ସୁଭାଷ ପଟ୍ଟନାୟକ
ସେଦିନ ଘରକୁ ଫେରିଲାବେଳେ ରାସ୍ତାକଡ଼ରେ ଗାଡ଼ି ଅଟକାଇ ବନ୍ଧୁ କହିଲେ, ଏ ପାଖ ହୋଟେଲର ମାଟିହାଣ୍ଡି ମାଂସ ଖୁବ୍ ପ୍ରସିଦ୍ଧ, ଚାଲ ଖାଇକରି ଯିବା। ହୋଟେଲରେ ପ୍ରବଳ ଭିଡ଼। ସବୁ ଗ୍ରାହକ ପ୍ରାୟତଃ ଯୁବ ବର୍ଗର। ଆସନ ପାଇବା ପାଇଁ ଅଧଘଣ୍ଟା ଅପେକ୍ଷା କରିବା ଭିତରେ ଦେଖିଲୁ, ଗୋଟିଏ ଅତି ବଡ଼ ହଣ୍ଡାରେ ମାଂସ ତରକାରି ରଖାହୋଇଛି। ମାଟିହାଣ୍ଡିର ଚିହ୍ନବର୍ଣ୍ଣ କେଉଁଠି ନାହିଁ। ପଚାରିବାରୁ ଉତ୍ତର ମିଳିଲା, ମାଟିହାଣ୍ଡିରେ ରନ୍ଧାହୋଇ ହଣ୍ଡାରେ ଢଳାହୋଇଛି। ତରକାରିର କୌଣସି ସ୍ବତନ୍ତ୍ର ସ୍ବାଦ ଅନୁଭବ ହେଲାନି। ଆମେ ବୁଝିଗଲୁ, କେବଳ ‘ମାଟିହାଣ୍ଡି’ ଶବ୍ଦଟିର ବ୍ୟବହାର ହେତୁ ଏଠାରେ ଏପରି ଭିଡ଼। ଖାଲି ମାଟିହାଣ୍ଡି ମାଂସ ନୁହେଁ, ମାଟିହାଣ୍ଡି ଦହି ଓ ଲସି, ମଟକା ଚା’ ଇତ୍ୟାଦି ସହରରେ ଅଧିକ ବିକ୍ରି ହୁଏ ସେଥିରେ ଲାଗିଥିବା ପୁରାତନ ଜୀବନଶୈଳୀର ମୋହର ହେତୁ। ଚକିପେଷା ଅଟା ଓ ଢିଙ୍କିକୁଟା ଚାଉଳ ନଁାରେ ଯେଉଁ ଅଟା ଓ ଚାଉଳ ଚାରିଗୁଣା ଅଧିକ ମୂଲ୍ୟରେ ମିଳେ, ତାହା କ’ଣ ସତରେ ଚକି ଓ ଢିଙ୍କିରେ ପ୍ରସ୍ତୁତ ହୋଇଥାଏ କି? ଠିକ୍ ସେହିପରି ଗଁାର ବାଡ଼ିବଗିଚାରେ ଉତ୍ପାଦିତ ପନିପରିବା, ଘଣାପେଷା ତେଲ, ସବୁ ଏବେ ଜୈବିକ ଉତ୍ପାଦ ନାମରେ ଚଢ଼ା ମୂଲ୍ୟରେ ମିଳୁଛି ସେଇ ପ୍ରାଚୀନ କାଳର ଛାପା ଲଗାଇ। ଛାଡ଼ି ଆସିଥିବା ସମୟ ପ୍ରତି ସତରେ କ’ଣ ଆମର ଏତେ ଆଦର ଅଛି?
କର୍ମମୟ ଜୀବନରୁ ସାମୟିକ ବିରତି ନେଇ ଆମେ ଛୁଟିଯାଉ ସହର ଠାରୁ ଦୂର କୃତ୍ରିମ ବଣବଗିଚାଘେରା କଟେଜ ହୋଟେଲକୁ। ସେଠାରେ ବୃକ୍ଷ ଗହଳରେ ଛୋଟ ଘରେ ରହି ଗ୍ରାମ୍ୟ ରହଣିର ଅନୁଭୂତି ନେଉ। ପତ୍ର ଥାଳି ଓ ଗିନାରେ ଖାଉ। ସେ ସବୁର ପ୍ରାକୃତିକ ଅନୁଭବ ଗଁାରେ ମିଳୁଥିଲେ ମଧ୍ୟ ଗଁାକୁ ଯିବାକୁ ପସନ୍ଦ କରୁନା। ପିଲାମାନେ କୁଆଡ଼େ ଗଁା ପରିବେଶରେ ଚଳି ପାରିବେନି। ଅତୀତର ଗ୍ରାମ୍ୟ ଜୀବନକୁ ମନେ ପକାଇ ଆମେ ବିହ୍ବଳ ହେଉ ସିନା, ଗଁାକୁ ଯାଇ ତା’ର ପ୍ରତ୍ୟକ୍ଷ ଅନୁଭୂତି ନେବା ଆମର ପସନ୍ଦ ନୁହେଁ। ଅତୀତ ସବୁ ସମୟରେ ସୁନ୍ଦର। ଯେଉଁ କାଳଖଣ୍ଡକୁ ମନେ ପକାଇ ଆମେ ଆତ୍ମବିଭୋର ହୋଇ ‘ସେ ସମୟଟା ଅତି ଉତ୍ତମ’ ଥିଲା କହିଥାଉ, ସଂପୃକ୍ତ କାଳଖଣ୍ଡରେ ଜୀବନ ଜିଇଁଥିବା ଆମର ପୂର୍ବପୁରୁଷ କେବଳ ଜାଣନ୍ତି ସେ ଉତ୍ତମତାର ରହସ୍ୟ ଥିଲା କ’ଣ।
ପ୍ରାଚୀନ ଜୀବନଶୈଳୀର ସ୍ବାଦ ଗଁା ଘରର ଅନୁଭୂତି ଦେଉଥିବା ହୋଟେଲରେ ରହି କିମ୍ବା ମାଟିପାତ୍ରରେ ରନ୍ଧା ମାଂସ ତରକାରିର ଆତ୍ମପ୍ରବଞ୍ଚନାକୁ ଆଦରି ନେଇ ଆମେ କେବେ ପାଇ ପାରିବାନି। କାରଣ ଏ ସବୁ ଅନୁଭବ ଗୋଟିଏ ସଂକୁଳ ସୌଦା ବା ପ୍ୟାକେଜ ଡିଲ୍ ଭାବରେ ହିଁ ମିଳିପାରିବ। ସେମିତି ପରିବେଶ, ସେମିତି ଜୀବନଶୈଳୀ ଓ ସେମିତି ଏକ ଜନସମାଜ ସେଥିପାଇଁ ଆବଶ୍ୟକ। ସମୟ ବାହାର କରି ଆମକୁ ଗ୍ରାମାଭିମୁଖୀ ହୋଇ ସେଠାରେ ସଂପୂର୍ଣ୍ଣ ମାଟିମନସ୍କ ହେବାକୁ ପଡ଼ିବ। ମନେ ପଡ଼େ ପିଲାଦିନ କଥା। ଗୋବର ଲିପା ଅଗଣାରେ କାଠ ଓ ଘଷି ଚୁଲି ଉପରେ ମାଟିହାଣ୍ଡିରେ ଫୁଟୁଥିବ ଭାତ। ତାଳପତ୍ର ପିଞ୍ଛ ହାତରେ ଧରି ଜେଠେଈ ମା’ ଭାତ ଗାଳୁଥିବେ। ପାଖ ଚୁଲିରେ ଦିକିଦିକି ନିଆଁରେ ମାଟିହାଣ୍ଡିରେ ମାଟି ପଲମ ଘୋଡ଼େଇ ବୋଉ ବସେଇଥିବ ମାଂସ ତରକାରି। କାମରୁ ଫେରି ଯୌଥ ପରିବାରର ପୁରୁଷମାନେ ଅଗଣାରେ ପିଢ଼ା ପକାଇ ଏକାଠି ବସିବେ। କଂସା ଥାଳିରେ ପରଷା ହେବ ଖାଦ୍ୟ ବ୍ୟଞ୍ଜନ। ସକାଳୁ ପଖାଳ ସହିତ ବାଡ଼ି ବାଇଗଣ କି ଭେଣ୍ଡି ପୋଡ଼ା ସାଙ୍ଗକୁ ବାଡ଼ିରୁ ଖୁଣ୍ଟା ଲେଉଟିଆ ଶାଖ ଭଜା, ନ ହେଲେ ବିଲରୁ ଆସିଥିବା ମହୁରାଳି ମାଛର ଚୁଡୁଚୁଡ଼ା। ସେ ସ୍ବାଦ ଏବେ କ’ଣ ସହରରେ ଖୋଜିଲେ ମିଳିବ? ସେ ସମୟର ଗଁାଗଣ୍ଡାରେ ଜୀବନଧାରଣର ମାନ ଉନ୍ନତ ନ ଥିଲେ ମଧ୍ୟ ପାରିବାରିକ ଜୀବନ ସୁଖକର ଥିଲା। ପ୍ରଶସ୍ତ ଘର, ବଡ଼ ରୋଷେଇ ଶାଳ, ବଡ଼ ଅଗଣା ଓ ପ୍ରଚୁର ଖୋଲା ସ୍ଥାନରେ ରହି ମନୁଷ୍ୟ କଠିନ ପରିଶ୍ରମର ପୀଡ଼ା ଭୁଲି ଯାଉଥିଲା। ଏବର ଯୁବକ ପ୍ରଗତି ନଁାରେ ସହରମୁହଁା। ନୂତନ ସୁଯୋଗ ଯୁବବର୍ଗକୁ ଗଁା ଛାଡ଼ିବାକୁ ବାଧ୍ୟ କରିଛି, କିନ୍ତୁ ଗଁାକୁ ଭୁଲିଯିବାକୁ ତ କହି ନାହିଁ! ନିଜ ସର୍ତ୍ତରେ ଆଧୁନିକ ଜୀବନ ଜିଇଁବା ସୁଖକର, ମାତ୍ର ଗଁାରେ ହଜିଯାଇଥିବା ସମୟକୁ ଗଁାରେ ନ ଖୋଜି ସହରର ଚାକଚକ୍ୟ ମଧ୍ୟରେ ଖୋଜିବା ଆତ୍ମପ୍ରତାରଣା। ସହରୀ ସଭ୍ୟତା ଆମକୁ କେଉଁ ପ୍ରଶାନ୍ତି ଦେଇଛି କି? ଗୋଟିଏ କଂକ୍ରିଟ ଜଙ୍ଗଲ ମଧ୍ୟରେ ଦୁଇ, ତିନି ବଖରିଆ ଫ୍ଳାଟ୍ ଘରେ ଜୀବନ ବିତୁଛି। ରାତିରେ ତାରାଟିଏ ଦେଖିବାକୁ ଛାତ ଚଢ଼ିବାକୁ ପଡୁଛି। ଝରକା ଖୋଲିଦେଲେ ମୁକ୍ତ ବାୟୁ ମିଳିବା ବଦଳରେ ଅନ୍ୟ ଘରର କାନ୍ଥ ଦେଖାଯାଉଛି। ଘରେ ଶୋରିଷ ଫୁଟିବା ଶବ୍ଦ ପାଖ ଘର ଲୋକ ଶୁଣି ପାରୁଛନ୍ତି। ଗଁାର ଜୀବନଶୈଳୀକୁ ମଧ୍ୟ ଆମେ ସହରୀକୃତ କରିଦେଲୁଣି। ନଅ ତିଅଣ ଛଅ ଭଜାରେ ସଜ୍ଜିତ ପଖାଳ କଂସା ହୋଟେଲରେ ସାତଶ ଟଙ୍କା। ଗଁାରେ ପଖାଳ କଂସା କର୍ମଜୀବୀ ମଣିଷକୁ ହଂସା ଉଡ଼ିବାରୁ ରକ୍ଷା କରୁଥିଲା, ଆଜି ଏଠି ସହରରେ ସଂଭ୍ରାନ୍ତର ‘ପଖାଳ ଦିବସ’ର ଭବ୍ୟ ପ୍ରଦର୍ଶନୀରେ ଉପସ୍ଥିତ। ମହୁରାଳି ମାଛ, ମାଣ୍ଡିଆ ଜାଉ, କଳମ, ମଦରଙ୍ଗା, ସୁନୁସୁନିଆ ଓ ପିତାଶାଗ ଆଦି ଗଁାର ଖାଦ୍ୟଶସ୍ୟ ସହରୀ ପରିବାରର ସ୍ବାସ୍ଥ୍ୟରକ୍ଷା ପାଇଁ ତା’ ହାଣ୍ଡିଶାଳରେ ପହଞ୍ଚି ଗଲାଣି। ପର୍ବପର୍ବାଣି ସବୁ ସ୍ମୃତିର ପ୍ରତୀକ ହୋଇ ରହିଯାଇଛି। ଆଜିର ଯୁବକ ଦୈବାତ କେବେ ଗଁାକୁ ଗଲେ ଗଁା କୌତୂହଳୀ ହୋଇ ପଚାରୁଛି, ‘ସହରରେ ତୋର ପାହାଡ଼, ଆମ୍ବତୋଟା ଓ ଝରଣା ଅଛି କି? ଅଗଣାରେ ଘରଚଟିଆ ମେଳିବାନ୍ଧି ଦାନା ଗୋଟାନ୍ତି କି? ବସନ୍ତରେ ଆମ୍ବ ଡାଳରେ କୋଇଲି ରାବେ କି? ସେଠାରେ ପୋଖରୀ ଓ ଟୁବି ଗାଡ଼ିଆରେ କଇଁଫୁଲ ଫୁଟେ କି? ବର୍ଷା ଦିନେ କୁନିଝିଅ ତୋ’ର ସାଧବବୋହୂ ଧରେ କି?’ ଏମିତି ଅନେକ ପ୍ରଶ୍ନ, ଯାହାର ଏକମାତ୍ର ଉତ୍ତର ଆମେ ଜାଣି ମଧ୍ୟ ଦେଇପାରିବାନି। ଗଁାରେ ଜୀବନ ଥିଲା, ଏଠି ସହରରେ ଜୀବନହୀନ ଜୀବିକା ଅଛି। ସେଠାରେ ଜୀବିକା ପାଇଁ ସଂଘର୍ଷ ଥିଲା କିନ୍ତୁ ସେ ସଂଘର୍ଷରେ ଜ୍ବଳନ ନ ଥିଲା। ଦାରିଦ୍ର୍ୟ ଥିଲା, ହତାଶାବୋଧ ନ ଥିଲା। ପ୍ରତିବଦଳରେ ହୃଦୟରେ ନିରତ ଛନ୍ଦ ଉଜ୍ଜୀବିତ ହେଉଥିଲା। ସବୁ ଅରିମାନ ଅନଟନ ଅପସରି ଯାଉଥିଲା ଜୀବନୋତ୍ତର ଛନ୍ଦରେ, ଆଉ ସେ ଛନ୍ଦାୟନ ଥିଲା ଗଁାର ଜୀବନଧାରା। ତା’ରି ଭିତରେ ଥିଲା ଗଁା ବୋହୂର ମାଟିହାଣ୍ଡି ରାନ୍ଧଣା। ସହରରେ ଛଳନାର ବିପଣନ ମଧ୍ୟରେ ତାକୁ ଖୋଜିଲେ ମିଳିବ କି?
ଏବେ ଗ୍ରାମ୍ୟ ଜୀବନରେ ମଧ୍ୟ ଆମେ ଆଧୁନିକତାର ପ୍ରବେଶ କରାଇଲୁଣି। ଗଁାରୁ ମଧ୍ୟ ଦିନେ ତା’ର ପ୍ରାଚୀନ ଜୀବନଧାରା ହଜିଯିବ ଓ ରହିଯିବ ସ୍ମୃତିର ସନ୍ତକ ହୋଇ। ସମୟ ଆସିବ, ଆମେ କେବଳ ସେ ସ୍ମୃତିର ପାଉଁଶକୁ ସାଉଁଟି ସାଉଁଟି କହୁଥିବା: ‘‘ଜୋ ବିତ୍ ଗୟା ହୈ ୱୋ ଦୌର୍ ଅବ୍ ନା ଆୟେଗା/ଇସ୍ ଦିଲ୍ ମୈଁ ସିୱା ତେରି କୋଇ ଔର୍ ନା ଆୟେଗା/ଘର୍ ଫୁଖ୍ ଦିୟା ହମନେ ଅବ୍ ରାଖ୍ ଉଠାନି ହୈ/ଜୀନ୍ଦଗି ଔର୍ କୁଛଭି ନେହିଁ ତେରି ମେରି କାହାନୀ ହୈ।’’
(ମତାମତ ଲେଖକଙ୍କ ନିଜସ୍ବ)
[email protected]