ପ୍ରୀତୀଶ ଆଚାର୍ଯ୍ୟ
ଅସୁସ୍ଥ ବାପାଙ୍କର ବୟସାଧିକ୍ୟ ଯୋଗୁଁ ନିୟମିତ ଡାକ୍ତରୀ ପରାମର୍ଶ ଏକ ଆବଶ୍ୟକତା, କିନ୍ତୁ ଡାକ୍ତର ପାଖରୁ ଯିବା ତାଙ୍କ ପାଇଁ କଷ୍ଟ। ଅନେକ ପ୍ରୟାସ ପରେ ଜଣେ ଡାକ୍ତର ଦେଢ଼-ଦୁଇ ମାସରେ ଥରେ ଆମ ବସାକୁ ଆସିବାକୁ ରାଜି ହେଲେ। ଡାକ୍ତରଙ୍କ ପରାମର୍ଶ ବ୍ୟାବହାରିକ; କଥାବାର୍ତ୍ତା ସନ୍ତୋଷଜନକ; ‘ଫିଜ୍’ ମଧ୍ୟ ଅଧିକ ନୁହେଁ। ଦେଖୁଁ ଦେଖୁଁ ଡାକ୍ତର ବାବୁ ଆମ ପରିବାରରେ ‘ନମସ୍ୟ’ ହୋଇଗଲେ। ମା’ କହିଲା, ‘ଡାକ୍ତର ହୋଇ ସୁଦ୍ଧା ସେ କିଛି ସମୟ ବସି ସୁଖଦୁଃଖ ହୁଅନ୍ତି।’ ପତ୍ନୀ କହିଲେ, ‘ଚା’ ଯାଚିଲେ ମନା କରନ୍ତି ନାହିଁ।’ ବାପାଙ୍କ ମତ, ‘ତାଙ୍କ କଥାରେ ଚିଡ଼ିଚିଡ଼ା ଭାବ ନ ଥାଏ।’ ମୁଁ ଯୋଡ଼ିଲି, ‘ଫୋନ୍ ଉଠେଇ ନ ପାରିଲେ, ପରେ ଫୋନ୍ କରନ୍ତି।’ ମୋଟ ନିଷ୍କର୍ଷ ହେଲା ଡାକ୍ତର ବାବୁ ‘ଦେବୋପମ’! ଅଳ୍ପ ଦିନ ପରେ ଡାକ୍ତର ବାବୁ ପରାମର୍ଶ ଦେଲେ ଯେ ତାଙ୍କର ଜଣେ ପରିଚିତ ଘରକୁ ଆସି ବାପାଙ୍କ ଲାଗି ଭିଟାମିନ ଆଦି ଯୋଗାଇ ଦେବେ। ‘ପରିଚିତ’ ଜଣକ ଅପେକ୍ଷା କରିବା ଲାଗି ଆଉ ସମୟ ଦେଲେନି। ସେହି ସନ୍ଧ୍ୟାରେ ଆମ ବସାରେ ପହଞ୍ଚିଗଲେ। ତାଙ୍କ ପାଖରେ ଭିଟାମିନ ବ୍ୟତୀତ ଏକ ନିର୍ଦ୍ଦିଷ୍ଟ କଂପାନିର ବ୍ରସ୍, ଟୁଥ୍ପେଷ୍ଟ, ସାବୁନ ଆଦି ଅନେକ ସାମଗ୍ରୀ। ଖାସ ‘ଆମ’ ପାଇଁ ‘ରିହାତି’ ପରେ ସୁଦ୍ଧା ପ୍ରତ୍ୟେକଟିର ଦାମ ବଜାର ଦରଠାରୁ ତିନି/ଚାରି ଗୁଣ ଅଧିକ। ସେହି ପ୍ରଥମ ଦେଖାରେ ସାମଗ୍ରୀଗୁଡ଼ିକୁ ବିକ୍ରି କରିବା ପାଇଁ ସେ ଏମିତି ବଜାର କୌଶଳ ପ୍ରୟୋଗ କଲେ ଯେ ଶୀଘ୍ରାତିଶୀଘ୍ର ଆମେ ତାଙ୍କ ଠାରୁ ତ୍ରାହି ଚାହିଁଲୁ। ସେ ଜଣେ କଂପାନି ଏଜେଣ୍ଟ। ଏଣିକି ଆମ ପାରିବାରିକ କଥାବାର୍ତ୍ତାରେ ଉଭୟ ଏଜେଣ୍ଟ ଏବଂ ତାଙ୍କୁ ଆମ ଘରକୁ ପଠେଇଥିବା ଡାକ୍ତର ‘ଖଳନାୟକ’ ରୂପେ ଚିତ୍ରିତ ହେଲେ।
ମୋର ସାନପୁଅ ସେତେବେଳେ ଛ’ କି ସାତ ବର୍ଷର। ବଡ଼ ଲୋକଙ୍କ କଥାବାର୍ତ୍ତାରେ ତା’ର ଭାଗ ନେବାର ବୟସ ନୁହେଁ ବୋଲି ତାକୁ ବି ଜଣା। ଅବୋଧ ଶିଶୁ ଭାବରେ ସବୁ ଘଟଣାର ସେ ନିରବଦ୍ରଷ୍ଟା। ଜେଜେଙ୍କର ଅସୁସ୍ଥତା, ଡାକ୍ତରଙ୍କୁ ଘରକୁ ଆଣିବାର ଆମ ପ୍ରୟାସ, ଆମ ଘରୋଇ ଆଲୋଚନାରେ ଡାକ୍ତର ‘ଦେବୋପମ’ ହେବା ଏବଂ ସମୟାନ୍ତରେ ଏଜେଣ୍ଟଙ୍କ ପ୍ରବେଶ ଉତ୍ତାରୁ ହଠାତ୍ ଆମ କଥାବାର୍ତ୍ତାରେ ସେ ‘ଖଳନାୟକ’ରେ ରୂପାନ୍ତରିତ ହେବାକୁ ସେ ଆମ ଅଗୋଚରରେ ଦେଖୁଛି। ପରିପକ୍ବ ଭଳି ମତ ଦେଲା, ‘ଡାକ୍ତର ବାବୁ ଏହି ଲାଭଖୋର ଏଜେଣ୍ଟକୁ ପଠେଇ ନ ଥିବେ। ନୋହିଲେ, ତାଙ୍କୁ ଜଣା ନ ଥିବ ଯେ ଏଜେଣ୍ଟ ଜଣକ ଏତେ ଲାଭଖୋର। ହୁଏତ ଡାକ୍ତରଙ୍କ ନଁା ନେଇ ଆଉ କେହି ଘରକୁ ପଶି ଅାସିଥିବ!’ ଡାକ୍ତରଙ୍କ ପକ୍ଷ ନେବାର କୌଣସି ସମ୍ଭାବନାକୁ ସେ ହାତଛଡ଼ା କରୁ ନ ଥାଏ। ମିଷ୍ଟଭାଷୀ ଡାକ୍ତର ଓ ଲାଭଖୋର ଏଜେଣ୍ଟ ମଧ୍ୟରେ ସେ ଖୋଜି ଖୋଜି ଗାର ଟାଣୁଥାଏ। ଡାକ୍ତର ଖଳନାୟକ ନ ହେବାରେ ତାକୁ ଶାନ୍ତି!
ଏହା ଏକ ସାମାନ୍ୟ ଘଟଣା। ପରିବାରରେ ଯେମିତି ସାନ ପିଲା, ଅଫିସରେ ସେମିତି ନିମ୍ନ କର୍ମଚାରୀ- ସ୍ବ ସ୍ବ ଉପସ୍ଥିତି ସତ୍ତ୍ବେ ଆଲୋଚନା ଏବଂ ନିଷ୍ପତ୍ତି ବେଳେ ଅଲୋଡ଼ା ଓ ଅବାଂଛିତ ବୋଲି ମନେ କରାଯାଆନ୍ତି। ବୟସ୍କ ଓ ମହିଳାମାନଙ୍କର ମଧ୍ୟ ପ୍ରାୟ ଏକା ସ୍ଥିତି, ଯଦିଓ ନିଷ୍ପତ୍ତିକର୍ତ୍ତାଙ୍କ ଭଳି ସେମାନଙ୍କର ମୋଟ ଘଟଣାରେ ସମସ୍ତରର ସଂପୃକ୍ତି ରହିଥାଏ। ଯୋଗକୁ ଯଦି ସେମାନଙ୍କର ମତ ଭିନ୍ନ, ତେବେ ସେମାନେ ଭର୍ତ୍ସିତ ହେବା ହିଁ ନିୟତି ହୁଏ! ଅନ୍ୟ ପକ୍ଷରେ ଅବାଂଛିତ ବା ଅଲୋଡ଼ା ନ ହେବାର ସାମାନ୍ୟ ଭରସା ପାଇଲେ ବି ତାହା ଆଗକୁ ଆସେ, ପାରିବାରିକ ନିଷ୍ପତ୍ତି ଓ ବିଚାର-ବିମର୍ଶକୁ ଅଧିକ ସମାବେଶୀ ଓ ଗଣତାନ୍ତ୍ରିକ କରେ। ପରିବାର ହେଉଛି ସମାଜର ଏକ କ୍ଷୁଦ୍ରାକୃତି; ସମାଜ ବା ରାଷ୍ଟ୍ର ହେଉଛନ୍ତି କ୍ଷୁଦ୍ରାତିକ୍ଷୁଦ୍ର ପରିବାରର ଏକ ବର୍ଦ୍ଧିତ ସ୍ବରୂପ!
କୋଡ଼ିଏ ବର୍ଷ ତଳର ଏହି ଘଟଣାଟି ମୋର ମନେ ପଡ଼ିଲା ସଂପୂର୍ଣ୍ଣ ଏକ ଭିନ୍ନ ପରିଦୃଶ୍ୟରେ। କିଛି ଦିନ ତଳେ ପିଲା ବେଳର ଜଣେ ଶିକ୍ଷକଙ୍କ ସହ ଦେଖା ହେଲା। ସ୍କୁଲ ଛାଡ଼ିବା ପରେ ଚାରି ଦଶନ୍ଧି ବିତି ଯାଇଥିଲା ଏବଂ ତା’ ପରେ ଏହା ପ୍ରଥମ ଦେଖା। ଅନେକ ବର୍ଷ ତଳେ ଅବସର ନେଇ ସେ ଏବେ ସହରରେ ପୁଅ-ବୋହୂଙ୍କ ଘରେ ରହନ୍ତି। ସ୍କୁଲରେ ସେ ଥିଲେ ଆଦର୍ଶସ୍ତରୀୟ। ପାଠପଢ଼ା, ପିଲାଙ୍କୁ ଭଲ ପାଇବା, ନିୟମିତତା- କୌଣସିଥିରେ ସେ ଊଣା ନ ଥିଲେ। ଭେଟ ହେଲା ପରେ ଫୋନ୍ ନମ୍ବରର ଆଦାନପ୍ରଦାନ ହେଲା। ତା’ ପରେ ଯାହା ସାଧାରଣତଃ ହୁଏ, ସେମିତି ଆମ ଦୁହିଁଙ୍କ ସଂପର୍କ ଦୀର୍ଘ ଅନ୍ତରାଳ ପରେ ପୁନର୍ଗଠିତ ହୋଇ ‘ହ୍ବାଟ୍ସଆପ୍’ ସ୍ତରରେ ରହିଲା। ‘ସାର୍’ ପ୍ରତିଦିନ ଠିକ୍ ସକାଳ ଛ’ଟାରେ ‘ଶୁଭ ସକାଳ’ ମେସେଜ ପଠାନ୍ତି। ପ୍ରାପ୍ତତଃ ‘ଗୁଡ୍ମର୍ଣ୍ଣିଂ’ ମେସେଜର ଉତ୍ତର ଦେବାରେ ମୁଁ କୁଣ୍ଠିତ, ମାତ୍ର ‘ସାର୍’ଙ୍କ ନିମନ୍ତେ ନିୟମ ଭାଙ୍ଗିବାକୁ ପଡ଼େ। ଅଳ୍ପ ଦିନ ତଳେ ହଠାତ୍ ଦେଖିଲି, ‘ସାର୍’ଙ୍କ ‘ହ୍ବାଟ୍ସଆପ୍’ରୁ ଆସିଛି ସୁଦୀର୍ଘ ‘ଫର୍ୱାର୍ଡ’ର ମେସେଜଟିଏ। ତଳେ ତାଙ୍କର କୌଣସି ‘କମେଣ୍ଟ’ ନାହିଁ। ପ୍ରେରକ ପକ୍ଷରୁ ଦୁଇ ପଦ ଲେଖା ନ ଥିଲେ, ଫର୍ୱାର୍ଡର ମେସେଜ ମୋ ପାଇଁ, ‘ଶୁଭ ସକାଳ’ ମେସେଜ ଭଳି, ଅରୋମାଂଚକ। ମାତ୍ର ଏଥର ମଧ୍ୟ ନିୟମ ଭାଙ୍ଗି ତାକୁ ପଢ଼ିଲି; ବିଭିନ୍ନ ତର୍କ ଦେଇ ତହିଁରେ କେବଳ ଏକ ଧାର୍ମିକ ସମୁଦାୟ ପ୍ରତି ଘୃଣା ରହିଛି; ଧର୍ମ ରକ୍ଷା ପାଇଁ ଦୁଇ ଧର୍ମ ମଧ୍ୟରେ ଦ୍ବେଷ ଓ ବିତ୍ପାତକୁ ବିକଳ୍ପ ବୋଲି ଦର୍ଶାଯାଇଛି। ଏହା ପରେ ବି ସେହି ଧରଣର ଦୁଇ ଚାରିଟି ‘ମେସେଜ’ ତାଙ୍କ ପଟୁ ଫର୍ୱାର୍ଡ ହୋଇ ଆସିଲା। ପ୍ରତ୍ୟେକଟି କେବଳ ଘୃଣାର ବାହକ।
ମେସେଜଗୁଡ଼ିକର ସାରମର୍ମ ଯେତେ ମାତ୍ରାରେ ଘୃଣା ସୃଷ୍ଟିକାରୀ, ତହିଁରୁ ଅଧିକ ଅଯୌକ୍ତିକ, ଅମାନବୀୟ। ଧର୍ମ ରକ୍ଷା ନଁାରେ ଏକ ସମୂହର ବିଲୁପ୍ତି ସେ ସବୁର କାମ୍ୟ। ଏବେ ଖୋଜି ଖୋଜି ଆଦର୍ଶସ୍ତରୀୟ ସାର୍ଙ୍କର ପକ୍ଷରେ ଯୁକ୍ତି ସାଉଁଟିଲି- ସାର୍ ଏସବୁ ପଠାଉ ନ ଥିବେ; ତାଙ୍କ ଫୋନ୍ରୁ ତାଙ୍କ ଅଜାଣତରେ ଆଉ କିଏ ସେସବୁ ପଠାଇ ଥାଇପାରେ; ହୁଏତ ମେସେଜରେ ଆଉ ଦଶ/ପଚାଶ ଜଣ ବନ୍ଧୁଙ୍କୁ ଫର୍ୱାର୍ଡ ପାଇଁ ନିର୍ଦ୍ଦେଶ ରହିଥିବାରୁ ସେ କେବଳ ନିୟମ ମାନି ତାକୁ ଫର୍ୱାର୍ଡ କରୁଥିବେ; ଜଣେ ନୀତିନିଷ୍ଠ ଶିକ୍ଷକ, ଯାହାଙ୍କ ଧର୍ମ ମାନବତା, ସେ ବା ଘୃଣାର ସଂଚରଣରେ ଭାଗ ନେବେ କେମିତି? ନିଜକୁ ନିଜେ ଦେଉଥିବା ଏହି ସବୁ ଯୁକ୍ତି ଅନ୍ତତଃ ମୋ ନଜରରେ ସାର୍ଙ୍କୁ ଖଳନାୟକରେ ରୂପାନ୍ତରିତ ହେବାରୁ ରକ୍ଷା କଲା। ତାଙ୍କର ଜଣେ ପ୍ରାକ୍ତନ ଶିଷ୍ୟ ଭାବରେ ଏହା ମତେ ଶାନ୍ତି ଦେଲା।
(ମତାମତ ଲେଖକଙ୍କ ନିଜସ୍ବ)
[email protected]