ପଶୁପକ୍ଷୀ ରାଇଜର ଏକ କାହାଣୀ। ମାଙ୍କଡ଼ମାନେ ଡାଳକୁ ଡାଳ ଡେଇଁ ପକ୍ଷୀମାନଙ୍କର ବସାଗୁଡ଼ିକ ଭାଙ୍ଗି ଦିଅନ୍ତି। ପକ୍ଷୀମାନେ ବ୍ୟସ୍ତ ହୋଇ ଜଙ୍ଗଲର ରାଜା ସିଂହଙ୍କ ପାଖରେ ଫେରାଦ ହୁଅନ୍ତି। ସିଂହ ଅଭିଯୋଗର ବିଚାର ନିମନ୍ତେ ବିଲୁଆ ମହାଶୟଙ୍କୁ ନିଯୁକ୍ତି ଦିଅନ୍ତି। ବିଲୁଆ ମହାଶୟଙ୍କ ସମ୍ମୁଖରେ ପକ୍ଷୀମାନଙ୍କ ତରଫରୁ ଶାଗୁଣା ମହାଶୟ ମାଙ୍କଡ଼ମାନଙ୍କର ଉପଦ୍ରବର ବିବରଣୀ ପ୍ରଦାନ କରନ୍ତି। ମାଙ୍କଡ଼ମାନଙ୍କ ତରଫରୁ ବୃଦ୍ଧ ହନୁମାଙ୍କଡ଼ ଏହାର କଡ଼ା ଜବାବ ଦିଅନ୍ତି। ଜବାବସୁଆଲ ସରିବା ପରେ ବୃଦ୍ଧ ହନୁମାଙ୍କଡ଼ ବିଲୁଆ ମହାଶୟଙ୍କୁ କହିଲେ, “ହଜୁର, ଏହା ହେଉଛି ମାଙ୍କଡ଼ମାନଙ୍କର ଜୀବନ ମରଣର କଥା ତେଣୁ ଆପଣ ଟିକେ ଆଗକୁ ପଛକୁ ଦେଖି ବିଚାର କରିବେ।” ଏ କଥା ଶୁଣି ବିଲୁଆ ମହାଶୟ ଟିକେ ପଛକୁ ଅନେଇ ଦେଖିଲା ବେଳକୁ ଗୋଟେ ବଡ଼ ପାଚିଲା ପଣସଟିଏ ଥୁଆ ହୋଇଛି। ବିଲୁଆ ମହାଶୟ ଖୁସି ହୋଇଯାଇ ତାଙ୍କ ରାୟ ଶୁଣେଇ କହିଲେ, “ମାଙ୍କଡ଼ମାନେ ହେଉଛନ୍ତି ଡିଆଁ ଡେଇଁ କରି ବଞ୍ଚୁଥିବା ପ୍ରାଣୀ। ପକ୍ଷୀମାନେ କିନ୍ତୁ ବହୁତ ଉପରକୁ ଉଡ଼ିପାରନ୍ତି। ସେମାନେ ଯଦି ତାଙ୍କ ବସାଗୁଡ଼ିକ ମାଙ୍କଡ଼ମାନେ ନ ପହଞ୍ଚିପାରିଲା ଭଳି ଉଚ୍ଚା ଗଛ ଗୁଡ଼ିକରେ କରିପାରନ୍ତେ ତେବେ ଭବିଷ୍ୟତରେ ଏଭଳି ବିଭ୍ରାଟ ହୁଅନ୍ତା ନାହିଁ।” ଏହି ବିଚାର ଅନୁଯାୟୀ ପକ୍ଷୀ ସମାଜର ଅଭିଯୋଗକୁ ଖାରଜ କରାଗଲା ଓ ମାଙ୍କଡ଼ମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଗଲା।
ବନ୍ଧୁଗଣ, ଗୋଟେ ତାଜା ପାଚିଲା ପଣସର କରାମତି ଦେଖିଲେ ତ! ଏହାକୁ ହିଁ ଆଜିର ମଣିଷ ସମାଜ କହୁଛି ‘ଦୁର୍ନୀତି’। ଦୁର୍ନୀତି ମନୁଷ୍ୟର ଏକ ଘୃଣ୍ୟ ପ୍ରକୃତି ହୋଇପାରେ କିନ୍ତୁ ଏହା ସହଜାତ ନୁହେଁ। ଯେ କୌଣସି ବୃତ୍ତିର ଆରମ୍ଭରୁ ମନୁଷ୍ୟକୁ ଦୁର୍ନୀତି ଆକର୍ଷଣ କରିନଥାଏ, କିନ୍ତୁ ଯେତେବେଳେ ସେ ଅନୁଭବ କରେ ଯେ ତା’ର ନୀତି ବା ଦୁର୍ନୀତିକୁ ନେଇ କୌଣସି ପରିବର୍ତ୍ତନ ହେଉ ନାହିଁ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର ସାମାଜିକ ପ୍ରତିଷ୍ଠାରେ କୌଣସି ଆଞ୍ଚ ଆସୁନାହିଁ, ସେତେବେଳେ ସେ ତା’ର ନିର୍ମଳ ଚରିତ୍ରକୁ ଏକ ମୁର୍ଖାମି ବୋଲି ଭାବି ପରିତ୍ୟାଗ କରିଥାଏ ଏବଂ ଦୁର୍ନୀତିର ଜାଲରେ ଫସି ଯାଇଥାଏ।
ଜଣେ ସରକାରୀ କର୍ମଚାରୀଙ୍କ କଥା କହୁଛି। ସେ ଜୀବନରେ ଅନେକ ଦୁର୍ନୀତିକୁ ଯଥାସମ୍ଭବ ପ୍ରତିରୋଧ କଲେ, କିନ୍ତୁ ଫଳ ହେଲା କ’ଣ? ଦୁର୍ନୀତି ତ ବନ୍ଦ ହେଲା ନାହିଁ ବରଂ ତାଙ୍କ ପଦୋନ୍ନତି ବନ୍ଦ ହୋଇଗଲା। ଦିନେ ସେ ଅନୁଭବ କଲେ ଯେ ତାଙ୍କ ଆଦର୍ଶ ସମାଜରେ ମୁର୍ଖାମିରେ ପରିଣତ ହୋଇଯାଇଛି। ଲୋକମାନେ କଥାବାର୍ତ୍ତା ହେଉଛନ୍ତି, “ହେ, ସେଇଟା କିଛି ନୁହଁ। ଖାଉନି କି ଖାଇବାକୁ ଦେଉନି।” ବ୍ୟବସାୟରେ ଆପଣ ଦୁର୍ନୀତି ନକରି ତିଷ୍ଠିବା ଅସମ୍ଭବ। ଇନକମ୍ ଟ୍ୟାକ୍ସ, ସେଲ୍ସ ଟ୍ୟାକ୍ସ, ଟ୍ରେଡ୍ ଟ୍ୟାକ୍ସ ଓ ବିଭିନ୍ନ ପ୍ରକାରର କଟକଣା ଭିତରେ ଏମିତି ଛନ୍ଦି ହୋଇଯିବେ ଯେ ବେପାର କରିବାକୁ ହେଲେ ଆପଣ ବାଧ୍ୟ ହୋଇ ଆଦର୍ଶକୁ ଜଳାଞ୍ଜଳି ଦେଇ ଦୁର୍ନୀତିକୁ ଆବୋରି ନେବେ।
ଏହା ସତ୍ତ୍ବେ ଖୁସି ଲାଗେ ଯେ ଆମ ଦେଶରେ ଅନେକ ବ୍ୟକ୍ତି ଆଜି ବି ଦୁର୍ନୀତିର ଊର୍ଦ୍ଧ୍ୱରେ ରହିଛନ୍ତି, କିନ୍ତୁ ଦୁଃଖ ବି ଲାଗେ ଯେ ଯେହେତୁ ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ ଏହାର ପ୍ରଭାବ ସମାଜ ଉପରେ ପ୍ରାୟ ପଡୁନାହିଁ। ଏହି ପରିପ୍ରେକ୍ଷୀରେ ଦୁଇଟି ପୌରାଣିକ ରାଜ୍ୟ ଓ ତାହାର ଦୁଇଟି ଚରିତ୍ରର ଉଦାହରଣ ଦେଉଛି। ପ୍ରଥମଟି ହେଉଛି ‘ଅଯୋଧ୍ୟା’- ସତ୍ୟ, ଧର୍ମ ଓ ନୀତିର ରାଜ୍ୟ, କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଏହିପରି ରାଜ୍ୟର ଏକ ଚରିତ୍ର ହେଉଛି ‘ମନ୍ଥରା’। ସେ କୁଟିଳା ଓ ଚକ୍ରାନ୍ତକାରିଣୀ। ଦ୍ୱିତୀୟ ରାଜ୍ୟ ହେଉଛି ‘ଲଙ୍କା’। ଅସତ୍ୟ, ଅଧର୍ମ ଓ ଅନୀତିର ରାଜ୍ୟ। ଏଠି ବି ଆଶ୍ଚର୍ଯ୍ୟ ଲାଗେ ଏକ ଚରିତ୍ର ଯିଏ ହେଉଛି ‘ବିଭୀଷଣ’। ସେ ଧାର୍ମିକ ଓ ନୀତିବାନ୍।
ମନ୍ଥରା ହେଉ କି ବିଭୀଷଣ ହେଉ, ଏମାନେ କତିପୟ ଥିଲେ, ତେଣୁ ଏମାନଙ୍କ ପ୍ରଭାବ ସମଗ୍ର ରାଜ୍ୟ ଉପରେ ପଡ଼ିନଥିଲା। ଥରେ ଭାବି ଦେଖନ୍ତୁ ତ, ଜଣେ କି ଦୁଇଜଣ ମନ୍ଥରା କ’ଣ ଅଯୋଧ୍ୟାକୁ ଅସୁର ରାଜ୍ୟରେ ପରିଣତ କରିଦେଲେ ନା, ଜଣେ କି ଦୁଇଜଣ ବିଭୀଷଣ ଲଙ୍କାକୁ ରାମରାଜ୍ୟ କରିପାରିଲେ? ଠିକ୍ ସେହିପରି ଆମ ରାଜ୍ୟରେ ଅନେକ ନିଷ୍ଠାବାନ ଓ ସାଧୁ ବ୍ୟକ୍ତି ଥାଇ ମଧ୍ୟ ଆମ ରାଜ୍ୟ ଦୁର୍ନୀତିଗ୍ରସ୍ତ ଏବଂ ଏହାର କାରଣ ହେଉଛି ଯେ ଏମାନଙ୍କର ସଂଖ୍ୟା ଅତି ନଗଣ୍ୟ ଓ ସେମାନଙ୍କ ପ୍ରଭାବ ଆମର ସମାଜ ଉପରେ ବିଶେଷ ପଡୁନାହିଁ।
କ’ଣ କରାଗଲେ ଏମାନଙ୍କର ପ୍ରଭାବ ବୃଦ୍ଧି ହେବ? ଏହାର ଏକମାତ୍ର ଉପାୟ ହେଉଛି ଶୂନ୍ୟ ସହନଶୀଳତା ଓ ଦଣ୍ଡବିଧାନ, ଯାହା ଆଜିଯାଏଁ କେବଳ କାଗଜ କଲମରେ ରହିଆସିଛି। ଏହା ଉପରେ କଥାଟିଏ କହୁଛି। ରାଜା ଛେଳିମାନଙ୍କ ସ୍ୱଭାବ ଉପରେ ପରୀକ୍ଷାନିରୀକ୍ଷା ନିମନ୍ତେ ଏକ ପ୍ରତିଯୋଗିତାର ଆୟୋଜନ କଲେ। ଯେଉଁ ବ୍ୟକ୍ତି ତା’ ଛେଳିଟିକୁ ପେଟପୂରା ଭୋଜନ ଦେଇ ସନ୍ତୁଷ୍ଟ କରି ଦେଇପାରିବ ସିଏ ପୁରସ୍କୃତ ହେବ। ସମସ୍ତେ ଛେଳିମାନଙ୍କୁ ନେଇ ପେଟପୂରା ଭୋଜନ ଖାଇବାକୁ ଦେଲେ। ପ୍ରତିଯୋଗିତା ଦିନ ଆହୁରି ଠୁସି ଠାସିକି ଖାଇବାକୁ ଦେଇ ଦରବାରଙ୍କୁ ଆଣିଲେ। ରାଜା ଯେତେବେଳେ ପ୍ରତି ଛେଳିକୁ ପରୀକ୍ଷା କରିବା ପାଇଁ ତା’ ଆଗରେ କଅଁଳିଆ ପତ୍ର ଟିକେ ଦେଖେଇ ଦେଉଥିଲେ ଛେଳିଟି ଜିଭ ହଲ ହଲ କରି ତାକୁ ଭିଡ଼ି ନେଉଥିଲା। ତେଣୁ ରାଜା କାହାରି ଉପରେ ସନ୍ତୁଷ୍ଟ ହୋଇ ନଥିଲେ। ଏହି ସମୟରେ ଆଉ ଜଣେ ପ୍ରତିଯୋଗୀ ଆସି ତା’ ଛେଳିଟିକୁ ପରୀକ୍ଷା କରିବା ପାଇଁ କହିଲା। ରାଜା ଯେତେ ତାକୁ କଅଁଳିଆ ପତ୍ର ଦେଖେଇଲେ, ସେ ଖାଇବ କ’ଣ, ଓଲଟା ଡିଆଁ ମାରି ଦୌଡ଼ିବାକୁ ଲାଗିଲା। ରାଜା ଏହାର ରହସ୍ୟ ଜାଣିବାକୁ ଚାହିଁଲେ। ଲୋକଟି କହିଲା, “ମହାରାଜ, ମୁଁ ଛେଳିଟିକୁ ସେମିତି ପାଳିଛି। କଅଁଳିଆ ପତ୍ର ଦେଖି ଯେତେବେଳେ ସେ ଜିଭକୁ ହଲ ହଲ କରେ, ସେତେବେଳେ ମୁଁ ତା’ର ଥୋମଣିକୁ ଏମିତି ମାଡ଼ ଦେଇଛି ଯେ ସେ ଜୀବନରେ କଅଁଳିଆ ପତ୍ର ଦେଖି ଚାଖିବା ତ ଦୂରର କଥା, ତା’ ପାଖ ବି ମାଡ଼ିବ ନାହିଁ।” ବନ୍ଧୁଗଣ, ବର୍ଷେ ଦୁଇ ବର୍ଷ ଏମିତି କରିକି ଦେଖନ୍ତୁ। ଦେଖିବେ ଦୁର୍ନୀତିର କଅଁଳିଆ ଛନଛନିଆ ପତର ସବୁ ବିଛୁଆତି ଭଳି ଲାଗିବ। ତା’ ନକରି ବର୍ଷ ବର୍ଷ ଧରି ଏମିତି ଦୁର୍ନୀତି ନିବାରଣ ସପ୍ତାହ ଓ ଶପଥ ପାଠ କରେଇ ଯେତେ ଘୋ’ଘା କଲେ କିଛି ଲାଭ ହେବ ନାହିଁ।
ମୋ: ୯୪୩୭୦୬୭୫୬୭
ସତ କହୁଛି: ହଜୁର, ଆଗକୁ ପଛକୁ ଚାହିଁ ବିଚାରନ୍ତୁ
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2023/11/daggadadagddga.jpg)