ସତ କହୁଛି: ମାରାତ୍ମକ ମାଗଣା

ଶ୍ୟାମସୁନ୍ଦର ଅଗ୍ରୱାଲା

ମାଗଣା ଏକ ମାରାତ୍ମକ ଯନ୍ତା ଅଟେ। ଏହା ଲୋଭରେ ଯିଏ ଥରେ ପଡ଼ିଯାଇଥାଏ, ତା’ର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ବର୍ତ୍ତମାନ ଭାରତବର୍ଷରେ ଅନେକ ରାଜନୈତିକ ଦଳ ନିର୍ବାଚନ ପୂର୍ବରୁ ଅନେକ କଥା ମାଗଣା ଦେବାର ପ୍ରତିଶ୍ରୁତି ଦେଉଛନ୍ତି। ‘ଆମେ ଆପଣଙ୍କୁ ମାଗଣା ଚାଉଳ ଦେବୁ, ମାଗଣା ଡାଲି ଦେବୁ, ମାଗଣା ବିଜୁଳି ଦେବୁ, ସ୍କୁଟି ଦେବୁ, ହାତୀ ଦେବୁ, ଘୋଡ଼ା ଦେବୁ ତେଣୁ ତୁମେ ଆମକୁ ଭୋଟ ଦିଅ।’ ଏହା ଶିକାରୀର ପକ୍ଷୀକୁ ଦାନା, ମାଛକୁ କେଞ୍ଚୁଆ ଓ ମୂଷାକୁ ଶୁଖୁଆ ସଦୃଶ ଆକର୍ଷିତ କରିଥାଏ। ଯଦି ଏହା ଲୋଭରେ ପଡ଼ି ଆପଣ ଆପଣଙ୍କ ଭୋଟ ଖଣ୍ଡିକ ତାଙ୍କୁ ଦେଇଦେଲେ, ତେବେ ଜାଣନ୍ତୁ ତାଙ୍କ ଯନ୍ତାରେ ଆପଣ ପଡ଼ିଗଲେ।
ଦୁଇ ହଜାର ତେଇଶି ମସିହାର ସତ କଥାଟିଏ କହୁଛି। ପଞ୍ଜାବରେ ମନଦୀପ କୌର ନାମକ ଜଣେ ମହିଳା ଡାକୁ, ଯିଏ ‘ଡାକୁ ହସିନା’ ନାମରେ କୁଖ୍ୟାତ, ଥରେ ତା’ର ସ୍ୱାମୀ ଜସବିନ୍ଦର ସିଂହ ସହିତ ମିଶି ପଞ୍ଜାବ ନେସନାଲ୍ ବ୍ୟାଙ୍କରୁ ପ୍ରାୟ ଦଶ କୋଟି ଟଙ୍କା ଲୁଟ କରି ଖସି ପଳେଇଲା। ପଞ୍ଜାବ ପୁଲିସ ତାକୁ ଧରିବା ପାଇଁ ପିଛା କଲା। ସେ ଉତ୍ତରାଖଣ୍ଡର ହେମକୁଣ୍ଡ ସାହିବ ଗୁରୁଦ୍ୱାରା ହୋଇ ନେପାଳ ଚାଲି ଯିବାକୁ ଯୋଜନା କରିଥିଲା। ପଞ୍ଜାବ ପୁଲିସ ହେମକୁଣ୍ଡ ସାହିବ ଗୁରୁଦ୍ୱାରାରେ ପହଞ୍ଚି ତାକୁ ଧରିବାକୁ ଚେଷ୍ଟା କଲା। କିନ୍ତୁ ଯେହେତୁ ସବୁ ଭକ୍ତ ମୁଣ୍ଡରେ ପଗଡ଼ି ଓ ମୁହଁରେ ରୁମାଲ ବାନ୍ଧି ଗୁରୁଦ୍ୱାରା ଭିତରେ ବୁଲୁଥିଲେ, କାହାରିକୁ ଚିହ୍ନି ହେଉ ନ ଥିଲା। ତେଣୁ, ପଞ୍ଜାବ ପୁଲିସ କ’ଣ କଲା ନା ଗୁରୁଦ୍ୱାରା ସାମନାରେ ଗୋଟେ ମାଗଣା ଫ୍ରୁଟି କାଉଣ୍ଟର ଖୋଲି ଭକ୍ତମାନଙ୍କୁ ବାଣ୍ଟିବାରେ ଲାଗିଲା। ଡାକୁ ହସିନା ଯେତେବେଳେ ମାଗଣା ଫ୍ରୁଟି ମିଳୁଥିବାର ଦେଖିଲା, ସେଥିରୁ ଗୋଟିଏ ନେଇ ମୁହଁରୁ ରୁମାଲ ବାହାର କରି ପିଇବାକୁ ଲାଗିଲା। ଠିକ୍ ସେତିକି ବେଳେ ପଞ୍ଜାବ ପୁଲିସ ତାକୁ ଚିହ୍ନି ପାରି ମାଡ଼ିବସିଲା। ଡାକୁ ହସିନା ପାଖରେ ଦଶ କୋଟି ଟଙ୍କା ନଗଦ ଥିଲା, କିନ୍ତୁ ମାଗଣା ଗୋଟିଏ ଦଶ ଟଙ୍କିଆ ଫ୍ରୁଟି ଲୋଭରେ ଧରା ପଡ଼ି ଜେଲ ଗଲା। ଟଙ୍କାକୁ ଟଙ୍କା ଗଲା, ଜେଲ ଦଣ୍ଡ ଭୋଗିଲା, କେବଳ ମାଗଣା ଫ୍ରୁଟିଟିଏ ପାଇଁ! ନୁହେଁ କି?
ଥରେ ଭାବନ୍ତୁ, ଯଦି ସାମାନ୍ୟ ଦଶ ଟଙ୍କିଆ ମାଗଣା ଫ୍ରୁଟିଟି ନିଜ ପାଇଁ ଏତେ ମାରାତ୍ମକ ହୋଇ ପାରୁଛି, ତେବେ ଆପଣ ଜୀବନ ଯାକ ମାଗଣା ଲୋଭରେ ଭୋଟ ଦେଇ ଦେଶ ପାଇଁ କେତେ ମାରାତ୍ମକ ଅବସ୍ଥା ସୃଷ୍ଟି କରୁ ନ ଥିବେ? ମା’ ଓ ମମତା ଯୋଜନାରେ ଆପଣ ମାଗଣା ଜନ୍ମ ହେଲେ, ଶିଶୁ ସୁରକ୍ଷା ଯୋଜନାରେ ଆପଣ ମାଗଣାରେ ବଡ଼ ହେଲେ, ଶିକ୍ଷା ସାଥୀ ଯୋଜନାରେ ମାଗଣା ପାଠ ପଢ଼ିଲେ, ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଲେ, ମଧୁବାବୁ ଯୋଜନାରେ ପେନ୍‌ସନ୍ ପାଇଲେ, ତୀର୍ଥଯାତ୍ରା ଯୋଜନାରେ ତୀର୍ଥ କଲେ ଓ ଶେଷକୁ ମହାପ୍ରୟାଣ ଯୋଜନାରେ ମାଗଣା ଶବ ବାହକ ଗାଡ଼ି ଖଣ୍ଡିଏରେ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ ପୋଡ଼ା ହୋଇଗଲେ। ଯଦି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆପଣ ସବୁ ମାଗଣା ପାଇଲେ, ତେବେ ନିଜ ପାଇଁ ଓ ଦେଶ ପାଇଁ ଆପଣ କ’ଣ ଅବଦାନ ଛାଡ଼ିକି ଗଲେ? ଆପଣ ବ୍ୟାବସାୟିକ ଜମା ଖର୍ଚ୍ଚ ତାଲିକାରେ ‘ଜମା’ରେ ନୁହେଁ, ସବୁ ଦିନ ପାଇଁ ଗୋଟେ ‘ଖର୍ଚ୍ଚ’ରେ ନାଁ ଲେଖେଇ ଚାଲିଗଲେ।
ଏହି ମାଗଣା ଯୋଜନା ଆମ ଦେଶବାସୀଙ୍କ ଉପରେ କ’ଣ ପ୍ରଭାବ ପକାଉଛି, ତାହା ଆମ ଭାରତବର୍ଷରେ ମାଗଣା ଖିଆଙ୍କ ପରିସଂଖ୍ୟାନରୁ ଜାଣିପାରିବେ। ଆମ ଦେଶରେ ଶହେ ଚାଳିଶ କୋଟି ଲୋକ ଓ ଆମ ପ୍ରଦେଶରେ ସାଢ଼େ ଚାରି କୋଟି ଲୋକ, କିନ୍ତୁ ସମୁଦାୟ ଭାରତବର୍ଷରେ ଅଶୀ କୋଟିରୁ ଅଧିକ ଲୋକ ଓ ଆମ ପ୍ରଦେଶର ପ୍ରାୟ ତିନି କୋଟି ଲୋକ ଅର୍ଥାତ୍‌ ଷାଠିଏ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହି ବର୍ଷ ବର୍ଷ ଧରି ମାଗଣା ଚାଉଳ ପାଉଛନ୍ତି। ଏହି ସଂଖ୍ୟା ଦିନକୁ ଦିନ ବଢୁଛି ସିନା, କମୁ ନାହିଁ। କମିବ କିପରି? ଆପଣ ଯଦି ସବୁ ଯୋଜନା ମାଗଣା କରିଦେବେ, ତେବେ କାମ କିଏ କାହିଁକି କରିବ? ଆପଣ ଯଦି ଘରେ ବସିଥିବା ଲୋକଙ୍କୁ ମାଗଣାରେ ମାଛ ଖାଇବାକୁ ଦେବେ, ତେବେ ବନସୀ କଣ୍ଟା ଧରି ମାଛ ଧରିବାକୁ କିଏ କାହିଁକି ଯିବ?
ପ୍ରଶ୍ନ ଉଠେ ସରକାର ଏତେ ମାଗଣା ବାଣ୍ଟିବା ପାଇଁ ଟଙ୍କା ଆଣୁଛି କେଉଁଠୁ। ଥରେ ମେଷ ଶାବକଟିିଏ ତା’ ମା’କୁ ଏହି ପ୍ରଶ୍ନ କରିଥିଲା, “ମା’, ସରକାର ଆମ୍ଭମାନଙ୍କୁ ପ୍ରତି ବର୍ଷ ଶୀତ ଦିନେ ଦୁଇ ଦୁଇଟି କମ୍ବଳ ମାଗଣା ଦେବେ ବୋଲି କହୁଛନ୍ତି; କିନ୍ତୁ ଏତେ କମ୍ବଳ ପାଇଁ ପଶମ ଆଣିବେ କେଉଁଠୁ?’’ ଏହାର ଉତ୍ତର ହେଉଛି ସର୍ବାଧିକ ଟିକସ ମାଧ୍ୟମରେ କେବଳ ଆମଠୁ ନେଇ ଆମକୁ ଦେବେ ଓ ମାଗଣା ଦେଉଛନ୍ତି ବୋଲି କହି ବୁଲିବେ।
ଥରେ ଡକାୟତମାନେ ଏକ କବି ସମ୍ମିଳନୀ କଲେ। ରାଜ୍ୟର ବଛା ବଛା କବିମାନଙ୍କୁ ନିମନ୍ତ୍ରଣ କରାଗଲା। ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରାଗଲା ଓ ନଗଦ ଧନରାଶି ସହିତ ଦାମିକା ଉପଢ଼ୌକନ ଦିଆଗଲା। ଦ୍ୱିପ୍ରହରେ ଭରପୂର ସ୍ୱାଦିଷ୍ଠ ଭୋଜନ ଦିଆଗଲା ଓ ରାତିରେ ସସମ୍ମାନେ ବିଦା କରାଗଲା। ଖୁସିରେ କବିମାନେ ଫେରୁଥିବା ବେଳେ ଡକାୟତମାନେ ତାଙ୍କୁ ବାଟରେ ଘେରି ଯାଇ ଯାହା ଦେଇଥିଲେ ସବୁ ଲୁଟପାଟ କରି ନେଇଗଲେ। କବିମାନେ ପ୍ରଶ୍ନ କଲେ, ‘ଯଦି ନେଇଯିବାର ଥିଲା ତେବେ ଦେଇଥିଲ କାହିଁକି?’ ଡକାୟତମାନେ କହିଲେ ‘ଦେବା ହେଉଛି ଆମର ଧର୍ମ ଓ ନେବା ହେଉଛି ଆମର କର୍ମ। ଧର୍ମ ଓ କର୍ମ ପାଳନରେ ଆମେ କେବେହେଁ ଅବହେଳା କରି ନ ଥାଉ।’ ଏହା ସରକାରଙ୍କ ବିଭିନ୍ନ ଯୋଜନାରେ ଦେବା ଓ ବିଭିନ୍ନ ଟିକସ ମାଧ୍ୟମରେ ନେବା ସହିତ ତୁଳନୀୟ ନୁହେଁ କି?
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର