ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ରାଷ୍ଟ୍ର ଶାସନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମେ ନିଜର ସ୍ବାର୍ଥ ଓ ସୁବିଧା ପାଇଁ ମିଛ କହିଥାଉ। ବଞ୍ଚିବାର କଳା ହେଉଛି ମିଛ କହି ବିଶ୍ବାସ ଜନ୍ମାଇ ପାରିବାର କଳା। ଅଳ୍ପ ଟିକିଏ ମିଛ କଥା ସତ୍ୟକୁ ବ୍ୟାଖ୍ୟା କରିବାର ଝଞ୍ଜଟରୁ ମୁକ୍ତି ଦେଇଥାଏ। ଭର୍ତ୍ତୃହରି କହିଥିଲେ, “ସର୍ବଂ ମିଥ୍ୟା ବ୍ରଭିମି”। ମୁଁ ଯାହା କହୁଛି ସବୁ ମିଛ। ମିଛ କହିବା ଆମ ପାଇଁ ସର୍ବଶେଷ ରକ୍ଷାତ୍ମକ ବିକଳ୍ପ। ଏହାର ବ୍ୟବହାର ମଧ୍ୟ ଆମକୁ ସୃଜନଶୀଳ କରିଥାଏ।
ପ୍ରତ୍ୟେକ ତଥ୍ୟକୁ ଦୁଇଟି ଭିନ୍ନ ମାର୍ଗରେ ପରିବେଷଣ କରାଯାଇପାରେ। ସେଥିରୁ ଗୋଟିଏ ସତ ଓ ଅନ୍ୟଟି ମିଛ। ଆମକୁ କେବଳ ସତ କହିବାକୁ ଶିକ୍ଷା ଦିଆ ଯାଇଥିଲେ ମଧ୍ୟ ସର୍ବଦା ସତ କହିବା କଷ୍ଟକର। ଭଗବାନ ଶ୍ରୀରାମ ପତ୍ନୀ ସୀତାଙ୍କୁ ବଣରେ ପରିତ୍ୟାଗ କଲାବେଳେ ତାଙ୍କ ଅଭିପ୍ରାୟ ପଛର ସତ୍ୟଟି କହିନପାରି ମିଛର ଆଶ୍ରୟ ନେଇଥିଲେ। ସତ ଚିରସ୍ଥାୟୀ ହେଲେ ମଧ୍ୟ ପରିବର୍ତ୍ତନଶୀଳ। ମିଛ କିନ୍ତୁ ସର୍ବଦା ମିଛ ହୋଇ ରହିଥାଏ। ସତ୍ୟ ହେଉଛି ମାୟାବୀ। ମନେ କରନ୍ତୁ ସେଓର ରଙ୍ଗ ଲାଲ, ଏହା ସତ୍ୟ। ମାତ୍ର ବର୍ଣ୍ଣାନ୍ଧ ଲୋକଟି ପାଇଁ ତାହାର ରଙ୍ଗ ଧୂସର। ସବୁ ବ୍ୟକ୍ତି ଯଦି ବର୍ଣ୍ଣାନ୍ଧ ହୋଇଯାଆନ୍ତି, ସେଓର ରଙ୍ଗ ସମ୍ବନ୍ଧୀୟ ସତ୍ୟଟି ବଦଳିଯିବ। ଆମର ବିଶ୍ବାସ ଯେ, ସତକଥା କହିଲେ ପୁଣ୍ୟ ହୁଏ। ମହାଭାରତର ପରମ ସତ୍ୟବାଦୀ କୌଶିକଙ୍କୁ ଏକଦା ଦଳେ ତସ୍କର ଆତ୍ମଗୋପନ କରିଥିବା ପଥଚାରୀମାନଙ୍କୁ ଲୁଟିବା ପାଇଁ ସେମାନଙ୍କ ଠିକଣା ପଚାରିଲେ। କୌଶିକ ସତ୍ୟବାଦୀ ହୋଇଥିବାରୁ ଠିକଣାଟି କହିଦେଲେ। ଏପରି ଏକ ଅନୁଚିତ ସତ କହିଥିବାରୁ ମୃତ୍ୟୁ ପରେ ସେ ନରକଗାମୀ ହେଲେ। କୁହାଯାଏ, ସତ୍ୟ ଯୁଗରେ ସମସ୍ତେ ସତ୍ୟବାଦୀ ଥିଲେ। ମିଛର ଅନୁପସ୍ଥିତିରେ ସମସ୍ତେ ସତ୍ୟବାଦୀ ହେବା କ’ଣ ସମ୍ଭବ? ଯଦି ମୁଁ ଭାବେ ଯେ ମୁଁ ସତ୍ୟବାଦୀ ଓ ଆପଣ ମିଥ୍ୟାବାଦୀ ଏବଂ ଆପଣ ଭାବନ୍ତି ମୁଁ ମିଥ୍ୟାବାଦୀ ଓ ଆପଣ ସତ୍ୟବାଦୀ, ତେବେ ଆମେ ସମସ୍ତେ ମିଥ୍ୟାବାଦୀ ନୁହନ୍ତି କି? ସତ ହେଉ ବା ମିଛ, ଯଦି ଗୋଟିକ ତୁଳନାରେ ଅନ୍ୟଟି ଆମର ଅଧିକ ଉପକାରୀ ତେବେ ସେଇଟି ହିଁ ଗ୍ରହଣଯୋଗ୍ୟ। ମନେକରନ୍ତୁ ମା’ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ଏଣେ ତାଙ୍କ ପୁଅର ଦେହାନ୍ତ ହୋଇଗଲା। ମା’ଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ସତକଥା ନ କହି କୁହାଗଲା ପୁଅ କିଛି କାମରେ ବାହାରକୁ ଯାଇଛି। କଥାଟି ମିଛ ହେଲେ ମଧ୍ୟ ସତଠାରୁ ଶ୍ରେୟ। ଶଙ୍କରାଚାର୍ଯ୍ୟ ତାଙ୍କର ‘ପ୍ରଶ୍ନୋତ୍ତର ରତ୍ନମାଳିକା’ରେ କହିଛନ୍ତି, ଯେତେବେଳେ ମାନବ ଧର୍ମର ପାଳନ ପାଇଁ ମିଥ୍ୟା କହିବାକୁ ପଡ଼େ, ତାହା ସତ୍ୟ ତୁଳନାରେ ଅଧିକ ମଙ୍ଗଳମୟ। ମନୁ ମଧ୍ୟ କହିଛନ୍ତି, ପୀଡ଼ା ପ୍ରଦାୟୀ ସତ୍ୟଠାରୁ କ୍ଳେଶ ଲାଘବକାରୀ ମିଥ୍ୟା ଶ୍ରେୟସ୍କର।
ମିଛ କହିବା ତା’ହେଲେ ଖରାପ କ’ଣ ପାଇଁ? ଆମର ଧାରଣା ଯେ, ସତ୍ୟସନ୍ଧ ପୃଥିବୀରେ ବାସ କରିବା ସୁଖକର। ମିଛ ବିଶ୍ବାସହାନୀ ଘଟାଏ। ସମସ୍ତେ ମିଥ୍ୟାବାଦୀ ହେଲେ ସତ୍ୟ ଅସ୍ତିତ୍ବ ସଂକଟର ସମ୍ମୁଖୀନ ହେବ। ମିଥ୍ୟାବାଦୀ ମଧ୍ୟ ତା’ର ମିଛ ପାଇଁ ଅନେକ କ୍ଷତି ସହିଥାଏ। ଗୋଟିଏ ମିଛକୁ ସତ ସାବ୍ୟସ୍ତ କରିବାକୁ ତାକୁ ଅନେକ ମିଛ କହିବାକୁ ଓ ମନେ ରଖିବାକୁ ପଡ଼େ। ମିଛ ପ୍ରଘଟ ହେଲେ ମନୁଷ୍ୟ ବିଶ୍ବାସ ହରାଇ ବସେ। ଯାହାକୁ ମିଛ କହିଥାଏ, ତା’ପ୍ରତି ସର୍ବଦା ମନରେ ଭୟ ରହେ। ମିଛ କହିବା ସେତିକିବେଳେ ଲାଭପ୍ରଦ, ଯେଉଁ ସମୟରେ ଏକ ବୃହତ୍ତର ଜନ ସମାଜ ସତ୍ୟବାଦୀ ହୋଇଥାନ୍ତି। ମିଛ କହିବାର ଉପକାରିତା ବି ଅନେକ। ଆମେ ସିନା ମିଛ କହିବା ଅନୈତିକ ବୋଲି ପିଲାଙ୍କୁ କହୁ, ବଡ଼ମାନଙ୍କ ପାଇଁ ତ ମିଛ ଗୋଟିଏ ସୁଯୋଗ। ପ୍ରେମିକ, ପ୍ରେମିକାମାନଙ୍କ ପାଇଁ ମିଛ କହିବା ଏକ କଳା। ନିଖୁଣ ମିଛ କହି ଜାଣିଲେ ପ୍ରେମ ଦୀର୍ଘସ୍ଥାୟୀ ହୁଏ। ଓକିଲ ମାନଙ୍କର ମିଛ ହେଉଛି ଅପରିହାର୍ଯ୍ୟ ଆବଶ୍ୟକତା। ରାଜନୀତି କରିବା ପାଇଁ ଏକମାତ୍ର ଯୋଗ୍ୟତା ହେଉଛି କଳାତ୍ମକ ମିଛ କହି ପାରିବା। ମିଛ ମନ୍ତ୍ରୀମାନଙ୍କର ଜ୍ଞାନର ଭଣ୍ଡାର। ଭଣ୍ଡ ବାବାଙ୍କର ଏହା ହେଉଛି ଈଶ୍ବରଙ୍କ ବାଣୀ ଏବଂ ବିବାହିତମାନଙ୍କ ପାଇଁ ତିଷ୍ଠି ରହିବାର ଅବଲମ୍ବନ।
ଅଦାଲତରେ ଶପଥ ନିଆଯାଏ “ଯାହା କହିବି ସତ କହିବି”। ମନେ କରନ୍ତୁ ଜଣେ ବିପରୀତ ପ୍ରକାରେ ଶପଥ ନେଇ କହିଲା, “ଯାହା କହିବି ମିଛ କହିବି”। ଏହାପରେ ସେ ଯଦି ସତକଥା କୁହେ, ତାହା ମିଛ ଏବଂ ମିଛ କହିଲେ ତାହା ଶପଥ ପାଠର ଆଧାରରେ ସତ ହେଲେ ମଧ୍ୟ ବିଧି ଦୃଷ୍ଟିରୁ ମିଛ। ଏ ହେଉଛି ମିଛର ଶକ୍ତି। ସତ ଓ ମିଛ ମଧ୍ୟରେ ସତଟି ହେଉଛି କଡ଼ା ପାନ ଓ ମିଛ ମିଠା ପାନ। କଡ଼ା ପାନ ଶରୀର ପ୍ରତି କ୍ଷତିକାରକ ଓ ମିଠା ପାନ ମନମୋହକ। ଆମେ ସମସ୍ତେ ଗୋଟିଏ କଳା ସିଲଟ ପରି ସମୟ ଖଣ୍ଡ ସାମନାରେ ଏବେ ଠିଆ ହୋଇଛନ୍ତି, ଯେଉଁ ସିଲଟର ଗୋଟିଏ ପଟେ ଲେଖା ହୋଇଛି ‘ଏହାର ପଛପଟ ବାକ୍ୟଟି ସତ’ ଓ ଅପର ପାର୍ଶ୍ବରେ ଲେଖା ହୋଇଛି ‘ଏହାର ପଛପଟ ବାକ୍ୟଟି ମିଛ’।
ସଂପ୍ରତି ସମାଜରେ ନିଜ ସପକ୍ଷରେ ମିଛ କହିବା ଏକ ସହଜଲବ୍ଧ ଉପକରଣ। ସାମାଜିକ ସ୍ତରରେ ଲୋକମତର କ୍ଷିପ୍ର ବିଭାଜନ ମିଛର ଆଶ୍ରା ନେବାକୁ ପରୋକ୍ଷରେ ଆମକୁ ବାଧ୍ୟ କରୁଛି। ପରିସ୍ଥିତିକୁ ସାମନା କଲାବେଳେ ଖୁବ କମ୍ ଲୋକ ନୈତିକତାର କଥା ଚିନ୍ତା କରନ୍ତି, କାରଣ ମିଛ ଟିକିଏ କହି ପରିସ୍ଥିତିକୁ ସମ୍ଭାଳି ନେବା ଅତ୍ୟନ୍ତ ସହଜ। କବି ଜଣେ ଲେଖିଥିଲେ, “ଖୁବ୍ ନିଭେଗି ହମ୍ ଦୋନୋ ମୈ ମେରେ ଯୈଶା ତୁଭି ହୈ, ଥୋଡ଼ା ଝୁଟା ମୈ ଭି ଠହରା ଥୋଡ଼ା ଝୁଟା ତୁଭି ହୈ ”। ‘ତୁମେ ଠିକ୍ ମୋ ପରି। ମୁଁ ମିଥ୍ୟାବାଦୀକୁ ତୁମେ ବି ମିଥ୍ୟାବାଦୀ। ଆମ ଭିତରେ ତେଣୁ ଖୁବ୍ ଜମିବ’। ଏବେ କ’ଣ ଖାଇବା? କଡ଼ା ପାନ ନା ମିଠା ପାନ?
ମୋ: ୯୩୩୭୬୪୮୬୩୮
ସରସ ରସ/ ଯାହା କହିବି ମିଛ କହିବି
ସୁଭାଷ ପଟ୍ଟନାୟକ