ସରଳ ବିଚାର: ନିର୍ବାଚନୀ ବଣ୍ଡ୍୍ ଦୁର୍ନୀତିର ବିବରଣୀ

ସରଳ କୁମାର ଦାସ

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପତି ପରକାଲା ପ୍ରଭାକର ନିର୍ବାଚନୀ ବଣ୍ଡ୍୍ ପ୍ରସଙ୍ଗକୁ ସମଗ୍ର ବିଶ୍ୱର ସର୍ବବୃହତ୍ ଦୁର୍ନୀତି ବୋଲି କହିଛନ୍ତି। ମତଦାତାମାନେ ନିର୍ବାଚନରେ ଲଢୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବାର ଆବଶ୍ୟକତାକୁ ଉପଲବ୍‌ଧି କରି ନିର୍ବାଚନ କମିସନ ପ୍ରାର୍ଥୀମାନଙ୍କ ସଂପର୍କିତ ତଥ୍ୟ ୱେବ୍‌ସାଇଟ୍‌ରେ ଦିଅନ୍ତି। ସେହିଭଳି ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ସଂଗୃହୀତ ବିପୁଳ ଅର୍ଥ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ସତ୍ୟ ଜନସାଧାରଣଙ୍କ ସମ୍ମୁଖରେ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି। ନିର୍ବାଚନ କମିସନଙ୍କ ୱେବ୍‌ସାଇଟ୍‌ରେ କେଉଁ ବ୍ୟକ୍ତି ବା କମ୍ପାନି କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ଓ କେଉଁ ରାଜନୈତିକ ଦଳ କେତେ ଟଙ୍କାର ବଣ୍ଡ୍ ପାଇଛନ୍ତି, ଏତିକି ତଥ୍ୟ ସିନା ମିଳୁଛି, କିନ୍ତୁ ଚାନ୍ଦା ଦେବା ପଛର ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ଜାଣି ହେଉନାହିଁ। ତଥାପି କେତେକ ସନ୍ଧାନୀ ସାମ୍ୱାଦିକ ତାହା ଖୋଜି ବାହାର କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି, ଯାହା ପ୍ରଶଂସାଯୋଗ୍ୟ।
ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥା ଅସ୍ୱଚ୍ଛ, ଅବୈଧ ଓ ଅସାଂବିଧାନିକ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଲେ। ନିର୍ବାଚନୀ ବଣ୍ଡ୍‌ ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନଗଦ ଆକାରରେ ଚାନ୍ଦା ସଂଗ୍ରହ କରୁଥିଲେ। ତେଣୁ ଚାନ୍ଦା ସମ୍ପର୍କରେ ଜଣାପଡ଼ିବାର କୌଣସି ଅବକାଶ ନ ଥିଲା। ତେଣୁ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ସଂଗୃହୀତ ହେବା ପରିପ୍ରେକ୍ଷୀରେ ଧାରଣା ଉପୁଜିଲା ଯେ ଅନ୍ତତଃ ଏବେ ଚାନ୍ଦା ବାବଦରେ ଜଣାପଡ଼ିବ ଓ କିଛି ସୂଚନା ରହିବ। ତା’ ଛଡ଼ା ବ୍ୟାଙ୍କ ମାଧ୍ୟମରେ ବଣ୍ଡ୍ କିଣାଯାଉଥିବାରୁ ଚାନ୍ଦା ପ୍ରଦାନରେ ନଗଦ ଆକାରରେ କଳାଧନର ଉପଯୋଗ ହୋଇପାରିବ ନାହିଁ ବୋଲି କୁହାଗଲା। ଏବେ ଯେତେବେଳେ ନିର୍ବାଚନୀ ବଣ୍ଡ୍‌ ବ୍ୟବସ୍ଥାଟି ବିବାଦାସ୍ପଦ ହୋଇ ପଡ଼ିଛି, ତା’ ସପକ୍ଷରେ ଏହି ସମାନ ଯୁକ୍ତି ଦିଆଯାଉଛି। କିନ୍ତୁ, ସତ କଥାଟି ହେଲା ନିର୍ବାଚନୀ ବଣ୍ଡ୍ ସମ୍ପର୍କୀୟ ତଥ୍ୟ ଦେବାକୁ ସୁପ୍ରିମ୍‌ କୋର୍ଟ ବାଧ୍ୟ କରି ନ ଥିଲେ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ତାହା ଦେଇ ନ ଥାଆନ୍ତା କି ଜନସାଧାରଣ ଏ ସଂପର୍କରେ କିଛି ହେଲେ ଜାଣି ପାରି ନ ଥାଆନ୍ତେ। ଏପରିକି ଏ ସମ୍ପର୍କରେ କୌଣସି ତଥ୍ୟ ଜାଣିବାର ଅଧିକାର ଜନସାଧାରଣଙ୍କ ନାହିଁ ବୋଲି ସଲିସିଟର ଜେନେରାଲ ସୁପ୍ରିମ୍‌ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ। ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ଏହାକୁ ନିର୍ବାଚନ ସରିବା ପରେ ପ୍ରକାଶ କରିବାକୁ ଚାହୁଁଥିଲା। ଅର୍ଥାତ୍ ଶେଷ ପର୍ଯ୍ୟନ୍ତ ସମସ୍ତ ସୂଚନା ଗୁପ୍ତ ରଖିବାର ସାଧ୍ୟ ମୁତାବକ ପ୍ରୟାସ କରାଯାଇଥିଲା। ଦ୍ୱିତୀୟ କଥାଟି ହେଲା ନିର୍ବାଚନୀ ବଣ୍ଡ୍ ପ୍ରଚଳନ ପୂର୍ବରୁ ମଧ୍ୟ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ବା କମ୍ପାନି ଚାହିଁଲେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଚାନ୍ଦା ଦେଇ ପାରୁଥିଲେ। ପୁଣି ଆଗର ନଗଦ ଆକାରରେ ଚାନ୍ଦା ଦେବାର ବ୍ୟବସ୍ଥା ଏବେ ବି ଅଛି; କେବଳ ଫରକ ହେଉଛି, ଆଗରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାର ଆବଶ୍ୟକତା ନ ଥିଲା। ଏବେ ସେହି ପରିମାଣକୁ କମାଇ ୨୦୦୦ ଟଙ୍କା କରିଦିଆଯାଇଛି।
ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ମାତ୍ର ୧୬ ହଜାର କୋଟି ଟଙ୍କାର ବଣ୍ଡ୍ କିଣା ଓ ଭଙ୍ଗା ଯାଇଥିଲେ ବି ଏହି ସ୍କିମକୁ ‘ଦୁର୍ନୀତିର ଜନନୀ’ ବୋଲି କୁହାଯାଉଛି; କାରଣ କମ୍ପାନିଗୁଡ଼ିକ ବଣ୍ଡ୍ କ୍ରୟ କରିବା ପଛରେ ନ୍ୟସ୍ତ ସ୍ୱାର୍ଥ ସାଧନ କରିବାର ଉଦ୍ଦେଶ୍ୟ ଲୁକ୍କାୟିତ ଭାବେ ରହିଥିବା ଦେଖାଯାଏ। ତେଣୁ ସାମଗ୍ରିକ ଭାବେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ହୋଇଥିବା ବିଭିନ୍ନ ଦୁର୍ନୀତିର ପରିମାଣ ଲକ୍ଷ ଲକ୍ଷ କୋଟି ଟଙ୍କା ହୋଇଥିବ ବୋଲି ଆକଳନ କରାଯାଏ। ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ହୋଇଥିବା ଦୁର୍ନୀତିକୁ ମୋଟାମୋଟି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ପ୍ରଥମଟି ହେଲା ‘ଚାନ୍ଦା ଦିଅ କାମ ନିଅ’, ‘ଅର୍ଥାତ୍‌ ଟଙ୍କା ବିନିମୟରେ ସ୍ୱାର୍ଥ ହାସଲ’ (କ୍ୱିଡ୍‌ ପ୍ରୋ କ୍ୱୋ)। ଉଦାହରଣ ସ୍ୱରୂପ, ମେଘା ଇଞ୍ଜିନିଅରିଂ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକଚର୍‌ ନାମକ କମ୍ପାନି ଏପ୍ରିଲ ୨୦୨୩ରେ ୧୧୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କ୍ରୟ କରିବା ପରେ ଅକ୍‌ଟୋବର ୨୦୨୩ରେ ସେହି କଂପାନିକୁ ମହାରାଷ୍ଟ୍ରରେ ୧୪,୪୦୦ କୋଟି ଟଙ୍କାର ଏକ ସୁଡ଼ଙ୍ଗ ଖୋଲା ପ୍ରକଳ୍ପର କାମ ମିଳିବା। ସେହିପରି ବଣ୍ଡ୍ କ୍ରୟ କରିଥିବା କଂପାନିଗୁଡ଼ିକର ବ୍ୟାବସାୟିକ ଫାଇଦା ଲାଗି ବିଭିନ୍ନ ସରକାରୀ ନୀତି (ଟେଲିକମ୍‌ ଓ ଏନ୍‌ବିଏଫ୍‌ସି)କୁ ବଦଳାଇବାର ପ୍ରୟାସ କରାଯାଇଥିବାର ଅଭିଯୋଗମାନ ହେଉଛି। ଦ୍ୱିତୀୟ ପ୍ରକାର ଦୁର୍ନୀତି ହେଲା ‘ବଟି ଅସୁଲି’ ବା ‘ଏକ୍‌ସଟୋର୍ସନ’। ଅନେକ କମ୍ପାନିଙ୍କ ଉପରେ ଇ.ଡି., ସି.ବି.ଆଇ. ଆୟକର ବିଭାଗର ଚଢ଼ଉ ପରେ ସେମାନେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେଇଛନ୍ତି ଓ ପରେ ପରେ ତଦନ୍ତକୁ କୋହଳ ବା ବନ୍ଦ କରି ଦିଆଯାଇଥିବାର ଅଭିଯୋଗ ହେଉଛି। ତୃତୀୟତଃ, ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ‘ଅର୍ଥ ଚାଲାଣ’ (ମନି ଲଣ୍ଡରିଙ୍ଗ୍) ଭଳି ଅପରାଧମାନ ସଂଘଟିତ ହୋଇଥିବାର ଆରୋପ ଲାଗିଥାଏ। ଏପରିକି ୭ ବର୍ଷ ଧରି କ୍ଷତିରେ ଚାଲୁଥିବା ବା କୌଣସି ଲାଭ କରି ନଥିବା ୩୩ଟି କମ୍ପାନି ୫୭୬ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛନ୍ତି। ଏହି କମ୍ପାନିଗୁଡ଼ିକର ସମୁଦାୟ କ୍ଷତିର ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଓ ଏଥିରୁ ୧୬ଟି କମ୍ପାନି ଟିକସ ଆକାରରେ ଟଙ୍କାଟିଏ ଦେଇ ନାହାନ୍ତି। ତେଣୁ ପ୍ରଶ୍ନ ଉଠେ ଯେ ଏଭଳି ବିପୁଳ ପରିମାଣର ଅର୍ଥ ଦେଇ ସେଇ କଂପାନିଗୁଡ଼ିକ ବଣ୍ଡ୍‌ କ୍ରୟ କଲେ କେମିତି? ଜଣାଯାଏ ଯେ କିଛି ବଡ଼ ବଡ଼ କମ୍ପାନି ବିଭିନ୍ନ ‘ସେଲ୍ କମ୍ପାନି’ ବା ନକଲି କଂପାନି ଜରିଆରେ ଅର୍ଥ ଦେଇଛନ୍ତି, ଯାହା ଅର୍ଥ ଚାଲାଣ ବା ମନି ଲଣ୍ଡରିିଙ୍ଗ ଅପରାଧକୁ ଜନ୍ମ ଦେଇଥିବ। ଆଦାନୀ ଓ ଆମ୍ୱାନୀଙ୍କ ଭଳି ଉଦ୍ୟୋଗପତି ତଥା ସରକାରଙ୍କ ଅଧିକାଂଶ ପ୍ରକଳ୍ପରେ ଅଂଶୀଦାର ଥିବା କିଛି ବଡ଼ ବଡ଼ କମ୍ପାନି ନିର୍ବାଚନୀ ବଣ୍ଡ୍ ଯୋଜନାରେ ଆଦୌ ଅଂଶଗ୍ରହଣ ନ କରିବା ଏଭଳି ସନ୍ଦେହକୁ ଦ୍ୱିଗୁଣିତ କରୁଛି।
ଚାନ୍ଦା ମାଧ୍ୟମରେ ‘କୃତଜ୍ଞତା ପ୍ରଦର୍ଶନ’ ମଧ୍ୟ ଦୁର୍ନୀତିର ଏକ ରୂପ ହୋଇପାରେ। କୋଭିସିଲ୍‌ଡ ଟିକାର ନିର୍ମାଣକାରୀ କଂପାନି ‘ସେରମ୍‌ ଇନଷ୍ଟିଚ୍ୟୁଟ୍‌’ର ସ୍ବତ୍ତ୍ବାଧିକାରୀ ସାଇରସ୍ ପୁନାୱାଲାଙ୍କୁ ୨୦୨୨ ମସିହାରେ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯିବା ପରେ ସେ ବିଜେପିକୁ ୫୦.୨୫ କୋଟି ଟଙ୍କାର ଚାନ୍ଦା ପ୍ରଦାନ କରିଥିଲେ। ଏହା କୃତଜ୍ଞତା ଜ୍ଞାପନର ନିଦର୍ଶନ। ଅବଶ୍ୟ ଏହି ଚାନ୍ଦା ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଦିଆ ନ ଯାଇ ‘ପ୍ରୁଡେନସିଆଲ ଇଲେକ୍ଟୋରାଲ ଟ୍ରଷ୍ଟ’ (ନିର୍ବାଚନୀ ନ୍ୟାସ) ମାଧ୍ୟମରେ ଦିଆଯାଇଛି, ଯହିଁରେ ଚାନ୍ଦାଦାତାଙ୍କ ନାମ ଗୋପନୀୟ ରହି ନ ଥାଏ। ତେବେ ନିର୍ବାଚନୀ ବଣ୍ଡ୍ କ୍ରୟ କରି ମଧ୍ୟ କୃତଜ୍ଞତା ପ୍ରଦର୍ଶନ କରାଯାଇଥାଇପାରେ।
ଏତଦ୍‌ଭିନ୍ନ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଆଦାୟକୁ ନିର୍ବିଘ୍ନ କରିବା ଲାଗି କେଉଁଠି ଆଇନର ଉଲ୍ଲଂଘନକୁ ପ୍ରଶ୍ରୟ ଦିଆଯାଇଛି ତ କେଉଁଠି ନିୟନ୍ତ୍ରକ ଆଇନକାନୁନର କଡ଼ାକଡ଼ି ଅନୁପାଳନ କରାଯାଇନାହିଁ। ୨୦୧୮ ମସିହାରେ ପଞ୍ଜୀକୃତ ଅନ୍ୟୂନ ୪୩ଟି କମ୍ପାନି ପଞ୍ଜୀକରଣର ଅଳ୍ପ ଦିନ ମଧ୍ୟରେ ୩୮୪.୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛନ୍ତି। ଭାରତୀୟ କମ୍ପାନି ଆଇନ, ୨୦୧୩ର ଧାରା ୧୮୨(୧) ଅନୁଯାୟୀ ପଞ୍ଜୀକରଣର ୩ ବର୍ଷ ନ ପୂରିବା ଯାଏ କୌଣସି କମ୍ପାନି ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେ ନାହିଁ। ଦେଶରେ ଅନ୍ୟୂନ ୩୫ଟି ଔଷଧ କମ୍ପାନି ଓ କର୍ପୋରେଟ୍‌ ହସ୍‌ପିଟାଲ୍‌ ୯୪୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିବା ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି। ଏଥି ମଧ୍ୟରୁ ୨୨ଟି କମ୍ପାନି ସେମାନଙ୍କ ଔଷଧ ଉତ୍ପାଦନ କାରଖାନା ଥିବା ରାଜ୍ୟରେ ସମ୍ପୃକ୍ତ ଶାସକ ଦଳଗୁଡ଼ିକୁ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେଇଥିବା ବିଷୟ ଜଣାପଡୁଛି। ଉଲ୍ଲେଖଯୋଗ୍ୟ ଯେ କମ୍ପାନି ବିରୋଧରେ ନିମ୍ନ ମାନର ଔଷଧ ବା ଅନ୍ୟ କୌଣସି ଆଇନ ଉଲ୍ଲଂଘନର ଅଭିଯୋଗ ହେଲେ କାରଖାନା ଥିବା ରାଜ୍ୟର ସରକାର ସେମାନଙ୍କୁ ଦଣ୍ଡିତ କରିପାରନ୍ତି। କୋଭିଡ୍‌ ସମୟରେ ଅତି ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଗୁଜରାଟସ୍ଥିତ ‘ଜାଇଡସ୍‌ ହେଲଥ୍‌କେୟାର୍‌’ ଦ୍ୱାରା ପ୍ରସ୍ତୁତ ‘ରେମ୍‌ଡେସିଭିର୍‌’ର ଗୋଟିଏ ବ୍ୟାଚ୍ ଔଷଧ ବିହାର ଡ୍ରଗସ୍ କଣ୍ଟ୍ରୋଲରଙ୍କ ଦ୍ୱାରା ନିମ୍ନ ମାନର ବୋଲି ଅଭିଯୋଗ ହୋଇଥିଲେ ବି ଗୁଜରାଟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନଥିଲା। କିଛି ନିମ୍ନ ମାନର ଔଷଧ ସମ୍ପର୍କରେ ଡ୍ରଗସ୍ କଣ୍ଟ୍ରୋଲରଙ୍କ ଠାରୁ ପ୍ରତିକୂଳ ରିପୋର୍ଟ ମିଳିବା ପରେ କିଛି କମ୍ପାନି ନିର୍ବାଚନୀ ବଣ୍ଡ୍ କିଣି ଥିବାର ଅଭିଯୋଗ ହେଉଛି। ଔଷଧର ଗୁଣମାନ ନେଇ ଏଭଳି ଅଭିସନ୍ଧିମୂଳକ ବୁଝାମଣା ଗର୍ହିତ ନିଶ୍ଚୟ। ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଦୁଇଟି ଜାତୀୟ ରାଜନୈତିକ ଦଳ- ବହୁଜନ ସମାଜ ପାର୍ଟି ଓ ଏନ୍‌ପିପି, କୌଣସି ଚାନ୍ଦା ମିଳି ନ ଥିବା ବେଳେ ସ୍କିମକୁ ବିରୋଧ କରି ସିପିଆଇ, ସିପିଏମ୍‌, ଫରୱାର୍ଡ ବ୍ଲକ୍‌ ଓ ସିପିଆଇଏମ୍‌ଏଲ୍ ଭଳି ବାମପନ୍ଥୀ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ କୌଣସି ଚାନ୍ଦା ଗ୍ରହଣ କରିନାହାନ୍ତି। ତେବେ ଆଇନ ପ୍ରଣୟନ ପରେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଗ୍ରହଣ ବୈଧ ହୋଇଥିବାରୁ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଗ୍ରହଣ ଦୋଷାବହ ହୋଇ ନ ପାରେ। ତେଣୁ ସମୁଦାୟ ନିର୍ବାଚନୀ ବଣ୍ଡ୍‌କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ। କୌଣସି ପ୍ରତ୍ୟାଶା ନ ରଖି ରାଜନୈତିକ ଦଳ ପ୍ରତି ସମର୍ଥନ କାରଣରୁ ବ୍ୟକ୍ତିବିଶେଷ ବା କମ୍ପାନିଙ୍କ ଦ୍ୱାରା ଦିଆଯାଇଥିବା ଚାନ୍ଦା ଓ ନିର୍ଦ୍ଦିଷ୍ଟ ସ୍ୱାର୍ଥ ହାସଲ ଲାଗି ଦିଆଯାଇଥିବା ଚାନ୍ଦା, ଯାହା ପ୍ରକାରାନ୍ତରେ ଉତ୍କୋଚ ସୁଲଭ ଭ୍ରଷ୍ଟାଚାର ପର୍ଯ୍ୟାୟବାଚୀ ବୋଲି କୁହାଯାଇପାରେ।
ଇତିମଧ୍ୟରେ, କିଛି ଦଳ ସେମାନଙ୍କୁ ମିଳିଥିବା ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ତଥ୍ୟ ନିର୍ବାଚନ କମିସନରଙ୍କୁ ଦେଇ ସାରିଲେଣି। ତଦନୁଯାୟୀ ଗତ ୬ ବର୍ଷ ମଧ୍ୟରେ ବିଜେଡି ୯୪୪.୫୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ପାଇଥିବାର ସୂଚନା ମିଳୁଛି। ଅନ୍ୟ ପକ୍ଷରେ ସିଂହଭାଗ ଚାନ୍ଦା ପାଇଥିବା ବିଜେପି, କଂଗ୍ରେସ ଓ ଟିଏମ୍‌ସି ଭଳି ଦଳ ନିର୍ବାଚନ କମିସନରଙ୍କୁ ସେ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରି ନାହାନ୍ତି। କିନ୍ତୁ ବଣ୍ଡ୍ କ୍ରୟ ପଛରେ ଥିବା ଦୁର୍ନୀତିର କାହାଣୀ ଉନ୍ମୋଚିତ ହେବା ଜରୁରୀ। ଏହି କାମଟିକୁ କେବଳ ସୁପ୍ରିମ୍‌ କୋର୍ଟଙ୍କ ନିୟନ୍ତ୍ରିତ ଏକ ସ୍ୱତନ୍ତ୍ର ଏସ୍‌.ଆଇ.ଟି. ଦ୍ୱାରା ହିଁ ନିରପେକ୍ଷ ଭାବେ କରାଯାଇପାରିବ। ଏଥିପାଇଁ ବିଭିନ୍ନ ସଂଗଠନ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହେଲେଣି। ବିଳମ୍ୱରେ ହେଲେ ବି ନିର୍ବାଚନୀ ବଣ୍ଡ୍ ସଂଲଗ୍ନ ସମସ୍ତ ଅନୀତି ଓ ଦୁର୍ନୀତି ଉନ୍ମୋଚିତ ହେଉ।
ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର