ଖରାରେ ମୁଣ୍ଡ ତାତି ଯାଉଛି? ପକେଟରୁ ରୁମାଲ କାଢ଼ି ବାନ୍ଧି ଦିଅନ୍ତୁ। ମୁହଁରୁ ଝାଳ ବୋହୁଛି? ପୋଛିବାକୁ ରୁମାଲ ଅଛି। ଶର୍ଦ୍ଦି ହୋଇ ନାକରୁ ପାଣି ଗଳୁଛି? ପୋଛିବାକୁ ହାଜର ହୋଇଯିବ ରୁମାଲ। ଆଖିକୁ ଲୁହ ଆସିଗଲା? ପକେଟରୁ ବାହାରି ଆଖି ପୋଛିଦେବ ରୁମାଲ। ବସରେ ଯିବାପାଇଁ ସିଟ୍ ରଖିବେ? ଝରକାବାଟେ ସିଟରେ ପକେଇ ଦିଅନ୍ତୁ ରୁମାଲ। ସିଟ୍ ସଂରକ୍ଷିତ ହୋଇଗଲା। କିଛି କଥା ଭୁଲିଯାଉଛନ୍ତି? ରୁମାଲରେ ଗଣ୍ଠିଟିଏ ପକାଇ ଦିଅନ୍ତୁ। ଦୈନନ୍ଦିନ ଜୀବନଚର୍ଯ୍ୟାରେ ରୁମାଲ ଅନେକ ରୋଚକ କାହାଣୀର ବାବଦୂକ। ବର୍ଗାକାର ଆକୃତି ଖଣ୍ଡିଏ କନାର ଏ ରୁମାଲ ପୃଥିବୀର ପ୍ରତ୍ୟେକ ଭାଷା ଇସାରାରେ କହି ପାରେ ଓ ବୁଝି ବି ପାରେ। ଆମର କଳା, ସଂସ୍କୃତି ଓ ସାହିତ୍ୟ ସହିତ ରୁମାଲ ଓତପ୍ରୋତ ଭାବରେ ଜଡ଼ିତ। ରୁମାଲର କାହାଣୀ ମହାଦେଶରୁ ମହାଦେଶ, ସଂସ୍କୃତିରୁ ସଂସ୍କୃତି ଏବଂ ପରଂପରାରୁ ପରଂପରା ଦେଇ ମାନବ ସଭ୍ୟତାର ବିକାଶ ସହିତ ସମତାଳରେ ଗତି କରିଛି। ଖ୍ରୀଷ୍ଟପୂର୍ବ ଦୁଇ ହଜାର ବର୍ଷ ତଳୁ ଇଜିପ୍ଟରେ ଓ ଖ୍ରୀଷ୍ଟପୂର୍ବ ଏକ ହଜାର ବର୍ଷ ପୂର୍ବେ ଚୀନରେ ‘ଝୋଉ’ ରାଜବଂଶର ଶାସନ ସମୟରେ ରୁମାଲର ବ୍ୟବହାର ହେଉଥିବାର ପ୍ରମାଣ ମିଳେ। ଯୀଶୁଖ୍ରୀଷ୍ଟଙ୍କର ହାତ ପୋଛା ରୁମାଲକୁ ସ୍ପର୍ଶ କରି ତୁର୍କୀର ପୀଡ଼ିତ ସମ୍ରାଟ ରୋଗମୁକ୍ତ ହୋଇଥିବା କିଂବଦନ୍ତି କୁହେ। ଇସଲାମ ଧର୍ମର ବିଶେଷ ଦିନ ମାନଙ୍କରେ ରୁମାଲକୁ ପ୍ରଫେଟ ମହମ୍ମଦଙ୍କ ପବିତ୍ର ସ୍ଥଳୀରେ ସ୍ପର୍ଶ କରାଇ ଶ୍ରଦ୍ଧାଳୁମାନଙ୍କୁ ଶୁଦ୍ଧପୂତ ସ୍ମାରକୀ ଭାବରେ ବିତରଣ କରାଯିବାର ପରଂପରା ପ୍ରଚଳିତ। ଏକଦା ରୁମାଲ ଥିଲା ନିଷ୍ଠା ଓ ଶ୍ରଦ୍ଧାର ପ୍ରତୀକ ଏବଂ ଏସିଆରେ ଜନ୍ମନେଇ ସାରା ବିଶ୍ବରେ ତା’ର କର୍ତ୍ତୃତ୍ବ ଜାହିର କରିଥିଲା। ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦେଶ ମାନଙ୍କରେ ରୁମାଲ ନାକ ପୋଛିବାରେ ବ୍ୟବହୃତ ହେଉନଥିଲା। ଡଚ୍ ଦାର୍ଶନିକ ଏରାସମସ୍ ନାକକୁ ଲୁଗାପଟାରେ ନ ପୋଛି ରୁମାଲରେ ପୋଛିବାକୁ ପରାମର୍ଶ ଦେବାପରେ ନାକ ପୋଛିବାରେ ଏହାର ବ୍ୟବହାର ହେଲା।
ପ୍ରେମ ଓ ରୁମାଲ ପରସ୍ପର ସହିତ ଅଲଙ୍ଘନୀୟ ଭାବରେ ଜଡ଼ିତ। ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ରୁମାଲ ଥିଲା ପ୍ରେମର ନୀରବ ଭାଷା। ନାକ ପାଖରେ ରୁମାଲ ଧରିବା, ହାତରେ ଧରି ହଲାଇବା, ଓ ତଳେ ପକାଇଦେବା ପ୍ରେମର ବିଭିନ୍ନ ଅର୍ଥପୂର୍ଣ୍ଣ ସଂକେତ ବହନ କରେ। ଭିନ୍ନଭିନ୍ନ ରଙ୍ଗର ରୁମାଲ ଉପହାର ଦେବାର ଅର୍ଥ ମଧ୍ୟ ଅଲଗା। ଧଳା ରୁମାଲର ଅର୍ଥ ‘ମୁଁ ତୁମକୁ ପସନ୍ଦ କରେ’ ଓ ଲାଲ ରଙ୍ଗ ରୁମାଲର ଅର୍ଥ ‘ମୁଁ ତୁମକୁ ଭଲପାଏ’। କେବଳ ମୁହଁ ପୋଛିବାପାଇଁ ନୁହେଁ, ରୁମାଲ ସଂକେତ ଦେବା, ସ୍ବୀକୃତି ଦେବା, ଆନନ୍ଦ ସୂଚାଇବା, ବିଶେଷ ସ୍ମାରକୀ ରୂପରେ ଏବଂ ହାତରୁ ଖସାଇ ପ୍ରତିଯୋଗିତାର ଶୁଭାରମ୍ଭ କରିବା ଇତ୍ୟାଦି କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହେଉଥିଲା। ପିଲାଦିନେ ‘ରୁମାଲ ଚୋରି’ ଖେଳ କିଏବା ନ ଖେଳିଛି! କ୍ଷତ ଉପରେ ପଟି ବାନ୍ଧିବା ଠାରୁ ଖୁଚୁରା ପଇସା ବାନ୍ଧି ରଖିବା ସବୁଥିରେ ରୁମାଲର ନିଃସ୍ବାର୍ଥପର ସେବା ରହିଛି। ଆମ ଦେଶରେ ପଞ୍ଜାବୀ ଓ ଅନ୍ୟ ପ୍ରାଦେଶିକ ନୃତ୍ୟରେ ଏବଂ କଵାଲି ଗାୟନ ସମୟରେ ରୁମାଲର (ବନ୍ଦାନା) ବ୍ୟବହାର ଅତି ଚମତ୍କାର। ସେକ୍ସପିୟରଙ୍କ ‘ଓଥେଲୋ’ ନାଟକ କାହାଣୀର କେନ୍ଦ୍ର ସ୍ଥଳରେ ରହିଛି ଗୋଟିଏ ରୁମାଲ। ଷଡ୍ଯନ୍ତ୍ରର ଶିକାର ଓଥେଲୋ ନିଜ ପତ୍ନୀ ଡେସଡେମୋନାଙ୍କ ରୁମାଲ ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ପାଖରେ ଦେଖି ପତ୍ନୀର ଚରିତ୍ରକୁ ସନ୍ଦେହ କରିଛନ୍ତି ଓ ପରିଣତିରେ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସେହିପରି ‘ଦ ଇଣ୍ଟର୍ନ’ ଚଳଚ୍ଚିତ୍ରରେ ନାୟିକା କାନ୍ଦୁଥିବାବେଳେ ତା’ର ‘ଫେସବୁକ୍’ ପିଢ଼ିର ବନ୍ଧୁ ଚୁପ ରହୁଛି, କାରଣ ନାୟିକାର ଲୁହ ପୋଛିଦେବାକୁ ପାଖରେ ତା’ର କିଛି ନାହିଁ, ଅଥଚ ‘ଫୋନବୁକ୍’ ପିଢ଼ିର ବନ୍ଧୁ ପକେଟରୁ ରୁମାଲ କାଢ଼ି ନାୟିକାକୁ ବଢ଼ାଇ ଦେଉଛି।
ଧୀରେ ଧୀରେ ରୁମାଲ ପ୍ୟାଣ୍ଟ ପକେଟ ସହିତ କୋଟର ଛାତି ପକେଟରେ ‘ପକେଟ ସ୍କୋୟାର’ ନାମରେ ଶୋଭାପାଇ ସମ୍ଭ୍ରାନ୍ତ ଶ୍ରେଣୀର ମାନ ବୃଦ୍ଧି କଲା। ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଫ୍ଳୁ ମହାମାରୀ ବ୍ୟାପିବା ସମୟରେ କାଗଜ ରୁମାଲର (ଟିସ୍ୟୁ ପେପର) ଆବିର୍ଭାବ ଘଟି ରୁମାଲକୁ ଅସ୍ତିତ୍ବର ସଂକଟରେ ସାମୟିକ ଆଚ୍ଛନ୍ନ କରିଦେଇଥିଲେ ମଧ୍ୟ ରୁମାଲକୁ ପକେଟରୁ ଅଲଗା କରିପାରିନି। ଏହା ପରର ଶିଳ୍ପ ବିପ୍ଳବ ରୁମାଲର ରୂପ, ରଂଗ ଓ ବ୍ୟବହାରକୁ ବହୁମୁଖୀ କରିଦେଇଛି। ଜୀବନର ଏକ ଅପରିହାର୍ଯ୍ୟ ଦ୍ରବ୍ୟ ଭାବରେ ରୁମାଲ ଏବେ ସମସ୍ତଙ୍କ ପକେଟରେ ରହି ସେବା ଯୋଗାଉଛି। ପକେଟ ଭିତରେ ପ୍ରାୟତଃ ଓଦାହୋଇ ରହିଥାଏ ରୁମାଲ। କେତେବେଳେ ହାତପୋଛା ପାଣିରେ, କେତେବେଳେ ମୁହଁ ପୋଛା ଝାଳରେ, କେତେବେଳେ ଆଖି ପୋଛା ଲୁହରେ ତ ଆଉ କେତେବେଳେ ନାକପୋଛା ରସରେ। ମାତ୍ର ଅନ୍ୟର ଆଖିରୁ ଯେଉଁ ରୁମାଲ ଲୁହ ପୋଛିଦେଇ ପାରେ ଓ ଅନ୍ୟର ଦେହରୁ ଝରୁଥିବା ରକ୍ତ ପୋଛିଦେଇ ପାରେ ସେ ମହନୀୟ ରୁମାଲର ଅଧିକାରୀ ହିଁ ଶ୍ରେଷ୍ଠ ମଣିଷରେ ଗଣ୍ୟ ହୁଏ। ମନେ ରଖନ୍ତୁ, ଯାହାର ପକେଟରେ ରୁମାଲ ଖଣ୍ଡିଏ ନାହିଁ ତାକୁ ବିଶ୍ବାସକୁ ନିଅନ୍ତୁନି, କାରଣ ଯଦି ସେ ଆପଣଙ୍କ ଆଖିରୁ ଝରୁଥିବା ଲୁହ ପୋଛିବାରେ ଅକ୍ଷମ, ମୁହଁରେ ଆପଣଙ୍କର ହସ ଫୁଟାଇ ପାରିବ କେମିତି? କୁହାଯାଏ ରୁମାଲ ଉପହାର ଦେଲେ ସଂପର୍କ ତୁଟିଯାଏ। କଥାଟି ସତ ହୋଇଥାଇପାରେ। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କୁ ତାଙ୍କ ବିବାହ ଉତ୍ସବରେ ମହାତ୍ମା ଗାନ୍ଧୀ ଗୋଟିଏ ରୁମାଲ ଉପହାର ଦେଇଥିଲେ। ସେହି ବର୍ଷ ବ୍ରିଟେନ ଓ ଭାରତ ମଧ୍ୟରେ ଔପନିବେଶିକ ସଂପର୍କ ଛିନ୍ନ ହୋଇ ଭାରତ ସ୍ବାଧୀନ ହେଲା।
ଗୋଟିଏ ସମୟରେ ରୁମାଲ ଅନେକ ବ୍ୟର୍ଥ ପ୍ରେମୀଙ୍କୁ ‘ଦେବଦାସ’ କରି ଛାଡ଼ି ଥିଲା। ଏବେ ସମୟ ବଦଳିଛି। ପ୍ରେମରେ ପ୍ରତାରିତ ଯୁବବର୍ଗ ରୁମାଲକୁ ହାତରେ ହଲାଇ ଏବେ କହୁଛି: “ମତ୍ ଶୋଚନା ତେରେ ୟାଦୋଁକେ ସହାରେ ପୂରି ଜିନ୍ଦେଗୀକୋ ହମ୍ ବିତାଲେଙ୍ଗେ/ ଯୋ ରୁମାଲ ତୁମନେ ଦିୟା ହୈ ଉସେ କିସି ଔରକୋ ଦେକର୍ ପଟାଲେଙ୍ଗେ”। ରୁମାଲର ରୋମାଞ୍ଚଭରା କାହାଣୀର ଅନ୍ତ କାହିଁ?
[email protected]