ସୁଭାଷ ପଟ୍ଟନାୟକ
“ଜୀବନର ଅର୍ଥ ହେଉଛି କଷ୍ଟ ସହିବା, ମାତ୍ର ଜିଇଁବାର ତାତ୍ପର୍ଯ୍ୟ ସେ କଷ୍ଟ ମଧ୍ୟରୁ ବଞ୍ଚିବାର ଅର୍ଥ ଖୋଜିବା।” କହିଥିଲେ ଦାର୍ଶନିକ ଫ୍ରେଡ୍ରିକ୍ ନିଚା। ଜିଇଁବା ପାଇଁ ଆବଶ୍ୟକ ହୁଏ ଜୀବିକାର, ହେଲେ ବିନା କିଛି କଷ୍ଟ ସହ୍ୟ କରି ଜୀବିକା ଅର୍ଜନ ଅସମ୍ଭବ। ସେ କଷ୍ଟ ମଧ୍ୟରୁ ଆମେ ଯେଉଁ ଅର୍ଥଟି ଖୋଜୁଥାଉ, ତାହା ହିଁ ତ’ ଜୀବନ! ଜୀବିକା ଆମ ପାଇଁ ଅନ୍ୟ ସମସ୍ତ କାର୍ଯ୍ୟଠାରୁ ଅଧିକ ମହତ୍ତ୍ବ ରଖିଥାଏ। ବୃତ୍ତିଗତ ସଫଳତା ପାଇଁ ଚେଷ୍ଟା ଅନ୍ୟ ସମସ୍ତ କାର୍ଯ୍ୟକୁ ଆମର ଗୌଣ କରିଦିଏ। ତେଣୁ ଜୀବନ ଓ ଜୀବିକା ମଧ୍ୟରେ ଏକ ସନ୍ତୁଳନ କେବଳ ଯେ ଶାରୀରିକ, ମାନସିକ ଓ ଭାବନାତ୍ମକ କ୍ଷେତ୍ରରେ କଲ୍ୟାଣକାରୀ ତାହା ନୁହେଁ, ବରଂ ଜୀବନରେ ସଫଳ ହେବା ପାଇଁ ଏହାର ଆବଶ୍ୟକତା ଅନିବାର୍ଯ୍ୟ। ଏ ଉଭୟର ସନ୍ତୁଳନ ରକ୍ଷା ହେଉଛି ଜୀବନଶୈଳୀର ଏପରି ଏକ ସମତୁଲ୍ୟତା ଯେଉଁଠାରେ ଆମେ ଜୀବିକା ଓ ବ୍ୟକ୍ତିଗତ ଜୀବନର ଚାହିଦାକୁ ସମାନ ଭାବରେ ପ୍ରାଧାନ୍ୟ ଦେଇଥାଉ। ଅନ୍ୟଥା ଏ ଉଭୟଙ୍କ ମଧ୍ୟରେ ସମୟ ଓ ମନସ୍ତାତ୍ତ୍ବିକ ଶକ୍ତିର ସୁଷମ ବଣ୍ଟନ ହୋଇପାରେନି ଏବଂ ଉଭୟ କ୍ଷେତ୍ରରୁ ସମାନ ସନ୍ତୁଷ୍ଟି ମିଳିବା କଷ୍ଟ ହୁଏ।
କିଛି ଉଦାହରଣ ଦେଖାଯାଉ। ଏଇ ଗତ ସପ୍ତାହର ରାଜଧାନୀ ଉପକଣ୍ଠର ଘଟଣା। ପତିପତ୍ନୀ ଉଭୟ ପରଦିନ ପଡୁଥିବା ନିଜର ପ୍ରଥମ ବିବାହ ବାର୍ଷିକୀ ପାଳନ ପାଇଁ ଯୋଜନା କରି ସ୍ଥିର କଲେ ଯେ, ରାଜଧାନୀକୁ ଆସି ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଏବଂ ଦିନଟି ସହର ବୁଲି କଟାଇବେ। କିନ୍ତୁ ସକାଳୁ ପତିଙ୍କର ଅଫିସରେ କିଛି କାମ ପଡ଼ିଗଲା। ପତି ଚାହିଲେ ବିବାହ ବାର୍ଷିକୀ ପାଳନ ସେଦିନ ପାଇଁ ସ୍ଥଗିତ ରଖି ଅଫିସ ଚାଲିଯିବେ। ଏ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ମାନଅଭିମାନ, ଯୁକ୍ତିତର୍କ ଓ ଶେଷରେ କଳିତକରାଳ ଘଟିଲା। ପତି ଅଫିସ ଚାଲିଗଲେ, ଏଣେ ମାନସିକ ଭାରସାମ୍ୟ ହରାଇ ପତ୍ନୀ କରିଦେଲେ ଆତ୍ମହତ୍ୟା। ହିରଣ୍ୟବାବୁଙ୍କ ପୁଅ ରୁଗ୍ଣା ମାଆଙ୍କୁ ଦେଖିବାକୁ ବର୍ଷକ ପରେ ଘରକୁ ଆସିଲା। ମାଆଙ୍କୁ ଦେଖିବ କ’ଣ, ଖାଇବା ପିଇବା ଭୁଲି ଲ୍ୟାପ୍ଟପ୍ ଧରି ଅଫିସ କାମ କରିବାକୁ ବସିଗଲା ରାତି ବାରଟା ଯାଏ। ଆଉ ପରିଡ଼ାବାବୁଙ୍କ କଥା ଆପଣ ତ ଜାଣନ୍ତି। ଏଗାରଟା ପୂର୍ବରୁ ଅଫିସରେ ପହଞ୍ଚିପାରନ୍ତିନି। ପୁଣି ପାଞ୍ଚଟା ବେଳେ ଝିଅକୁ ଟ୍ୟୁସନ ନେବାକୁ ତାଙ୍କୁ ଅଫିସ ଛାଡ଼ିବାକୁ ପଡ଼େ। ହାକିମଙ୍କ ଠାରୁ ତାଗିଦା ଶୁଣିଶୁଣି କୌଣସି ପରିବର୍ତ୍ତନ ତାଙ୍କର ଏଯାଏ ହୋଇପାରିନି। ପ୍ରଶ୍ନ ଉଠେ, ଏପରି ପରିସ୍ଥିତି ଠାରୁ ନିଜକୁ ଦୂରେଇ ରଖିବାକୁ ଆମେ ଜୀବିକା ଓ ଜୀବନ ମଧ୍ୟରେ ସମୟର ସୁଷମ ବଣ୍ଟନ କରିବା କେମିତି? ଜୀବିକା ପଛରେ ବ୍ୟସ୍ତ ରହି ଜୀବନକୁ ଭୁଲିଗଲେ ହେବନି କି ଜୀବନ ମଧ୍ୟରେ ବୁଡ଼ିରହି ଜୀବିକାକୁ ମଧ୍ୟ ଅଣଦେଖା କରି ହେବନି। ଏବର କର୍ମ-ସଂସ୍କୃତି ଏମିତି ଯେ, ପୂର୍ବପରି ଆଉ ନିର୍ଦ୍ଧାରିତ ସମୟ ଅବଧି ପରେ ଜୀବିକାରେ ରୋକ୍ ଲଗାଇ ବ୍ୟକ୍ତିଗତ ଜୀବନକୁ ଫେରିହେଉନି। ପୂର୍ବେ ଆଠ ଘଣ୍ଟାର କାର୍ଯ୍ୟାଳୟ ନିୟମକୁ ପ୍ରାଧାନ୍ୟ ଦିଆଯାଉଥିଲା। କେହି ଅଧିକ କିଛି ସମୟ ଦେଇପାରିଲେ ଉତ୍ତମ କର୍ମଚାରୀରେ ଗଣ୍ୟ ହେଉଥିଲା। ବର୍ତ୍ତମାନର ‘ଜେନେରେସନ୍-ଜେଡ୍’ ପାଇଁ ଏ କାର୍ଯ୍ୟ ସଂସ୍କୃତି ବଦଳିଗଲାଣି। ଜୀବିକାର ପ୍ରାଧାନ୍ୟ ଯୁବପିଢ଼ି ପାଇଁ ଜୀବନଠାରୁ ଅଧିକ ହେଲାଣି। କରୋନା କାଳରେ ଓ ତା’ପରେ ଘରେ ରହି କାମ କରିବାରେ ଏକ ବୃହତ୍ତର ଅଂଶ ଏବେ ଅଭ୍ୟସ୍ତ। ଏହା ଫଳରେ ବରଂ କର୍ମଚାରୀଟି ଅଧିକ ସମୟ ଖଟୁଛି। ଲାଭବାନ ହେଉଛି ନିଯୁକ୍ତିଦାତା। ଅଫିସ ପରିଚାଳନା ଖର୍ଚ୍ଚ ପଡୁନାହିଁ ଏବଂ ଅଧିକ ସମୟର କାମ ଆଦାୟ ହୋଇପାରୁଛି। ଏପଟେ କର୍ମଚାରୀଟି ବ୍ୟକ୍ତିଗତ ଜୀବନର ସନ୍ତୁଳନ ହରାଇ ବସୁଛି। ଏପରି ଏକ କର୍ମ ସଂସ୍କୃତିକୁ ମଧ୍ୟ ଯୁବପିଢ଼ି ସ୍ବୀକାର କରିନେଲେଣି। ଉଭୟ କ୍ଷେତ୍ରର ଏକ ସୁସ୍ଥ ସନ୍ତୁଳନ କେବଳ ଯେ ବ୍ୟକ୍ତିଗତ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ତାହା ନୁହେଁ, କର୍ମଜୀବୀର ଉତ୍ପାଦକତା ଓ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଏହା ଆବଶ୍ୟକ। କର୍ମଚାରୀଟି ଯଦି କାର୍ଯ୍ୟକୁ ଏକ ବୋଝ ନ ଭାବେ ତେବେ ସେ କାର୍ଯ୍ୟ ପ୍ରତି ଅଧିକ ଅନୁପ୍ରାଣିତ ହୁଏ ଏବଂ ତ୍ରୁଟିଶୂନ୍ୟ ସେବା ଯୋଗାଇଥାଏ।
ଜୀବନର ଗତିଶୀଳତା ବଜାୟ ରଖିବାକୁ ଲକ୍ଷ୍ୟ ଓ ପ୍ରାଥମିକତା ପ୍ରଥମେ ଚିହ୍ନଟ କରିବା ଏକାନ୍ତ ଜରୁରି। ପରିସ୍ଥିତିର ଆଧାରରେ କେବେକେବେ ଜୀବନକୁ ଓ ଆଉ କେତେବେଳେ ଜୀବିକାକୁ ପ୍ରାଥମିକତା ଦେବାକୁ ହେବ। ଗୋଟିକ ପାଇଁ ଅନ୍ୟଟିକୁ ଉପେକ୍ଷା କଲେ ଗତି ବ୍ୟାହତ ହୋଇଯିବ। ବ୍ୟକ୍ତିଗତ ଜୀବନରେ ଯଦି ପରିତୃପ୍ତି ନ ମିଳେ ଜୀବିକାରେ ମିଳିବ କିପରି? କେଉଁ ଗୋଟିଏ ପଟକୁ ଭାରଦଣ୍ଡ ନଇଁ ପଡ଼ିଲେ ଅନ୍ୟଟି ପ୍ରଭାବିତ ହେବ। ନିଜକୁ କେବେ ପରୀକ୍ଷା କରି ଦେଖନ୍ତୁ, ଆପଣ ଏ ସନ୍ତୁଳନ ରଖିପାରିଛନ୍ତି କି? ଯଦି ପାରିଛନ୍ତି, ତେବେ ଆପଣ ଅନୁଭବ କରୁଥିବେ ଯେ, ଉଭୟ କ୍ଷେତ୍ରରେ ଆପଣଙ୍କର ଭୂମିକା ଓ ଦାୟିତ୍ବବୋଧ ମଧ୍ୟରେ କିଛି ବ୍ୟତିକ୍ରମ ନ ଥିବ, ଅଧିକ ସମୟ ନ ଦେଇ ମଧ୍ୟ ଜୀବିକା ସଂପାଦନ କରିପାରୁଥିବେ, ସୁଖ ଭୋଜନ, ସୁଖ ନିଦ୍ରା ଓ ପାରିବାରିକ ହସଖୁସିରେ ଅନ୍ତରାୟ ହେଉନଥିବ, ବିଶ୍ରାମ ନେବାକୁ ସମୟ ମିଳୁଥିବ, ଜୀବିକା କ୍ଷେତ୍ରରୁ ବାହୁଡ଼ିବା ପରେ ମନରେ ସେ ନେଇ ଆଉ କିଛି ଚିନ୍ତା ରହୁନଥିବ ଏବଂ ପରିବାର ପାଇଁ ଆପଣ ସମୟ ଦେଇପାରୁଥିବେ। ଅବଶ୍ୟ କାର୍ଯ୍ୟ ଓ ଜୀବନ ମଧ୍ୟରେ ସନ୍ତୁଳନ ବ୍ୟକ୍ତିବିଶେଷରେ ଭିନ୍ନଭିନ୍ନ। କାରଣ ଜୀବନ ପାଇଁ ଆମର ପ୍ରତିବଦ୍ଧତା ଏକପ୍ରକାର ନୁହେଁ। ବର୍ତ୍ତମାନ ସମୟରେ ଏ ସନ୍ତୁଳନ ସଂପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର। ଆପଣ ନିଜେ ହିଁ ସ୍ଥିର କରିପାରିବେ କେଉଁ ପ୍ରକାର ଜୀବନଶୈଳୀ ଆପଣଙ୍କ ପାଇଁ ଉପଯୁକ୍ତ।
ପ୍ରକୃତରେ ଜୀବନ ଓ ଜୀବିକା ପରସ୍ପରଠାରୁ ଅଲଗା ନୁହନ୍ତି। ଜୀବିକା ମଧ୍ୟ ଜୀବନର ଏକ ଅଂଶ। ଯଦି ଏ ଦୁଇଟିକୁ ଭିନ୍ନ ବୋଲି ଧରାଯାଏ, ଏପରି ବ୍ୟାଖ୍ୟା ହେବ ଯେ ଜୀବନ ଜୀବିକା ନୁହେଁ ଏବଂ ଜୀବିକା ମଧ୍ୟ ଜୀବନ ନୁହେଁ। କଥାଟି ଅବାସ୍ତବ ନୁହେଁ କି? ତେଣୁ ମାନିନେବାକୁ ହେବ ଯେ ଜୀବିକା ଜୀବନର ଏକ ବୃହତ୍ତମ ଘଟକ। ଜୀବିକା ମଧ୍ୟରେ ଥାଇ ମଧ୍ୟ ଆମେ ଜୀବନ ଜିଇଁଥାଉ। ଅତଏବ ସନ୍ତୁଳନ ଏ ଉଭୟଙ୍କ ମଧ୍ୟରେ ନୁହେଁ, ସନ୍ତୁଳନ ଲୋଡ଼ା ହୁଏ ଜୀବିକା ମଧ୍ୟରେ ଥିବାବେଳେ ଜୀବନର ଓ ଜୀବନ ମଧ୍ୟରେ ଥାଇ ଜୀବିକାର। ଜୀବିକାକୁ ଜୀବନର ଏକ ଅଂଶ ଭାବି ଦେଖନ୍ତୁ, ସନ୍ତୁଳନର ଆବଶ୍ୟକତା ଆଉ ଅଛି କି? ଦୁଇଟି ଜ୍ବଳନ୍ତ ଦୀପ ଅଲଗା ହେଲେ ମଧ୍ୟ ସେ ଦୁଇଟିର ଆଲୋକକୁ ଯେମିତି ଅଲଗା କରିହୁଏନି, ଜୀବନ ଓ ଜୀବିକା ଠିକ୍ ସେମିତି। ଅଲଗା, କିନ୍ତୁ ଅବିଚ୍ଛେଦ୍ୟ। “ତେରେ ଚରାଗ୍ ଅଲଗ୍ ହୋଁ, ମେରେ ଚରାଗ୍ ଅଲଗ୍/ମଗର୍ ଉଜାଲା ତୋ ଫିରଭି ଜୁଦା ନହିଁ ହୋତା...” (ଵାସିମ୍ ବରେଲଭୀ)।
(ମତାମତ ଲେଖକଙ୍କ ନିଜସ୍ବ)
ମୋ:୯୩୩୭୬୪୮୬୩୮