ଗାନ୍ଧୀଜୀ କହିଥିଲେ, ଆମେ ଯଦି ଆଖି ବଦଳରେ ଆଖି ନେଇଚାଲିବା, ଦିନେ ସମଗ୍ର ବିଶ୍ବ ଅନ୍ଧ ହୋଇଯିବ। ନ୍ୟାୟ ପାଇଁ ସବୁଆଡ଼େ ଚିତ୍କାର। ଏ ନ୍ୟାୟ ଆଉ କିଛି ନୁହେଁ, କୌଣସି ଏକ ଅନ୍ୟାୟ ବିରୋଧରେ ପ୍ରତିଶୋଧ। କାହାର ପୁଅର ହତ୍ୟା ହୋଇଛି, ପରିବାର ଚିତ୍କାର କରୁଛି ନ୍ୟାୟ ଦିଅ। ଦୋଷୀକୁ ଫାଶୀ ହେଉ। ଚୋରି କରିଛି, ତାକୁ ସଜା ମିଳୁ। ବଳାତ୍କାର କରିଛି, ସଜାରେ ମିଳୁ ମୃତ୍ୟୁ। ସମସ୍ତେ ନ୍ୟାୟ ପାଇବାକୁ ବ୍ୟାକୁଳ, ତାହା ପୁଣି ଯେସାକୁ ତେସା। ଏ ନ୍ୟାୟ ପ୍ରକୃତରେ କ’ଣ? ଟିକିଏ ଚିନ୍ତାକରି ଦେଖନ୍ତୁ, ନ୍ୟାୟ ହେଉଛି ନ୍ୟାୟିକ ପ୍ରତିଶୋଧ। ଯାହା ସାଧାରଣ ଲୋକଟିଏ କଲେ ପ୍ରତିଶୋଧମୂଳକ ଅପରାଧ, ନ୍ୟାୟାଳୟ ତାହା କଲେ ନାଁ ତା’ର ନ୍ୟାୟବିଚାର। ପ୍ରତିଶୋଧ ଓ ନ୍ୟାୟ ଏକ ହେଲେ ମଧ୍ୟ ପ୍ରତିଶୋଧ ବ୍ୟକ୍ତିଟିର ଭାବନା ଦ୍ବାରା ପ୍ରେରିତ, ମାତ୍ର ନ୍ୟାୟିକ ପ୍ରତିଶୋଧ ତର୍କ ଓ ବିବେକ ଆଧାରିତ। ସଂକ୍ଷେପରେ କହିଲେ, ଯେଉଁ ବ୍ୟକ୍ତିଟି ଜଣେ ନିରୀହ ବ୍ୟକ୍ତି ଉପରେ ଅପରାଧ କଲା, ତା’ପ୍ରତି ସମାନ ପରିମାଣର ପାଲଟା ଅପରାଧ ଘଟାଇବା ହିଁ ନ୍ୟାୟ। ଆମର ଧାରଣା ଯେ, ପୀଡ଼ିତର କ୍ଷତିର ଭରଣା କେବଳ ନ୍ୟାୟ ଭିତ୍ତିକ ପ୍ରତିଶୋଧରୁ ହିଁ ହୋଇପାରିବ। ଦଣ୍ଡ ପାଇଥିବା ବ୍ୟକ୍ତିର ଅନୁପସ୍ଥିତିରେ ତା’ ପରିବାର ପ୍ରତିପୋଷଣ କିପରି ହେବ, ପିଲାମାନେ ତା’ର କିପରି ମଣିଷ ହେବେ, ସେକଥା ନ୍ୟାୟାଳୟ ବିଚାରକୁ ନିଏନି। ଏପଟେ ଦଣ୍ଡିତ ବ୍ୟକ୍ତିର ପରିବାର ବିନା କିଛି ଦୋଷରେ ମଧ୍ୟ ଦଣ୍ଡ ଭୋଗନ୍ତି। ଲୋକେ ଟାହିଟାପରା କରନ୍ତି, କାମ ମିଳେ ନାହିଁ, କେହି ସେମାନଙ୍କ ପ୍ରତି ସଂବେଦନଶୀଳ ହୁଅନ୍ତି ନାହିଁ। ପରିଶେଷରେ ବାଧ୍ୟହୋଇ ପେଟର ତାଡ଼ନାରେ ସେମାନେ ସେଇ ଅପରାଧର ପଙ୍କରେ ପଶିବାକୁ ବାଧ୍ୟ ହୁଅନ୍ତି। ଦେଶ ମଧ୍ୟ ହାତ ଛାଡ଼ିଦିଏ। ଭାବେନି ଯେ ଦେଶର ଅବହେଳାରୁ ଅପରାଧଟି ଘଟିଲା, ତେଣୁ ଦଣ୍ଡିତ ବ୍ୟକ୍ତିର ଅସହାୟ ପରିବାରର ଦାୟିତ୍ୱ ମଧ୍ୟ ଦେଶର। ତେଣୁ ନ୍ୟାୟ ପ୍ରଣାଳୀଟି ଆମର ପ୍ରକୃତରେ ‘ଜଷ୍ଟ୍ ରିଭେଞ୍ଜ’ ବା ସମୁଚିତ ପ୍ରତିଶୋଧ ଛଡ଼ା ଅନ୍ୟ କିଛି ନୁହେଁ। ଆମର ଦାର୍ଶନିକମାନେ ନ୍ୟାୟର ଏ ପରିଭାଷାକୁ ନେଇ ଦୁଇଭାଗରେ ବିଭକ୍ତ। ଇମାନୁଏଲ୍ କ୍ୟାଣ୍ଟ୍‌ଙ୍କ ପରି କିଛି ଦାର୍ଶନିକ ଏ ନ୍ୟାୟ ପ୍ରଣାଳୀର ସମର୍ଥନ କରନ୍ତି। ତାଙ୍କ ମତରେ ନ୍ୟାୟ ସର୍ବଦା ପରିଣାମ-ନିରପେକ୍ଷ ହେବା ଉଚିତ। ସେ ଏହାର ନାମ ଦେଇଛନ୍ତି ‘ଡିଅଣ୍ଟୋଲୋଜିକାଲ୍ ଏଥିକ୍ସ’। ଜଣେ ଦୋଷୀ ଯଦି ଦଣ୍ଡ ପାଏ, ତା’ର ପ୍ରଭାବ ଓ ପରିଣାମ ତା’ ପରିବାର ପାଇଁ ଯାହା ବି ହେଉ, ତାହା ବିବେଚନା କରିବା ନ୍ୟାୟାଳୟର କାମ ନୁହେଁ। ନ୍ୟାୟାଳୟ ଦଣ୍ଡ ଦେବା ସମୟରେ ଭାବିବା ଉଚିତ ନୁହେଁ ଯେ, ଦିଆଯାଉଥିବା ଦଣ୍ଡର ପରିଣାମ ଏକ ନିର୍ଦୋଷ ପରିବାରକୁ ମଧ୍ୟ ଭୋଗିବାକୁ ହେବ। ପରବର୍ତ୍ତୀ ସମୟରେ ଷ୍ଟୁଆର୍ଟ ମିଲ୍ ଓ ବେନ୍ଥେମ୍‌ଙ୍କ ପରି କିଛି ଦାର୍ଶନିକ କ୍ୟାଣ୍ଟ୍‌ଙ୍କ ମତକୁ ଖଣ୍ଡନ କରି କହିଛନ୍ତି, ନ୍ୟାୟ ପାଇବା ପାଇଁ ଦାବି ସର୍ବଦା ପ୍ରତିଶୋଧ ନେବା ପାଇଁ ଆହ୍ୱାନ। ସେ କ୍ଷେତ୍ରରେ ନ୍ୟାୟ ବ୍ୟବସ୍ଥା ପ୍ରୟୋଜନବାଦୀ ହେବା ଉଚିତ। ଏ ତତ୍ତ୍ବଟି ତାଙ୍କର ‘ଟେଲିଓଲୋଜିକାଲ୍ ଏଥିକ୍ସ’ ନାମରେ ଖ୍ୟାତ। ନ୍ୟାୟ ନୀତି ତ୍ରୁଟିଶୂନ୍ୟ ହେବ, ଯଦି ପ୍ରଦତ୍ତ ନ୍ୟାୟ ଦ୍ବାରା ଅନ୍ୟ କେହି ପ୍ରଭାବିତ ହେଉ ନଥିବେ। ଅର୍ଥାତ୍‌, ଗୋଟିଏ ନ୍ୟାୟ ଅନେକଗୁଡ଼ିଏ ଅନ୍ୟାୟର ଜନକ ହେଉଥିଲେ ସେ ନ୍ୟାୟଟି ନ୍ୟାୟ ବଦଳରେ ପ୍ରତିଶୋଧ ପର୍ଯ୍ୟାୟର। କୌଣସି ଏକ ସ୍ଥାନରେ ସଂଘଟିତ ଗୋଟିଏ ଅନ୍ୟାୟ, ସବୁ ସ୍ଥାନରେ ନ୍ୟାୟ ପ୍ରତି ବିପଦ।
ଆଲୋଚନାର ସାରାଂଶ ହେଉଛି, ଆମର ନ୍ୟାୟ ବ୍ୟବସ୍ଥା ପ୍ରତିଶୋଧାତ୍ମକ ନହୋଇ ପୁନଃସଂସ୍ଥାପନାତ୍ମକ ହେବା ଉଚିତ। ବନ୍ୟ ପ୍ରତିଶୋଧ ଯେପରି ନ୍ୟାୟ ନୁହେଁ, ବିଚାରାଳୟ ଦ୍ବାରା ପ୍ରଦତ୍ତ ନ୍ୟାୟ ମଧ୍ୟ ସେହିପରି ଏକ ନ୍ୟାୟିକ ପ୍ରତିଶୋଧ। ସାର୍ ଫ୍ରାନ୍‌ସିସ୍ ବେକନ୍ କହିଥିଲେ, “ପ୍ରତିଶୋଧାତ୍ମକ ନ୍ୟାୟ ହେଉଛି ଏକ ବନ୍ୟ ବିଚାର। ପ୍ରଥମ ଭୁଲ୍‌ଟି ନ୍ୟାୟର ଅବମାନନା ହେବା ବେଳେ ଦ୍ୱିତୀୟଟି ଖୋଦ୍ ନ୍ୟାୟର ହିଁ ହତ୍ୟାକାରୀ।” ଏ ନ୍ୟାୟ ପ୍ରଣାଳୀ ଆଜିର ନୁହେଁ। ଖ୍ରୀଷ୍ଟପୂର୍ବ ସପ୍ତଦଶ ଶତାବ୍ଦୀରେ ବେବିଲୋନର ରାଜା ହାମୁରାବିଙ୍କ ଦ୍ବାରା ପ୍ରଣୀତ ‘କୋଡ୍ ଅଫ୍ ହାମୁରାବି’ର ଏହା କେତେକାଂଶରେ ଏକ ପରିମାର୍ଜିତ ରୂପ। ସେ କୋଡ୍ ଅନୁସାରେ ଯେତେବେଳେ କାହାରି ଦ୍ବାରା କିଛି ନୀତିଗତ କ୍ଷତି ଘଟିଥାଏ, ସେ କ୍ଷେତ୍ରରେ ଏକ ଋଣ ସୃଷ୍ଟି ହୁଏ, ଯାହାର ପରିଶୋଧ କରିବା ଆବଶ୍ୟକ ହୁଏ। ଆନୁପାତିକ ଭିତ୍ତିରେ ପରିଶୋଧ ହେଉଥିବା ଏ ଋଣ ହେଉଛି, ‘ଲେକ୍ସ ଟେଲିଓନିସ୍’ ବା ଆଖି ବଦଳରେ ଆଖି। ଆମର ନ୍ୟାୟ ପ୍ରଣାଳୀରେ ଏ ବ୍ୟବସ୍ଥା ଆଜି ମଧ୍ୟ କେତେକାଂଶରେ ପରୋକ୍ଷରେ ବିଦ୍ୟମାନ। ସମଗ୍ର ବିଶ୍ବ ଏବେ ନ୍ୟାୟିକ ସୁଧାର ପାଇଁ ତତ୍ପର। ନରୱେ ଓ ଆଇସ୍‌ଲ୍ୟାଣ୍ଡ୍‌ ପରି ଦେଶ ଏ ବିଷୟରେ ଅନେକ ପ୍ରଗତି କରି ସୁଧାରମୂଳକ ନ୍ୟାୟକୁ ଗୁରୁତ୍ବ ଦେଲେଣି। କିଛି ଦେଶ ମାନବାଧିକାରକୁ ଗୁରୁତ୍ବ ଦେଇ ମୃତ୍ୟୁଦଣ୍ଡ ଉଠାଇଦେଲେଣି ଏବଂ ଅପରାଧୀର ଜୀବନକାଳରୁ କିଛି ଅଂଶ ଅପହରଣ କରି ତାକୁ କାରାଗାରର କାଳ କୋଠରିରେ ରଖିବା ପ୍ରଥାକୁ ଲୋପ କରିବାର ଚିନ୍ତା କଲେଣି।
ଆମର ନ୍ୟାୟାଳୟମାନଙ୍କରେ ନ୍ୟାୟର ଦେବୀ ଶୋଭାପାଆନ୍ତି। କୁହାଯାଏ, ନିରପେକ୍ଷ ନ୍ୟାୟ ପ୍ରଦାନର ସେ ପ୍ରତୀକ। ପକ୍ଷପାତ କରିବେନି ବୋଲି ଆଖିରେ ତାଙ୍କର କଳାପଟି। ନ୍ୟାୟର ବଟକରାରେ ତଉଲିବା ପାଇଁ ହାତରେ ତୁଳାଦଣ୍ଡ। ଉପଯୁକ୍ତ ଦଣ୍ଡବିଧାନ ପାଇଁ ହାତରେ ତରବାରି। ଏ ନ୍ୟାୟ ଦେବୀ ଗ୍ରିକ୍ ପୁରାଣର ନେମେସିସ୍‌ଙ୍କ ପ୍ରତିରୂପ। ନେମେସିସ୍ ନ୍ୟାୟର ଦେବୀ ନୁହନ୍ତି। ସେ ପ୍ରତିଶୋଧ ଓ ପ୍ରତିରୋଧର ଦେବୀ। ଅପରାଧର ଅନୁପାତରେ ପ୍ରତିଶୋଧ ନେବାକୁ ହାତରେ ତାଙ୍କର ତରାଜୁ। ଅନ୍ୟାୟ ନ ଦେଖିବାକୁ ଆଖିରେ ପଟି। ନ୍ୟାୟ ପ୍ରକୃତରେ ଅନ୍ଧ ହୋଇ ରହିଥାଏ ଯେ ପର୍ଯ୍ୟନ୍ତ ଜଣେ ବିଚକ୍ଷଣ ବିଚାରପତି ତାକୁ ଚକ୍ଷୁଦାନ ନ କରିଛନ୍ତି। ଏପରି ବିଚାରପତି କ’ଣ ଆମ ଗହଣରେ ଅଛନ୍ତି? ଗୋଟିଏ ସିନେମା ସଂଳାପ ମନେପଡୁଛି, “ହମାରା ଦର୍ଦ କିସି କେ ଲିୟେ ହଁସନେ କି ଵଜହ୍ ହୋ ସକ୍ତା ହୈ, ପର... ହମାରି ହଁସି କିସିକେ ଦର୍ଦ କି ୱଜହ୍ ନହିଁ ହୋନି ଚାହିୟେ”। ଆମର ବିଚାର ବ୍ୟବସ୍ଥା ପ୍ରତି ସଂଳାପଟି ପ୍ରଯୁଜ୍ୟ ନୁହେଁ କି?
ମୋ: ୯୩୩୭୬୪୮୬୩୮