ସେଦିନ ଦୃଷ୍ଟି ପଡ଼ିଲା ସୁଡ଼ଙ୍ଗ ଦୁର୍ଘଟଣାରୁ ଉଦ୍ଧାର ପାଇଯାଇଥିବା ଜଣେ ଶ୍ରମିକର ଟି-ସାର୍ଟରେ ଲେଖାଥିବା ସନ୍ଦେଶଟି ଉପରେ- “ଲାଇଫ୍ ଇଜ୍ ବେଟର୍ ହ୍ବେନ୍ ୟୁ ଆର୍ ଲାଫିଙ୍ଗ୍”। ଜୀବନ ସରସ ଲାଗେ ଯେତେବେଳେ ମୁହଁରୁ ହସ ଝରେ। ଜୀବନ ସମସ୍ତଙ୍କ ପାଇଁ ସମାନ ଭାବରେ କେତେବେଳେ ସହଜ ଓ କେତେବେଳେ କଠିନ। ଲିଙ୍ଗ, ବର୍ଣ୍ଣ, ଧର୍ମ ଓ ଭୌଗୋଳିକ ଅବସ୍ଥିତି ଆଧାରରେ ଜୀବନ କେବେ କାହାରିକୁ ପକ୍ଷପାତ କରେନାହିଁ। ତା’ହେଲେ ଜଣକର ଜୀବନ ଅନ୍ୟଠାରୁ ଏତେ ପୃଥକ୍ କାହିଁକି? ଏହାର କାରଣ ହୋଇପାରେ ଆମର ନିଜ ଜୀବନକୁ ପରିଚାଳନା କରିବାର ପଦ୍ଧତି ଓ ଜୀବନ ଆମ ସମ୍ମୁଖରେ ରଖୁଥିବା ପରୀକ୍ଷାକୁ ଆମେ ସମ୍ମୁଖୀନ ହେଉଛେ କେମିତି। ଏ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବାର କିଛି ଗୁପ୍ତ ଉପାୟ ଅଛି କି? ଉତ୍ତର ହେଉଛି, ‘ହଁ’। ଆମ ଭିତରେ ମୁକ୍ତ ଭାବରେ ଉପଲବ୍ଧ ଏକ ମହତ୍ତ୍ୱପୂର୍ଣ୍ଣ ରସାୟନ, ଆମର ହାସ୍ୟ ଚେତନା। ଜୀବନ ପାଇଁ ହାସ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ, ଯେତିକି ଭୋଜନ ପାଇଁ ଲବଣ। ତା’ର ଅଭାବରେ ସବୁକିଛି ସ୍ବାଦହୀନ। ଏପରି କୌଣସି ସଂସ୍କୃତି ବିଶ୍ବରେ ନାହିଁ ଯାହା ହାସ୍ୟ ସହିତ ଅପରିଚିତ। ହାସ୍ୟର କୌଣସି ଭାଷା ନାହିଁ। ସବୁ ମନୁଷ୍ୟ ସେଇ ଗୋଟିଏ ପ୍ରକାର ହସିଥାନ୍ତି। କଥା କହି ଶିଖିବା ଆଗରୁ ମନୁଷ୍ୟ ହସିବା ଶିଖିଥାଏ।
ମନେହୁଏ ଏବେ ମନୁଷ୍ୟ ମନରୁ ଧୀରେ ଧୀରେ ହାସ୍ୟ ଚେତନା ଉଭେଇଯିବାରେ ଲାଗିଛି। ସାଂପ୍ରତିକ କାଳଖଣ୍ଡଟି ହାସ୍ୟ ଚେତନାର ଅବକ୍ଷୟ ପାଇଁ ଏକ ଗମ୍ଭୀର ସମୟ। ବୈଶ୍ବିକ ମହାମାରୀ ସମୟରେ ଆମର ଏକାନ୍ତବାସ ଓ ତଜ୍ଜନିତ ଏକଲାପଣ ହାସ୍ୟାନୁଭବ ଉପରେ ଗଭୀର ପ୍ରଭାବ ପକାଇଛି। ଏକବିଂଶ ଶତାବ୍ଦୀରେ ମନୁଷ୍ୟ ଜିଉଁଥିବା ଯାନ୍ତ୍ରିକ ଜୀବନରେ ହାସ୍ୟରୋଳ ଆଉ ଶୁଣା ଯାଉନାହିଁ। ମୁହଁରୁ ନିର୍ଗତ ଶବ୍ଦ ଏବେ ମଧୁକ୍ଷରା ବଦଳରେ ହୋଇଯାଉଛି ହଳାହଳ। ବିଶେଷଜ୍ଞମାନେ କୁହନ୍ତି, ଆପଣଙ୍କ ଭିତରର ହାସ୍ୟାନୁଭବ ଯେତେ ବୃଦ୍ଧି ପାଇବ ମାନସିକ ସ୍ବାସ୍ଥ୍ୟ ସେତେ ସୁସ୍ଥ ରହି ସୁଖର ଅନୁଭବ ସେତେ ଅଧିକ ହେବ। ହାସ୍ୟକୁ ନବରସ ମଧ୍ୟରୁ ଏକ ରସ ଭାବରେ ନାଟ୍ୟଶାସ୍ତ୍ର ସ୍ବୀକୃତି ଦେଇଥିଲେ ମଧ୍ୟ ଏବେ ଏଇ ରସଟି ଶୁଷ୍କ ହୋଇଗଲାଣି। ପୂର୍ବ କାଳରେ ସିନେମାଟିଏ ଆସିଲେ ପ୍ରଥମେ ଖୋଜା ପଡୁଥିଲା ସେଥିରେ ମେହେମୁଦ୍ ଓ ଜନିଵାକର ପରି ହାସ୍ୟ କଳାକାର ଅଛନ୍ତି ନା ନାହିଁ। ଏବକାର ସିନେମାରେ ହାସ୍ୟ ବଦଳରେ ଦେଖିବାକୁ ମିଳୁଛି ଚାକୁ, ଛୁରୀ, ବନ୍ଧୁକ ଓ ବୋମାର ବ୍ୟବହାର। ତା’ ନହେଲେ ଦର୍ଶକ ସଂଖ୍ୟା ବଢ଼ିପାରୁନି। ହାସ୍ୟର ସ୍ଥାନ ନେଇଛି ଘୃଣା ଓ ହିଂସା। ‘ହେରାଫେରି’ ଓ ‘ଅନ୍ଦାଜ ଅପନା ଅପନା’ ପରି ନିରୋଳା ହାସ୍ୟ କାହାଣୀର ଆଉ ଆଦର ନାହିଁ। ଗୋଟିଏ ସମୟ ଥିଲା, ହାସ୍ୟରସରେ ପରିପୂର୍ଣ୍ଣ ଟିଭି ସିରିଅଲ୍ ‘ଶ୍ରୀମାନ୍ ଶ୍ରୀମତୀ’, ‘ଅଫିସ ଅଫିସ’ ଓ ‘ୟେ ଯୋ ହୈ ଜିନ୍ଦଗୀ’ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହୁଥିଲେ। ଏବେ ଟିଭି ପରଦାରେ ଶାଶୂ ବୋହୂ କଳି ଓ ପାରିବାରିକ ଷଡ୍ଯନ୍ତ୍ର ପରି କାହାଣୀର ଆଦର। ଗମ୍ଭୀର ଓ ଦୁଃଖଦ ମୁହୁର୍ତ୍ତରେ ମନ ହାଲୁକା କରିବାକୁ ଏକଦା ପ୍ରଚଳିତ ଥିବା ଡାର୍କ ହ୍ୟୁମର୍ ବା କୃଷ୍ଣହାସ୍ୟ ଏବେ ଅସହ୍ୟ ଓ ଦୋଷାବହ। ମନୁଷ୍ୟର କଥା ଦୂରେ ଥାଉ, ଗୋଟିଏ ଗାଈ ବିଷୟରେ କିଛି ଚଟୁଳ ବ୍ୟଙ୍ଗ କରିଦେଲେ ସମାଜ ଖଡ୍ଗହସ୍ତ ହୋଇଯାଉଛି। ବିରବଲ୍, ତେନାଲି କିମ୍ବା ମୁଲ୍ଲା ନସରୁଦ୍ଦିନ୍ କାହାରି ସ୍ମରଣରେ ଆଉ ନାହାନ୍ତି। ହାସ୍ୟକୁ ହାସ୍ୟ ଭାବରେ ଗ୍ରହଣ କରିନେବାର ମାନସିକତା ଆଉ ଆମର ନାହିଁ।
ଅଗ୍ନି ଯେପରି ସର୍ବତ୍ର ବିଦ୍ୟମାନ, କେବଳ ଟିକିଏ ଘର୍ଷଣରେ ଉତ୍ପନ୍ନ ହୋଇଯାଏ, ହାସ୍ୟ ସେହିପରି ସବୁଠାରେ ସବୁ ସମୟରେ ଉପଲବ୍ଧ। ବଜାର ମଧ୍ୟରେ ସେଦିନ ଫଳକଟିଏ ଦେଖିଲୁ, ଲେଖାଅଛି- “ଏଠାରେ ସବୁ ବୈଦ୍ୟୁତିକ ଉପକରଣ ମରାମତ ହୁଏ।” ତଳକୁ ଲେଖାଯାଇଛି- “ଦୁଆର ବାଡ଼ାନ୍ତୁ, କଲିଂବେଲ ଖରାପ ଅଛି।” ହାସ୍ୟ ପାଇଗଲେ ତ? ସାମାନ୍ୟ କଥା ଓ ଘଟଣା ମଧ୍ୟରେ ବି ହାସ୍ୟ ଲୁଚି ରହିଛି, କେବଳ ଆମର ଦୃଷ୍ଟିକୋଣର ଅଭାବ ହେତୁ ଆମେ ତାକୁ ଅନୁଭବ କରିପାରୁନେ। ଦିନେ ଛୋଟ ଝିଅଟି ଚକୋଲେଟ୍ ପାଇଁ ଜିଦ୍ ଧରିଲା। ମା’ କହିଲେ, ପାଖ ଦୋକାନରୁ ନେଇଆସ, ମୁଁ ପରେ ପେମେଣ୍ଟ କରିଦେବି। ଝିଅକୁ ଚକୋଲେଟ୍ ଦେଇସାରି ଦୋକାନୀ ନିଜ ଗାଲ ଦେଖାଇ କହିଲା, ଚକୋଲେଟ୍ ବାବଦକୁ ପପିଟିଏ ଦେଲୁ ମା’? କୁନି ଝିଅ ମନାକରି କହିଲା- ନା, ନା, ମୁଁ ଦେବିନି। ମାମା କହିଛି ସେ ନିଜେ ଆସି ଦେବ। ହେଇଗଲାନା ପରିବେଶ ହାସ୍ୟମୟ?
ହାସ୍ୟ ଏକ ଜୈବିକ ପ୍ରକ୍ରିୟା ଯାହା ଆମକୁ ଅନ୍ୟମାନଙ୍କ ସହିତ ସଂଯୋଜିତ କରି ରଖିବାରେ ସାହାଯ୍ୟ କରେ ଏବଂ ଚାପଗ୍ରସ୍ତ ଜୀବନର ଭାର ଲାଘବ କରେ। ଜୀବନର ଚିତ୍ରାୟିତ ପାର୍ଶ୍ବକୁ ଦେଖିବାରେ ହାସ୍ୟ ଅନ୍ଧକାରଭେଦୀ ଚଷମା ପରି। ଜୀବନ ଆମକୁ କେବଳ ଥରଟିଏ ପାଇଁ ମିଳିଛି। ଠିକ୍ ଉପାୟରେ ତାକୁ ଜିଇଁନେଲେ ସେଇ ଥରଟିଏ ହିଁ ଯଥେଷ୍ଟ, ଆଉ ସେଥିପାଇଁ ଯେଉଁ ଦ୍ରବ୍ୟଟି ଆବଶ୍ୟକ ତାହା ହେଉଛି ଆମର ହାସ୍ୟାନୁଭବ। ନିଜ ଭିତରେ ହାସ୍ୟ ଚେତନା ଥିବା ପର୍ଯ୍ୟନ୍ତ ଜୀବନ ଜିଇଁବାର ଯୋଗ୍ୟ। ନିଜେ ହସି ନ ଜାଣିଲେ ଅନ୍ୟକୁ ହସାଇବେ କେମିତି?
ଆମର ଜଣେ ବନ୍ଧୁ ତାଙ୍କର ଅଭିମାନିନୀ ପତ୍ନୀଙ୍କୁ ମନାଇବା ପାଇଁ କିଛି ପରାମର୍ଶ ମାଗିଲେ। ଆମେ କବିତାଟିଏ ଲେଖିଦେଇ ପତ୍ନୀଙ୍କ ସାମନାରେ ସରାଗରେ ଆବୃତ୍ତି କରିବାର ପରାମର୍ଶ ଦେଲୁ। ଆମେ କ’ଣ ଜାଣିଛୁ କବିତାର ଶେଷ ଧାଡ଼ିଟି ଭୁଲିଯାଇ ବନ୍ଧୁ ନିଜସ୍ବ କାବ୍ୟିକ ପ୍ରତିଭାର ପ୍ରୟୋଗ କରିଦେବେ? “ଫିଜାଓଁ ମୈଁ ତୁମ୍ ହୋ, ଘଟାଓଁ ମୈଁ ତୁମ ହୋ/ ହଵାଓଁ ମୈଁ ତୁମ୍ ହୋ, ବହାରୋଁ ମୈଁ ତୁମ୍ ହୋ/ ଧୂପ୍ ମୈଁ ତୁମ୍ ହୋ, ଛାଓଁ ମୈଁ ତୁମ୍ ହୋ/ ଅବ୍ ତୁମ୍ ହି ବତାଓ ମେରି ଜାନ୍, କ୍ୟା ତୁମ୍ କିସି ଭୂତନୀ ସେ କମ୍ ହୋ”? (ଖୋଲା ଆକାଶ ତଳେ ତୁ, କଳା ବାଦଲରେବି ତୁ/ ପବନରେ ତୁ, ମଳୟରେ ତୁ/ ଅଂଶୁରେ ତୁ, ଛାୟାରେ ବି ତୁ/ ଏବେ ତୁ ନିଜେ କୁହ ପ୍ରିୟେ, କେଉଁ ଭୂତୁଣୀଠୁ କମ୍ କି ତୁ?)
ବିଶ୍ବାସ କରନ୍ତୁ ସେହିଦିନଠାରୁ ବନ୍ଧୁଙ୍କ ଘରକୁ ଯିବାର ସାହସ ଆମେ ଯୁଟାଇ ପାରିନୁ।
ମୋ: ୯୩୩୭୬୪୮୬୩୮
ସରସ ରସ: ଥରଟିଏ ହସିଦେଇ ଦେଖନ୍ତୁ
ସୁଭାଷ ପଟ୍ଟନାୟକ
/sambad/media/post_attachments/wp-content/uploads/2024/01/sfhfftttt-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)