ବର୍ଷାରେ ଦିଲ୍ଲୀ ବିମାନ ବନ୍ଦରର ଛାତ ଭୁଶୁଡ଼ିଗଲା। ଜଣେ ମରିଗଲେ ଓ ଛଅ ଜଣ ଆହାତ ହେଲେ। ଚାରିଆଡ଼େ ହୋହଲ୍ଲା ହେଲା। ତଦନ୍ତ ପାଇଁ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ାଗଲା। ନିଟ୍ ପରୀକ୍ଷାରେ ହେରଫେର ହେଲା। ଶତାଧିକ ଛାତ୍ରଛାତ୍ରୀ ଶତ ପ୍ରତିଶତ ନମ୍ବର ହାସଲ କଲେ। ଏମାନେ କେତୋଟି ଅନାମଧ୍ୟେୟ କେନ୍ଦ୍ରରୁ ପରୀକ୍ଷା ଦେଇଥିଲେ। ସମଗ୍ର ଭାରତବର୍ଷ ପଡ଼ିଲା ଉଠିଲା। ତଦନ୍ତ ପାଇଁ ତୁରନ୍ତ ଏକ ଉଚ୍ଚସ୍ତରୀୟ କିମିଟି ବସାଗଲା। ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା। କିଏ ହଜେଇଲା, କେବେ ହଜେଇଲା ଆଉ ଏହା କାହାର କାରସାଦି କିଛି ଜଣାପଡ଼ିଲା ନାହିଁ। ସମଗ୍ର ଓଡ଼ିଶାରେ କମ୍ପନ ସୃଷ୍ଟି ହେଲା। ତଦନ୍ତ ପାଇଁ ତୁରନ୍ତ ଏକ ବିଚାର ବିଭାଗୀୟ କମିସନ ବସାଗଲା।
ଆଜ୍ଞା, ଏ ହେଉଛି ଆମ ଭାରତବର୍ଷରେ ରୋଗ ଓ ଏହାର ତଥାକଥିତ ଉପଶମର କାହାଣୀ। ଯଦି ଶାସନରେ କେଉଁଠି କିଛି ଗଡ଼ବଡ଼ ହୋଇଗଲା କିମ୍ବା କିଏ କ’ଣ ଗୋଟେ ଏପଟସେପଟ କରିଦେଲା ତେବେ ତୁରନ୍ତ ଲୋକମାନଙ୍କୁ ଚୁପ୍ କରେଇଦେବା ପାଇଁ ଗୋଟେ ଉଚ୍ଚସ୍ତରୀୟ କମିଟି ଗଢ଼ି ଦିଆଯାଉଛି କିମ୍ବା ଏକ ତଦନ୍ତ କମିସନ ବସେଇ ଦିଆଯାଉଛି। ଏହା ଏକ ସହଜ, ସରଳ ଓ ସୁନ୍ଦର ଉପାୟ, କାରଣ ଏହା ପରେ ସବୁ ଥଣ୍ଡା ପଡ଼ିଥାଏ। ଲୋକଙ୍କର ସ୍ମରଣ ଶକ୍ତି ଅତ୍ୟନ୍ତ ସୂକ୍ଷ୍ମ। ଏହା ସହିତ ତାଳ ଦେଇ ଏହି କମିଟି ଓ କମିସନର ଗତି ମଧ୍ୟ ଅତ୍ୟନ୍ତ ମନ୍ଥର ହୋଇଥାଏ। କମିଟିର ମନ୍ଥର ଗତିକୁ ସୂକ୍ଷ୍ମ ସ୍ମରଣ ଶକ୍ତି ବେଶ୍ ସୁହାଇଥାଏ। ଯଦି ଘଟଣାଟିକୁ ସମସ୍ତେ ଭୁଲିଗଲେ ଭଲ, ଆଉ ଯଦି ମନେ ପକେଇବା ପାଇଁ ପୁଣି ସେମିତି କିଛି କେଳେଙ୍କାରୀ ଘଟଣା ଘଟିଲା ତେବେ ପୁଣି ଗୋଟିଏ କମିଟି କିମ୍ବା କମିସନ ବସେଇ ତାକୁ ତୁରନ୍ତ ସବୁଦିନ ପାଇଁ ସେଇଠି ମୁଣ୍ଡି ମାରିଦିଆଯାଏ। ପ୍ରମାଣସ୍ୱରୂପ ଏବେ ହାଥରସ୍ର ଏକ ଧାର୍ମିକ ସମାବେଶରେ ଶତାଧିକ ଲୋକ ପ୍ରାଣ ହରେଇଲେ। ଏଭଳି ଦୁର୍ଘଟଣା କିଛି ନୂଆ କଥା ନୁହେଁ, କିନ୍ତୁ ସରକାର ସବୁଥର ଭଳି ଏଥର ବି ଗୋଟିଏ ଉଚ୍ଚସ୍ତରୀୟ ତଦନ୍ତ କମିସନ ବସେଇଦେଲେ ଓ ତୁରନ୍ତ ତାଙ୍କ ଦାୟିତ୍ୱରୁ ନିଜକୁ ମୁକ୍ତ କରିଦେଲେ।
ପ୍ରଶ୍ନ ଉଠେ ସବୁ କଥା ଯେତେବେଳେ ଜଳଜଳ ହୋଇ ଦିଶୁଛି ସେତେବେଳେ ଗୋଟେ ତଦନ୍ତ କମିସନର ଆବଶ୍ୟକତା କ’ଣ ଅଛି? ଆମ ରାଜ୍ୟର ଗୋଟିଏ ଉଦାହରଣ ଦେଉଛି। ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ନେଇ ସାରା ଓଡ଼ିଶା ଗତ କେତେ ବର୍ଷ ହେଲା ପଡୁଛି ଉଠୁଛି। ଏହାର ମୂଳ ଚାବି କୁଆଡ଼େ ଗଲା? ଡୁପ୍ଲିକେଟ୍ ଚାବି କିଏ କଲା? କେବେ କଲା? କାହିଁକି କଲା? ଏହି ସବୁ ପ୍ରଶ୍ନ ଯେତେବେଳେ ଦୁଇହଜାର ଅଠର ମସିହାରେ ଉତ୍କଟ ରୂପ ଧାରଣ କଲା ସେତେବେଳେ ତୁରନ୍ତ ଏକ ତଦନ୍ତ କମିସନ ବସେଇ ଦିଆଗଲା। ଆଜିକୁ ଛଅ ବର୍ଷ ହୋଇଗଲା କିନ୍ତୁ ରିପୋର୍ଟ କୁଆଡ଼େ ଗଲା? ଯଦି ରିପୋର୍ଟ ପ୍ରକାଶ ହେବାର ନଥିଲା ତେବେ ତଦନ୍ତ କମିସନ ବସିଲା କାହିଁକି? ଆଉ ଯଦି ବସିଲା ତେବେ ରିପୋର୍ଟ ପ୍ରକାଶ କରିବାରେ ଅସୁବିଧା କେଉଁଠି ରହିଲା? ଏହା ତଦନ୍ତ କମିଟି ଓ କମିସନର ଉପରୋକ୍ତ ବାହାନାକୁ ପ୍ରମାଣ କରୁନାହିଁକି?
କମିଟି ଓ କମିସନ ତ ବଡ଼ ବଡ଼ କଥା। ଗୋଟିଏ ଛୋଟିଆ କଥା କେମିତି କାହା ମୁଣ୍ଡକୁ ଢୁକୁନି ବଡ଼ ଆଶ୍ଚର୍ଯ୍ୟର କଥା। ଅନୁଭବରୁ କହୁଛି, ପାଠକଙ୍କର ମଧ୍ୟ ଏହି ଅନୁଭବ ଥିବ। ଯଦି ଆମ ଘରର କୌଣସି ତାଲାର ମୂଳ ଚାବି ହଜିଯାଏ ତେବେ ଆମେ ତାହାର ଗୋଟେ ଡୁପ୍ଲିକେଟ୍ ଚାବି ତିଆରି କରିଥାଉ। ଏହି ଡୁପ୍ଲିକେଟ୍ ଚାବି କରିବା ଲୋକ ପାଖକୁ ତାଲା ଯାଇ ନଥାଏ, ଲୋକଟି ତାଲା ପାଖକୁ ଆସିଥାଏ। ସେ ତାହାର ଗୋଚ୍ଛା ଗୋଚ୍ଛା ଚାବି ଓ ଯନ୍ତ୍ରପାତି ନେଇ ଘରେ ପହଞ୍ଚି ତାଲାଟିକୁ ଖୋଲି ଆମକୁ ଡୁପ୍ଲିକେଟ୍ ଚାବି ଦେଇଥାଏ। ଆମେ ଭଲକରି ତାଲା ଖୋଲୁଚି କି ନାହିଁ ଦେଖି ତାକୁ ତା’ର ପାରିଶ୍ରମିକ ଦେଇଥାଉ।
ଠିକ୍ ଏହି ଭଳି ରତ୍ନଭଣ୍ଡାର ତ ବଜାରକୁ ଯାଇ ନଥିବ, ଜଣେ କିଏ ଆସି ତାହାର ଯନ୍ତ୍ରପାତି ସାହାଯ୍ୟରେ ଡୁପ୍ଲିକେଟ୍ ଚାବି ନିଶ୍ଚୟ ପ୍ରସ୍ତୁତ କରିଥିବ ଏବଂ ଏହା କାମ କରୁଛି କି ନାହିଁ ସିଏ କୌଣସି କର୍ମକର୍ତ୍ତାଙ୍କ ସମ୍ମୁଖରେ ପ୍ରଦର୍ଶନ କରି ବାରମ୍ବାର ରତ୍ନଭଣ୍ଡାର ଖୋଲିଥିବ ଆଉ ବନ୍ଦ କରିଥିବ। କିଏ ଏହି ଡୁପ୍ଲିକେଟ୍ ଚାବି ପ୍ରସ୍ତୁତ କରିଥିଲେ? କିଏ ତାଙ୍କୁ ଏ ଚାବି ପ୍ରସ୍ତୁତ କରିବାକୁ ଡାକିଥିଲେ ଓ କାହାକୁ ସେ ଏହି ଚାବିଟିକୁ ହସ୍ତାନ୍ତର କରିଥିଲେ? ଏଇତକ ରେକର୍ଡରୁ ଖୋଜି ବାହାର କରୁନାହାନ୍ତି କାହିଁକି?
ଆପଣ ସାମାନ୍ୟ ବ୍ୟାଙ୍କ ଲକର୍ଟିଏ ଅଳ୍ପ ସମୟ ପାଇଁ ଖୋଲିଲେ ମଧ୍ୟ ଆପଣଙ୍କ ନାମ ଓ ଦସ୍ତଖତ ସହିତ କେଉଁ ଦିନ ଖୋଲିଲେ, କେତେବେଳେ ଖୋଲିଲେ ଓ କେତେବେଳେ ବନ୍ଦ କଲେ ତାହାର ସବିଶେଷ ବିବରଣୀ ଶାଖା ପରିଚାଳକଙ୍କ ଦସ୍ତଖତ ସହିତ ଲିପିବନ୍ଧ ହୋଇ ରହୁଛି। ଅଥଚ ଏଠି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯେଉଁଠି ବହୁମୂଲ୍ୟ ମଣି, ମୁକ୍ତା ଓ ରତ୍ନ ସହିତ ମହଣ ମହଣ ସୁବର୍ଣ୍ଣ ଗଚ୍ଛିତ ହୋଇ ରହିଛି ସେଠି କିପରି ବିନା କୌଣସି କାଗଜପତ୍ରରେ ଡୁପ୍ଲିକେଟ୍ ଚାବି ବନେଇ, ଲଗେଇ ଆଉ ଖୋଲେଇ ପୁଣି ତାକୁ ସିଲ କରେଇ ଟ୍ରେଜରିରେ ରଖାଯାଇପାରିଲା? ରେକର୍ଡରୁ ଏହିତକ ଅନୁସନ୍ଧାନ କରିଦେଲେ ଅଭିଯୁକ୍ତ ଧରାପଡ଼ିଯାନ୍ତା, କିନ୍ତୁ ତା’ ନ କରି ଗୋଟିଏ ଏତେ ବଡ଼ ତଦନ୍ତ କମିସନ ବସେଇବା କ’ଣ ଦରକାର ଥିଲା?
ବନ୍ଧୁଗଣ, ବିମାନ ବନ୍ଦର ଛାତ ଭୁଶୁଡୁ କି ପରୀକ୍ଷା ବିଭ୍ରାଟ ହେଉ କି ହାଥରସ୍ ଦଳାଚକଟା ହେଉ କି ରତ୍ନଭଣ୍ଡାର ଚାବି ହେଉ, ଏ ସବୁର କାରଣ ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତଙ୍କ ମୁହଁକୁ ଚୁପ କରେଇଦେବା ପାଇଁ ଏହିଭଳି କମିଟି ଓ କମିସନର କେବଳ ନାଟକ କରାଯାଉଛି। ସରକାର ଯଦି ଚାହିଁବେ ତେବେ ତୁରନ୍ତ ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦେଇପାରିବେ, କିନ୍ତୁ କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ?
ମୋ: ୯୪୩୭୦୬୭୫୬୭
ସତ କହୁଛି: ତଦନ୍ତ କମିସନ ନାଟକ
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2024/07/fhkfkhhkkh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)