ସରସ ରସ: ପାପର ପଞ୍ଚନାମା

ସୁଭାଷ ପଟ୍ଟନାୟକ

ସଂସାରରେ ପ୍ରଚଳିତ ପ୍ରତ୍ୟେକ ଧର୍ମବିଶ୍ବାସରେ ପାପ ଓ ପୁଣ୍ୟ ବିଷୟରେ ଆଲୋଚନା ହୋଇଛି ଓ ପାପକୁ ପରିତ୍ୟାଗ କରି ପୁଣ୍ୟର ଆଶ୍ରୟ ନେବାକୁ କୁହାଯାଇଛି। ପାପପୁଣ୍ୟ, ସତ୍ଅସତ୍, ଭଲମନ୍ଦ, ପ୍ରେମ ଓ ପ୍ରତିହିଂସା ଆଦି ପରସ୍ପର ବିପରୀତ କର୍ମର ସଂଜ୍ଞା ସବୁ କ’ଣ? ଧର୍ମଗ୍ରନ୍ଥ ନ ଓଲଟାଇ ଆସନ୍ତୁ ଏହାର ଏକ ଦାର୍ଶନିକ ତର୍ଜମା କରିବା।
ପାପ ବା ଅସତ୍ କର୍ମ ହେଉଛି ଯାହା ମନୁଷ୍ୟର ନୈତିକତା ସମ୍ବଳିତ ବିଶ୍ବାସକୁ ବିରୋଧ କରେ ଏବଂ ପୁଣ୍ୟ ବା ସତ୍ କର୍ମ ହେଉଛି ଯାହା ତା’ର ନୈତିକତାର ଅନୁରୂପ ହୋଇଥାଏ। ଏହି ସ୍ତମ୍ଭରେ ପୂର୍ବରୁ ଆମେ ଏକ ଆଲୋଚନାରେ ଦର୍ଶାଇଥିଲୁ, ନୈତିକତା ଏକ ସାର୍ବଜନୀନ ବିଶ୍ବାସ ନୁହେଁ, ବରଂ ସଂପୂର୍ଣ୍ଣ ବ୍ୟକ୍ତିନିଷ୍ଠ। ଆପଣଙ୍କ ପାଇଁ ଯେଉଁ କାର୍ଯ୍ୟଟି ନୀତି ମୋ ପାଇଁ ତାହା ହୋଇପାରେ ଅନୀତି। ତେଣୁ ନୀତି ଓ ଅନୀତିର ସଂଜ୍ଞା ବ୍ୟକ୍ତି ଅନୁଯାୟୀ ଭିନ୍ନ ଭିନ୍ନ। ମନୁଷ୍ୟର ବଞ୍ଚିରହିବାର ମୂଳ ଲକ୍ଷ୍ୟ ହେଉଛି ସୁଖବୋଧ। କାର୍ଯ୍ୟଟିର ପରିଣତି ଯଦି କିଛି ଅଧିକ ଲୋକଙ୍କ ପାଇଁ ସର୍ବାଧିକ ସୁଖାନୁଭୂତି ଆଣିଦେଇ ପାରିଲା ତାକୁ ଆମେ ସତ୍ ବା ପୁଣ୍ୟ କାର୍ଯ୍ୟ କହୁ। ବିପରୀତ ଅନୁଭୂତି ଆଣିଦେଲେ ତାହା ପାପ ପର୍ଯ୍ୟାୟଭୁକ୍ତ ହୋଇଯାଏ। କିନ୍ତୁ ପାପ ପଦବାଚ୍ୟ କାର୍ଯ୍ୟଟି କାହାରିପାଇଁ ମଙ୍ଗଳକାରକ ହେଲେ ତାହା ପାପ ହେଲେ ମଧ୍ୟ ଆମେ ତାକୁ ସତ୍ କର୍ମ ଭାବରେ ଗ୍ରହଣ କରୁ। ମନେ କରନ୍ତୁ ଚୋରି କରିବା ଏକ ଅସତ୍ ବା ପାପ କର୍ମ। ଯଦି ଆପଣଙ୍କ ବନ୍ଧୁ ମନସ୍ତାପରେ ଆତ୍ମହତ୍ୟା କରିବାକୁ ଯାଇ ନିଜକୁ ଗୋଟିଏ ଘରେ ବନ୍ଦ କରିଦେଲେ ଓ ସେ ସମୟରେ ଆପଣ ଦେଖିଲେ ସେ ଘରେ ବିଷର ବୋତଲଟିଏ ଥୁଆ ହୋଇଛି। ଆପଣ ବନ୍ଧୁଙ୍କ ଜୀବନ ରକ୍ଷା କରିବାକୁ ତାଙ୍କ ଅଲକ୍ଷ୍ୟରେ ଝରକାରେ ହାତ ଗଳାଇ ସେ ବୋତଲଟି ନେଇଆସିଲେ। ଆପଣଙ୍କ ଏ ଚୌର୍ଯ୍ୟକର୍ମଟି ଅନୈତିକ ହେଲେ ମଧ୍ୟ ସୁନୀତିରେ ଗଣାହେବ। ସୁତରାଂ, ନୈତିକତା ସହିତ ସଂଯୁକ୍ତ ହୋଇ ପାପ ଓ ପୁଣ୍ୟ ସ୍ଥଳ ବିଶେଷରେ ନିଜନିଜ ସ୍ଥାନ ବଦଳାଇ ନିଅନ୍ତି। ପୁଣ୍ୟର ପ୍ରକୃତି ହେଉଛି, ଗୋଟିଏ ପାପ ସର୍ବଦା ତା’ ଭିତରେ ଲୁକ୍କାୟିତ ହୋଇ ରହିଛି। ଏହା ହିଁ ମନୁଷ୍ୟର ପରିବର୍ତ୍ତନଶୀଳ ଚରିତ୍ରର ହେତୁ। ଏହି ଲୁପ୍ତ ଚରିତ୍ରଟି ଯୋଗୁଁ ସାହସ କେତେବେଳେ ଭୀରୁତାରେ, ଆତ୍ମବିଶ୍ବାସ ଆତ୍ମଗର୍ବରେ ଓ ମିତ୍ରତା କୃତଘ୍ନତାରେ ରୂପାନ୍ତରିତ ହୋଇଯାଏ।
ଏବେ ଦେଖିବା ଏ ରୂପାନ୍ତର ହୁଏ କିପରି। କୌଣସି ସତ୍ କର୍ମ ତା’ ନିଜ ସ୍ଥାନରୁ ବିଚ୍ୟୁତ ହେଲେ ତାହା ଅସତ୍ ବା ପାପରେ ପରିଣତ ହୁଏ। ଅର୍ଥାତ୍ ନିଜ ସ୍ଥାନରେ ଥିବା ଯାଏ ତାହା ସତ୍, ଘୁଞ୍ଚିଗଲେ ଅସତ୍। ଆପଣ ନନ୍ଦନକାନନ ଯାଇଥିଲେ। ସେଠାରେ ଜଙ୍ଗଲ ମଧ୍ୟରେ ବାଘ ଦେଖି ଖୁବ୍‌ ଆମୋଦିତ ହେଲେ। ଘରକୁ ଆସି ପରଦିନ ଶୋଇବା ଘର ଖୋଲି ଦେଖନ୍ତି ତ, ସେଇ ବାଘରୁ ଗୋଟିଏ ଖଟ ଉପରେ ବସି ଆପଣଙ୍କୁ ଚାହିଁ ରହିଛି। ଆମୋଦ ଆପଣଙ୍କର ସହସା ଆତଙ୍କରେ ପରିଣତ ହୋଇଗଲା। ଯିଏ ଜଙ୍ଗଲରେ ଥାଇ ଆମୋଦ ଦେଉଥିଲା, ସ୍ଥାନଚ୍ୟୁତ ହୋଇ ସେ ଆତଙ୍କର ହେତୁ ପାଲଟିଗଲା। କାଲି ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ତା’ ପତ୍ନୀକୁ ଗଭୀର ଭାବରେ ସ୍ନେହ କରୁଥିଲା। ପତ୍ନୀ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲା। ପତ୍ନୀ ଖାଇବାକୁ ଦେବାରେ ବିଳମ୍ବ କରିବାରୁ ଲୋକଟି ତାକୁ ଏପରି ପ୍ରହାର କଲା ଯେ, ପତ୍ନୀର ମୃତ୍ୟୁ ହୋଇଗଲା। ପ୍ରେମ ତା’ ନିଜ ସ୍ଥାନରୁ ଖସିଆସି ପରିଣତ ହେଲା ହିଂସାରେ। ସ୍ବସ୍ଥାନରେ ଥିଲେ ଯାହା ସତ୍ ବା ପୁଣ୍ୟ, ସ୍ଥାନ ପରିବର୍ତ୍ତନ ହେଲେ ତାହା ହୋଇଯାଏ ଅସତ୍ ବା ପାପ। ତେଣୁ ପାପ ବୋଲି କିଛି ସ୍ବତନ୍ତ୍ର ପ୍ରକୃତି କି ପ୍ରବୃତ୍ତି ନାହିଁ। ଆରିଷ୍ଟୋଟଲ୍ କହିଥିଲେ, ଚରମ ସୀମାରେ ପହଞ୍ଚିଗଲେ ପ୍ରତ୍ୟେକ ପୁଣ୍ୟ ପାପରେ ଓ ପ୍ରତ୍ୟେକ ଭଲଗୁଣ ମନ୍ଦଗୁଣରେ ପରିଣତ ହୋଇଯାଏ। ‘ନିକୋମାକିୟାନ୍ ଏଥିକ୍ସ’ରେ ସେ ଏଥିପାଇଁ ‘ଗୋଲଡେନ୍ ମିନ୍’ ବା ସ୍ବର୍ଣ୍ଣିମ ମଧ୍ୟବିନ୍ଦୁର ପରିକଳ୍ପନା କରି ଲେଖିଛନ୍ତି, ଗୋଟିଏ ସତ୍ କର୍ମ ସର୍ବଦା ତା’ର ଦୁଇଟି ବିପରୀତ କର୍ମର ମଧ୍ୟଭାଗରେ ରହି ବିକଶିତ ହୋଇଥାଏ। ଉଦାହରଣ ସ୍ବରୂପ, ସାହସ ଏକ ଭଲ ଗୁଣ। ଏ ଗୁଣଟିର ପ୍ରକାଶ ପାଇଁ ଏହାର ଉଭୟ ପାର୍ଶ୍ବରେ ସମାନ ଦୂରତାରେ ଭୟ ଓ ବେପରୁଆପଣ ରହିବା ଜରୁରୀ। ସଂପୂର୍ଣ୍ଣ ଭୟାଳୁ କିମ୍ବା ସଂପୂର୍ଣ୍ଣ ନିର୍ଭୟ ହୋଇ ଜଣେ ସାହସୀ ହୋଇ ପାରିବନି, ବରଂ ବିପଦକୁ ଆମନ୍ତ୍ରଣ କରିବ।
ଆଲୋଚନାଟି ଆମକୁ ତିନିଟି ନିଷ୍କର୍ଷରେ ପହଞ୍ଚାଇଲା: (୧) ପାପ ବା ଅସତ୍ ବୋଲି ନିର୍ଦ୍ଦିଷ୍ଟ ଗୁଣ କିଛି ନାହିଁ। ମନୁଷ୍ୟର ନିଜସ୍ବ ନୀତି ତାହା ନିର୍ଣ୍ଣୟ କରେ; (୨) ପୁଣ୍ୟ ତା’ର ସ୍ବସ୍ଥାନରୁ ଘୁଞ୍ଚିଗଲେ ପାପରେ ପରିଣତ ହୁଏ ଏବଂ (୩) ସଦ୍‌ଗୁଣ ବା ପୁଣ୍ୟ ସର୍ବଦା ଦୁଇଟି ଅସତ୍ ଗୁଣର ମଧ୍ୟବର୍ତ୍ତୀ ସ୍ଥାନରେ ରହିଥାଏ। ପାପ ଓ ପୁଣ୍ୟର ସୃଷ୍ଟି ସମାଜକୁ ଶୃଙ୍ଖଳିତ କରି ରଖିବା ପାଇଁ। ଏ ଦୁଇ ଗୁଣ ଅପସାରିତ ହେଲେ ସମାଜରେ ବିଶୃଙ୍ଖଳା ଭରିଯିବ। ପାପ ମୂଳତଃ ଅସ୍ତିତ୍ବହୀନ। ପୁଣ୍ୟର କ୍ଷୟ ହେଲେ ପାପ ତା’ ସ୍ଥାନରେ ସୃଷ୍ଟି ହୁଏ। ସପ୍ତଦଶ ଶତାବ୍ଦୀର କବି ଜନ୍ ମିଲଟନ୍ ‘ପାରାଡାଇଜ୍ ଲଷ୍ଟ୍’ କାବ୍ୟରେ ଲେଖିଛନ୍ତି, ‘ମନ ତା’ ନିଜ ସ୍ଥାନରେ ଥାଇ ସ୍ବର୍ଗକୁ ନରକ ଏବଂ ନରକକୁ ସ୍ବର୍ଗରେ ବଦଳାଇ ଦେଇପାରେ। ମନୁଷ୍ୟର ଇଚ୍ଛା ହିଁ ଏ ସବୁର ମୂଳରେ। ଆମର ଦୁର୍ଭାଗ୍ୟ ଯେ, ନିଜର ପାପପ୍ରତି ଉଦାସୀନ ରହି ଆମେ ଅନ୍ୟର ପାପକୁ ଖୋଜିବାରେ ଲାଗିଛେ। ଉର୍ଦ୍ଦୁ କବୟିତ୍ରୀ ଅର୍ଚ୍ଚନା ଜୌହରୀଙ୍କର ଏକ କବିତାରୁ କିଛି ଧାଡ଼ି ମନେପଡୁଛି:
“ଉସି ସେ ଦୋସ୍ତି ଭି ହୈ, ଉସିସେ ଦୁଷ୍ମନି ଭି ହୈ;
ଵହିଁ ପର୍ ଆବ୍ ହୈ, ଵହିଁ ପର୍ ତିଷ୍ଣଗି ଭି ହୈ।
ଉସେ କ୍ୟା ନାମ୍ ଦୁଁ ଆଖିର୍ ସନମ୍,
ହମଦମ୍ ୟା ହରଜାୟି,
ଉସିପେ ଜାନ୍ ଦେତି ହୁଁ, ଉସିସେ ଜୀନ୍ଦଗି ଭି ହୈ।”
ସେଇଠି ବନ୍ଧୁତା, ସେହିଠାରେ ବି ଶତ୍ରୁତା, ଜଳ ଯେଉଁଠି ତୃଷ୍ଣା ମଧ୍ୟ ସେଇଠି। ସିଏ ସାଥୀ, ସିଏ ବି ଶତ୍ରୁ। ତାକୁ କ’ଣ ନାଆଁ ଦେବି ବନ୍ଧୁ, ଜୀବନ ଯାଉଛି ଯେଉଁଠି, ଜୀବନ ଥାଏ ବି ତ ସେଇଠି! ପାପ ଏବେ ଅଛି କେଉଁଠାରେ, କୁହନ୍ତୁ ତ?
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର