ସରଳ ବିଚାର: ଜୀବାଶ୍ମ ଇନ୍ଧନର ବ୍ୟବହାର ଓ ଭାରତ

ସରଳ କୁମାର ଦାସ

ନୂଆଦିଲ୍ଲୀଠାରେ ଜି୨୦ ବୈଠକ ଶେଷରେ ଜାରି ହୋଇଥିବା ଶକ୍ତି ଉତ୍ପାଦନ ସଂକ୍ରାନ୍ତ ଘୋଷଣା ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ବିଶ୍ୱର ନବୀକରଣୀୟ ଶକ୍ତି (ରିନିଉଏବଲ୍ ଏନର୍ଜି)ର କ୍ଷମତାରେ ତିନିଗୁଣ ବୃଦ୍ଧି କରାଯିବା ସହିତ କୋଇଲାର ବ୍ୟବହାରରେ ଦ୍ରୁତ ହ୍ରାସ ଘଟାଇବା ଦିଗରେ ପଦକ୍ଷେପ ନେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ଲାଗି ପେଟ୍ରୋଲ ଓ ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟମାନ ସମ ପରିମାଣରେ ଦାୟୀ ହୋଇଥିଲେ ବି ଏହାର ଉତ୍ପାଦକ ଦେଶଗୁଡ଼ିକର ସ୍ୱାର୍ଥକୁ ସୁରକ୍ଷିତ ରଖି ଏହି ଘୋଷଣାରେ ଏହି ଧରଣର ଜୀବାଶ୍ମ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ହ୍ରାସ କରିବା ଉପରେ ନିରବତା ଅବଲମ୍ବନ କରାଯାଇଛି। ତଥାପି ବିଶେଷଜ୍ଞମାନେ ଏହାକୁ ଏକ ସନ୍ତୁଳିତ ପଦକ୍ଷେପ ବୋଲି କହି ପ୍ରଶଂସା କରୁଛନ୍ତି। କିନ୍ତୁ ସତ କଥା ହେଲା, ଏପରି ନିଷ୍ପତ୍ତି ଉଭୟ ପରିବେଶ ଓ ମାନବ ସମାଜର କ୍ଷତି ସାଧନ କରି ଚାଲିବ। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି୨୦ ବୈଠକରେ ମଧ୍ୟ ପ୍ରାୟ ଏକା ପ୍ରକାର ଘୋଷଣା କରାଯାଇଥିଲା। ତେବେ, ଏହା ସ୍ବୀକାର୍ଯ୍ୟ ଯେ ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ରୁତ ଗତିରେ ହ୍ରାସ ନ ପାଇଲେ ଏହା ଜଳବାୟୁ ପରିବର୍ତ୍ତନ ଉପରେ ଏକ ଦୀର୍ଘମିଆଦୀ କୁପ୍ରଭାବ ପକାଇ ଚାଲିବ। ତେଣୁ ଏହି ପ୍ରସଙ୍ଗ ଖୁବ୍‌ ଅଧିକ ଗୁରୁତ୍ବ ଲାଭ କରିବା ଉଚିତ।
ଗତ ପ୍ରାୟ ଦେଢ଼ ଶହ ବର୍ଷ ଧରି କୋଇଲା, ଜାଳେଣି ତେଲ ଓ ପ୍ରାକୃତିକ ଗ୍ୟାସ ଭଳି ଜୀବାଶ୍ମ ଇନ୍ଧନ ବିଶ୍ୱ ଅର୍ଥନୀତିକୁ ଚଳଚଞ୍ଚଳ କରି ଆସିଛି। ବସ୍ତୁତଃ ବିଶ୍ୱର ସମୁଦାୟ ଶକ୍ତି ଆବଶ୍ୟକତାର ପ୍ରାୟ ୮୦% ଜୀବାଶ୍ମ ଇନ୍ଧନରୁ ହିଁ ମିଳିଥାଏ। କିନ୍ତୁ ଏହାର ଦହନରୁ ବିଷାକ୍ତ ଅଙ୍ଗାରକାମ୍ଳ ଓ କ୍ଷତିକାରକ ସବୁଜ କୋଠରି ଗ୍ୟାସ୍‌ (ଜି.ଏଚ୍‌.ଜି.) ବାୟୁମଣ୍ଡଳରେ ପ୍ରବେଶ କରି ତାପମାନ ବୃଦ୍ଧି କରିବା ସହ ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଥାଏ। ୧୯୭୦ରେ ଭାରତରେ ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ ମାତ୍ର ୦.୩୯ ମେଟ୍ରିକ ଟନ୍ ଥିବା ବେଳେ ୨୦୨୧ରେ ତାହା ପ୍ରାୟ ୫ ଗୁଣ ବୃଦ୍ଧି ପାଇ ୧.୯ ମେଟ୍ରିକ ଟନ୍‌ରେ ପହଞ୍ଚିଛି, ଯାହା ଉଦ୍‌ବେଗଜନକ। ଭାରତରୁ ଏତେ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗମନ ହେବାର ଏକ ବଡ଼ କାରଣ ହେଲା କୋଇଲା ଦହନ, ଯାହା ଉପରେ ଦେଶ ମାତ୍ରାଧିକ ନିର୍ଭରଶୀଳ। ଏକ ଆକଳନ ଅନୁସାରେ ୨୦୨୧ରେ ଭାରତରୁ ପ୍ରାୟ ୨୫୫ କୋଟି ମେଟ୍ରିକ ଟନ୍‌ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହୋଇଛି, ଯହିଁରୁ ପ୍ରାୟ ୧୮୦ କୋଟି ମେଟ୍ରିକ ଟନ୍‌, ଅର୍ଥାତ୍ ୭୦% କେବଳ କୋଇଲା ଜାଳେଣିରୁ ହୋଇଥିଲା।
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଶକ୍ତି ବ୍ୟବହାର ପ୍ରାୟ ଦୁଇ ଗୁଣ ହୋଇଗଲାଣି। ଏହାର ଏକ ବଡ଼ କାରଣ ଏହାର ବିଶାଳ ଜନସଂଖ୍ୟା ଓ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି। ଏହା ଶକ୍ତି ଆବଶ୍ୟକତାକୁ ବଢ଼ାଇଛି। ଅଧିକ ସଂଖ୍ୟକ ଘର ବିଦ୍ୟୁତ୍‌ ସଂଯୋଗ ନେଇଛନ୍ତି ଓ ବିଜୁଳି ଚାଳିତ ଉପକରଣର ବ୍ୟବହାର ବଢ଼ିଛି। ତଥାପି, ଏବେ ମଧ୍ୟ ଭାରତରେ ମୁଣ୍ଡପିଛା ଶକ୍ତି ବ୍ୟବହାର ବିଶ୍ୱ ହାରାହାରିର ଅଧାରୁ କମ୍‌। ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ଭବିଷ୍ୟତ୍‌ରେ ଶକ୍ତି ଚାହିଦା ଆହୁରି ବଢ଼ିବା ସୁନିଶ୍ଚିତ। ଦେଶର ଶକ୍ତି ଚାହିଦାର ସର୍ବାଧିକ ୪୬% କୋଇଲା, ୨୪% ଖଣିଜ ତୈଳରୁ ଓ ୨୦% ଜାଳେଣି କାଠ ଭଳି ‘ବାୟୋ ମାସ୍‌’ରୁ ମିଳିଥାଏ। ପ୍ରାକୃତିକ ଗ୍ୟାସ ୫% ଏବଂ ଜଳ ବିଦ୍ୟୁତ୍‌, ଆଣବିକ, ସୌର ଓ ପବନ ଦ୍ୱାରା ଉତ୍ପାଦିତ ବିଦ୍ୟୁତ୍‌ ମାତ୍ର ୪% ଚାହିଦା ପୂରଣ କରିଥାନ୍ତି। ଆମ ଦେଶରେ କୋଇଲା ବିଦ୍ୟୁତ୍‌ ଉତ୍ପାଦନ ଓ ଶିଳ୍ପଗୁଡ଼ିକର ପ୍ରମୁଖ ଇନ୍ଧନ ହୋଇଥିବା ବେଳେ ପରିବହନ ଓ ଗମନାଗମନ ପାଇଁ ଖଣିଜ ତୈଳ ମୁଖ୍ୟ ଇନ୍ଧନ ରୂପେ ବ୍ୟବହୃତ ହୋଇଥାଏ। ୨୦୧୦ ମସିହା ପର ଠାରୁ ଘରୋଇ ଭାବେ ଖଣିଜ ତୈଳ ଉତ୍ପାଦନ ଆମ ଦେଶରେ କ୍ରମାଗତ ଭାବେ ହ୍ରାସ ପାଇ ଏବେ ୩.୩ କୋଟି ଟନ୍‌ରେ ପହଞ୍ଚିସାରିଲାଣି। ୨୦୨୨ରେ ୨୪ କୋଟି ଟନ୍‌ ଅଶୋଧିତ ତୈଳ ଆମଦାନି କରି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନିକାରୀ ଦେଶରେ ପରିଣତ ହୋଇଛି। ଆମ ଦେଶରେ ୪୪% ତୈଳ ପରିବହନ, ୨୯% ଶିଳ୍ପ ଓ ଘରୋଇ କ୍ଷେତ୍ର ଏବଂ ୨୦% କୃଷି କ୍ଷେତ୍ରରେ ବ୍ୟବହୃତ ହେଉଛି। ରନ୍ଧନ ଗ୍ୟାସର ଉପଲବ୍‌ଧତା ସତ୍ତ୍ୱେ ବିଭିନ୍ନ କାରଣରୁ ଗାଁ ଗଣ୍ଡାରେ ସଂଖ୍ୟାଧିକ ଘରେ ଜାଳେଣି କାଠର ବ୍ୟବହାର ଜାରି ରହିଛି। ଫଳରେ ଚୀନ ଓ ଆମେରିକା ପଛକୁ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ଦେଶ ରୂପେ ପରିଗଣିତ ହୋଇଥାଏ। ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରୁ ଅଙ୍ଗାରକାମ୍ଳର ନିର୍ଗମନ ହାରରେ ଆମ ଦେଶ ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ଅଧିକ। ପୁନଶ୍ଚ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରତି ବର୍ଷ ଶକ୍ତିର ଚାହିଦା ଅନ୍ତତଃ ୫% ବୃଦ୍ଧି ପାଇବ। ଏଭଳି ସ୍ଥିତିରେ ସବୁଜ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ଭାରତ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ।
ଏକ ଅଧ୍ୟୟନ ଅନୁସାରେ ଆମ ଦେଶରେ ସବୁଜ କୋଠରି ଗ୍ୟାସ ନିର୍ଗମନର ୮୦% ମାତ୍ର ୧୦ଟି ରାଜ୍ୟରୁ ହୋଇଥାଏ। ଏଥିରେ ଓଡ଼ିଶାର ଭାଗ ୧୩%। ଏଥିରେ ଗୁଜରାଟ ପରେ ଓଡ଼ିଶାର ସ୍ଥାନ ଦ୍ବିତୀୟ, ଯାହା ଚିନ୍ତାଜନକ। ଓଡ଼ିଶା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସେତେ ଶିଳ୍ପୋନ୍ନତ ହୋଇ ନଥିଲେ ବି ଓଡ଼ିଶାରେ ସଂଖ୍ୟାଧିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଅବସ୍ଥିତି ଓ ଏଠାକାର ଶିଳ୍ପର ସର୍ବାଧିକ କୋଇଲା ନିର୍ଭରଶୀଳତା ଯୋଗୁଁ ଏହି ସ୍ଥିତି ଉତ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶକୁ ଜୀବାଶ୍ମ ଇନ୍ଧନ ଆଧାରିତ ଅର୍ଥନୀତିରୁ ବାହାରି ଆସି ସ୍ୱଚ୍ଛ ଇନ୍ଧନକୁ ଗ୍ରହଣ କରିବା ଗୁରୁତ୍ବପୂର୍ଣ୍ଣ।
ଏଥି ସକାଶେ କେତେକ ବିଷୟ ଉପରେ ଦୃଷ୍ଟି ଦେବାକୁ ‌େହବ। ଗୃହ, ଯାନବାହାନ, ବିଜୁଳି ଚାଳିତ ଉପକରଣ ଓ ଯନ୍ତ୍ରପାତିଗୁଡ଼ିକର ଶକ୍ତି ଦକ୍ଷତା ବୃଦ୍ଧି ପ୍ରତି ଧ୍ୟାନ ଦେଇ ଶକ୍ତି ସଞ୍ଚୟ କରିବାକୁ ହେବ। ‘କାର୍ବନ କ୍ୟାପଚର ଷ୍ଟୋରେଜ୍‌’ (ସିସିଏସ) ପ୍ରକ୍ରିୟା ମାଧ୍ୟମରେ ଏଣିକି ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳରୁ ଛାଣି ମାଟିରେ ମିଶାଇ ଦେଇ ହେଉଛି। ୨୦୨୨ ସୁଦ୍ଧା ସାରା ବିଶ୍ୱରେ ବ୍ୟାବସାୟିକ ଭାବେ ଏହି ଧରଣର ୩୦ଟି ପ୍ଲାଣ୍ଟ କାମ କଲେଣି। ଭାରତରେ ଏଭଳି ଗୋଟିଏ ହେଲେ ପ୍ଲାଣ୍ଟ ନାହିଁ। ତେଣୁ ଏଭଳି ଅନେକ ପ୍ଲାଣ୍ଟ ପ୍ରତିଷ୍ଠାର ଆବଶ୍ୟକତା ରହିଛି।
୨୦୩୦ ମସିହା ସୁଦ୍ଧା ଭାରତ ତା’ର ସମୁଦାୟ ବିଦ୍ୟୁତ୍‌ ଉତ୍ପାଦନର ୫୦% ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ କରିବ ବୋଲି ଲକ୍ଷ୍ୟ ରଖିଛି। ତେଣୁ ଜୀବାଶ୍ମ ଇନ୍ଧନ ଆଧାରିତ ଶକ୍ତି ଭିତ୍ତିଭୂମିରେ ବିଶେଷ ଅର୍ଥ ବିନିଯୋଗ କରା ନ ଯାଇ ଅଣ-ପାରମ୍ପରିକ ଶକ୍ତି ଉତ୍ପାଦନ ଲାଗି ତାହା ବିନିଯୁକ୍ତ ହେବା କଥା। ତେବେ ଗତ ଦୁଇ ବର୍ଷ ମଧ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ କୋଇଲା ଆଧାରିତ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଲାଗି ୪ ଲକ୍ଷ କୋଟି ଟଙ୍କା ବିନିଯୋଗର ଘୋଷଣା କରାଯାଇଥିବା ବେଳେ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ୪.୮୦ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଗ୍ୟାସ ଭିତ୍ତିଭୂମି ପ୍ରତିଷ୍ଠା ବିଷୟ ଘୋଷଣା କରାହୋଇଛି। ୟୁରୋପୀୟ ଦେଶଗୁଡ଼ିକରେ ଆଉ ନୂତନ ଜୀବାଶ୍ମ ଇନ୍ଧନ ଭିତ୍ତିଭୂମି ନିର୍ମାଣ କରାଯାଉ ନଥିଲା ବେଳେ ଭାରତରେ ତାହା ବଳବତ୍ତର ରହିଛି, ଯାହା ଉଦ୍‌ବେଗର କାରଣ।
ଜଳବାୟୁ ସମସ୍ୟା ଲାଗି ସର୍ବନିମ୍ନ ଦାୟୀ ବିଶ୍ୱର କୋଟି କୋଟି ସାଧାରଣ ଲୋକ ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି। ଏଣୁ ଏବେ ‘ଜଳବାୟୁ ନ୍ୟାୟ’ର ଦାବି ଜୋର ଧରିବାକୁ ଲାଗିଲାଣି। ଜଳବାୟୁ ପରିବର୍ତ୍ତନ ଲାଗି ସବୁଠାରୁ ଅଧିକ ଦାୟୀ ଥିବା ଶିଳ୍ପୋନ୍ନତ ଦେଶଗୁଡ଼ିକୁ ଏହାର ମୂଲ୍ୟ ବହନ କରିବାକୁ ହେବ ବୋଲି ଦାବି କରାଯାଉଛି। ଏହା ସହିତ ସବୁଜ କୋଠରି ଗ୍ୟାସ ନିର୍ଗମନକୁ ହ୍ରାସ କରିବାରେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରାବିଧିକ ସହାୟତା ଦେବା ଲାଗି ମଧ୍ୟ ସେମାନଙ୍କୁ କୁହାଯାଉଛି। ଅକ୍‌ଟୋବର ୨୦୨୧ରେ ଜାତିସଂଘର ମାନବ ଅଧିକାର ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ଯେ ‘ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସମସ୍ତଙ୍କ ଲାଗି ଏକ ମାନବ ଅଧିକାର।’ ଏବେ କେତେକ ଦେଶର ନାଗରିକମାନେ, ଏପରିକି ସାନ ପିଲାମାନେ, ପରିବେଶକୁ ସୁରକ୍ଷିତ ରଖିବାରେ ସେମାନଙ୍କ ଦେଶ ସରକାରଙ୍କ ନିଷ୍କ୍ରିୟତାକୁ ଦାୟୀ କରି ଅଦାଲତଙ୍କ ଦ୍ୱାରସ୍ଥ ହେଉଛନ୍ତି। ୨୦୧୫ ମସିହାରେ ନେଦରଲାଣ୍ଡରେ ବିଭିନ୍ନ ଆୟୁ ବର୍ଗର ପ୍ରାୟ ୯୦୦ ନାଗରିକ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାରେ ସେଠାକାର ସରକାରଙ୍କ ନିଷ୍କ୍ରିୟତାକୁ ପ୍ରଶ୍ନ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତଙ୍କ ରାୟ ସେମାନଙ୍କ ସପକ୍ଷରେ ଯାଇଥିଲା ଏବଂ ବର୍ଷକ ମଧ୍ୟରେ ଅଙ୍ଗାରକାମ୍ଳ ନିର୍ଗମନକୁ ୨୫% ହ୍ରାସ କରିବା ଲାଗି ଅଦାଲତ ତାଙ୍କ ରାୟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆମାଜନ ବୃଷ୍ଟି ଜଙ୍ଗଲକୁ ରକ୍ଷା କରିବାରେ ସରକାରୀ ନିଷ୍କ୍ରିୟତାକୁ ବିରୋଧ କରି କଲମ୍ୱିଆର ୨୫ ଜଣ ଯୁବକ ଅଦାଲତର ଦ୍ୱାରସ୍ଥ ହୋଇ ଜୟଯୁକ୍ତ ହୋଇଥିଲେ। ପାକିସ୍ତାନରେ ଜଣେ ୭ ବର୍ଷର ଝିଅ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସରକାରୀ ନିଷ୍କ୍ରିୟତାକୁ ବିରୋଧ କରି ଦାୟର କରିଥିବା ମାମଲାରେ ସେଠାକାର ଅଦାଲତ ତାହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ। ଏଭଳି ଧାରା ଚାଲୁ ରହିଛି ଏବଂ ଆଗକୁ ଚାଲୁ ରହିବ ମଧ୍ୟ। ଏହି ସଂଦର୍ଭରେ ଭାରତୀୟ ନାଗରିକମାନେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମାମଲାରେ ଅଧିକ ସକ୍ରିୟ ହେବା ଆବଶ୍ୟକ।
ତେବେ, କେବଳ ସରକାରୀ ସ୍ତରରେ ନୁହେଁ; ପ୍ରତ୍ୟେକ ନାଗରିକ ଏ ଦିଗରେ କର୍ତ୍ତବ୍ୟ ନିର୍ବାହ କରିବା ଆବଶ୍ୟକ। ଶକ୍ତି ଅପଚୟକୁ ରୋକି ଶକ୍ତି ସଞ୍ଚୟ କରାଯାଇ ପାରିଲେ, ତାହା ହିଁ ହେବ ଜଣେ ନାଗରିକ ସକାଶେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ଦିଗରେ କ୍ଷୁଦ୍ର ଅଥଚ ବଳିଷ୍ଠ ଅବଦାନ।
ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର