ସୁଭାଷ ପଟ୍ଟନାୟକ

ରକ୍ଷା ବନ୍ଧନ ଆସି ଚାଲିଗଲାଣି। ତେଣୁ ସେ ପର୍ବ ବିଷୟରେ କିଛି ଲେଖିବାର ଆଉ ପ୍ରାସଙ୍ଗିକତା ନାହିଁ। ଯାହା ପ୍ରସଙ୍ଗାନ୍ତର ତାହା ହେଉଛି ରକ୍ଷା ପାଇଁ ବନ୍ଧନର ଆବଶ୍ୟକତାକୁ ନେଇ। ଭାଇର ହାତରେ ରାକ୍ଷୀ ବାନ୍ଧି ଭଉଣୀ ତା’ଠାରୁ ସୁରକ୍ଷାର ପ୍ରତିଶ୍ରୁତି ନିଏ। ଏ ସଂପର୍କ ଜନ୍ମ ଜନ୍ମାନ୍ତରରୁ ଚାଲି ଆସିଛି। ରକ୍ଷାବନ୍ଧନ ବିନା ମଧ୍ୟ ଭାଇଟିଏ ଭଉଣୀକୁ ତା’ର ଜୀବନ ବିନିମୟରେ ରକ୍ଷା କରିବ। ଶ୍ରୀକୃଷ୍ଣଙ୍କ କଟିଯାଇଥିବା ହାତରେ ନିଜର ଶାଢ଼ୀକୁ ଚିରି ପଟି ବାନ୍ଧି ଦେଇଥିଲେ ଦ୍ରୌପଦୀ। ପ୍ରତିଦାନରେ କୌରବ ରାଜସଭାରେ ଦ୍ରୌପଦୀଙ୍କ ଲଜ୍ଜା ନିବାରଣ କରି ସୁରକ୍ଷାର ପୂର୍ବ ପ୍ରତିଶ୍ରୁତି ପୂରଣ କରିଥିଲେ ଶ୍ରୀକୃଷ୍ଣ। ଭଉଣୀ ସୂର୍ପଣଖାର ହୃତ ସମ୍ମାନ ଫେରାଇ ଆଣିବା ପାଇଁ ଜ୍ଞାତି କୁଟୁମ୍ବଙ୍କ ସହିତ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲା ଭାଇ ରାବଣ। ଅବଶ୍ୟ କଂସ ଓ ଦେବକୀଙ୍କ ମଧ୍ୟରେ ରକ୍ଷାବନ୍ଧନର ପରିଭାଷା ଏକ ବ୍ୟତିକ୍ରମ। ଏବେ ମଧ୍ୟ ଆମ ସମାଜରେ ଏହିପରି ଭାଇ ଭଉଣୀଙ୍କ ଉଦାହରଣ ଅନେକ ରହିଛି। ସେ ଯାହାହେଉ, ଆମର ଏ ଆଲୋଚନାର ବିଷୟ ହେଉଛି ରକ୍ଷା ବନ୍ଧନ ଅବସରରେ ରାଜ୍ୟର ଭଉଣୀମାନେ ନେତା, ପୁଲିସ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଠାରୁ ପାଉଥିବା ସୁରକ୍ଷାର ପ୍ରତିଶ୍ରୁତିକୁ ନେଇ। ମନରେ ପ୍ରଶ୍ନ ଉଠେ, ରକ୍ଷା ବନ୍ଧନର ପ୍ରତିବଦଳରେ ଭଉଣୀମାନେ ନେତା ଓ ପୁଲିସଙ୍କ ଠାରୁ ସୁରକ୍ଷା ଚାହାଁନ୍ତି କାହିଁକି? କୌଣସି ଡାକ୍ତର କି ଓକିଲଙ୍କ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷାର ତ ଆଶା କରନ୍ତିନି? ଯାହା ପାଖରୁ ସୁରକ୍ଷା ବିପନ୍ନ ହେବାର ଡର ଥାଏ, ତା’ ପାଖରୁ ହିଁ ସୁରକ୍ଷାର ପ୍ରତିଶ୍ରୁତି ଆଦାୟ କରାଯାଏ। ନହେଲେ ସୁରକ୍ଷାର ଗ୍ୟାରେଣ୍ଟି ପରି ଏକ ସ୍ବତଃସ୍ଫୂର୍ତ୍ତ ଭାବାବେଗକୁ ଭଉଣୀଟିଏ ହାତ ପତାଇ ମାଗନ୍ତା କାହିଁକି? ଆଜି ଆମ ସମାଜରେ ଭଉଣୀମାନେ ସୁରକ୍ଷାର ଦାରୁଣ ସଂକଟ ମଧ୍ୟ ଦେଇ କାଳାତିପାତ କରୁଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ପୁଲିସ ଭାଇମାନେ ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ପାରୁନାହାନ୍ତି। ତେଣୁ ତ’ ସେମାନଙ୍କ ଠାରୁ ପ୍ରତିରକ୍ଷାର ଗ୍ୟାରେଣ୍ଟିଟିଏ ପାଇବାର ଆବଶ୍ୟକତା ପଡୁଛି!
ଦୁଇଟି ଶବ୍ଦକୁ ନେଇ ଏ ପାରମ୍ପରିକ ପ୍ରଥାର ନାମକରଣ। ‘ରକ୍ଷା’ ବା ସୁରକ୍ଷା ଏବଂ ‘ବନ୍ଧନ’। ସୁରକ୍ଷା ଦେବାର ଅର୍ଥ ଦୁର୍ବଳକୁ ରକ୍ଷା କରିବା। ଏହି ପ୍ରତିଶ୍ରୁତିଟି ଗୋଟିଏ ରାଷ୍ଟ୍ରର ସର୍ବନିମ୍ନ ଦାୟିତ୍ବର ଅନ୍ତର୍ଗତ, ଯାହା ସାମାଜିକ ଓ ବ୍ୟବସ୍ଥାଗତ ସମସ୍ୟାର ସମାଧାନ କରି ସମ୍ମାନ ଓ ସମାନତା ଆଧାରରେ ଦୁର୍ବଳ ବର୍ଗକୁ ରକ୍ଷା କରିବାର ଦୃଢ଼ ସଂକଳ୍ପ ହୋଇଥାଏ। ଆଜିକାଲି ଖବରକାଗଜର ପୃଷ୍ଠା ଓଲଟାଇ ଦେଲେ ପ୍ରତ୍ୟହ ଦୃଷ୍ଟିରେ ପଡ଼ିଯାଏ ମହିଳାମାନଙ୍କର ଆତ୍ମଦାହ, ଦୁଷ୍କର୍ମ, ହତ୍ୟା ଓ ପ୍ରତାରଣା ଆଦି ଖବର। ଏ ସବୁର ପ୍ରତିକାର ପାଇଁ ସରକାର ଓ ପୁଲିସରେ ଥିବା ଭାଇମାନେ ହାତରେ ପ୍ରତିବର୍ଷ ରାକ୍ଷୀ ପିନ୍ଧି ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି, ତାହା ସେମାନେ କାଣିଚାଏ ମଧ୍ୟ ପୂରଣ କରିପାରନ୍ତି ନାହିଁ। ନୀତିଶାସ୍ତ୍ର ଓ ନୈତିକ ଦର୍ଶନରେ ପରାର୍ଥପରତା ହେଉଛି ଏକ କେନ୍ଦ୍ରୀୟ ଅବଧାରଣା ଯାହା ନିଜସ୍ୱ ତ୍ୟାଗର ବିନିମୟରେ ଆଶ୍ରିତର ମଙ୍ଗଳ ପାଇଁ ଭରସା ଦେଇଥାଏ। ଏହି ଉଦ୍ଦେଶ୍ୟଟି ପ୍ରଶାସନ ପୂରଣ କରିପାରେନି।
ଏହାପରେ ଦ୍ବିତୀୟ ଶବ୍ଦଟି ହେଉଛି ବନ୍ଧନ। ବନ୍ଧନ ବା ସଂପର୍କ ହେଉଛି ମଣିଷ-ମଣିଷ ମଧ୍ୟରେ ପାରସ୍ପରିକ ସଂଯୋଗ। ଏ ସଂଯୋଗ ମଧ୍ୟରେ ରହିଥାଏ ବିଶ୍ବାସ, ସ୍ନେହ ଓ ଏକ ଘନିଷ୍ଠ ଅନ୍ତର୍ବ୍ୟକ୍ତିକ ସମ୍ପର୍କ ସୃଷ୍ଟିର ପ୍ରକ୍ରିୟା। ବନ୍ଧନଟି ସ୍ନେହ ଓ ବିଶ୍ବାସ ପରି ଭାବନା ଦ୍ବାରା ଚିହ୍ନିତ ହେବା କଥା, ଯାହା ଆମ ସମାଜରେ ସମ୍ଭବ ହୁଏ ନାହିଁ। ସୁରକ୍ଷା ଶବ୍ଦଟି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ଥିରତା, ଶାନ୍ତି ଓ ସନ୍ତୁଳନକୁ ପରୋକ୍ଷରେ ବୁଝାଇଥାଏ, ମାତ୍ର ଏହି ନିଶ୍ଚିତତା ଏକ ସ୍ବତଃସିଦ୍ଧ ବରଦାନ ନୁହେଁ। ଯିଏ ସୁରକ୍ଷା ଚାହେଁ ତାକୁ ମଧ୍ୟ ବନ୍ଧନ ସ୍ବୀକାର କରିବାକୁ ପଡ଼େ। ଏହା ହେଉଛି ଶୃଙ୍ଖଳାର ଓ ମର୍ଯ୍ୟାଦାର ବନ୍ଧନ। ବନ୍ଧନର ନିବିଡ଼ତା ହିଁ ସୁରକ୍ଷାକୁ ନିଶ୍ଚିତ କରିଥାଏ। ସୁରକ୍ଷା ପ୍ରାର୍ଥୀ ପ୍ରଥମେ ବୁଝିବାକୁ ହେବ ଯେ, ସୁରକ୍ଷାର ଗ୍ୟାରେଣ୍ଟି କେବଳ ବାହ୍ୟ ଶକ୍ତିଠାରୁ ମିଳି ନଥାଏ, ନିଜର ଆଭ୍ୟନ୍ତରୀଣ ସଂଯମ ମଧ୍ୟ ଆମକୁ ସୁରକ୍ଷା ଦିଏ। ବନ୍ଧନ ବ୍ୟତୀତ ସୁରକ୍ଷାର କୌଣସି ଉପଯୋଗିତା ନାହିଁ। ନଦୀ ଯେଉଁପରି କୂଳର ବନ୍ଧନ ମଧ୍ୟରେ ରହିଲେ ସୁରକ୍ଷିତ ଭାବରେ ପ୍ରବାହିତ ହୁଏ, ମନୁଷ୍ୟ ମଧ୍ୟ ଠିକ୍ ସେମିତି ତା’ର ନିୟମ ଓ ସୀମାରେଖାର ବନ୍ଧନୀ ମଧ୍ୟରେ ଥାଇ ସୁରକ୍ଷିତ ରହିପାରେ।
ସେ ଜଣେ ମନ୍ତ୍ରୀ ହୁଅନ୍ତୁ, ପୁଲିସ ହୁଅନ୍ତୁ ଅଥବା ରାଷ୍ଟ୍ର ମୁଖ୍ୟ ହୁଅନ୍ତୁ, ଜଣେ ରକ୍ଷକ ଭାବରେ ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ସେଇ ଏକା ନୀତିର ଆଧାରରେ ନିଷ୍ପାଦିତ ହେବା କଥା। ସେମାନଙ୍କର ମଧ୍ୟ ଗୋଟିଏ ପ୍ରତିଜ୍ଞା ରହିବା ବିଧେୟ। ଆଦର୍ଶର ରାସ୍ତା ଉପରେ ସେମାନେ ମଧ୍ୟ ଚାଲିବା ଚାହି। ନିଜସ୍ବ ଆଦର୍ଶ ହିଁ ରକ୍ଷାକର୍ତ୍ତା ଭାବରେ ସେମାନଙ୍କ କାର୍ଯ୍ୟକୁ ପବିତ୍ରତା ଓ ବୈଧତା ପ୍ରଦାନ କରିବ। ଯେଉଁ ମୁହୂର୍ତ୍ତରେ ରକ୍ଷାକର୍ତ୍ତା ଜଣେ ତା’ ଆଦର୍ଶରୁ ବିଚ୍ୟୁତ ହେବ, ସୁରକ୍ଷା ପ୍ରଦାନକାରୀ ଶକ୍ତି ତା’ର ହ୍ରାସ ପାଇବ। ରକ୍ଷା ଓ ବନ୍ଧନ ଗୋଟିଏ ସୂତ୍ରର ଦୁଇ ପ୍ରାନ୍ତ। ସୁରକ୍ଷାର ଅର୍ଥ ଆଗରେ ଥିବା ଅମଙ୍ଗଳକୁ ନିବାରଣ କରି ମଙ୍ଗଳର ସଂସ୍ଥାପନ କରିବା। ଏହା ସମ୍ଭବ ହୋଇପାରିବ ଯେତେବେଳେ ରକ୍ଷାକର୍ତ୍ତା ଓ ସୁରକ୍ଷା ପ୍ରାର୍ଥୀ ଉଭୟ ନିଜ ନିଜର ବନ୍ଧନକୁ ପୂର୍ଣ୍ଣ ପ୍ରାଣରେ ଅଙ୍ଗୀକାର କରି ପାଳନ କରିବେ। ରକ୍ଷାକର୍ତ୍ତାଙ୍କ ପାଇଁ ବନ୍ଧନର ତାତ୍ପର୍ଯ୍ୟ ସତ୍ୟ, କର୍ତ୍ତବ୍ୟ ଓ ତ୍ୟାଗ ହୋଇଥିବା ବେଳେ ସୁରକ୍ଷା ପ୍ରାର୍ଥୀ ପାଇଁ ତାହା ହେଉଛି ବିଶ୍ବାସ, ଶୃଙ୍ଖଳା ଓ ସହଯୋଗ।
ବନ୍ଧନ ଓ ସୁରକ୍ଷା ଉଭୟର ପାରସ୍ପରିକ ନିର୍ଭରଶୀଳତା ଆମ ସାମାଜିକ ଚୁକ୍ତି-ତତ୍ତ୍ବର ଏକ କେନ୍ଦ୍ରୀୟ ସିଦ୍ଧାନ୍ତ। ବନ୍ଧନ ପାଇଁ ସୁରକ୍ଷା ଆବଶ୍ୟକ ଓ ସୁରକ୍ଷା ପାଇଁ ବନ୍ଧନ ମଧ୍ୟରେ ରହି ତ୍ୟାଗ ସ୍ବୀକାର କରିବା ମଧ୍ୟ ଆବଶ୍ୟକ। କେବଳ ମାତ୍ର ଭାଇ ଭଉଣୀଙ୍କ ସଂପର୍କ ନୁହେଁ, ଆମର ତମାମ୍ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏହି ସିଦ୍ଧାନ୍ତଟି ସମସ୍ତ ସାମାଜିକ ଅନୁବନ୍ଧର ମୂଳ ଭିତ୍ତି। ରକ୍ଷା ବନ୍ଧନ ଭଉଣୀର ହାତ ଓ ଭାଇର ବ୍ରତ ମଧ୍ୟରେ ଏକ ସଂଯୋଗ ନୁହେଁ, ବରଂ ମର୍ଯ୍ୟାଦା ଓ ସୁରକ୍ଷା ଉଭୟର ସହାବସ୍ଥାନର ପ୍ରତୀକ। ବନ୍ଧନକୁ ତ୍ୟାଗ କରି ସୁରକ୍ଷାର ପରିକଳ୍ପନା କୂଳ ଖାଉଥିବା ନଦୀ ତଟରେ ରହି ସୁରକ୍ଷିତ ଜୀବନ ଆଶା କରିବା ପରି ବିଡ଼ମ୍ବିତ। ଯିଏ ସୁରକ୍ଷା ଚାହେଁ ଓ ଯିଏ ଦିଏ, ଉଭୟଙ୍କୁ ଏ  ବନ୍ଧନ ସ୍ବୀକାର କରିବାକୁ ହେବ ଏବଂ ସେଇ ବନ୍ଧନର ଦୃଢ଼ତା ହେବ ତା’ର ଶକ୍ତିର କବଚ। ଅନ୍ୟଥା ରକ୍ଷାବନ୍ଧନର ପରିଣତି ହୋଇଯିବ କବିଙ୍କ କହିବା ପରି: “ଗୁଲସନ୍ ସେ କୋଇ ଫୁଲ୍ ମୟସ୍‌ସର୍ ନ ଜବ୍ ହୁଆ/ତିତଲି ନେ ରାକ୍ଷୀ ବାନ୍ଧ୍ ଦି କାଁଟେ କେ ନୋକ୍ ପର୍...”। ସାରା ବଗିଚାରେ ଫୁଲଟିଏ ଯଦି ନମିଳେ ବିଚରା ପ୍ରଜାପତି କଣ୍ଟାର ଅଗ୍ରରେ ରାକ୍ଷୀ ନ ବାନ୍ଧି ଆଉ କରିବ କ’ଣ?
(ମତାମତ ଲେଖକଙ୍କ ନିଜସ୍ବ)
[email protected]