ସୁଭାଷ ପଟ୍ଟନାୟକ
‘ସମୟ ନାମକ ଏ ଚିଜଟି କ’ଣ? ଏ କିଏ ଏମିତି ଅନବରତ ବୋହି ଚାଲିଛି? ବୋହିଯିବା ପୂର୍ବରୁ ଥିଲା କେଉଁଠି? କେଉଁଠି ହେଲେ ତ ନିଶ୍ଚୟ ଥିବ! ବୋହିଗଲା ପରେ ଏବେ ଅଛି କେଉଁଠି? କେଉଁଠୁ ଆସିଲା, କୁଆଡ଼େ ଗଲା କିଏ ଜାଣେ? ଏମିତି ପ୍ରବାହ ତା’ର କେବେଠାରୁ ଚାଲିଛି? ଅଦୃଶ୍ୟ ହେଲେ ମଧ୍ୟ ଇଏ ନିଶ୍ଚୟ ଏମିତି କିଛି ପଦାର୍ଥ ଯାହାର ଉଦ୍ଦେଶ୍ୟ କେବଳ ବୋହିଯିବା। ଏମିତି କ’ଣ ସମ୍ଭବ ନୁହେଁ ଯେ, ରେଳଧାରଣା କଡ଼ର ଗଛ ଓ ଘରମାନଙ୍କ ପରି ଆମ ଶତାବ୍ଦୀଗୁଡ଼ିକ ପଛକୁ ପଛ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ଓ ସମୟ ସ୍ଥିର ରହିଛି ଏବଂ ଆମେ ହିଁ ରେଳଗାଡ଼ି ପରି ଦୌଡ଼ିବାରେ ଲାଗିଛନ୍ତି?’ ସମୟର ଅସ୍ତିତ୍ବକୁ ନେଇ ସନ୍ଦିହାନ କବି ଜାଭେଦ୍ ଅଖତର୍ ଏ ପ୍ରଶ୍ନ ପଚାରିଛନ୍ତି ତାଙ୍କର ‘ୱକ୍ତ୍’ କବିତାରେ।
ସମୟକୁ ନେଇ ଆମ ମନରେ ଅନେକ ଦ୍ବନ୍ଦ୍ବ, ପୁଣି ତା’ ଉପରେ ବି ଅନେକ ଭରସା। ଏହା ଏକ ଅମୂର୍ତ୍ତ ସଂରଚନା ଯିଏ ପ୍ରତ୍ୟେକ ଘଟଣାର ଅବଧି ଓ ପ୍ରଗତିକୁ ଅନବରତ ମାପି ଚାଲିଥାଏ। ଆମର ଅନୁଭବ ସହଜ ହେବା ପାଇଁ ସମୟ ଏକ ଢାଞ୍ଚା ପ୍ରସ୍ତୁତ କରେ, ଫଳତଃ ଚତୁଃପାର୍ଶ୍ବର ଦୁନିଆକୁ ଆମେ ସହଜରେ ବୁଝି ବ୍ୟବସ୍ଥିତ କରିପାରୁ। ସମୟ ସକଳ ମୁହୂର୍ତ୍ତର ରେଖାଙ୍କିତ କ୍ରମ ଯାହା ଅତୀତରୁ ବର୍ତ୍ତମାନ ଦେଇ ଭବିଷ୍ୟତରେ ବିସ୍ତାରିତ। ମଣିଷ ପାଇଁ ସମୟ ଏତେ ଗୁରୁତ୍ବପୂର୍ଣ୍ଣ ଯେ କଥା କଥାକେ ମୁହଁରୁ ବାହାରି ଆସେ, ‘ସମୟ ବଡ଼ ବଳବାନ’, ‘ସମୟ ପରିବର୍ତ୍ତନର ସୂତ୍ରଧର’, ‘ସମୟ ପାଖରେ ସବୁ ତୁଚ୍ଛ’, ‘ସମୟ ଶ୍ରେଷ୍ଠ ବିଚାରକ’ ଓ ‘ସମୟ ଆମର ପରୀକ୍ଷକ’ ଇତ୍ୟାଦି ଆପ୍ତବାକ୍ୟ ସବୁ। ଦ୍ବନ୍ଦ୍ବରେ ପଡ଼ିଗଲେ ବା ସତ୍ୟ ପ୍ରତି ସନ୍ଦିହାନ ହେଲେ ମଣିଷ ସମୟ ଉପରେ ଆସ୍ଥା ରଖି କହିଦିଏ, ‘ସେକଥା ସମୟ କହିବ’। ସତ୍ୟ ଲୁଚିଯିବାବେଳେ ସମୟ କ’ଣ ନ ଥିଲା କି? ଥିଲା ଯଦି ସତ୍ୟଟି ତତ୍କ୍ଷଣାତ୍ ପ୍ରକାଶ କଲାନି କାହିଁକି? ବର୍ତ୍ତମାନର ସମୟ ଠାରୁ ଭବିଷ୍ୟତର ସମୟ କ’ଣ ଅଧିକ ସତ୍ୟବାଦୀ?
ସମୟ ଏକ ସର୍ବବ୍ୟାପୀ ମାୟାବୀ ଶକ୍ତି, ଯିଏ ଆମର ଅସ୍ତିତ୍ବକୁ ଆକାର ଦେଇଥାଏ। ସମୟର ମନ୍ଥନ ଆମ ଜିଜ୍ଞାସାର ଏକ ପ୍ରମୁଖ ପ୍ରସଙ୍ଗ। ପ୍ରତ୍ୟେକ ଘଟଣାରେ ସମୟର ଉପସ୍ଥିତି ଅଛି ଓ ଆମର ବାସ୍ତବତା ସଂପର୍କୀୟ ଜ୍ଞାନ, ଅତୀତର ଚିନ୍ତନ ଏବଂ ଭବିଷ୍ୟତର କଳ୍ପନା ଆଦିକୁ ପ୍ରଭାବିତ କରୁଛି। ଦୁଇଟି ଘଟଣାର ପ୍ରାନ୍ତବର୍ତ୍ତୀ ବିନ୍ଦୁ ମଧ୍ୟରେ ଦୂରତାର ନାମ ସମୟ। ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡର ପୃଷ୍ଠଭୂମି ଉପରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କାଳକୁ ସମାନ ପ୍ରକାରର ସତ୍ୟ ଭାବରେ ଗ୍ରହଣ କରାଯାଇ ପାରିବନି। ଏକ ସମୟରେ ମୋ ପାଇଁ ଯାହା ବର୍ତ୍ତମାନ କାଳ ଅନ୍ୟ ପାଇଁ ତାହା ବର୍ତ୍ତମାନ ନ ହୋଇ ହୋଇପାରେ ଅତୀତ ଓ ଆଉ କାହାରି ପାଇଁ ହୋଇପାରେ ଭବିଷ୍ୟତ। ଗୋଟିଏ ଉଦାହରଣରୁ ବୁଝିବା: କବି ରହୁଥିବା ଘରର ଝରକା ଆରପଟେ ବେଲୁନଟିଏ ଫାଟିଗଲା। ସେତେବେଳେ କବିର କାନ୍ଥଘଣ୍ଟାରେ ଚାରିଟା ବାଜିଥିଲା। ଅର୍ଥାତ୍ କବିର ଜାଣିବା ପ୍ରକାରେ ଚାରିଟା ସମୟରେ ବେଲୁନଟି ଫାଟିଲା। ଠିକ୍ ସେଇ ସମୟରେ ଫୁଟା ବେଲୁନଟି ଧରି ଝରକା ପାଖରେ ପିଲାଟିଏ କାନ୍ଦି ଉଠିଲା। ସାମ୍ନା ଘର ବବି ସେଇ ଏକା ସମୟରେ ଦେଖିଲା କବିର ଘଣ୍ଟାରେ ଚାରିଟା ବାଜିଥିବାବେଳେ ପିଲାଟି ଫଟା ବେଲୁନ୍ ଧରି କାନ୍ଦୁଛି। ଅର୍ଥାତ୍ ପିଲାର କାନ୍ଦିବା ସମୟ ମଧ୍ୟ ଚାରିଟା। ଏବେ ଘଟଣାଟିର ବିଶ୍ଳେଷଣ କରି ପ୍ରଥମେ କବି କଥା ଦେଖନ୍ତୁ। ଚାରିଟାରେ ବେଲୁନ୍ ଫାଟିବା ତା’ ପାଇଁ ବର୍ତ୍ତମାନ କାଳ ଓ ପିଲାଟିର କାନ୍ଦିବା ଭବିଷ୍ୟତ କାଳ, କାରଣ ପ୍ରଥମେ ବେଲୁନ୍ ଫାଟିବାରୁ ପରେ ପିଲା କାନ୍ଦିଛି। କିନ୍ତୁ ବବି କ୍ଷେତ୍ରରେ ବେଲୁନ୍ ଫାଟିବା ଅତୀତ କାଳ ଓ ପିଲାର କାନ୍ଦିବା ବର୍ତ୍ତମାନ କାଳ। କାରଣ ଠିକ୍ ଚାରିଟାରେ ପିଲା କାନ୍ଦିବାରୁ ସେ ବେଲୁନ୍ ଫାଟିବା କଥା ଜାଣିଲା। ସମୟ ନିଜେ ସତ୍ୟବାଚକ ନୁହେଁ, ଏକଥା ବୁଝିଲେ ତ?
ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ଏକ ସ୍ଥିର ଚିତ୍ର। ଏ ଚିତ୍ରଗୁଡ଼ିକର କ୍ରମାଗତ ଅଗ୍ରଗତି ଚଳଚ୍ଚିତ୍ରର ଛବି ପରି ଆମକୁ ଗତିଶୀଳ କରିଥାଏ। ସ୍ଥିର ଚିତ୍ରର ଏ ଅବାରିତ ଗତି ହେତୁ ହଜିବା ଓ ମିଳିବା ଏବଂ ସନ୍ଦେହ ଓ ତା’ର ଉନ୍ମୋଚନ ଉଭୟ କ୍ରିୟାର ସ୍ଥିର ଚିତ୍ର ମଧ୍ୟ ସମୟ ଦ୍ବାରା ଚଳତକ୍ଷମ ହୁଏ। ଫଳରେ ଆଜିର ସନ୍ଦେହ କାଲିକୁ ଦୂର ହୋଇଯାଏ। ଏଥିରେ ସମୟର ଭୂମିକା ଏତିକି, କେବଳ ତା’ ପ୍ରବାହକୁ ଅବାରିତ ରଖିବା। ନଦୀ ସ୍ରୋତରେ କାଠ ଗଣ୍ଡିଟି ବୁଡ଼ି ଅଦୃଶ୍ୟ ହୋଇଯାଏ, ପୁଣି ଭାସି ଉଠେ। ଏଥିରେ ଜଳ ସ୍ରୋତର ଛୋଟ ଭୂମିକାଟି ହେଉଛି ଆଗକୁ ବୋହିଯିବା। ସମୟର ସ୍ରୋତ ଠିକ୍ ସେମିତି। ତା’ ସ୍ରୋତରେ ବୁଡ଼ି ଏହି କ୍ଷଣି ଅଦୃଶ୍ୟ ହୋଇଯାଇଥିବା ସତ୍ୟଟି ପୁଣି କେଉଁଠି ଅବଶ୍ୟ ଭାସି ଉଠିବ। ଯାହା ବୁଡ଼ିଯାଏ ତାହା ରହସ୍ୟ ଓ ଭାସି ଉଠିଲେ ସତ୍ୟ। ତେଣୁ ‘ସମୟ ସେକଥା କହିବ’ ବାକ୍ୟଟିର ଦାର୍ଶନିକ ଯୌକ୍ତିକତା କିଛି ରହିଲା କି? ଚେତନା ଜାଗରୁକ ଥିବା ଯାଏ ସମୟ ଥାଏ, ଚେତନାର ସମାପ୍ତି ଘଟିଲେ ସମୟର ଗତି ଆପଣାଛାଏଁ ସ୍ଥିର ହୋଇ ସ୍ରୋତ ତା’ର ଶୁଖିଯାଏ।
ସମୟର ବିଶ୍ଳେଷଣ ପାଇଁ ଥିବା ଦୁଇଟି ମତବାଦ ମଧ୍ୟରୁ ‘ବର୍ତ୍ତମାନବାଦ’ର ବିଶ୍ବାସ ହେଉଛି ସମୟ ଅତୀତରୁ ବର୍ତ୍ତମାନକୁ ପ୍ରବାହିତ, ଯେଉଁଥିରେ କେବଳ ବର୍ତ୍ତମାନ କାଳଟି ବାସ୍ତବ। ‘ଶାଶ୍ବତବାଦୀ’ଙ୍କ ମତରେ ସମୟର କୌଣସି ପ୍ରବାହ ନାହିଁ। ତିନିଟିଯାକ କାଳ ଏକ ସଙ୍ଗେ ବିଦ୍ୟମାନ ଓ ବର୍ତ୍ତମାନ କାଳଟି ଆମର ସାପେକ୍ଷିକ ଚିନ୍ତନ। ପରିବର୍ତ୍ତନର ଚିହ୍ନଟ ପାଇଁ ସମୟ ଏକ ସହଜ ଓ ଅମୂର୍ତ୍ତ ଉପାୟ। ପରିବର୍ତ୍ତନ ନ ଥିଲେ ସମୟ ମଧ୍ୟ ନାହିଁ। ଯଦି ଏହି କ୍ଷଣଟିକୁ ବର୍ତ୍ତମାନ କହିବା, ଏଠାରେ ସମୟ ଅଛି କି? ନିଶ୍ଚିତ ରୂପେ ନାହିଁ। ବର୍ତ୍ତମାନଟି ଅତୀତକୁ ଚାଲିଯିବା କ୍ଷଣି ନୂତନ ଏକ ବର୍ତ୍ତମାନ ସେ ସ୍ଥାନକୁ ଆସିଗଲେ ସ୍ଥିତିରେ ଯେଉଁ ପରିବର୍ତ୍ତନ ହେବ ତାହା ହିଁ ସମୟ। ଗୋଟିଏ ଉପାୟରେ ସମୟ ନିଜେ ସତ୍ୟକୁ ପ୍ରକାଶ କରିପାରିବ, ତାହା ହେଉଛି ତିନିଟି କାଳର ଏକତ୍ର ଅବସ୍ଥାନ। କିନ୍ତୁ ପ୍ରବହମାନ ସମୟ କ୍ଷେତ୍ରରେ ଏହା ସମ୍ଭବ ନୁହେଁ, କାରଣ ନଦୀ ପରି ସମୟର ମଧ୍ୟ ବିଲୋମ ଗତି ନାହିଁ। କେବଳ ଜଣେ ଏ କଥାକୁ ସମ୍ଭବ କରିପାରିବ, ସେ ହେଲେ ଚିର ଶାଶ୍ବତ ସ୍ବୟଂ ପରମାତ୍ମା। ‘‘କାଳଃ କଳୟତା ମହମ୍’’ (ଗୀତା, ୧୦/୩୦)। ‘ମୁଁ ନିଜେ ହିଁ ସମୟ’। ଆଉ ଆମ ପାଇଁ ସମୟର ବାର୍ତ୍ତା ହେଲା- କାହାର ଅନ୍ୟ କିଛି ଆସୁ କି ନ ଆସୁ, ସମୟ ନିଶ୍ଚୟ ଥରଟିଏ ଆସେ। ଯାହାର ସମୟ ଆସିଯାଏ, ତା’ ପାଇଁ ବାକି ସବୁକିଛି ସ୍ବତଃ ଆସିଯାଏ। ‘‘କିସି କୋ କୁଛ୍ ନହିଁ ଆତା, ସବ୍ କା ୱକ୍ତ୍ ଆତା ହୈ/ଔର୍ ଜିସ୍ କା ୱକ୍ତ୍ ଆତା ହୈ, ଉସେ ଫିର୍ ସବ୍ ଆତା ହୈ।’’
(ମତାମତ ଲେଖକଙ୍କ ନିଜସ୍ବ)
[email protected]