ସୁଭାଷ ପଟ୍ଟନାୟକ
ଭାଷଣରେ ଭୂଷଣରେ, ବଜାରରେ ମଲ୍ରେ, ଦୃଶ୍ୟରେ ଅଦୃଶ୍ୟରେ, କର୍ମ କ୍ଷେତ୍ରରେ ଧର୍ମ କ୍ଷେତ୍ରରେ ସବୁଠି ଦ୍ବିଧାରେ ପଡ଼ିବାକୁ ହୁଏ ନିଷ୍ପତ୍ତି ନେବାରେ। ଯିଏ କେବେ ନିଷ୍ପତ୍ତି ନେବାର ଦ୍ବନ୍ଦ୍ବରେ ପଡ଼ିନାହିଁ କି ପସନ୍ଦଟିଏ ବାଛିବାରେ ଦ୍ବିଧାଗ୍ରସ୍ତ ହୋଇନାହିଁ ସେ ଜୀବନକୁ ଆଦୌ ନିକଟରୁ ଦେଖିନାହିଁ। କରିବା ଓ ନ କରିବା ଦ୍ବନ୍ଦ୍ବର କୁହୁଡ଼ି ମଧ୍ୟରେ ପହଁରା ନ ଜାଣିଥିଲେ ପଥଭ୍ରଷ୍ଟ ହେବା ସ୍ବାଭାବିକ। ଦ୍ବନ୍ଦ୍ବରେ ପଡ଼ି ଅନେକ ମାନସିକ ସଂଘର୍ଷ ପରେ ଯାହା ହାସଲ ହୁଏ, ପାଇବାର ସେ ସୁଖ ଟିକକ ହଜିଯାଏ ଅବଶିଷ୍ଟକୁ ନ ପାଇ ପାରିବାର କାରୁଣ୍ୟ ମଧ୍ୟରେ। ପସନ୍ଦ କରିବାରେ ଅକ୍ଷମତା ବିଫଳ ହେବାର ପ୍ରଥମ ସୋପାନ। ସମୟ ଥାଇ ନିଷ୍ପତ୍ତି ନେବାର କ୍ଷମତା ନଥିଲେ ବିଫଳତାରେ ହାତ ଲାଗିବା ସ୍ବାଭାବିକ। ଭୁଲ୍ ନିଷ୍ପତ୍ତିର ବିପଦ ଅପେକ୍ଷା ନିଷ୍ପତ୍ତି ନେଇ ନ ପାରିବା ଅଧିକ କ୍ଷତିକାରକ। ଯାତ୍ରା ପଥରେ ନିର୍ଣ୍ଣୟକୁ ନେଇ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଥାନ୍ତି ସମସ୍ତେ। ଭୁଲ୍ଟିଏ କରିବା ଅପେକ୍ଷା ନିଷ୍ପତ୍ତିରେ ଆଗପଛ ହେବା ଅଧିକ କଷ୍ଟ ଦିଏ। ସୁଯୋଗ ହାତଛଡ଼ା ହୋଇ ସମୟର ଅପଚୟ ଘଟେ। ଭୁଲ୍ ନିଷ୍ପତ୍ତିକୁ ସୁଧାରି ଦିଆଯାଇପାରେ କିମ୍ବା କ୍ଷତି ତା’ର ଭରଣା କରାଯାଇପାରେ, ମାତ୍ର ନିର୍ଣ୍ଣୟ ନେବାରେ ଅକ୍ଷମତା ଅଥବା ବିଳମ୍ବ ଅପରିବର୍ତ୍ତନୀୟ ପରିଣତି ଆଣିଦିଏ। ସେଥିପାଇଁ ସନ୍ତୋଷ ଟିକିଏ ପାଇବାର ଉପାୟ ହେଉଛି ନିର୍ଣ୍ଣୟ ନେବାର ବା ପସନ୍ଦ କରିବାର ଦ୍ବନ୍ଦ୍ବକୁ ଯଥା ସମ୍ଭବ ସୀମିତ କରିବା ଏବଂ ପସନ୍ଦ କରିବାରେ ମନର ସ୍ବାଧୀନତାକୁ ବିକେନ୍ଦ୍ରିତ କରିବା।
ନିଷ୍ପତ୍ତି ନେବାପାଇଁ ମନକୁ ମନାଇବା କଷ୍ଟକର। ନିର୍ଣ୍ଣୟକୁ ନେଇ ସଂଘର୍ଷ ମନ ଭିତରେ ଅବିଶ୍ରାନ୍ତ ଚାଲିଛି। କରିବି କି ନାହିଁ, ଦେବି କି ନାହିଁ, ନେବି କି ନାହିଁ, କିଣିବି କି ନାହିଁ, ଯିବି କି ନାହିଁ, କହିବି କି ନାହିଁ ଏହିପରି ଅନେକ “କି ନାହିଁ”ର ପରସ୍ପର ସହିତ ସଂଘାତ। ବିନା କିଛି ଦ୍ବନ୍ଦ୍ବରେ ଗ୍ରହଣ କରିନେବା ପରି ବସ୍ତୁଟିଏ ନାହିଁ କି ମନଟିଏ ମଧ୍ୟ ନାହିଁ। ରାସ୍ତାର ଦୋ’ଛକିରେ ପହଞ୍ଚିଗଲେ ବିକଳ୍ପ ରାସ୍ତା ତ ଅନେକ ମିଳିଯାଏ, କେଉଁ ରାସ୍ତାଟି ଧରିବାକୁ ହେବ ସେ ନିଷ୍ପତ୍ତି ନେବାପାଇଁ ମନ ଆଗପଛ ହୁଏ। ଗୋଟିଏରେ ପାଦ ଥାପିଲେ ଅନ୍ୟଟି ମହତ୍ତର ଲାଗେ। ପଛକୁ ଫେରି ଅନ୍ୟ ରାସ୍ତା ଧରିଲେ ପୁଣି ସେଇ ପସନ୍ଦର ସଂକଟ ରାସ୍ତା ରୋକୁଥାଏ, ପୂର୍ବର ରାସ୍ତାଟି ବୋଧହୁଏ ଭଲ ହୋଇଥାନ୍ତା! ଶାଢ଼ି କି ପୋଷାକଟିଏ କିଣିବାକୁ ବଜାରକୁ ଗଲେ ଅନେକ ଶାଢ଼ି ଓ ପୋଷାକ ଘାଣ୍ଟିବା ପରେ ମଧ୍ୟ କିଛି ମନକୁ ପାଏନି। ବହୁ କଷ୍ଟରେ ପସନ୍ଦ ହୋଇଥିବା ଜିନିଷଟି ଧରି ଘରକୁ ଫେରିଲେ ମନ ତଥାପି କହୁଥାଏ, ଆହା! କେତେ ଭଲ ଶାଢ଼ି ସବୁ ରହିଗଲା। ଅନ୍ୟ ଗୋଟିଏ ଆଣିଥିଲେ ଭଲ ହୋଇଥାନ୍ତା ପରା! ଆଣିଥିବା ଜିନିଷଟି ଆଉ ଆତ୍ମସନ୍ତୋଷ ଦେଇ ପାରେନି। ଏ ଦ୍ବନ୍ଦ୍ବ ସବୁଠି, ସବୁ ପରିସ୍ଥିତିରେ ଆମର ଚେତନାକୁ ବିବ୍ରତ କରି ଚାଲିଛି। ପାର୍ଟିକୁ ଯାଉଛେ, କେଉଁ ରଙ୍ଗର ପୋଷାକ ପିନ୍ଧିବା, ଅନେକ ବିବାହ ପ୍ରସ୍ତାବ ମଧ୍ୟରୁ କେଉଁଟି ବାଛିବା, ପିଲାକୁ କେଉଁ ସ୍କୁଲରେ ପଢ଼ାଇବା, କେଉଁ କ୍ୟାରିଅରଟି ସର୍ବୋତ୍ତମ, ଏହିପରି ଅନେକ। ନିର୍ଣ୍ଣୟ ନେବାର ଦ୍ବନ୍ଦ୍ବ ମାନସିକ ଉଦ୍ବେଗର ପ୍ରମୁଖ କାରଣ।
ମନ ଏପରି ଏକ ପରିସ୍ଥିତିରେ ପଡ଼େ କାହିଁକି? ନିଷ୍ପତ୍ତି ନେବାରେ ଉପୁଜୁଥିବା ସଂକଟର କାରଣ ହେଉଛି, ପସନ୍ଦରେ ଭୁଲ୍ ହୋଇଯିବାର ଭୟ। ଇଏ କ’ଣ କହିବ, ସିଏ କ’ଣ ଭାବିବ ଏହିପରି ଅସୁମାରି ଭୟ ନିର୍ଣ୍ଣୟ ନେବାରେ ଦ୍ବନ୍ଦ୍ବ ସୃଷ୍ଟି କରେ। ଆତ୍ମ ବିଶ୍ୱାସ ସ୍ଥାନରେ ଭରିଦିଏ ଆତ୍ମ ସନ୍ଦେହ। ଆଧୁନିକ ଜୀବନଶୈଳୀରେ ପସନ୍ଦର ସଂକଟ ଆଜି ଅତି ଉତ୍କଟ। କାରଣ, ଆଜିର ଦୁନିଆ ସମ୍ମୁଖରେ ଆମର ରଖିଦେଇଛି ଅନେକ ବିକଳ୍ପ। ବିକଳ୍ପର ସଂଖ୍ୟା ଯେତେ ଅଧିକ ହେଉଛି ନିଷ୍ପତ୍ତି ନେବାର ସଂକଟ ସେତେ ତୀବ୍ରତର ହେଉଛି। ଏହି ଦ୍ବନ୍ଦ୍ବ ହେତୁ ମନରେ ଭରିଯାଉଛି ଚାପ, ଚିନ୍ତା ଓ ଅବସାଦ। କିଛି ବର୍ଷ ପୂର୍ବେ ଦୋକାନକୁ ଗଲେ ଆଠ ଦଶଟି ବିକଳ୍ପ ଜିନିଷ ମଧ୍ୟରୁ ଗୋଟିଏ ପସନ୍ଦ କରି ସହଜରେ ଆଣି ହେଉଥିଲା। ଏବେ ଦୋକାନରେ ମିଳୁଛି ଶତାଧିକ ବୈକଳ୍ପିକ ପସନ୍ଦ। ତା’ ଭିତରୁ ମନ ମୁତାବକ ଗୋଟିଏ ବାଛିବା କଷ୍ଟକର ନୁହେଁ କି? ଘରେ ଗୋଟିଏ ତରକାରିରେ ଆତ୍ମସନ୍ତୋଷ ମିଳିଯାଏ, କିନ୍ତୁ ଭୋଜି ଆସରକୁ ଗଲେ ତିରିଶ ପ୍ରକାରର ବ୍ୟଞ୍ଜନ ସାମନାରେ ଦେଖି କାହାକୁ ଖାଇବା ଜାଣି ହୁଏନି। ସମସ୍ତ ବ୍ୟଞ୍ଜନ ଥାଳିକୁ ନେଇ ଶେଷରେ ଡଷ୍ଟବିନକୁ ଫିଙ୍ଗାଯାଏ। ଦ୍ବନ୍ଦ୍ବର ଅସଲ ଜଡ଼ ତ ଏହି ବିକଳ୍ପର ଆତିଶଯ୍ୟ ନିକଟରେ! ସମୃଦ୍ଧ ସମାଜରେ ଖୁସି ହଜିଯାଉଥିବାର ଏହା ମଧ୍ୟ ଏକ ପ୍ରମୁଖ କାରଣ। ଅର୍ଥାତ୍ ଅନେକ ମାନସିକ ସନ୍ତୁଳନ ପରେ ଅନ୍ତିମ ନିର୍ଣ୍ଣୟଟି ଆମକୁ ସନ୍ତୁଷ୍ଟି ଦେଇ ନ ପାରିବା। ଅନେକ ସମୟରେ ପସନ୍ଦକୁ ନେଇ ଦ୍ବନ୍ଦ୍ବ ବିଚାର ବୈକଲ୍ୟ ହେତୁ ନ ହୋଇ ପରିସ୍ଥିତିର ବିରୋଧାଭାସ ହେତୁ ସୃଷ୍ଟି ହୋଇଥାଏ। ଉଦାହରଣ ସ୍ବରୂପ, ନିଯୁକ୍ତିଟିଏ ପାଇବା ପାଇଁ ଯେଉଁଠି ଆବଶ୍ୟକ ହୁଏ ଦୁଇ ବର୍ଷର ପ୍ରାଥମିକ ଅଭିଜ୍ଞତା, ସେଠାରେ ପ୍ରଶ୍ନ ଆସେ, ନିଯୁକ୍ତି ନ ମିଳିଲେ ଏ ଅଭିଜ୍ଞତା ମିଳିବ କେମିତି! ମନୁଷ୍ୟର ଯେଉଁ ବିଶେଷ ସାମର୍ଥ୍ୟଟି ଅଛି, ତାହା ହେଉଛି ତା’ର ମୁକ୍ତ ଇଚ୍ଛା ବା ‘ଫ୍ରି ଵିଲ୍’। ମୁକ୍ତ ଇଚ୍ଛା ହେଉଛି ସମ୍ଭାବନାକୁ ଖୋଜି ପାଇବାର ସାମର୍ଥ୍ୟ। ଅନେକ ମଧ୍ୟରୁ ଗୋଟିଏ ବାଛିବାର କ୍ଷମତା। ଏହି ସାମର୍ଥ୍ୟ ହିଁ ସୃଷ୍ଟି କରିଥାଏ ପସନ୍ଦକୁ ନେଇ ମାନସିକ ଦ୍ବନ୍ଦ୍ବ। ଫରାସୀ ଚିନ୍ତକ ଜନ୍ ବୁରିଡନ କହୁଥିଲେ, ଭୁଲ୍ ନିଷ୍ପତ୍ତି ନେବାଠାରୁ ନିଷ୍ପତ୍ତି ନେଇ ନ ପାରିବା ଅଧିକ କ୍ଷତିକାରକ। ଏକ ଗଧର ଉଦାହରଣ ଦେଇ ସେ ବୁଝାଇଥିଲେ, ଭୋକିଲା ଓ ଶୋଷିଲା ଏକ ଗଧ ସାମନାରେ ସମ ଦୂରତାରେ ଯଦି ବିଡ଼ାଏ ଘାସ ଓ ଗୋଟିଏ ଜଳପାତ୍ର ରଖିଦିଆଯିବ, ନିଜର ମୁକ୍ତ ଇଚ୍ଛା ଅଭାବରୁ ସମଦୂରତାରେ ଥିବା ଏହି ଦୁଇଟି ପଦାର୍ଥ ମଧ୍ୟରୁ ପ୍ରଥମେ ସେ କ୍ଷୁଧା ନା ପ୍ରଥମେ ତୃଷା ମେଣ୍ଟାଇବ, ସେ ନିର୍ଣ୍ଣୟ ନେଇ ନପାରି ସେଇଠି ପଡ଼ି ଭୋକ ଓ ଶୋଷରେ ମରିଯିବ। ବିକଳ୍ପ ମଧ୍ୟରୁ ପସନ୍ଦକୁ ବାଛି ନ ପାରିବାର ପରିଣତି ଏହିପରି।
ବନ୍ଧୁଗଣ, ଆମେ ସବୁ ଜନ୍ମ ନେଇ ନାହେଁ ଭୁଲ୍ କି ଠିକ୍ ନିଷ୍ପତ୍ତି ବାଛିବାରେ ଜୀବନକୁ ଅପଚୟ କରିବା ପାଇଁ। ଆମର ଉଦ୍ଦେଶ୍ୟ ନିଷ୍ପତ୍ତିଟିଏ ନେଇ ତାକୁ ଠିକ୍ ସାବ୍ୟସ୍ତ କରିବାପାଇଁ। ଜୀବନରେ ସବୁକିଛି ପାଇଗଲେ ଆଉ କେଉଁ ଆଶାକୁ ନେଇ ନିର୍ଣ୍ଣୟର ଦ୍ବନ୍ଦ୍ବ ମଧ୍ୟରେ ରହିବା? ଅପୂରଣୀୟ ଇଚ୍ଛା ଓ ତାକୁ ପାଇବାର ଅସରନ୍ତି ଦ୍ବନ୍ଦ୍ବ ତ ଜୀବନ ଜିଇଁବାର ଅସଲି ମଜା! “ଅଗର୍ ସବ୍ କୁଛ୍ ମିଲ୍ ଜାୟେ ଜୀନ୍ଦଗି ମୈଁ ତୋ ତମନ୍ନା କିସ୍କି କରୋଗେ/କୁଛ୍ ଅଧୁରି ଖ୍ବାହିସେ ହି ଜୀନ୍ଦଗି ଜିନେକା ମଜା ଦେତି ହୈ।”
(ମତାମତ ଲେଖକଙ୍କ ନିଜସ୍ବ)
[email protected]