ସୁଭାଷ ପଟ୍ଟନାୟକ

Advertisment

ନିଜର ଚଷମା ସଫା ନକରି ଦୁନିଆକୁ ଅପରିଷ୍କାର କହିବା ଆମମାନଙ୍କର ପ୍ରକୃତି। ଶ୍ରୀମନ୍ଦିର ପ୍ରଶାସନ ଦର୍ଶନାର୍ଥୀଙ୍କ ନିମନ୍ତେ ଜାରି କରିଥିବା ପୋଷାକ ସଂହିତା ଆପାତତଃ ତାହା ହିଁ ସୂଚନା ଦିଏ। ନିୟମଟି ପରୋକ୍ଷରେ ମହିଳା ଭକ୍ତମାନଙ୍କ ପାଇଁ ହିଁ ଅଭିପ୍ରେତ। ଦେଶର ଅନେକ ମନ୍ଦିରରେ ମହିଳାମାନଙ୍କ ପାଇଁ ପରିଧେୟର ସ୍ବତନ୍ତ୍ର ନିୟମ ସବୁ ରହିଛି। ଶ୍ରୀମନ୍ଦିର ବିଶ୍ବର ଏକ ନିଆରା ଉପାସନା ପୀଠ, ତେଣୁ ଏଠାରେ ଏହା ପୂର୍ବରୁ ଏପରି ସଂକୀର୍ଣ୍ଣ ନିୟମ ନଥିଲା। ଏବେ ମନ୍ଦିର ପ୍ରଶାସନ ଅଶ୍ଳୀଳତାର ପରିଭାଷା ଉଦ୍ଭାବନ କରି ସେସବୁ ପୋଷାକ ମନ୍ଦିରର ପବିତ୍ରତା ଓ ଆଧ୍ୟାତ୍ମିକତା ନଷ୍ଟ କରୁଥିବା ଦର୍ଶାଇଛି। କାନ୍ଧ ଦିଶୁଥିବା ବସ୍ତ୍ର, ମିନିସ୍କର୍ଟ, ହାପପ୍ୟାଣ୍ଟ, ଫ୍ରକ୍, ଫଟା ଜିନ୍‌ସ, ଏବଂ କସାକସ୍ ପୋଷାକ ପିନ୍ଧି ମନ୍ଦିର ଯିବାକୁ ମହିଳାମାନଙ୍କୁ ବାରଣ କରାଯାଇଛି। ପ୍ରଶ୍ନ ଉଠେ, ମନ୍ଦିରରେ ସ୍ବତନ୍ତ୍ର ପୋଷାକ ନିୟମ ରହିବା ଆବଶ୍ୟକ କି? ଏବଂ କାହିଁକି? ଭଗବାନ କ’ଣ ମନୁଷ୍ୟର ପରିଧେୟ ଆଧାରରେ ଭେଦଭାବ କରିଥାନ୍ତି? ହାତକଟା ବ୍ଲାଉଜ ପିନ୍ଧିଥିବା ମହିଳାଙ୍କ ଅପେକ୍ଷା ଶରୀର ଆବୃତ କରି ରଖିଥିବା ମହିଳାମାନେ କ’ଣ ଅଧିକ ବିଭୂ ଆଶୀର୍ବାଦ ପାଇଥାନ୍ତି? ଆମର ଏପରି ପ୍ରଶ୍ନରେ ଜଣେ ବରିଷ୍ଠ ସେବାୟତ ଉତ୍ତର ଦେଲେ, “ସ୍ବଳ୍ପ ପୋଷାକ ପରିହିତା ମହିଳାମାନଙ୍କ ହେତୁ ପୁରୁଷ ଭକ୍ତମାନଙ୍କର ଚିତ୍ତବିଭ୍ରମ ଘଟି ସେମାନଙ୍କର ଆରାଧନାରେ ବ୍ୟାଘାତ ଘଟୁଛି ଓ ମନ୍ଦିରର ପବିତ୍ରତା ମଧ୍ୟ ନଷ୍ଟ ହେଉଛି, ତେଣୁ ଏପରି ଏକ ନିୟମ ଯଥାର୍ଥ।” ପ୍ରଶ୍ନ ଉଠେ, ତେବେ ଉପାସନା ପୀଠ କ’ଣ କେବଳ ପୁରୁଷମାନଙ୍କ ପାଇଁ? ଏପରି ଏକ ବିଭେଦ ସୃଷ୍ଟିକାରୀ ପ୍ରସଙ୍ଗ ଆଲୋଚନା କରିବାକୁ ହେଲେ ନାରୀ ଓ ପୁରୁଷର ମାନସିକତାକୁ ପ୍ରଥମେ ବିଶ୍ଳେଷଣ କରିବା।
ଗୋଟିଏ ନଗ୍ନ ସ୍ତ୍ରୀକୁ ରାସ୍ତାରେ ଯାଉଥିବା ଦେଖିଲେ ପୁରୁଷର ପ୍ରତିକ୍ରିୟା କ’ଣ ହୁଏ? ନିଜ ସ୍ଥାନରେ ଅଟକିରହି ସେ ନଗ୍ନ ନାରୀଟିକୁ ଚାହିଁ ରହେ। ସମାନ ଅବସ୍ଥାରେ ଜଣେ ପୁରୁଷକୁ ଦେଖିଲେ ନାରୀଟିଏ ଅପ୍ରସ୍ତୁତ ହୋଇ ବାଟଭାଙ୍ଗି ଚାଲିଯାଏ। ନଗ୍ନ ପୁରୁଷ ଜଣେ ନାରୀ ପାଇଁ ଲଜ୍ଜାଜନକ ଓ ବିପଦର ସଂକେତ ହେଲାବେଳେ ନଗ୍ନ ନାରୀଟିଏ ପୁରୁଷ ପାଇଁ ସର୍ବଦା ସଂଭୋଗର ବସ୍ତୁ ହୋଇଥାଏ। ଖାସ୍ ସେଇଥିପାଇଁ ମହାରାଣୀ ଭିକ୍ଟୋରିଆ ଯେତେବେଳେ ମାଇକେଲ ଆଞ୍ଜେଲୋଙ୍କର ପ୍ରସିଦ୍ଧ ସ୍ଥାପତ୍ୟ ‘ଡାଭିଡ୍‌’କୁ ଦେଖିବାକୁ ଗଲେ, ନଗ୍ନ ଡାଭିଡ୍‌କୁ ଦେଖି ଏପରି ଲଜ୍ଜିତ ହୋଇପଡ଼ିଲେ ଯେ, ଡିମିରି ଗଛର ପତ୍ରଟିଏ ଆଣି ମୂର୍ତ୍ତିର ଗୋପନ ଅଂଶକୁ ତୁରନ୍ତ ଢାଙ୍କି ଦିଆଗଲା। ଅପରପକ୍ଷେ ନଗ୍ନ ନାରୀମୂର୍ତ୍ତି ଭିନସ୍ ଡି ମାଇଲୋ ହେଉ ବା ନାଇଡସ୍‌ର ଆଫ୍ରୋଡାଇଟ୍ ହେଉ, କୌଣସି ପୁରୁଷ ଦର୍ଶକ କେବେ ଏମାନଙ୍କର ସଂବେଦନଶୀଳ ଅଂଶକୁ ଘୋଡ଼େଇ ଦେବାକଥା କହି ନାହିଁ। ନାରୀର ଶରୀର ନୁହେଁ, ପୁରୁଷର ମାନସିକତାରେ ହିଁ ରହିଛି ନଗ୍ନତା, ତେଣୁ ନାରୀ ଶରୀରର ସାମାନ୍ୟ ଉନ୍ମୁକ୍ତ ଅଂଶରେ ମଧ୍ୟ ସେ ନଗ୍ନତା ଖୋଜି ବୁଲୁଛି। ଗବେଷିକା ଡଃ ବଥ୍ ୟେକ୍ କୁହନ୍ତି, “ନଗ୍ନ ନାରୀକୁ ଦେଖିଲେ ପୁରୁଷ ନିଜର ପୁରୁଷାକାର ବଢ଼ିଯାଇଥିବାର ଅନୁଭବ କରେ ଓ ନଗ୍ନ ପୁରୁଷକୁ ଦେଖି ନିଜର ବିଷମଲିଙ୍ଗୀ ଚେତନା ଓ ଶାରୀରିକ ସାମର୍ଥ୍ୟକୁ ନେଇ ଚିନ୍ତିତ ହୋଇପଡ଼େ। ସମାନ ପରିସ୍ଥିତିରେ ନାରୀ ଅସହଜ ଅନୁଭବ କରି ଘାବରେଇଯାଏ। ଗୋଟିଏ ନଗ୍ନ ନାରୀକୁ ଦେଖି ନାରୀର କୌଣସି ଉଷ୍ମ ପ୍ରତିକ୍ରିୟା ହୋଇ ନଥାଏ।” ତେଣୁ ନାରୀ ନୁହେଁ, ପୁରୁଷ ହିଁ ନଗ୍ନତା ପ୍ରତି ଆଗ୍ରହୀ ଓ ପ୍ରତିକ୍ରିୟାଶୀଳ। ଏପରି ମାନସିକତାକୁ ଉଜାଗର ରଖି ପୁରୁଷ ଜଣେ ମନ୍ଦିର ଯିବା ଉଚିତ କି? ଲେଖକ ଜନ୍ ବର୍ଜର୍ ତାଙ୍କ ପୁସ୍ତକ ‘ୱେ ଅଫ୍ ସିଇଙ୍ଗ୍’ରେ ଲେଖିଛନ୍ତି, “ନଗ୍ନତା ଏବଂ ନଗ୍ନ ରହିବା ପରସ୍ପରର ସଂପର୍କିତ କିମ୍ବା ଏକାର୍ଥବୋଧକ ନୁହେଁ। ନଗ୍ନତା ଏକ ପ୍ରକାରର ପ୍ରଦର୍ଶନ ଓ ବ୍ୟକ୍ତି ବିଶେଷରେ ବିଭିନ୍ନ। ନଗ୍ନ ରହିବା ସହିତ ଏହାର କିଛି ସଂପର୍କ ନାହିଁ। ତେଣୁ କରି ନଗ୍ନ ଶରୀରରେ ମଧ୍ୟ ନଗ୍ନତା ନଥାଏ, ଥାଏ କେବଳ ଦେଖିବାର ମାନସିକତାରେ।” ରୁଚି ଅନୁରୂପ ପରିଧେୟ ଗ୍ରହଣ କରିବା ସମସ୍ତଙ୍କର ବ୍ୟକ୍ତିଗତ ଅଧିକାର। ବିଦେଶରେ ସଂପ୍ରତି ଚାଲିଥିବା ‘ଫ୍ରି ଦ ନିପଲ୍’ ଆନ୍ଦୋଳନକୁ ଉଦାହରଣ ଭାବରେ ଦେଖନ୍ତୁ। ମନ୍ଦିର ଗାତ୍ରର ଯୌନୋଦ୍ଦୀପକ ପ୍ରତିକୃତି କ’ଣ ଚିତ୍ତ ବିକାର ସୃଷ୍ଟି କରୁନାହିଁ କି? ଆମେ ତାକୁ କ’ଣ ଉପାଡ଼ିଦେଇ ପାରିବା? ସେବାୟତମାନେ ଅଣ୍ଟାଠାରୁ ଉପରକୁ ନିବସ୍ତ୍ର ରହନ୍ତି। ତାହା କ’ଣ ନଗ୍ନତା ନୁହେଁ? ଆମେ ନାରୀର କାନ୍ଧରେ, ଗୋଡ଼ରେ ଓ ପୋଷାକରେ କେବଳ ନଗ୍ନତା ଖୋଜିବା କାହିଁକି?
ବନ୍ଧୁଗଣ, ବିଚାର କରନ୍ତୁ, ମନ୍ଦିରର ନିର୍ଦ୍ଦେଶନାମା ଅବଗତ ହୋଇ ଦର୍ଶନାର୍ଥିନୀ ଜଣେ ଯେତେବେଳେ ଅନୁଭବ କରିବ ଯେ, ପିନ୍ଧିଥିବା ବସ୍ତ୍ର ପାଇଁ ତା’ର ଶରୀର ଭଗବାନଙ୍କ ପାଖରେ ଗ୍ରହଣୀୟ ହେଉ ନାହିଁ, ତା’ର ମାନସିକ ଅବସ୍ଥା କ’ଣ ହେବ? କେରଳର ରେହେନା ଫାତିମା ଉନ୍ମୁକ୍ତ ବକ୍ଷରେ ନିଜର ଦୁଇ ଶିଶୁ ସନ୍ତାନଙ୍କ ଦ୍ବାରା ଚିତ୍ର ଅଙ୍କାଇ ଜେଲ୍ ଯାଇଥିଲେ। କେରଳ ହାଇକୋର୍ଟ ତାଙ୍କ ସପକ୍ଷରେ ଦେଇଥିବା ରାୟରେ ଲେଖିଥିଲେ, “ନଗ୍ନତାକୁ ଯୌନତା ସହିତ ଯୋଡ଼ା ଯାଇପାରିବନି କି ଜଣେ ମହିଳାର ନିଜ ଶରୀର ଉପରେ ଥିବା ପୂର୍ଣ୍ଣ ଅଧିକାରକୁ ଉଚ୍ଛେଦ କରାଯାଇ ପାରିବନି।” ଅତଏବ, ପୁରୁଷମାନେ ନିଜର ମନକୁ ନିର୍ମଳ ରଖି ମନ୍ଦିର ଯିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଉ। କୁରୁ ସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ବେଳେ ଭୀଷ୍ମ, ଦ୍ରୋଣ ଆଦି ଗୁରୁଜନମାନେ ପ୍ରତିବାଦ କରି ସଭାସ୍ଥଳ ତ୍ୟାଗ ନକରିବାର କାରଣ ହୋଇପାରେ, ବସ୍ତ୍ର ହରଣର ଆକାଂକ୍ଷିତ ଶେଷ ଦୃଶ୍ୟଟି ଦେଖିବାର ଲୋଭ ହୁଏତ ସେମାନଙ୍କର ଅଦମନୀୟ ଥିଲା।
ନାରୀର ମୁକୁଳା କାନ୍ଧରେ ଯୌନତା ଖୋଜୁଥିବା ପୁରୁଷ ପ୍ରକୃତ ଈଶ୍ୱର ଭକ୍ତ ନୁହେଁ। ଯାହାର ମନ ହିଁ ନିବସ୍ତ୍ର ସେ ଅନ୍ୟର ଶରୀରରେ ବସ୍ତ୍ରର ସନ୍ଧାନ କରିପାରିବ କେମିତି? ଜଣେ କ’ଣ ଦେଖିଲା ତାହା ନିରୂପିତ ହୁଏ ସେ କେମିତି ଦେଖିଲା ତା’ରି ଆଧାରରେ। “ୟୁଁ ତୋ ନଙ୍ଗା ହି ହୈ ୟହ୍ ସମାଜ୍ ସାରା/ େଵା ଚେହେରେ ସେ ଜରା ବେପର୍ଦ୍ଦା କ୍ୟା ହୁଏ, ହଙ୍ଗାମା ହୋ ଗୟା?” ସାରା ସମାଜ ଯେଉଁଠାରେ ନିବସ୍ତ୍ର, ଶରୀରରୁ ଟିକିଏ ବସ୍ତ୍ର ଖସିଗଲା ବୋଲି ଏତେ ହଙ୍ଗାମା କ’ଣ ପାଇଁ?
ମୋ: ୯୩୩୭୬୪୮୬୩୮