ରାଜନୀତିରେ ‘କାର୍ଟୁନ୍’ ହେଉଛି ରାଜ୍ୟରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଏବଂ ଏହାର ନାୟକ ନାୟିକାମାନଙ୍କର ବ୍ୟଙ୍ଗ ଚିତ୍ର, ଯାହାକି ଅାଜକୁ ବର୍ଷ ବର୍ଷ ଧରି ଛାପା ଗଣମାଧ୍ୟମରେ ପ୍ରକାଶ ପାଇଅାସୁଛି। ‘ମିମିକ୍ରି’ ହେଉଛି ଏହାର ଏକ ଅାଧୁନିକ ସଂସ୍କରଣ ଅର୍ଥାତ୍ ଏହି ଘଟଣାବଳୀର ନାୟକନାୟିକାମାନଙ୍କର ବ୍ୟଙ୍ଗ ଅଭିନୟ, ଯାହାକି ଏବେକାର ବିଭିନ୍ନ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମମାନଙ୍କରେ ବହୁଳ ପ୍ରସାରିତ ହେଉଛି। ଏ ଦୁହେଁ ଅନେକ ଗମ୍ଭୀର ବିଷୟକୁ ଅତ୍ୟନ୍ତ ହାଲୁକା ଭାବରେ ପରିବେଷଣ କରି ହାସ୍ୟରସ ସୃଷ୍ଟି କରିଥାନ୍ତି। ପ୍ରତ୍ୟହ ଗଣମାଧ୍ୟମମାନଙ୍କର ଚୋରି, ହତ୍ୟା, ଦୁର୍ନୀତି, ଡକାୟତି, ବ୍ୟଭିଚାର ଓ ଧର୍ଷଣ ଇତ୍ୟାଦି ଖବର ପଢ଼ିପଢ଼ି ମନ ଯେତେବେଳେ ଭାରାକ୍ରାନ୍ତ ହୋଇ ଯାଇଥାଏ, ସେତେବେଳେ ଏହିମାନେ ପରିବେଶକୁ ସାମାନ୍ୟ ହାଲୁକା କରିଦେଇ ଓଠକୁ ସ୍ମିତ ହାସ୍ୟଟିଏ ଯୋଗେଇ ଦେଇଥାନ୍ତି।
ଏହି କାର୍ଟୁନ ଓ ମିମିକ୍ରିମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ କିମ୍ବା ବର୍ଣ୍ଣ ନ ଥାଏ। ଦୁଃଖର ବିଷୟ ଯେ ଅନେକ ସମୟରେ ଏହାକୁ ଅପବ୍ୟବହାର କରି ପରିସ୍ଥିତିକୁ ଏଭଳି ଉତ୍ତେଜିତ କରେଇ ଦିଅାଯାଇଥାଏ ଯେ ଶେଷକୁ ହସିବା ବଦଳରେ ଅାମକୁ କାନ୍ଦିବାକୁ ପଡ଼ିଥାଏ। ଏବେ ଅାମ ଉପରାଷ୍ଟ୍ରପତିଙ୍କ ଦ୍ବାରା ରାଜ୍ୟସଭାରେ କେତେ ଜଣ ସଭ୍ୟଙ୍କର ନିଲମ୍ବନ ନିଷ୍ପତ୍ତି ଉପରେ ଏକ ମିମିକ୍ରି ଭିଡିଓକୁ ନେଇ ରାଜସ୍ଥାନ ଓ ହରିୟାଣାର ଜାଠ ସଂପ୍ରଦାୟ ଉତ୍ତେଜିତ ହୋଇପଡ଼ି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ। କାରଣ ଉପରାଷ୍ଟ୍ରପତି ଧନଖଡ଼ ଜାଠ ସଂପ୍ରଦାୟର। ଥରେ ଭାବନ୍ତୁ ତ ଉପରାଷ୍ଟ୍ରପତି ଯେଉଁମାନଙ୍କୁ ନିଲମ୍ବନ କରିଥିଲେ, ସେମାନେ ଯଦି ତାଙ୍କ ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଉତ୍ତେଜିତ ହୋଇ ପଡ଼ିଥାେନ୍ତ ଓ ବିକ୍ଷୋଭ ପ୍ରଦର୍ଶନ କରିଥାେନ୍ତ, ତେବେ ଅବସ୍ଥା କ’ଣ ହୋଇଥାନ୍ତା?
ଊଣେଇଶ ଶହ ଅଣଚାଶ ମସିହା କଥା କହୁଛି। ଯେତେବେଳେ ସଂବିଧାନ ପ୍ରଣୟନରେ ଅହେତୁକ ବିଳମ୍ବ ଘଟିଲା ଶଙ୍କର ପିଲ୍ଲାଇ ନାମକ ଜଣେ ପ୍ରସିଦ୍ଧ କାର୍ଟୁନିଷ୍ଟ୍ ଗୋଟେ ବ୍ୟଙ୍ଗ ଚିତ୍ର ପ୍ରକାଶ କରିଦେଲେ, ଯେଉଁଥିରେ ଦେଖାଗଲା ସଂବିଧାନ ପ୍ରଣୟନ କମିଟିର ମୁଖିଅା ବାବାସାହେବ ଅାମ୍ବେଦକର ଗୋଟିଏ ଧୀର ମନ୍ଥର ଗେଣ୍ଡା ଉପରେ ବସିଛନ୍ତି ଓ ପଣ୍ଡିତ ଜବାହରଲାଲ ନେହରୁ ତାଙ୍କୁ ଜଲ୍ଦି ଜଲ୍ଦି ଚାଲିବା ପାଇଁ ଗୋଟେ ଛାଟ ଦେଖଉଛନ୍ତି। ବ୍ୟଙ୍ଗଚିତ୍ର ମାଧ୍ୟମରେ ସଂବିଧାନ ଶୀଘ୍ର ପ୍ରଣୟନ କରିବା ଏହାର ଉଦ୍ଦେଶ୍ୟ ଥିଲା, କିନ୍ତୁ ଏହାକୁ ଜଣେ ବ୍ରାହ୍ମଣ ପଣ୍ଡିତଙ୍କର ଦଳିତ ସଂପ୍ରଦାୟ ଉପରେ ଅାକ୍ରମଣ ବୋଲି କହି ପ୍ରବଳ ହୋ ହଲ୍ଲା ହେଲା ଓ ସଂବିଧାନ ସଭା କିଛି ଦିନ ଏଇଥିପାଇଁ ପଡ଼ିଲା ଉଠିଲା।
ଦୁଇ ହଜାର ବାର ମସିହାର କଥା। ଯାଦବପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ପ୍ରଫେସର ଅାଶୁତୋଷ ବାନାର୍ଜୀ ଗୋଟେ କାର୍ଟୁନ ପ୍ରସ୍ତୁତ କରିଥିଲେ ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ସୁଶ୍ରୀ ମମତା ବାନାର୍ଜୀ ମୁକୁଲ ରାୟଙ୍କୁ ରେଳବାଇ ମନ୍ତ୍ରୀ ପଦ ପାଇଁ ସୁପାରିସ କରି ଉକ୍ତ ବିଭାଗଟି ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ରର ‘ସୋନାର କିଲ୍ଲା’ ବୋଲି ବର୍ଣ୍ଣନା କରି ତାଙ୍କୁ (ମୁକୁଲ ରାୟ) ଅାଙ୍ଗୁଠି ଦେଖୋଉଛନ୍ତି। ଏଥିରେ ମମତା ବାନାର୍ଜୀ ଉତ୍କ୍ଷିପ୍ତ ହୋଇ ପ୍ରଫେସରଙ୍କୁ ଏମିିତି କୋର୍ଟ କେଚରିରେ ଫସେଇଲେ ଯେ ବିଚାରା ଅାଶୁତୋଷଙ୍କୁ ଏଥିରୁ ମୁକ୍ତ ହେବା ପାଇଁ ଦୀର୍ଘ ବାର ବର୍ଷ ଲାଗିଥିଲା।
ଊଣେଇଶ ଶହ ଚାଳିଶ ମସିହାର କଥା। ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ନାଜି ସମ୍ରାଟ ହିଟ୍ଲର୍ଙ୍କ ଏକଛତ୍ରବାଦ ଶାସନ କଥା ଶୁଣିଲେ ଛାତି ଥରି ଉଠୁଥିଲା। ଠିକ୍ ଏହି ସମୟରେ ପୃଥିବୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଚାର୍ଲି ଚାପ୍ଲିନ୍ ‘ଦି ଗ୍ରେଟ୍ ଡିକ୍ଟେଟର୍’ ନାମକ ଏକ ଚଳଚ୍ଚିତ୍ରରେ ନିଜେ ହିଟ୍ଲର୍ଙ୍କ ମିମିକ୍ରି କରି ଏକଛତ୍ରବାଦ ବିରୋଧରେ ଏକ ଅଭୂତପୂର୍ବ ଭାଷଣ ଦେଇଥିଲେ। ଏହି ଚଳଚ୍ଚିତ୍ର ଜର୍ମାନୀ ସମେତ ଅନେକ ୟୁରୋପୀୟ ଦେଶରେ ନିଷିଦ୍ଧ ହୋଇଥିଲା, କିନ୍ତୁ ଏଥିରେ ଚାର୍ଲି ଚାପ୍ଲିନ୍ଙ୍କ ଅଭିନୟ ଏତେ ଜୀବନ୍ତ ହୋଇଥିଲା ଯେ ନିଷିଦ୍ଧ ହେବା ସତ୍ତ୍ବେ କୋଟି କୋଟି ଲୋକ ଏହାକୁ ଗୁପ୍ତରେ ଦେଖୁଥିଲେ। ଅାଜି ବି କୋଟି କୋଟି ସଂଖ୍ୟାରେ ଲୋକେ ତାକୁ ଦେଖୁଛନ୍ତି, କିନ୍ତୁ ଖୋଲାଖୋଲି।
ମିମିକ୍ରି ସାଧାରଣତଃ ପ୍ରସିଦ୍ଧ ନେତା ଓ ଅଭିନେତାମାନଙ୍କୁ ନେଇ ହୋଇଥାଏ। ରାଜୁ ଶ୍ରୀବାସ୍ତବଙ୍କର ଅମିତାଭ ବଚ୍ଚନ ଓ ଶ୍ୟାମ ରଙ୍ଗିଲାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନକଲ ଦେଖିଲେ ଅାପଣ ହସି ହସି ବେଦମ ହୋଇଯିବେ। ରାହୁଳ ଗାନ୍ଧୀଙ୍କର ମିମିକ୍ରି ସାମାଜିକ ଗଣମାଧ୍ୟମରେ ଭର୍ତ୍ତି ହୋଇ ରହିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। ତାଙ୍କର ଧଳା କୁର୍ତ୍ତା ପାଇଜାମା ଓ ଓଡ଼ିଅା ଭାଷା କହିବାର ଶୈଳୀ ସହିତ ‘ଅାପଣମାନେ ଖୁସି ତ?’ ପ୍ରଶ୍ନ ଗଣମାଧ୍ୟମମାନଙ୍କରେ ବହୁତ ପ୍ରସାରିତ ହୋଇ ହସର ଖୋରାକ ଯୋଗାଉଛି।
କାର୍ଟୁନ ହେଉ କି ମିମିକ୍ରି ହେଉ ଏହାକୁ ଅଯଥା ଦେହକୁ ନ ନେଇ ତୁରନ୍ତ ଭୁଲିଯିବା ଉଚିତ। ଯଦି ଅାପଣ ହେୟଜ୍ଞାନ ନ କରି ଏହା ଉପରେ ଗୁଡ଼ାଏ ହୋହଲ୍ଲା କରିବେ ତେବେ ଏହାକୁ ନ ଦେଖିଥିବା ଲୋକ ବି ଖୋଜିଖୋଜି ଦେଖିବ ଓ ନ ପଢ଼ିଥିବା ଲୋକ ବି ଖୋଜି ଖୋଜି ପଢ଼ିବ। ଫଳରେ ଅାପଣ ଥରେ ନୁହେଁ କି ଦି’ଥର ନୁହେଁ ବାରମ୍ବାର ଲୋକହସା ହେଉଥିବେ।
ରାଜାଙ୍କ ବିଶ୍ୱସ୍ତ ପରିଚାରିକା ଚମ୍ପା ଥିଲା ଖନୀ ଓ ଖନେଇ ଖନେଇ କଥାବାର୍ତ୍ତା କରୁଥିଲା, ତେଣୁ ରାଜବାଟୀରେ ସମସ୍ତେ ତାକୁ ‘ଚ...ଚ...ଚମ୍ପା’ ବୋଲି ଅବିକଳ ତା’ରି ଭଳିଅା କହି ତାକୁ ଡାକୁଥିଲେ। ଚମ୍ପା ରାଜାଙ୍କୁ ଅଭିଯୋଗ କଲା। ରାଜା ତୁରନ୍ତ ଏକ ହୁକୁମନାମା ଜାରି କରି ରାଜ୍ୟରେ ଡେଙ୍ଗୁରା ଦେଇଦେଲେ ଯେ ଏଣିକି ଅାଉ ଚମ୍ପାକୁ କେହି ଖନେଇ ଖନେଇ ‘ଚ...ଚ...ଚମ୍ପା’ ବୋଲି ଡାକି ପାରିବେ ନାହିଁ। ଅନ୍ୟଥା ଦଣ୍ଡ ମିଳିବ। ଏହାପରେ ଲୋକମାନେ ଯେତେବେଳେ ଚମ୍ପାକୁ ଦେଖିଲେ କହିବାକୁ ଲାଗିଲେ ‘ହେ ସାବଧାନ, ରାଜାଙ୍କ ହୁକୁମ, କେହି ଅାଉ ତାକୁ ‘ଚ...ଚ...ଚମ୍ପା’ ବୋଲି ଡାକ ନାହିଁ। ସାରା ରାଜ୍ୟରେ ଏହା ଏମିତି ପ୍ରଚାର ହୋଇଗଲା ଯେ ଲୋକେ ରାଜପ୍ରାସାଦରେ ଚମ୍ପାକୁ ଦେଖିବା ଓ ଶୁଣିବା ପାଇଁ ଭିଡ଼ ଲଗେଇଦେଲେ କିନ୍ତୁ ପରସ୍ପରକୁ ସତର୍କ କରେଇ କହୁଥିଲେ ଯେ କେହି ଯେମିତି ତାକୁ ‘ଚ...ଚ...ଚମ୍ପା’ ବୋଲି ନ ଡାକନ୍ତି। କଥା ଏତେ ଦୂରକୁ ଗଲା ଯେ ଶେଷକୁ ଚମ୍ପା ଏହି ହୁକୁମନାମା ପ୍ରତ୍ୟାହାର କରିନେବା ପାଇଁ ରାଜାଙ୍କୁ ଅନୁରୋଧ କଲା କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବହି ଯାଇଥିଲା।
ମୋ: ୯୪୩୭୦୬୭୫୬୭
ସତ କହୁଛି: ରାଜନୀତିରେ କାର୍ଟୁନ୍ ଓ ମିମିକ୍ରି
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2024/01/fshffhfff.jpg)