ସରସ ରସ: ନା କହୁଛି ମାନେ, ନା

ସୁଭାଷ ପଟ୍ଟନାୟକ

ହିନ୍ଦୀ ଚଳଚ୍ଚିତ୍ର ‘ପିଙ୍କ୍’ ରେ ସଂଳାପଟିଏ ଅଛି, “ନା ମାନେ, ନା। ଜଣେ ନା କହିଦେଲେ ତୁମକୁ ସେହିଠାରେ ହିଁ ଅଟକିଯିବାକୁ ହେବ।” ‘ନା’ ହେଉଛି ଲକ୍ଷ୍ମଣରେଖା। ଆମର ସୀମାରେଖା, ପ୍ରାଚୀର, ବାଡ଼ ବା ମର୍ଯ୍ୟାଦା। ଏହାକୁ ମାନିନେବାକୁ ଜଣେ ବାଧ୍ୟ। ନ ମାନିବା ଅର୍ଥ ଆପଣ ଅନ୍ୟର ନିର୍ଦେଶିତ ସୀମାରେଖା ଉଲ୍ଲଂଘନ କରୁଛନ୍ତି। ଦେହଠାରୁ ନେଇ ଦେଶ ପର୍ଯ୍ୟନ୍ତ ସବୁଠାରେ ସୀମାରେଖା। ସବୁଠାରେ ‘ପ୍ରବେଶ ନିଷେଧ’ର ସଂକେତ। ଦିନ ଓ ରାତି ମଧ୍ୟରେ, ଜୀବନ ଓ ମୃତ୍ୟୁ ମଧ୍ୟରେ, ଆଶା ଓ ହତାଶା ମଧ୍ୟରେ, ମନୁଷ୍ୟ-ମନୁଷ୍ୟ ମଧ୍ୟରେ, ନିଜ ଘର ଚତୁଃପାର୍ଶ୍ବରେ, କୋଠରି-କୋଠରି ମଧ୍ୟରେ, ସାମାଜିକ ସଂପର୍କ ମଧ୍ୟରେ, ଦେଶ ଓ ତାର ସଂବିଧାନ ମଧ୍ୟରେ, ସର୍ବୋପରି ଦେଶ ଓ ଦେଶ ମଧ୍ୟରେ। କିଛି କାର୍ଯ୍ୟ ଆରମ୍ଭ ହେଲେ ତାହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବାକୁ ବାଧ୍ୟ। ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଥାଏ ଶାରୀରିକ, ଭାବାବେଗ, ଅଭିବ୍ୟକ୍ତି, ମୂଲ୍ୟବୋଧ ଓ ପସନ୍ଦର ସୀମାରେଖା। ସଂପର୍କ କେଉଁଠାରୁ ଆରମ୍ଭ ହୋଇ କେଉଁଠି ଶେଷହେବ ତାହା ନିର୍ଦେଶିତ କରିଥାଏ ସଂପର୍କ ମଝିରେ ଥିବା ପ୍ରାଚୀର। ସବୁ ସମସ୍ୟାର ଉତ୍ପନ୍ନ ହୁଏ ସୀମା ନିର୍ଦ୍ଦେଶିତ ହୋଇନଥିଲେ। ଧଳା ରଙ୍ଗ ମଧ୍ୟରେ କଳା ବିନ୍ଦୁଟିଏ ଦେଲେ କଳାର ସୀମା ଧଳାର ଆରମ୍ଭ ପର୍ଯ୍ୟନ୍ତ ଓ ଧଳାର ସୀମା କଳାର ଆରମ୍ଭ ପର୍ଯ୍ୟନ୍ତ। ଜଣକର ବ୍ୟକ୍ତିଗତ ସ୍ବାଧୀନତା ଯେଉଁ ପର୍ଯ୍ୟନ୍ତ ଥାଏ ଓ ଯେଉଁ ପରିଧି ମଧ୍ୟରେ ସେ ନିଜର ଶାରୀରିକ, ମାନସିକ, ବ୍ୟାବହାରିକ ଓ ଭାବନାତ୍ମକ ସ୍ବାଧୀନତା ଅନ୍ୟଠାରୁ ସୁରକ୍ଷିତ ରଖିଥାଏ, ତାହା ହେଉଛି ତାର ବ୍ୟକ୍ତିଗତ ସୀମାରେଖା। ଏହା ଏପରି ଏକ ବିଭାଜକ ବିନ୍ଦୁ ଯେଉଁଠାରୁ ଜଣକର ସ୍ବାଧୀନତା ଆରମ୍ଭ ହେବାବେଳେ ଅନ୍ୟ ଜଣକର ଶେଷ ହୋଇଥାଏ। ନିଜ ଚାରିପାଖରେ ଏପରି ଏକ ସୀମାନ୍ତ ପ୍ରାଚୀର ନ ରହିଲେ ଅଙ୍ଗୁଳି ପ୍ରବେଶ କରାଇ ପରିଶେଷରେ ଲୋକେ ବାହୁ ପ୍ରବେଶ କରାଇ ଦିଅନ୍ତି। ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତି, ଠିକ୍ ଯେମିତି ଘର ଚାରିପଟେ ପ୍ରାଚୀର ନଥିଲେ ଗାଈଗୋରୁ ପଶିଆସନ୍ତି ଏବଂ ସୁଯୋଗ ଦେଖି ପଡ଼ୋଶୀ କିଛି ଜାଗା ମାଡ଼ିବସନ୍ତି। ସେହିପରି ସାମାଜିକ ସୀମାରେଖା ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସମାଜର ନୀତି ନିୟମ ଯାହା ସେ ସମାଜର ସଦସ୍ୟ ମାନିବାକୁ ବାଧ୍ୟ। ପ୍ରତିଟି ମନୁଷ୍ୟ କିଛି ସଂସ୍କୃତି, ପରମ୍ପରା ଓ ଧର୍ମବିଶ୍ବାସର ଆଧାରରେ ଗୋଟିଏ ସମାଜ ସହିତ ଯୋଡ଼ି ହୋଇଥାଏ।

ଏପରି ଏକ ସାମାଜିକ ଅନୁବନ୍ଧନ ତା ପାଇଁ ଏକତା ଓ ସମାନତାର ବାତାବରଣ ତିଆରି କରେ। ଗୋଷ୍ଠୀର ସୀମା ମଧ୍ୟରେ ରହିବାକୁ ସେଥିପାଇଁ ମନୁଷ୍ୟ ପସନ୍ଦ କରେ ଏବଂ ସୀମା ଭଙ୍ଗକଲେ ସମାଜରୁ ନିଷ୍କାସିତ ହୁଏ। ଗୋଷ୍ଠୀଭୁକ୍ତ ବ୍ୟକ୍ତି ସର୍ବଦା ବିଶ୍ୱାସ କରେ ଯେ ଯାହା ମହୁଫେଣା ପାଇଁ ଭଲ ନୁହେଁ, ତାହା ମହୁମାଛି ପାଇଁ ମଧ୍ୟ ଅହିତକର। ଜାତିଗତ, ଭାଷାଗତ, ଆଞ୍ଚଳିକ, ଆର୍ଥିକ, ଧାର୍ମିକ ଓ ଶ୍ରେଣୀଗତ ବିଭାଜନର ଆଧାରରେ ଏ ସାମାଜିକ ମହୁଫେଣା ଗୁଡ଼ିକର ସୃଷ୍ଟି। ସେହିପରି ସମାଜ-ସମାଜ ମଧ୍ୟରେ ରହିଥାଏ ସଂପର୍କର ନିର୍ଦ୍ଦିଷ୍ଟ ସୀମା। ଧର୍ମ-ଧର୍ମ ମଧ୍ୟରେ, ଜାତି-ଜାତି ମଧ୍ୟରେ, ରାଜ୍ୟ-ରାଜ୍ୟ ମଧ୍ୟରେ ଓ ଦେଶ-ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ ହୋଇଛି ମନୁଷ୍ୟର ନିରୁପଦ୍ରବ ଜୀବନଧାରଣ ପାଇଁ। ସୀମା ପ୍ରାଚୀର ଗୁଡ଼ିକର ବୁଢ଼ିଆଣୀ ଜାଲ ମଧ୍ୟରେ ଝୁଲିରହିଛି ମନୁଷ୍ୟ। ଜାଲ ଛିଣ୍ଡିଗଲେ କକ୍ଷଚ୍ୟୁତ ତାରକା ପରି ମନୁଷ୍ୟ ମଧ୍ୟ ହୋଇଯିବ କକ୍ଷଚ୍ୟୁତ। ମାତ୍ର ବିରୋଧାଭାଷଟି ହେଉଛି, ମନୁଷ୍ୟ ସର୍ବଦା ସୀମା ଲଂଘିବାକୁ ଭଲପାଏ। ଅନ୍ୟର ପାଚେରି ଫାଙ୍କରେ ମୁହଁ ଗଳାଇ ଭିତରର ଦୃଶ୍ୟ ଦେଖିବାକୁ ତତ୍ପର ଥାଏ। ଅନ୍ୟର କଥାରେ ନାକ ଗଳାଇ ନାକ ଛିଣ୍ଡି ଯାଉ ପଛେ, ତେଣିକି ଚିନ୍ତା କରେନା। ରବର୍ଟ ଫ୍ରଷ୍ଟଙ୍କର କବିତାଟିଏ ଅଛି, ‘ମେଣ୍ଡିଂ ଵାଲ୍’। ଦୁଇ ପଡ଼ୋଶୀଙ୍କ ବଗିଚା ମଝିରେ ଅଛି ପାଚେରିଟିଏ। ଜଣେ ପଡ଼ୋଶୀ ଅନ୍ୟ ଜଣକୁ ପଚାରୁଛି, ପାଚେରିର ଆବଶ୍ୟକତା ବା କ’ଣ! ତୁମ ପଟେ ତ ଖାଲି ପାଇନ୍ ଗଛ, ମୋ ପଟେ ଅଛି ସେଓ। ପାଇନ୍ ସେଓ ଖାଇଯିବ ନା ସେଓ ପାଇନ୍ ଗଛ ଖାଇଯିବ! ଅନ୍ୟ ପଡ଼ୋଶୀଟି ଉତ୍ତର ଦେଉଛି, “ଗୁଡ୍ ଫେନସେସ୍ ମେକ୍ ଗୁଡ୍ ନେବରସ୍”। ମନୁଷ୍ୟ ପାଚେରି ପକାଏ, ସିଏ ନିଜେ ହିଁ ପାଚେରି ଭାଙ୍ଗେ। ହେଲେ, ଭଲ ପାଚେରିଟିଏ ସଂପର୍କର ମଝିରେ ଥିଲେ ଭଲ ପଡ଼ୋଶୀଟିଏ ମିଳିଥାଏ। ଜଣକର ପାଚେରି ଯୋଗୁଁ ଅନ୍ୟ ଜଣେ ଯଦି ପୀଡ଼ା ଭୋଗୁଥାଏ, ତେବେ ପାଚେରିଟି ତାରି ପାଇଁ ତ ସୃଷ୍ଟି!

ଗୋଟିଏ ଜିନିଷ କେବଳ ପାଚେରି ପକାଇ ଆବଦ୍ଧ କରି ହୁଏନି, ତାହା ହେଉଛି ଭଲପାଇବା। ଭଲପାଇବାର ସୀମା କିଛି ନାହିଁ। ସୁଗନ୍ଧକୁ ଯେମିତି ପ୍ରହରୀ ନିଯୁକ୍ତ କରି ଅଟକାଇବା ଅସମ୍ଭବ, ଭଲପାଇବା ଠିକ୍ ସେମିତି। ଆକାଶ ସୀମାହୀନ ହୋଇପାରେ, ମାତ୍ର ଦୃଷ୍ଟି ନିକ୍ଷେପ ହୋଇପାରୁଥିବା ଦିଗ୍‌ବଳୟ ପର୍ଯ୍ୟନ୍ତ ହେଉଛି ଆକାଶର ସୀମା। ସୀମାହୀନତା ମଧ୍ୟରେ ଗୋଟିଏ ଗୋଟିଏ ସୀମା ତିଆରି କରିଛି ବୋଲି ମନୁଷ୍ୟ ବଞ୍ଚିପାରୁଛି। କିନ୍ତୁ ଦିଗ୍‌ବଳୟ ପଛର ଆକାଶ ପରି ସୀମାହୀନ ହେଉଛି ଭଲପାଇବା। “ନହିଁ ହୈ କୋଇ ଭି ହତମି ୟହାଁ ହଦ-ଏ-ମାଲୁମ୍, ହର୍ ଏକ୍ ଇନ୍ତିହା ଏକ୍ ଔର୍ ଇନ୍ତିହା ତକହୈ।” ପ୍ରାରମ୍ଭ କି ଶେଷ ସୀମା ଏଠି କିଛି ନାହିଁ। ଗୋଟିଏ ସମାପ୍ତି କେବଳ ଆଉ ଗୋଟିଏ ସମାପ୍ତି ପର୍ଯ୍ୟନ୍ତ ଲମ୍ବିଛି। ପାଚେରି ତ ଥାଏ ମନ ଭିତରେ। ସେ ପାଚେରିର ଏ ପାଖରେ କ’ଣ, ସେପାଖରେ କ’ଣ, ତାହା ନିରୂପିତ ହୁଏ ଆମେ ପାଚେରିର କେଉଁ ପାଖରେ ଅଛେ ତାହା ବିଚାରକରି। ନିଜକୁ ବ୍ୟକ୍ତ କଲାବେଳେ ମନ ଭିତରେ ଆମେ ଗୋଟିଏ ସୀମାରେଖା ଟାଣି ଦେଇଥାଉ। ସେ ସୀମାରେଖାର ଭିତର ପଟେ ଯାହା ରହିଯାଏ, ତାହା ହେଉଛି ଆମ ନିଜର ‘ମୁଁ’ତ୍ବ ଓ ବାହାର ପଟେ ରହିଯାଏ ବାକି ସବୁ। ଆମର ନିଜସ୍ବ ପରିଚୟ ନିର୍ଭର କରେ ଆମେ ମନର କେଉଁ ସ୍ଥାନରେ ସେ ସୀମାରେଖାଟି ଟାଣିବା।
ପ୍ରାଚୀର ସଭ୍ୟତାର ମୂଳଦୁଆ ହେଲେ ମଧ୍ୟ ସତରେ କ’ଣ ତାହା କାମରେ ଆସୁଛି?
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର