଇଯାଇଛି। ରାଜତନ୍ତ୍ର ଠାରୁ ଆରମ୍ଭ କରି ଅଧୁନା ଲୋକପ୍ରିୟ ଲୋକତାନ୍ତ୍ରିକ ବ୍ୟବସ୍ଥାରେ ଜଣ-ବ୍ୟକ୍ତିତ୍ବ ଓ ଗଣ-ବ୍ୟକ୍ତିତ୍ବର ସ୍ଥାନ କେଉଁଠି? ଶାସନତନ୍ତ୍ରରେ ପରିବର୍ତ୍ତନ ଆସେ ଯଥେଚ୍ଛାଚାରିତା ହେତୁ ବ୍ୟକ୍ତିତ୍ବର ମହତ୍ତ୍ବ କ୍ଷୁଣ୍ଣ ହେଲେ। ବ୍ୟକ୍ତିତ୍ବ ବା ସ୍ବପ୍ରାଧାନ୍ୟର ସଚେତନତାରୁ ହିଁ ସମସ୍ତ ପୁରାତନ ଶାସନ ବ୍ୟବସ୍ଥାକୁ ପରିହାର କରି ଲୋକତନ୍ତ୍ରର ପରାକାଷ୍ଠା ସ୍ବୀକୃତ ହୋଇଛି। ରାଜତନ୍ତ୍ରର ଭ୍ରଷ୍ଟ ଦିଗଟି ଥିଲା ସ୍ବେଚ୍ଛାଚାରିତା। ରାଜଭକ୍ତି ଥିଲା ଏକମାତ୍ର ପ୍ରଜାଧର୍ମ। ହବସ୍ ମଧ୍ୟ ବ୍ୟକ୍ତିତ୍ବ ଉପରେ ଜୋର ନଦେଇ ରାଜାର ସ୍ବାଧୀନତା ଉପରେ ଆସ୍ଥା ସ୍ଥାପନ କରିଥିଲେ। ରାଜତନ୍ତ୍ରର ଏହି ତ୍ରୁଟି ମଧ୍ୟରୁ ଫରାସୀ ଚିନ୍ତକ ରୁସୋଙ୍କର ଗଣତନ୍ତ୍ରର ପରିକଳ୍ପନା। ସ୍ବାଧୀନ ବ୍ୟକ୍ତିତ୍ବର ଉତ୍କର୍ଷ ଦର୍ଶାଇବାକୁ ସେ ଲୋକତନ୍ତ୍ରକୁ ପ୍ରାଧାନ୍ୟ ଦେଲେ। ଅନୁଭବ ହେଲା ଯେ, ଏକ ସୁଖୀ ଜୀବନ ନିମନ୍ତେ ପ୍ରାରମ୍ଭିକ ଆବଶ୍ୟକତା ହେଉଛି ନିଜର ଦେଶକୁ ସଂଗଠିତ କରିବା ଏବଂ ବ୍ୟକ୍ତିତ୍ବର ବିକାଶ ପାଇଁ ଦେଶ କ’ଣ ପଦକ୍ଷେପ ନେଉଛି ତାହା ସ୍ଥିର ନିଶ୍ଚିତ ହେବା, ଯାହା କେବଳ ଲୋକଙ୍କ ପସନ୍ଦରେ ଶାସନ ପରିଚାଳିତ ହେବା ଦ୍ବାରା ସମ୍ଭବ। କିନ୍ତୁ ରୁସୋଙ୍କର ଏ ଉଦ୍ଦେଶ୍ୟଟି ଗଣତନ୍ତ୍ର ଶାସନରେ ସମ୍ଭବ ହୋଇ ପାରିଛି କି? ଗଣତନ୍ତ୍ରର ପୋଷାକ ପିନ୍ଧି ସେଇ ରାଜତନ୍ତ୍ର ହିଁ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି।
ଦଳଗତ ଶାସନରେ ପର୍ଯ୍ୟବସିତ ଲୋକତନ୍ତ୍ରରେ ସାଧାରଣ ଜନତାର ମଙ୍ଗଳ କାମନା ନାହିଁ। ଦଳୀୟ ଅନୁଚର ବର୍ଗଙ୍କ କାୟିକ ଓ ଆର୍ଥିକ ପୁଷ୍ଟି ସାଧନରେ ସୀମିତ ହୋଇଛି ଗଣତନ୍ତ୍ର। ଦଳର ରାଜନୈତିକ କ୍ଷମତା ଅକ୍ଷୁଣ୍ଣ ରଖିବା ଲାଗି ବ୍ୟକ୍ତିତ୍ବକୁ ଜଳାଞ୍ଜଳି ଦେବାର ଆବଶ୍ୟକ ହେଲେ ଶାସନରେ ଥିବା ସରକାର ପଛଘୁଞ୍ଚା ଦେଉ ନାହିଁ। ଯେଉଁଠି ସାଧାରଣ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶାସନ କରାଯାଏ ତାହା ସାଧାରଣତନ୍ତ୍ର। ମୁଷ୍ଟିମେୟ ବ୍ୟକ୍ତିଗତ ସ୍ବାର୍ଥ ବା ଦଳୀୟ ସ୍ବାର୍ଥ ସର୍ବୋପରି ବିବେଚିତ ହେଲେ ତାହା ସଚ୍ଚା ନହୋଇ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ବା ‘ଫ୍ଲଅଡ୍ ଡେମୋକ୍ରାସି’। ଏପରି ବ୍ୟବସ୍ଥା ମଧ୍ୟରେ ଜନପ୍ରତିନିଧିମାନେ ଦଳୀୟ ଦର୍ଶନ ଆଧାରରେ ନିଜସ୍ୱ ବ୍ୟକ୍ତିଗତ ଆଦର୍ଶକୁ ବଦଳାଇବାରେ ଲାଗନ୍ତି। ତେଣୁ ବ୍ୟକ୍ତିଗତ ସ୍ତରରେ ଭଲ ନେତାଟିଏ ମଧ୍ୟ ଦଳ ନିକଟରେ ସ୍ବକୀୟ ବ୍ୟକ୍ତିତ୍ବ ହରାଇବସେ। ଏହାର ସୁଯୋଗରେ ଶାସନର ଶୀର୍ଷରେ ବସିଥିବା ନେତାଟି ରାଜତନ୍ତ୍ରର ମୁଖିଆ ପରି ନିଜକୁ ଓ ଶାସନକୁ ପରିଚାଳିତ କରେ। ଲୋକ-କଲ୍ୟାଣ ଗୌଣ ହୋଇଯାଇ କ୍ଷମତା ଅପହରଣର ମାର୍ଗ ପ୍ରସ୍ତୁତିରେ ଲାଗିପଡ଼େ। ଶାସନ ହୋଇଯାଏ ସ୍ବେଚ୍ଛାଚାରୀ। ଶାସନତନ୍ତ୍ର ଭୁଲିଯାଏ ଯେ, ସମାଜର ସାମୂହିକ କଲ୍ୟାଣ ଓ ବ୍ୟକ୍ତିତ୍ବର ବିକାଶ ଗଣତନ୍ତ୍ରର ମୂଳପିଣ୍ଡ। ଜନତା ଅନେକ ବ୍ୟକ୍ତିତ୍ବର ସମଷ୍ଟି ହୋଇପାରେ, କିନ୍ତୁ ଜନତାର ଅଭିମତ ପ୍ରତ୍ୟେକ ବ୍ୟକ୍ତିର ଅଭିମତର ଗାଣିତିକ ସମଷ୍ଟି ନୁହେଁ। ତେଣୁ ଗଣତନ୍ତ୍ରରେ ଶାସକ ପ୍ରତ୍ୟେକ ଲୋକର ସନ୍ତୋଷ ବିଧାନ ପାଇଁ ସକ୍ଷମ ନହୋଇ ପାରିଲେ ମଧ୍ୟ ବ୍ୟକ୍ତିତ୍ବର ପ୍ରାଧାନ୍ୟ ରକ୍ଷା କରିପାରିଲେ ଶାସନ ବ୍ୟବସ୍ଥାକୁ ଉତ୍କୃଷ୍ଟ ବୋଲି ଧରାଯିବା କଥା। ଦୁର୍ଭାଗ୍ୟର କଥା, ଆଜି ବିଶ୍ବର କୌଣସି ହେଲେ ଗଣତନ୍ତ୍ରରେ ଏ ମୂଳ ଉଦ୍ଦେଶ୍ୟ ସାଧନ ହୋଇ ପାରିନାହିଁ।
ଗଣର ଶକ୍ତି ହେଉଛି ଗଣତନ୍ତ୍ର, ଯେଉଁ ବ୍ୟବସ୍ଥା ମାଧ୍ୟମରେ ସୈଦ୍ଧାନ୍ତିକ ରୂପରେ ସମାଜର ସମସ୍ତ ବର୍ଗର ଜନତାଙ୍କ ପକ୍ଷରୁ ସେମାନଙ୍କ ଇଚ୍ଛା ଅନୁରୂପ ସରକାରଟିଏ ସେଇମାନଙ୍କର ବ୍ୟକ୍ତିତ୍ବର ସୁରକ୍ଷା ପାଇଁ ପ୍ରତିଷ୍ଠିତ ହୁଏ। ସାର୍ବଜନୀନ ବ୍ୟକ୍ତିତ୍ବ ଓ ଗଣତନ୍ତ୍ର ପରସ୍ପରର ସଂପର୍କିତ। ଏକ ସ୍ପନ୍ଦନଶୀଳ ଗଣତନ୍ତ୍ର ନିର୍ଭର କରେ ସେହିପରି ବ୍ୟକ୍ତିତ୍ବ ସଂପନ୍ନ ନେତାମାନଙ୍କ ଉପରେ, ଯେଉଁମାନେ ଗଣର ମଙ୍ଗଳ ପାଇଁ ଉତ୍ସର୍ଗୀକୃତ ହୋଇଥିବେ। ଏ ମୂଳ ସତ୍ୟଟି ଭୁଲିଯାଇ ଗଣତନ୍ତ୍ର ଆଜି ଲୋକତନ୍ତ୍ରର ମୁଖାତଳେ ଏକ ଯଥେଚ୍ଛାଚାରୀ, ଅଧିନାୟକବାଦୀ ଅଭିଜାତତନ୍ତ୍ରକୁ ପୋଷଣ କରିଚାଲିଛି। ଥରେ ଶାସନକୁ ଆସିଗଲେ ନେତାଙ୍କ ସ୍ବର ଓ ବ୍ୟକ୍ତିତ୍ବର ରଙ୍ଗ ବଦଳିଯାଉଛି। ଖଜୁରି ଗଛ ଯେତେ ଉଚ୍ଚକୁ ଉଠେ ତା’ର ଛାଇ ସେତିକି କମିଯିବା ପରି ସାଧାରଣ ବର୍ଗର ସ୍ବାର୍ଥ ସେମାନଙ୍କୁ ଆଉ ଦେଖାଯାଉନାହିଁ। ଶାସନରେ ବସିଥିବା କର୍ଣ୍ଣଧାରମାନେ ବ୍ୟକ୍ତିତ୍ବର ସଂଜ୍ଞା ଯେଉଁ ପ୍ରକାରେ ନିର୍ଦ୍ଦିଷ୍ଟ କରିବେ ତଦ୍ଭିନ୍ନ ଅନ୍ୟ କୌଣସି ପ୍ରକାରେ ବ୍ୟକ୍ତିଗତ ସ୍ବାଧୀନତାର ଆଶା କଲେ ତାକୁ ଦେଶବିରୋଧୀ କୁହାଯାଉଛି। ନିର୍ବାଚନ ମାଧ୍ୟମରେ ଗୋଟିଏ ଦଳକୁ ଶାସନରେ ବସାଇ ଗଣର ବ୍ୟକ୍ତିତ୍ବ ସେମାନଙ୍କ ପାଦତଳେ ସମର୍ପିଦେବା କ’ଣ ଗଣତନ୍ତ୍ର? ଗଣତନ୍ତ୍ର ତ ଏକ ଜୀବନଶୈଳୀ। ଜୀବନ ଜିଇଁବାର ଏକ ପଦ୍ଧତି ଯାହା ଜନତାର ସମାନତା ଓ ମର୍ଯ୍ୟାଦା ସାକାର କରିବାର ଆଦର୍ଶଗତ ଓ ଉତ୍ସର୍ଗୀକୃତ ବ୍ୟବସ୍ଥା। ଅର୍ଥାତ୍, ନାଗରିକ ସମାଜ, ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବାଣିଜ୍ୟ ସଂଘ, ବ୍ୟବସାୟ, ଭିନ୍ନ ମତ ରଖୁଥିବା ବିରୋଧୀ ଦଳ, ଗଣମାଧ୍ୟମ ଓ କ୍ଷମତାର ସମାନତା ପାଇଁ ପ୍ରତିବଦ୍ଧ ବ୍ୟବସ୍ଥା ଗୁଡିକ ସହିତ ମିଳିମିଶି ସେମାନଙ୍କ ମତକୁ ନ୍ୟାୟୋଚିତ ସମ୍ମାନ ଦେଇ କାର୍ଯ୍ୟ କରିବା ହେଉଛି ପ୍ରକୃତ ଗଣତନ୍ତ୍ର। ଚବିଶ ଶହ ବର୍ଷ ପୂର୍ବେ ଦାର୍ଶନିକ ପ୍ଲାଟୋ ତାଙ୍କ ପୁସ୍ତକ ‘ରିପବ୍ଳିକ୍’ର ଭାଗ ଆଠ ଓ ନଅରେ ଭବିଷ୍ୟବାଣୀ କରିଥିଲେ, “ପରିଶେଷରେ ଗଣତନ୍ତ୍ର ବ୍ୟବସ୍ଥାରେ ସ୍ବେଚ୍ଛାଚାରର ବୀଜ ମୁଣ୍ଡ ଟେକିବ ଓ ସମୟ ଉପଗତ ହେଲେ ଗଣତନ୍ତ୍ର ନାମରେ ଶାସନରେ ଥିବା ଲୋକେ ଏହାକୁ ଅଧିନାୟକବାଦୀ ସ୍ବେଚ୍ଛାଚାରୀ ଶାସନରେ କାୟାନ୍ତରଣ କରିଦେବେ।” ତାଙ୍କର ଭବିଷ୍ୟବାଣୀ ଆଜି ସତ୍ୟରେ ପରିଣତ ହୋଇଛି ଏବଂ ବିଶ୍ବର ସତୁରି ପ୍ରତିଶତ ଜନତା ତଥାକଥିତ ଗଣତନ୍ତ୍ର ନିକଟରେ ନିଜର ବ୍ୟକ୍ତିତ୍ବ ସମର୍ପି ଦେଇଛନ୍ତି। ମଣିଷ ଆଜି ଜହର କୁଣ୍ଡରେ ବୁଡ଼ିରହି ମଧ୍ୟ ଜହରକୁ ପିଇ ପାରୁନି କି ଜୀବନକୁ ସହି ନେଉଛି ସିନା, ତାକୁ ଜିଇଁ ପାରୁନି। “ଡୁବା ହୁଆ ହୁଁ ଜହର୍ ମୈଁ, ପର୍ ପି ନହିଁ ରହା/ମୈଁ ଜୀନ୍ଦଗି କୋ ସହ ରହା ହୁଁ, ଜି ନହିଁ ରହା।” (ରାହତ୍ ଇନ୍ଦୋରି)।
ବ୍ୟକ୍ତିତ୍ବର ସୁରକ୍ଷା ପାଇଁ ଏକ ବିପ୍ଳବର ସଂସାଧନ ହେବା ଆଉ ବୋଧହୁଏ ବେଶୀ ଡେରି ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]