ଆଜମିରରୁ ଜୟପୁର ୧୩୫ କିଲୋମିଟର; ଟ୍ୟାକ୍ସିରେ ଜୟପୁର ଯାଇ ସଂଧ୍ୟାରେ ମୋତେ ସେଠୁ ଫେରିବାର ଥିଲା। ଏଥି ପାଇଁ ଅଗତୁରା ଟ୍ରାଭେଲ୍ସକୁ କହି ସାରିଥିଲି। ହେଲେ, ହଠାତ୍ ସକାଳେ ଟ୍ରାଭେଲ୍ସରୁ ଫୋନ ଆସିଲା- ‘ସା’ବ୍, ସାମାନ୍ୟ ଅସୁବିଧା ହେଇଗଲା। ଆମେ ଯେଉଁ ଡ୍ରାଇଭରକୁ ଆପଣଙ୍କ ପାଖକୁ ବାଧ୍ୟ ହୋଇ ପଠାଉଛୁ, ସେ ସାମାନ୍ୟ ବୟସ୍କ ଏବଂ ମୁସଲମାନ’।
ମୁଁ ପଚାରିଲି- ‘ତାଙ୍କୁ ଗାଡ଼ି ଚଳେଇବା ଆସେ ତ?’
ଏହାର ସମ୍ମତିସୂଚକ ଉତ୍ତର ପାଇଲି ଏବଂ ଠିକଣା ସମୟରେ ମୋ ବସାରେ ଗାଡ଼ି ଆସି ପହଞ୍ଚିଲା।
ଡ୍ରାଇଭରଙ୍କୁ ନେଇ ଟ୍ରାଭେଲ୍ସର ମନ୍ତବ୍ୟ ଭଳି କଥାମାନ ଆଉ ଆଶ୍ଚର୍ଯ୍ୟ କରୁ ନାହିଁ। ବର୍ଷେ ତଳେ ଜଣେ କାଠ ମିସ୍ତ୍ରିଙ୍କୁ ଖୋଜିବା ବେଳେ ଜଣେ ପରିଚିତ କହିଲେ ଯେ ଜଣେ କାଠ ମିସ୍ତ୍ରିଙ୍କୁ ସେ ଜାଣନ୍ତି; ତାଙ୍କ କାମ ବି ଭଲ। ହେଲେ ସେ ବଙ୍ଗାଳୀ ଏବଂ ମୁସଲମାନ ମଧ୍ୟ। ସକାଳର ପ୍ରାତଃ ଭ୍ରମଣ ବେଳେ କିଛି ଲୋକଙ୍କ ସାଙ୍ଗରେ ଦେଖା ହୁଏ। ସେହି ପ୍ରକ୍ରିୟାରେ ଏକ ଗୋଷ୍ଠୀ ମଧ୍ୟ ତିଆରି ହୋଇଯାଏ। ଗୋଷ୍ଠୀର ଜଣେ ସେଦିନ ମନ୍ତବ୍ୟ ଦେଲେ ଯେ ରବିବାର ସକାଳେ ମାଂସ ପାଇଁ ମିଆଁ ଦୋକାନ ଆଗରେ ଯେତେଦିନ ଯାଏଁ ଆମେ ଛିଡ଼ା ହେଉଥିବା, ‘ସେମାନଙ୍କ’ ଗର୍ବ ଭାଙ୍ଗିବ ନାହିଁ। ମନ୍ତବ୍ୟଟି ମତେ ଆହତ କରିଥିଲା। କିନ୍ତୁ ପାଟିରୁ ପ୍ରତିବାଦ ବାହାରିଲା ନାହିଁ। ଏହାର ଅର୍ଥ କ’ଣ ଏଭଳି ଦ୍ବେଷପୂର୍ଣ୍ଣ ମନ୍ତବ୍ୟଗୁଡ଼ିକୁ ମୋ ଭିତରର ଜଡ଼ତାରେ ହଜମ ହେବାରେ ଲାଗିଲେଣି? ଅଯଥାରେ ବିବାଦରେ ଛନ୍ଦି ନହେବା ଲକ୍ଷ୍ୟରେ ମୋର ଚୁପ୍ ରହିବା କ’ଣ ଏକ ଚତୁର ଫନ୍ଦି? ନା, କ୍ରମେ ଏଭଳି ମନ୍ତବ୍ୟମାନ ଦେହସୁହା ହେବାରେ ଲାଗିଲେଣି?
ସେ ଯାହାହେଉ, ସେଦିନ ସକାଳେ ଟ୍ୟାକ୍ସିରେ ମୋର ଯାତ୍ରା ଆରମ୍ଭ ହେଲା। ଡ୍ରାଇଭରଙ୍କ ନାଁ ମେହବୁବ ଭାଇ। ବୟସ ପଚାଶ-ପଞ୍ଚାବନ ମଧ୍ୟରେ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସେ ଟ୍ୟାକ୍ସି ଚଲେଇଲେଣି। ପିଲାଛୁଆ ତିନିଟି; ବଡ଼ପୁଅ ଓ ବଡ଼ ଝିଅର ବାହାଘର ସରିଲାଣି। ଉପର ବାଲାର କୃପାରୁ ନାତି-ନାତୁଣୀ ବି ହେଲେଣି। ଭଡ଼ା ଘରେ ରହନ୍ତି; ଘରର ମାଲିକଙ୍କ ନାଁରୁ ଜାଣିହେଲା େଯ ସେ ହିନ୍ଦୁ। ପାଖ ପଡ଼ୋଶୀ ମଧ୍ୟ ହିନ୍ଦୁ। କିଏ ଛୋଟମୋଟ ଦୋକାନ କରିଛି ତ ଆଉ କିଏ ଅଟୋ ଚଲାଏ। ମାଲିକଙ୍କ ଦୟାରୁ ମେହବୁବ ଭାଇଙ୍କ ଅଭାବ-ଅସୁବିଧା କିଛି ନାହିଁ। ବିଭିନ୍ନ ପୂଜା-ପାର୍ବଣରେ ପରସ୍ପରର ଘରକୁ ଯିବା ଆସିବା ଚାଲେ। ‘ଆଜି ଆମ ଘରେ ତିହାର; ସେଠିକି ମଧ୍ୟ ସମସ୍ତେ ଆସିବେ’, କହିଲେ ମେହବୁବ ଭାଇ।
ମେହବୁବ ଭାଇଙ୍କ ଠାରୁ ଏ ସବୁ ଶୁଣିଲା ପରେ ମୋତେ ଖୁବ୍ ଆଶ୍ବସ୍ତି ମିଳିଲା। ମନେ ହେଲା ଏହି ଧରଣର ସାମାଜିକ ସଂହତି ବି ଏକ ସତ୍ୟ, େଯମିତି ‘ଟ୍ରାଭେଲ୍ସ’ରୁ ତାଙ୍କ ସମ୍ବନ୍ଧରେ ଆସିଥିବା ଦ୍ବେଷପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ଏକ ସତ୍ୟ। ମେହବୁବ ଭାଇଙ୍କୁ ତାଙ୍କ ପରିବାର ଏବଂ ସାମାଜିକ ସଂପର୍କ ସମ୍ବନ୍ଧରେ ଯେତେ ଗୁଡ଼େଇତୁଡ଼େଇ ପଚାରୁଥିଲି, ତା’ର ଅତି ସହଜ ଓ ସରଳ ଉତ୍ତର ସେ ଦେଉଥିଲେ। ତାଙ୍କ ସାମାଜିକ ପରିବେଶରେ କାହିଁ କେଉଁଠି ଧାର୍ମିକ ଦ୍ବେଷ ଥିବା କଥା ପ୍ରତୀତ ହେଉ ନ ଥିଲା। ହଠାତ୍ ମୋର ମନକୁ ଆସିଲା ଯେ ସେ ତ ଏ ଯାଏଁ ସେ ମୋତେ କିଛି ବି ପଚାରି ନାହାନ୍ତି! ମୋ ସମ୍ବନ୍ଧରେ ତାଙ୍କ ଧାରଣା କ’ଣ ବୋଲି ଜାଣିବା ସକାଶେ ମୋର ଉତ୍କଣ୍ଠା ହେଲା। ମୁଁ ତାଙ୍କୁ ସେ କଥା ପଚାରିଲି। ପ୍ରଥମେ ସେ ଚୁପ୍ ରହିଲେ। ତା’ ପରେ ସେହି ପୂର୍ବ ସରଳତାରେ କହିଲେ, “ଆପଣଙ୍କ ହିନ୍ଦୀରୁ ମନେ ହେଉଛି ଆପଣ ବଙ୍ଗାଳୀ ଏବଂ ପ୍ରଶ୍ନବାଣରୁ ଲାଗୁଛି, ଆପଣ ‘କଲେଜ ମାଷ୍ଟର’।’’
ମେହବୁବ ଭାଇ ଖୁବ୍ ସ୍ବାଭିମାନୀ। ରାସ୍ତାରେ ଖାଇବା ପାଇଁ ଅଟକିବାକୁ ହେଲା। ସେ କହିଲେ- ‘ସା’ବ୍, ଆପଣ ଚାଲନ୍ତୁ। ମୁଁ ଗାଡ଼ିରେ ଅପେକ୍ଷା କରିଛି।’ ବାଧ୍ୟ କଲାରୁ ମଧ୍ୟାହ୍ନ ଭୋଜନ ବେଳେ ଖାଇଲେ ଏବଂ ଆମେ ଗୋଟିଏ ଟେବୁଲରେ ଖାଇଲୁ। ତା’ ପରେ ସମ୍ଭବତଃ ଋଣ ଭାରରୁ ହାଲୁକା ହେବା ପାଇଁ ସେ ପ୍ରସ୍ତାବ ଦେଲେ, ‘ଥରେ ମୁଁ ଆପଣଙ୍କୁ ମୋ ଝିଅ ଘରକୁ ନେଇଯିବି। ଶାଶୂଘର ତା’ର ଅାଜମିରରୁ ୩୦ କିଲୋମିଟର ମାତ୍ର। ‘ଉପରବାଲା’ର ଦୟାରୁ ସେମାନଙ୍କ ଖାଇବାପିଇବାରେ ଆଦୌ ଅସୁବିଧା ନାହିଁ। ତାଙ୍କ ଘରେ ଖାଇବା।
ଆଜମିରରେ ପହଞ୍ଚିଲା ବେଳକୁ ରାତି ଅନେକ ହେଲାଣି। ମେହବୁବ ଭାଇ ବିନମ୍ର ଆମନ୍ତ୍ରଣ ଜଣାଇବା ଭଳି କହିଲେ- ‘ଆଜି ଆମର ଏକ ପର୍ବ। ଘରେ ବନ୍ଧୁବାନ୍ଧବ ଜୁଟିଛନ୍ତି। ‘ହାଲିମ’ (ଖିଚିଡ଼ି ଓ ବିରିଆନି ଭଳି ଏକ ବ୍ୟଞ୍ଜନ) ତିଆରି ହୋଇଛି। ରାତ୍ରି ଭୋଜନ ଆମ ଘରେ କରନ୍ତୁ। ସେଠୁ ନିଜ ବସାକୁ ଫେରିବେ।’ ମୁଁ ପଚାରିଲି, ‘ଏଭଳି ଏକ ପର୍ବରେ ବି ଆପଣ ଡ୍ୟୁଟି କରୁଛନ୍ତି?’ ଏଥର ବି ଅତି ସରଳିଆ ଉତ୍ତର ମିଳିଲା।
‘ଆଜି ମୁଁ ଛୁଟି ନେଇଥିଲି। ହେଲେ ସକାଳୁ ଫୋନ ଆସିଲା। ଡ୍ରାଇଭର ନାହାନ୍ତି। ଯେମିତି ହେଲେ ଡ୍ୟୁଟିକୁ ଆସ। ନୋହିଲେ ସା’ବ୍ଙ୍କର ଅସୁବିଧା ହେବ! ଅଗତ୍ୟା ମତେ ଆସିବାକୁ ପଡ଼ିଲା।’
ମୋର ଧାରଣା ପୁଣି ଥରେ ବଦଳି ଗଲା। ଏହାର ଅର୍ଥ ‘ଟ୍ରାଭେଲ୍ସ’ ମ୍ୟାନେଜର ଓ ମେହବୁବ ଭାଇଙ୍କ ମଧ୍ୟରେ େକୗଣସି ଦ୍ବେଷ ନାହିଁ। ସେମାନେ ଏକ ଶ୍ରଦ୍ଧାଶୀଳ ‘ପରସ୍ପରାଶ୍ରୟୀ’ ସଂପର୍କର ଅଂଶବିଶେଷ। ମେହବୁବ ଭାଇଙ୍କ ଘରେ ରାତ୍ରି ଭୋଜନ କରି ଫେରୁଥିବା ବେଳେ ଭାବୁଥିଲି ଯେ ସାମାଜିକ ସଂପର୍କର ଏହି ବୈଶିଷ୍ଟ୍ୟ ଅତୁଟ ଥିବା ଯାଏ ନିରାଶା ଏକ ଅଯଥା ଚିନ୍ତା; ଏହା ଅମୂଳକ!
[email protected]
ସାମାନ୍ୟ କଥନ: ମେହବୁବ ଭାଇଙ୍କ ସହ ଦିନଟିଏ
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2023/10/fhsffhssfhfh.jpg)