ପ୍ରୀତୀଶ ଆଚାର୍ଯ୍ୟ

ଇଷ୍ଟ ଇଣ୍ଡିଆ କମ୍ପାନି ପଲାସୀ ଯୁଦ୍ଧ (୧୭୫୭)ର ସଫଳତା ପରେ ଭାରତରେ ସାମ୍ରାଜ୍ୟ ବିସ୍ତାର ଲାଗି ଦୀର୍ଘ ଯୋଜନା କଲା। ଏଥିପାଇଁ ତାକୁ ଖୁବ୍ ସାହାଯ୍ୟ କଲା ଭାରତରେ ଜାତୀୟତା ଭାବର ଅଭାବ। ରାଜା-ମହାରାଜାମାନେ ଇଂରେଜଙ୍କ ପ୍ରରୋଚନାରେ ପରସ୍ପର ବିରୋଧରେ ଯୁଦ୍ଧ କରୁଥିଲେ। ଇଂରେଜମାନଙ୍କୁ ତା’ର ଲାଭ ମିଳୁଥିଲା। ଏହାର ଏକ ବ୍ୟତିକ୍ରମ ଥିଲେ ମହୀଶୂରର ରାଜା ଟିପୁ ସୁଲତାନ (୧୭୫୧-୧୭୯୯)। ସେ ନିଜ ପିତା ହାଇଦର ଅଲୀଙ୍କ ଭଳି କେବେ ଇଂରେଜର ବଶ୍ୟତା ସ୍ୱୀକାର କରି ନ ଥିଲେ ଓ ‘କମ୍ପାନି’ର ପଦାନତ ହେଉଥିବା ପଡ଼ୋଶୀ ରାଜାମାନଙ୍କୁ ଇଙ୍ଗିତ କରି କହୁଥିଲେ, ‘ମୁଁ ମେଣ୍ଢା ହୋଇ ଆଜୀବନ ବଞ୍ଚିବା ଅପେକ୍ଷା ଦିନଟିଏ ସିଂହ ଭାବରେ ବଞ୍ଚିବାକୁ ଅଧିକ ପସନ୍ଦ କରେ।’ ୧୭୯୬ରେ ହାଇଦ୍ରାବାଦର ନିଜାମଙ୍କୁ ଟିପୁ ଲେଖିଥିଲେ, ‘ତୁମେ କ’ଣ ଇଂରେଜର ନୀତିକୁ ବୁଝିପାରୁନ? ଟିକିଏ ଟିକିଏ କରି କାୟା ବିସ୍ତାର କରି ସେମାନେ ସବୁ ମାଡ଼ି ବସିବେ।’ ଏହାର ଅର୍ଥ, ଭାରତୀୟମାନେ ପରସ୍ପର ବିରୋଧରେ ମାତିବାରେ ଅଯଥା ଶକ୍ତି ଅପଚୟ ନ କରି ଏକଜୁଟ ହୋଇ ଇଂରେଜକୁ ଭାରତରୁ ବିତାଡ଼ିତ କରିବା କଥା। ବିଶ୍ୱ ରାଜନୀତି ଓ ଇଂରେଜ ସାମ୍ରାଜ୍ୟବାଦର ବିସ୍ତାର ସମ୍ବନ୍ଧରେ ଟିପୁ ବେଶ୍ କିଛି ଅବଗତ ଥିଲେ, କାରଣ ସେ ଖୁବ୍ ଶିକ୍ଷିତ ଥିଲେ, ଯାହାର ପ୍ରମାଣ ମିଳେ ତାଙ୍କ ବ୍ୟକ୍ତିଗତ ଲାଇବ୍ରେରିରେ ଥିବା ପ୍ରାୟ ୨୦୦୦ ସରିକି ପୁସ୍ତକରୁ। ଫରାସୀ ବିଶେଷଜ୍ଞଙ୍କ ସହାୟତାରେ ସେ ନିଜ ରାଜ୍ୟରେ ଆଧୁନିକ ଶିଳ୍ପ ଉଦ୍ୟୋଗର ବିକାଶ ପାଇଁ ନୂଆ ନୂଆ ପ୍ରୟୋଗ କରୁଥିଲେ; ଦକ୍ଷିଣ ଚୀନରୁ ରେଶମ କୀଟ ଆମଦାନି କରି ସେ ମହୀଶୂରରେ ରେଶମ ଚାଷ ଓ ଉତ୍ପାଦନ ଆରମ୍ଭ କରିଥିଲେ, ଯାହା ଆଜି ମଧ୍ୟ କର୍ଣ୍ଣାଟକର ଗୌରବ ବଢ଼ାଏ। 
ସେତେବେଳେ, ୧୭୮୯ର ଫରାସୀ ବିପ୍ଳବ ଏବଂ ତା’ ପରେ ପରେ (୧୭୯୬ରୁ ୧୮୧୫) ଫ୍ରାନ୍‌ସରେ ନେପୋଲିଅନଙ୍କ ଅଭ୍ୟୁଦୟ ସମଗ୍ର ୟୁରୋପରେ ଏବଂ ବିଶେଷ କରି ଇଂଲାଣ୍ଡରେ ଘୋର ଭୟ ସୃଷ୍ଟି କରିଥିଲା। ମୂଳତଃ ସାମନ୍ତବାଦ-ବିରୋଧୀ ଫରାସୀ ବିପ୍ଳବ କାଳେ ୟୁରୋପର ଅନ୍ୟ ଦେଶକୁ ସଂକ୍ରମିତ ହେବ- ଏହି ଆଶଙ୍କାରେ ସମସ୍ତ ରାଜତନ୍ତ୍ର ଆତଙ୍କିତ ଥିଲେ। ୧୭୯୮ରେ ନେପୋଲିଅନ ଇଜିପ୍‌ଟ ଆକ୍ରମଣ କଲେ ଏବଂ ସେହି ମାର୍ଫତ୍‌ରେ ଇଂରେଜ ପ୍ରଭାବାଧୀନ ଭାରତ ଭୂଖଣ୍ଡକୁ କବ୍‌ଜା କରିବାକୁ ଯୋଜନା କଲେ। ଅବଶ୍ୟ ଏହା ସଫଳ ହୋଇ ନ ଥିଲା। ହେଲେ, ସେହି ସ୍ଥିତିରେ ଭାରତରେ ଫରାସୀ ଶକ୍ତି ଓ ନେପୋଲିଅନଙ୍କ ସମ୍ଭାବିତ ସହଯୋଗୀ ଥିଲେ ଟିପୁ ସୁଲତାନ। ଫରାସୀ ବିପ୍ଳବର ଘୋର ସମର୍ଥକ ଥିଲେ ଟିପୁ; ସେ ବିପ୍ଳବର ସମର୍ଥନରେ ମହୀଶୂରରେ ଏକ ‘ଲିବେର୍ଟି ଟ୍ରି’ (‘ସ୍ୱତନ୍ତ୍ରତା ବୃକ୍ଷ’)ର ରୋପଣ କରିଥିଲେ ଏବଂ ଫରାସୀ ସାଧାରଣତନ୍ତ୍ରର ପ୍ରଭାବରେ ନିଜକୁ ‘ନାଗରିକ ଟିପୁ’ ବୋଲି ଘୋଷଣା କରିଥିଲେ; ଫରାସୀ କମାଣ୍ଡରଙ୍କ ପ୍ରଶିକ୍ଷଣରେ ମହୀଶୂର ସେନାକୁ ତାଲିମ ଦେଇଥିଲେ ଏବଂ ନିଜ ସେନାରେ ‘ଫ୍ଲିଣ୍ଟ ଲକ’ ପରି ଏକ ଉନ୍ନତ ଧରଣର ବନ୍ଧୁକର ଉତ୍ପାଦନ ଆରମ୍ଭ କରିଥିଲେ; ମହୀଶୂର ସେନାରେ ତା’ର ପ୍ରୟୋଗ ଇଂରେଜ ସେନାକୁ ଚକିତ କରି ଦେଇଥିଲା। ବାଣିଜ୍ୟ କାରବାରରେ ମଧ୍ୟ ସେ ଅନେକ ଆଧୁନିକ ପ୍ରୟୋଗ କରିଥିଲେ। ଟିପୁଙ୍କ ସହାୟତାରେ ଫରାସୀ ଶକ୍ତି ଓ ନେପୋଲିଅନ ଖୁବ୍ ଶୀଘ୍ର ଇଂଲାଣ୍ଡକୁ ଭାରତରୁ ବିତାଡ଼ିତ କରିଦେବାର ଆଶଙ୍କାରେ ଇଂରେଜ ଶକ୍ତି ପ୍ରମାଦ ଗଣୁଥିଲେ। 
ସେତେବେଳେ ‘କମ୍ପାନି’ର ‘ବୋର୍ଡ ଅଫ କଣ୍ଟ୍ରୋଲ’ର ଅଧ୍ୟକ୍ଷ ଥିଲେ ହେନେରି ଡୁଣ୍ଡା, ଯିଏ ଇଂଲାଣ୍ଡର ଯୁଦ୍ଧମନ୍ତ୍ରୀ ଭାବେ ଭାରତ ସମେତ ସର୍ବତ୍ର ଫ୍ରାନ୍‌ସର ସାମରିକ ଅଭିଯାନକୁ ପ୍ରତିହତ କରିବାକୁ ସଂକଳ୍ପବଦ୍ଧ ଥିଲେ। ସେ ୧୭୯୮ରେ ରିଚାର୍ଡ ୱେଲେସଲିଙ୍କୁ ଭାରତର ବଡ଼ଲାଟ ରୂପେ ନିଯୁକ୍ତ କଲାବେଳେ ତାଙ୍କ ଠାରୁ ପ୍ରତିଶ୍ରୁତି ଆଣିଥିଲେ ଯେ ଯେ କୌଣସି ମତେ ଟିପୁଙ୍କୁ ଯୁଦ୍ଧରେ ପରାଜିତ କରି ମହୀଶୂରକୁ କବ୍‌ଜା କରିବାକୁ ହେବ। ମାତ୍ର ଯୁଦ୍ଧରେ ଟିପୁଙ୍କ ହତ୍ୟା ଓ ମହୀଶୂର ଉପରେ ଅଧିକାର ଦ୍ୱାରା ୟୁରୋପର ବୌଦ୍ଧିକ ମହଲରେ ‘କମ୍ପାନି’ ଅପନିନ୍ଦିତ ହେବା ଓ ‘କଂପ‌ାନି’ ମୁହଁରୁ ଛଦ୍ମ ଗଣତାନ୍ତ୍ରିକତାର ମୁଖା ଖୋଲିଯିବାର ଭୟରେ ଇଂରେଜମାନେ ସୁଚିନ୍ତିତ ଭାବେ ଜୀବିତ ଓ ସହିଦ ଟିପୁଙ୍କୁ ଜଣେ କ୍ରୂର ଖଳନାୟକ ଓ ମାନବତା-ଦ୍ରୋହୀ ରୂପେ ସାବ୍ୟସ୍ତ କରିବାକୁ ଚାହିଁଲେ। ସେଥିପାଇଁ, ୧୭୯୯ରେ ଚତୁର୍ଥ ମହୀଶୂର ଯୁଦ୍ଧରେ ଜଣେ ସୈନିକ ଭଳି ସହିଦ ହୋଇଥିବା ଟିପୁଙ୍କୁ ଇଂଲାଣ୍ଡର ବୌଦ୍ଧିକ ବିମର୍ଶରେ ‘ବୀର’ ବଦଳରେ ‘ଖଳନାୟକ’ ରୂପରେ ଚିତ୍ରିତ କରାଗଲା। ଟିପୁ ଯେତେବେଳେ କମ୍ପାନି ବିରୋଧରେ ଯୁଦ୍ଧ କରୁଥିଲେ, ସେହି ସମୟରେ ହାଇଦ୍ରାବାଦର ନିଜାମ ଓ ମରାଠାମାନେ ମହୀଶୂର ଉପରେ ଆକ୍ରମଣ କରି ପ୍ରକାରାନ୍ତରେ ଇଂରେଜର ସହଯୋଗ କରିଥିଲେ; କେବଳ ସେତିକି ନୁହେଁ, ଟିପୁଙ୍କ ନିଜ ସେନାପତିମାନେ ମଧ୍ୟ କୃତଘ୍ନତା କରି ଅସ୍ତ୍ରତ୍ୟାଗ କଲେ ବା ଶତ୍ରୁପକ୍ଷରେ ଯୋଗ ଦେଲେ। ଏହା ଟିପୁଙ୍କ ବିପର୍ଯ୍ୟୟର କାରଣ ହେଲା। ଟିପୁଙ୍କ ସେନାରେ ଥିଲେ ମାତ୍ର ୩୦,୦୦୦ ସୈନିକ; କମ୍ପାନି ପାଖରେ ଥିଲେ ୬୦,୦୦୦ରୁ ଅଧିକ ସୈନିକ, ଯହିଁରୁ ମାତ୍ର ୬୦୦୦ ୟୁରୋପୀୟ ସୈନିକଙ୍କୁ ବାଦ ଦେଲେ ବାକି ସମସ୍ତେ ଥିଲେ ଭାରତୀୟ। ଏହା ଥିଲା ଏକ ବିଡ଼ମ୍ବନା, ଯାହା ଭାରତୀୟଙ୍କ ମଧ୍ୟରେ ଜାତୀୟତାବୋଧର ତୀବ୍ର ଅଭାବକୁ ଦର୍ଶାଏ। 
ଇତିହାସରେ ଟିପୁଙ୍କ ବିରୁଦ୍ଧରେ ବଡ଼ ଅଭିଯୋଗ ଯେ ସେ ଥିଲେ ଘୋର ହିନ୍ଦୁ ବିରୋଧୀ! କିନ୍ତୁ, ତାଙ୍କ ପ୍ରଶାସନିକ ସେବାରେ ଅନେକ ହିନ୍ଦୁ ଅଧିକାରୀ ନିଯୁକ୍ତ ଥିଲେ; କୋଷାଧ୍ୟକ୍ଷ ଥିଲେ କୃଷ୍ଣା ରାଓ, ପୁଲିସ ଓ ଡାକ ବିଭାଗ ମୁଖ୍ୟ ଥିଲେ ଶମିୟା ଆୟାଙ୍ଗାର। ଶ୍ରୀଙ୍ଗେରି ଶଙ୍କରାଚାର୍ଯ୍ୟ ମଠ ଓ ମହୀଶୂର ରାଜ୍ୟ ଭିତରେ ଥିବା ଅନେକ ମନ୍ଦିରକୁ ସେ ସୁନା, ରୁପା ଓ ଜମି ଦାନ କରିଥିବା କଥା ‘ମହୀଶୂର ଗେଜେଟ’ରେ ଉଲ୍ଲେଖ ରହିଛି। ୧୯୧୬ରେ ମିଳିଥିବା ଏକ ଦସ୍ତାବିଜରୁ ଜଣାଯାଏ ଯେ ମଠ ପାଇଁ ଦାନ ଓ ମଠର ରକ୍ଷଣାବେକ୍ଷଣ ସମ୍ବନ୍ଧରେ ଟିପୁ ଓ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ନିୟମିତ ପତ୍ର ବିନିମୟ ହେଉଥିଲା। ୧୭୯୧ରେ ମରାଠାମାନେ ମହୀଶୂର ଆକ୍ରମଣ କରି ସେଠାକାର ମନ୍ଦିର ଧ୍ୱଂସ କଲେ; ପୂଜକମାନଙ୍କୁ ହତ୍ୟା କଲେ। ମନ୍ଦିରର ମରାମତି କଲା ପରେ ଟିପୁ କହିଥିଲେ, ‘ଏକ ଧର୍ମସ୍ଥଳୀକୁ ଧ୍ୱଂସ କରିଥିବା ପାପର ପରିଣାମ ସେମାନେ ନିଶ୍ଚୟ ଭୋଗିବେ।’ ଏକଥା ମଧ୍ୟ ସତ ଯେ ଟିପୁ ଯୁଦ୍ଧ ବେଳେ ଧର୍ମ ନିର୍ବିଶେଷରେ ଶତ୍ରୁ ନିପାତକୁ ସର୍ବଦା ପ୍ରମୁଖତା ଦେଉଥିଲେ। ଫଳରେ, ଶତ୍ରୁ ସୀମା ଅନ୍ତର୍ଗତ ମନ୍ଦିର, ମସଜିଦ ଓ ଚର୍ଚ୍ଚ ଆଦି ଟିପୁ ସେନାର ଲୁଣ୍ଠନ ଓ ଧ୍ୱଂସ ଲୀଳାରୁ ରକ୍ଷା ପାଉ ନ ଥିଲା। କୁର୍ଗର ହିନ୍ଦୁ ‘କୋଡ଼ବା’ ଓ ମାଲାବାରର ‘ନାୟାରମାନଙ୍କ’ ଧର୍ମାନ୍ତରଣରେ, କେରଳର ମୁସଲିମ ‘ମୋପିଲାଙ୍କ’ ନିପାତରେ, ତଥା ମାଙ୍ଗାଲୋରର ଚର୍ଚ୍ଚ ଓ ମନ୍ଦିର ଲୁଣ୍ଠନରେ ଟିପୁଙ୍କ ପ୍ରତ୍ୟକ୍ଷ ଭୂମିକାର ଅନେକ ପ୍ରମାଣ ରହିଛି। ତତ୍‌କାଳୀନ ରାଜନୀତିରେ ଏହା ଅସାମାନ୍ୟ ନଥିଲା; ମରଠା ଆକ୍ରମଣରେ ମଧ୍ୟ ଶତ୍ରୁ ରାଜ୍ୟର ମନ୍ଦିର ଓ ନୀରିହ ହିନ୍ଦୁ ପ୍ରଜା ବର୍ଗ ଲୁଣ୍ଠନ ଓ ହତ୍ୟାର ଶିକାର ହେବାର ଅନେକ ଉଦାହରଣ ରହିଛି। ମରାଠା, ଟିପୁଙ୍କ କଥା ଛାଡ଼, କଳିଙ୍ଗ ଯୁଦ୍ଧ ବେଳେ ସମ୍ରାଟ ଅଶୋକ ମଧ୍ୟ ଏହାର ବ୍ୟତିକ୍ରମ ନ ଥିଲେ।
ଟିପୁଙ୍କୁ ‘ବର୍ବର’ ପ୍ରମାଣିତ କରିବା ଥିଲା ତତ୍‌କାଳୀନ ବ୍ରିଟିସ ‘ପ୍ରେସ୍‌’ର ପ୍ରମୁଖ ଉଦ୍ଦେଶ୍ୟ। ଏଥିପାଇଁ ଧର୍ମକୁ ବାହାନା କରାଗଲା; ଟିପୁଙ୍କ ମୁସଲିମ ‘ମୋପିଲା’ ପ୍ରତି ବୈରୀ ଭାବକୁ ଉହ୍ୟ ରଖାଗଲା। ଟିପୁଙ୍କୁ ‘ବର୍ବର’, ‘ଅସଭ୍ୟ’, ‘ଧର୍ମାନ୍ଧ’ ଭାବରେ ଦର୍ଶାଗଲା। 
‘ଆଜାଦ ହିନ୍ଦ ରେଡିଓ’ (୨୧ ଅକ୍‌ଟୋବର, ୧୯୪୩)ରେ ନେତାଜୀ ସୁଭାଷ ବୋଷ ମଧ୍ୟ ନିଜ ବକ୍ତବ୍ୟରେ ଟିପୁଙ୍କ ବୀରତାକୁ ପ୍ରଶଂସା କରିଥିଲେ। ଆଜି ଟିପୁଙ୍କ ଐତିହାସିକ ମହତ୍ତ୍ବର ନିରୁପଣ ବେଳେ ହେନେରି ଡୁଣ୍ଡା ଓ ରିଚାର୍ଡ ୱେଲେସଲିଙ୍କ ଭଳି ଚରମ ସାମ୍ରାଜ୍ୟବାଦୀଙ୍କ ପ୍ରଦତ୍ତ ଛବିର ପୁନଃ ବିଶ୍ଳେଷଣ ଲୋଡ଼ା। ମହୀଶୂରର ଏହି ସହିଦ ତଥା ଶେଷ ସ୍ୱାଧୀନ ଶାସକଙ୍କ ଐତିହାସିକତାର ବସ୍ତୁନିଷ୍ଠ ମୂଲ୍ୟାଙ୍କନ ସକାଶେ ଏହା ନିତାନ୍ତ ଆବଶ୍ୟକ। 
(ମତାମତ ଲେଖକଙ୍କ ନିଜସ୍ବ)
[email protected]