ସରସ ରସ, କିଛି ଦେଲୁନାହିଁ ମୋତେ

ସୁଭାଷ ପଟ୍ଟନାୟକ

ଏକଦା ଗୋଟିଏ ସମୟ ଥିଲା, କବି ବନମାଳୀଙ୍କ ପରି ଭକ୍ତମାନେ ପ୍ରାର୍ଥନା କରିଥିଲେ, “ଜଗନ୍ନାଥହୋ! କିଛି ମାଗୁନାହିଁ ତୋତେ/ ଧନ ମାଗୁନାହିଁ ଜନ ମାଗୁନାହିଁ ମାଗୁଛି ଶରଧା ବାଲିରୁ ହାତେ।” ସମୟ ବଦଳିବା ସହିତ ଏବେ ଯେତେ ସବୁ ଜଣାଣ ଓ ଭଜନ ଲେଖାଯାଇ ଗାନ କରାଯାଉଛି, ସେସବୁର କେବଳ ଗୋଟିଏ ସାରାଂଶ ହେଉଛି ଭଗବାନ, ମୁଁ ଦୁଃଖୀ। ତୁମେ ଅନ୍ୟମାନଙ୍କୁ ସବୁ କିଛି ଦେଇଦେଲ, ମତେ କିଛି ଦେଲନି। ଅନ୍ୟମାନଙ୍କର କଥା ଶୁଣିଲ, ମୋ’ କଥା ଶୁଣିଲନି। ଏବେ ଆମେ ଜଣାଣ କରୁଛୁ, ହେ ପ୍ରଭୁ! ମୋର ଏ କାମଟି କରିଦିଅ, ମୁଁ ତୁମକୁ ଲକ୍ଷେ ବେଲପତ୍ର ଚଢ଼ାଇବି, ଏକଶହ ଆଠ ନଡ଼ିଆ ଭାଙ୍ଗିବି, ସୁନାହାର ତୁମକୁ ପିନ୍ଧାଇବି ଇତ୍ୟାଦି। ଭଗବାନଙ୍କୁ ଏମିତି ଉତ୍କୋଚ ଯାଚି ଅସଫଳ ହେଲେ ଆମେ ତାଙ୍କୁ ଗାଳି ଦେବାକୁ ପଛାଉନାହୁଁ। ଭଗବାନଙ୍କ ପାଖରେ ଆମର ପ୍ରାର୍ଥନାଗୁଡ଼ିକ ଭୋଜନାଳୟର ପରିବେଷକକୁ ଖାଦ୍ୟ ବରାଦ କରିବା ପରି। ମାଗିବା ମାତ୍ରେ ଟେବୁଲରେ ଆସି ପହଞ୍ଚିଯାଉ। ଆମେ ଭଗବାନଙ୍କ ସାମନାରେ ଅଭିଯୋଗ କଲାବେଳେ ନିଜକୁ ଦୀନ, ଦୁଃଖୀଟିଏ ବୋଲି ଦର୍ଶାଇଥାଉ। ଏକଥା ସତ ଯେ, କିଛି ପାଇବା ପୂର୍ବରୁ ସେ ବସ୍ତୁଟିର ଅଭାବ ଜନିତ ଦୁଃଖ ଆମ ମନରେ ରହିଥାଏ। ଦୁଃଖ ଓ ବେଦନା ନଥିଲେ ବିମଳ ଆନନ୍ଦ ମିଳିବା ଅସମ୍ଭବ। ସୁଖପ୍ରାପ୍ତିର ହେତୁ ହେଉଛି ଅପରିସୀମ ଦୁଃଖ କଷ୍ଟ। ପ୍ରସବ ଯନ୍ତ୍ରଣାରେ ଛଟପଟ ନହେଲେ ମାତୃତ୍ବର ଆନନ୍ଦ ପାଇବା ଯେପରି ଅସମ୍ଭବ, ଦୁଃଖର ନୌକାରେ ନ ବସି ସୁଖର ନଦୀ ତଟରେ ପହଞ୍ଚିବା ସେମିତି ଅସମ୍ଭବ। ଯେଉଁମାନେ ସୁଖୀ, ସେମାନେ ଦିନେ ଦୁଃଖର ମାର୍ଗ ଦେଇ ଏଯାଏଁ ଆସିଛନ୍ତି। ତା’ହେଲେ ଭଗବାନଙ୍କର ଭୂମିକା ଏଠାରେ ରହିଲା କ’ଣ? ସିଏ ଆମ ଦୁଃଖ ପାଇଁ ଦାୟୀ ହେବେ କେମିତି? ଆମର ଅଭିଯୋଗ ଯେ, ଧନାଢ୍ୟ ବ୍ୟକ୍ତିଙ୍କ ପାଖରେ ସବୁ ସୁଖ ଅଛି, ଆମ ପାଖରେ ନାହିଁ। ଏହା ଭଗବାନଙ୍କର ପକ୍ଷପାତିତା। ଭଗବାନ କିନ୍ତୁ ଗୀତାରେ ସ୍ପଷ୍ଟ କରି କହିଛନ୍ତି, “ସମୋହଂ ସର୍ବଭୂତେଷୁ ନମେ ଦ୍ବେଷ୍ୟୋ ସ୍ତିନ ପ୍ରିୟଃ।” ଆମେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଉ। କାହାରି ପ୍ରତି ଦ୍ବେଷ କରୁନା କି ପକ୍ଷପାତ କରୁନା। ମନୁଷ୍ୟ କର୍ମ କରେ, ଭଗବାନ କେବଳ ସେ କର୍ମର ଫଳଦାତା। ଯେଉଁମାନଙ୍କ ପାଖରେ ସବୁକିଛି ଐଶ୍ୱର୍ଯ୍ୟ ଅଛି ବୋଲି ଆମର ଅଭିଯୋଗ, ସେମାନେ ନିଜର ସାଧନା ବଳରେ ତାହା ପାଇଛନ୍ତି। ଏଠାରେ ଭଗବାନଙ୍କର ଭୂମିକା ନାହିଁ କି ପକ୍ଷପାତ କିଛି ନାହିଁ।

ମନେ କରନ୍ତୁ, ଆପଣଙ୍କ ଅଞ୍ଚଳର ଔଷଧ ଦୋକାନୀଟି ତା’ ଦୋକାନରେ ସକାଳୁ ଧୂପ ଲଗାଇ ପ୍ରାର୍ଥନା କଲା, ଆଜି ମୋର ଅଧିକ ବିକ୍ରି ହେଉ। ଅର୍ଥାତ ପରୋକ୍ଷରେ ସେ ଚାହୁଁଛି ଅଧିକରୁ ଅଧିକ ଲୋକ ଅସୁସ୍ଥ ହୁଅନ୍ତୁ, ଫଳରେ ତା’ର ଔଷଧ ବିକ୍ରି ବଢ଼ିବ। ଏଣେ ସେ ଅଞ୍ଚଳବାସୀ ପ୍ରାର୍ଥନା କରୁଛନ୍ତି, ପ୍ରଭୁ! ମୋ ପରିବାରକୁ ସୁସ୍ଥରେ ରଖିଥାଅ। ଏଠାରେ ଭଗବାନ କାହାର କଥା ଶୁଣିବେ? ନଶୁଣିଲେ ଆମେ ତାଙ୍କୁ ବଧିର, ନିଷ୍ଠୁର, ପକ୍ଷପାତୀ ଓ ସର୍ପ ଇତ୍ୟାଦି କହି ଗାଳିଦେବା। ଭଗବାନଙ୍କ ପ୍ରତି ନିର୍ମଳ ଭକ୍ତି ନିବେଦନ କରୁଥିବା ବ୍ୟକ୍ତି ଏବେ ନଗଣ୍ୟ। ସୁନ୍ଦର ଏଇ ପୃଥିବୀରେ ଜନ୍ମ ଦେଇଥିବାରୁ କେତେଜଣ ତାଙ୍କୁ କୃତଜ୍ଞତା ଜଣାଇ ପ୍ରାର୍ଥନା କରନ୍ତି? ଅନ୍ୟର ଦୁଃଖ ମୋଚନ ପାଇଁ କିଏ ତାଙ୍କୁ ସ୍ତୁତି କରେ? ଅଥଚ ଆମ ପୂର୍ବ ପୁରୁଷ କହୁଥିଲେ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।”

ଜୀବନରେ ଆମେ ଯାହା ସବୁ ପାଇଛନ୍ତି ତା’ର ହିସାବ ଆମେ କେବେ କରୁନା କି ସେଥିପାଇଁ ଆମର କୃତଜ୍ଞତାବୋଧ ନାହିଁ। ଯାହା ନାହିଁ, ତା’କୁ ନେଇ କେବଳ ଅଭିଯୋଗ ଅଛି। ଅନ୍ୟ ସହିତ ନିଜକୁ ତୁଳନା କରିବାରେ ଆମେ କେବେ ହେଳା କରୁନା। ଆମେ ଭୁଲିଯାଉଛୁ ଯେ, ଅନ୍ୟମାନଙ୍କ ପାଖରେ ଯାହା ଅଛି, ଆମ ପାଖରେ ତାହା ନଥିବା କଥାଟି ଯେପରି ଠିକ୍, ଆମ ପାଖରେ ଥିବା ଦ୍ରବ୍ୟ ସେମାନଙ୍କ ପାଖରେ ନଥିବା କଥା ମଧ୍ୟ ସେହିପରି ଠିକ୍। ଭଗବାନ କଦାପି କାହାର ଇଚ୍ଛା ପୂରଣ କରନ୍ତି ନାହିଁ। କେବଳ ତା’ର ଆବଶ୍ୟକତା ପୂରଣ କରନ୍ତି। ତାହା ହେଉଛି ଆଲୋକ, ଜଳ, ପବନ ଓ ବଞ୍ଚିବାର ଅନ୍ୟ ଉପାଦାନ। ଏହାଛଡ଼ା ତାଙ୍କର ମନୁଷ୍ୟକୁ ଶ୍ରେଷ୍ଠ ଦାନ ହେଉଛି ତା’ର ହାତ, ଗୋଡ଼ ଓ ମସ୍ତିଷ୍କ। ଏ ତିନିଟିର ଉପଯୋଗ କରି ସେ ଜୀବନ ଜିଇଁବ ଓ ସମସ୍ତ ସୁଖ ସୁବିଧା ଭୋଗ କରିବ। ଆମର ଧାରଣା ଯେ, ଭଗବାନ ଆମର ସବୁକଥା ବୁଝିବେ, ସେ ଥାଉ ଥାଉ ଆମେ କାହିଁକି ଦୁଃଖ ଭୋଗିବା? ବିରାଟ ପଥର ଖଣ୍ଡକୁ ନିହାଣ ମୁନରେ ହାଣିବା ବେଳେ ଶିଳ୍ପୀ କେବଳ ଜାଣିଥାଏ ସେଥିରୁ କେଉଁ ପ୍ରକାରର ପ୍ରତିମାଟିଏ ସୃଷ୍ଟି ହେବ। ଅନ୍ୟ କେହି, ଏପରିକି ନିଜେ ପଥର ମଧ୍ୟ ସେକଥା ଜାଣିନଥାଏ। ଠିକ୍ ସେହିପରି ଭଗବାନ ମନୁଷ୍ୟ ବିଷୟରେ କ’ଣ ଚିନ୍ତା କରନ୍ତି କେବଳ ସିଏ ହିଁ ଜାଣନ୍ତି। ଖଲିଲ୍ ଜିବ୍ରାନଙ୍କ ଗପଟିଏ ଶୁଣନ୍ତୁ। ଥରେ ଭଲ ଭଗବାନଙ୍କର ଖରାପ ଭଗବାନଙ୍କ ସହିତ ଦେଖା ହୋଇଗଲା। ଭଲ ଭଗବାନ ପଚାରିଲେ ବନ୍ଧୁ, ଭଲ ଅଛ ତ? ଖରାପ ଭଗବାନ ମୁହଁ ଶୁଖାଇ କହିଲେ, କ’ଣ କରିବି! ମୁଁ ତ କାହାରିକୁ କିଛି ଦିଏନା, ଲୋକମାନେ ମତେ ଭୁଲ୍‌ରେ ତୁମେ ବୋଲି ଭାବିନେଇ ନାନାଦି ଦ୍ରବ୍ୟ ମାଗୁଛନ୍ତି ଓ ତୁମରି ନାମରେ ଡାକୁଛନ୍ତି। ମତେ ଭାରି ଖରାପ ଲାଗୁଛି। ଭଲ ଭଗବାନ କହିଲେ, ମୋର ମଧ୍ୟ ଠିକ୍ ସେଇ ଅବସ୍ଥା। ଲୋକମାନେ ମତେ ତୁମେ ବୋଲି ଧରିନେଇ ତୁମ ନାମରେ ଡାକୁଛନ୍ତି ଓ ନିତି ଗାଳି ଦେଉଛନ୍ତି। ମନୁଷ୍ୟ ଏବେ ଭଗବାନଙ୍କଠାରୁ କାର୍ଯ୍ୟ ହାସଲ କରିବାର ନୂଆ ଉପାୟ ବାହାର କଲାଣି। ଏକ ଧର୍ମାନୁଷ୍ଠାନରେ ଜଣାଣଟିଏ ମାଇକ୍‌ରେ ବାଜୁଥିବାର ଶୁଣିଲୁ: “କହରେ କାଳିଆ କହ, ବୈକୁଣ୍ଠ ପୁରରେ ଜାଗା ଖଣ୍ଡେ ଦେଲେ ଗୁଣ୍ଠ କେତେନେବୁ କହ ।” ନିରୀହ ଭଗବାନ ବିଚରା ଏବେ ନାଚାର।
[email protected]

ସମ୍ବନ୍ଧିତ ଖବର