ସରଳ କୁମାର ଦାସ

Advertisment

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଘମାଘୋଟ ସଂଘର୍ଷକୁ ମାତ୍ର ତିନି ଦିନ ହୋଇଥାଏ। ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଜଣାପଡୁଥାଏ। ହଠାତ୍ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ଏକ ଟ୍ୱିଟ୍ ଆସିଲା। ଠିକ୍ ତା’ପରେ ଉଭୟ ଦେଶ ତୁରନ୍ତ ଅସ୍ତ୍ରବିରତି ଘୋଷଣା କଲେ। ଅନେକ ଲୋକ ଏଥିରେ ବିସ୍ମିତ ହେଲେ। ଯୁଦ୍ଧ ଚାହୁଁଥିବା ଲୋକେ ଏଥର ନିର୍ଣ୍ଣାୟକ ଲଢ଼େଇ ହୋଇ ପି.ଓ.କେ. ଭାରତ ଦଖଲକୁ ଆସିବ ଓ ବେଲୁଚିସ୍ତାନ ପାକିସ୍ତାନ ଠାରୁ ଅଲଗା ହେବ ବୋଲି ଆଶା ବାନ୍ଧିଥିଲେ। ସେମାନେ ହତାଶ ହେଲେ। କିନ୍ତୁ ଯୁଦ୍ଧ ଚାହୁଁ ନ ଥିବା ଲୋକେ ଆଶ୍ୱସ୍ତ ହେଲେ। ତେବେ, ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତିର ଘୋଷଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କଲେ। କାଶ୍ମୀର ମାମଲାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ସ୍ବୀକାର କରିନାହିଁ। ଏହା ସତ୍ତ୍ୱେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ବିଭିନ୍ନ ଦେଶ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାଠାରୁ ଆରମ୍ଭ କରି ମଧ୍ୟସ୍ଥତା କରିବାର ପ୍ରସ୍ତାବ ଦେବାକୁ ପଛାଇ ନାହାନ୍ତି। ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲେ ତାହା ଭୟଙ୍କର ରୂପ ଧାରଣ କରିପାରେ ବୋଲି ଉତ୍ତେଜନା ହ୍ରାସ କରିବାର ଭଲ ଉଦ୍ଦେଶ୍ୟ ରଖି ହୁଏତ କିଛି ଦେଶ ଏଭଳି ପ୍ରୟାସ କରିଥିବେ। କିନ୍ତୁ, ଏ ପ୍ରସଙ୍ଗରେ ବିଭିନ୍ନ ଦେଶଙ୍କ ଆଚରଣ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝିବାର ମଧ୍ୟ ଆବଶ୍ୟକତା ରହିଛି।
ଏପ୍ରିଲ ୨୨ ତାରିଖ ଦିନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବିଭିନ୍ନ ଦେଶ ଏହାର ନିନ୍ଦା କରିଥିଲେ। ତେବେ ପାକିସ୍ତାନ ଏହି ଆକ୍ରମଣ ସହ ସଂପୃକ୍ତ ନାହିଁ ବୋଲି କହିବା ସହ ଘଟଣାଟିର ଏକ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଲାଗି ପ୍ରସ୍ତାବ ଦେଇଥିଲା। ତା’ ପରେ ପରେ ଚୀନ ଓ ମାଲେସିଆ ପାକିସ୍ତାନର ଏହି ପ୍ରସ୍ତାବ ସହ ସ୍ୱର ମିଳାଇଥିଲେ। ସ୍ୱାଭାବିକ ଭାବେ ଭାରତ ଏହାକୁ ଅଣଦେଖା କରିଥିଲା। ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ୫୭ଟି ଇସଲାମୀୟ ଦେଶଙ୍କ ସଂଗଠନ ‘ଓ.ଆଇ.ସି.’ର ବୈଠକରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଥିଲେ ହେଁ ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯାଇ ନ ଥିଲା। ତେଣୁ ଏହି ପ୍ରସଙ୍ଗରେ ‘ଓ.ଆଇ.ସି.’ ଭାରତର ପକ୍ଷକୁ ସମର୍ଥନ କରୁ ନ ଥିବା ଦେଖାଯାଇଥିଲା। ପହଲଗାମ ଘଟଣାରେ ଚୀନ ତତ୍‌କ୍ଷଣାତ୍ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଥିଲା। ମେ ୬ ତାରିଖରେ ସାମରିକ ଗତିବିଧି ଆରମ୍ଭ ହେବା ପରେ ଉଭୟ ଦେଶଙ୍କୁ ଉତ୍ତେଜନା ହ୍ରାସ କରି ଶାନ୍ତି ବଜାୟ ରଖିବା ଲାଗି ପରାମର୍ଶ ଦେଇଥିଲା। ହେଲେ ଅସ୍ତ୍ରବିରତି ଘୋଷଣା ହେବା ପରେ ପାକିସ୍ତାନର ସାର୍ବଭୌମତ୍ୱ ରକ୍ଷା କରିବା ଲାଗି ଚୀନ ସଙ୍କଳ୍ପବଦ୍ଧ ବୋଲି ସ୍ପଷ୍ଟ କଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନକୁ ଚୀନ ଏକ ରଣନୈତିକ ସହଯୋଗୀ (ଷ୍ଟ୍ରାଟେଜିକ୍ ପାର୍ଟନର୍) ବୋଲି ବିଚାର କରୁଥିବାରୁ ପାକିସ୍ତାନ ସମର୍ଥନରେ ରହିବା ସ୍ୱାଭାବିକ। 
ଭାରତ ମୁଖ୍ୟତଃ ୬ଟି ଦେଶ ନିକଟରୁ ଯୁଦ୍ଧାସ୍ତ୍ର କିଣିଥାଏ। ଦୀର୍ଘ ଦିନ ଧରି ଭାରତ ସୋଭିଏତ ସଂଘ ନିକଟରୁ ଅଧିକାଂଶ ଯୁଦ୍ଧାସ୍ତ୍ର କିଣି ଆସୁଥିଲା। ତେବେ ଗତ କିଛି ବର୍ଷ ହେଲା ରୁଷିଆ ସମେତ କିଛି ପାଶ୍ଚାତ୍ୟ ଦେଶଙ୍କ ଠାରୁ ମଧ୍ୟ ଭାରତ ଯୁଦ୍ଧାସ୍ତ୍ର କିଣୁଛି; ଯେଉଁ ଦେଶଗୁଡ଼ିକ ହେଲେ ଆମେରିକା, ଫ୍ରାନ୍‌ସ, ବ୍ରିଟେନ, ଇସ୍ରାଏଲ ଓ ଜର୍ମାନୀ। ଏତଦ୍‌ଭିନ୍ନ ଦକ୍ଷିଣ କୋରିଆ ଓ ଦକ୍ଷିଣ ଆଫ୍ରିକା ନିକଟରୁ ମଧ୍ୟ ଭାରତ କିଛି ପରିମାଣରେ ଅସ୍ତ୍ରଶସ୍ତ୍ର କିଣିଥାଏ। ଅନ୍ୟ ପକ୍ଷରେ ପାକିସ୍ତାନ ତା’ର ଯୁଦ୍ଧାସ୍ତ୍ର ଆବଶ୍ୟକତାର ପ୍ରାୟ ୮୧ ପ୍ରତିଶତ ଚୀନରୁ ଆମଦାନି କରୁଛି। ଅବଶିଷ୍ଟ ଅସ୍ତ୍ରଶସ୍ତ୍ର ତୁର୍କୀ, ଆମେରିକା ଓ ନେଦରଲାଣ୍ଡସ୍‌ ଠାରୁ କ୍ରୟ କରୁଛି। ଉଲ୍ଲେଖଯୋଗ୍ୟ ଯେ ହଜାର ହଜାର କୋଟି ଡଲାର ବିନିଯୋଗ କରି ଚୀନ ଯେଉଁ ସାମରିକ ବୈଷୟିକ ଜ୍ଞାନକୌଶଳ ବିକାଶ କରିବାରେ ସମର୍ଥ ହୋଇ ଉନ୍ନତ ମାନର ଯୁଦ୍ଧାସ୍ତ୍ର ନିର୍ମା‌ଣ କରୁଛି ବୋଲି ଦାବି କରୁଛି, ତାହାର ପ୍ରକୃତ ପରୀକ୍ଷା ଏହି ଲଢ଼େଇରେ ପାକିସ୍ତାନ ମାଧ୍ୟମରେ କରିବାର ପ୍ରୟାସ କରିଛି। ଭାରତ-ପାକ୍ ମଧ୍ୟରେ ସାମରିକ ଗତିବିଧି ଆରମ୍ଭ ହେବା ପରେ ଚୀନର ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକର ଅଂଶଧନର ମୂଲ୍ୟ ବୃଦ୍ଧି ପାଇଛି। ପାକିସ୍ତାନ ବ୍ୟବହାର କରୁଥିବା ଚୀନ୍ ତିଆରି ଜେଏଫ୍-୧୭ ଥଣ୍ଡର, ଜେ-୧୦ସି ଭିଗରସ୍ ଡ୍ରାଗନ୍ ଫାଇଟର ଜେଟ୍ ବିମାନର ନିର୍ମାତା ‘ଏଭିକ ଚେଙ୍ଗଡୁ ଏୟାରକ୍ରାଫ୍‌ଟ କମ୍ପାନି’ର ଅଂଶଧନର ମୂଲ୍ୟ ସପ୍ତାହକ ଭିତରେ ୬୩ ପ୍ରତିଶତ ବୃଦ୍ଧି ପାଇ ମେ ୧୨ ତାରିଖରେ ୯୬ ୟୁଆନରେ ପହଞ୍ଚିବା ତା’ର ଏକ ନମୁନା ମାତ୍ର। ସତେ ଯେମିତି ଯୁଦ୍ଧାସ୍ତ୍ର ବ୍ୟବସାୟ ଲାଗି ଚୀନ ଏଭଳି ଏକ ସାମରିକ ସଂଘର୍ଷ ଚାହୁଁଥିଲା! ତେଣୁ ଚୀନା ଯୁଦ୍ଧାସ୍ତ୍ର କଂପାନିଗୁଡ଼ିକ ପାଇଁ ଯୁଦ୍ଧ ବନ୍ଦ ନ ହେବା ଅଧିକ ଭଲ। 
କୋଭିଡ ପରଠାରୁ ଚୀନର ନିର୍ମାଣ (ମାନୁଫାକ୍‌ଚରିଂ) କ୍ଷେତ୍ର ଚାପ ଗ୍ରସ୍ତ ହୋଇଛି। ଏହାର କୁପ୍ରଭାବ ଦେଶର ଅର୍ଥନୀତି ଉପରେ ପଡୁଛି। ନିର୍ମାଣ କ୍ଷେତ୍ରର ବିକାଶ ଲାଗି ଚୀନରେ ଥିବା ବାତାବରଣ, ବର୍ଦ୍ଧିତ ପାରିଶ୍ରମିକ, ଭୂ-ରାଜନୈତିକ ଅସ୍ଥିରତା ଆଦି କାରଣରୁ ଆଉ ବିଶେଷ ଅନୁକୂଳ ନୁହେଁ। ଏତିକିବେଳେ ଚୀନର ଉତ୍ପାଦ ଉପରେ ଆମେରିକା ଲଗାଇଥିବା ଅତ୍ୟଧିକ ଆମଦାନି ଶୁଳ୍‌କ ଯୋଗୁଁ ସେଠାରୁ ରପ୍ତାନି ବହୁତ ହ୍ରାସ ପାଇଛି। ଏହି କାରଣରୁ ସେଠାକାର ନିର୍ମାଣ ଶିଳ୍ପ ଅଧିକ ଚାପଗ୍ରସ୍ତ ହୋଇଛି। ଏତିକି ବେଳେ କେତେକ ବିଦେଶୀ କମ୍ପାନି ସେମାନଙ୍କ ଶିଳ୍ପକୁ ଚୀନରୁ ଅନ୍ୟତ୍ର ଯେମିତିକି ଭିଏତନାମ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଭାରତକୁ ସ୍ଥାନାନ୍ତରିତ କରିବାର ଯୋଜନା କରୁଛନ୍ତି। ତେଣୁ ଏଭଳି ସ୍ଥଳେ କେତେକ ଦେଶ ଚାହିଁ ପାରନ୍ତି ଯେ ଭାରତ ଯୁଦ୍ଧ ଦ୍ବାରା ଅଶାନ୍ତ ରହୁ, ଯାହା ହେଲେ ଉଦ୍ୟୋଗଗୁଡ଼ିକ ଭାରତ ନ ଯାଇ ସେମାନଙ୍କ ନିକଟକୁ ଯିବେ। 
ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ବିନା ଆର୍ଥିକ ଓ ସାମରିକ ସହାୟତାରେ ତା’ ପକ୍ଷରେ ଏକ ଲମ୍ୱା ଯୁଦ୍ଧ ଲଢ଼ିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ପାକିସ୍ତାନ ଯେପରି ବିଭିନ୍ନ ଦେଶ ଓ ବୈଶ୍ୱିକ ଆର୍ଥିକ ସଂସ୍ଥାଙ୍କ ନିକଟରୁ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୁଏ, ସେ ନେଇ ଭାରତ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୟାସ କରିବା ସ୍ୱାଭାବିକ। ପାକିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ପ୍ରମୁଖ ଦେଶଙ୍କ ମଧ୍ୟରେ ଅଛନ୍ତି ଆମେରିକା, ସାଉଦି ଆରବ, କାତାର ଓ ଚୀନ। ଏମାନଙ୍କ ମଧ୍ୟରୁ ଚୀନକୁ ବାଦ ଦେଲେ ବାକି ଦେଶଗୁଡ଼ିକ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ନିକଟରେ ଚୀନ ପାକିସ୍ତାନକୁ ୨୦୦ କୋଟି ଡଲାର୍ (ପ୍ରାୟ ୧୭,୦୦୦ କୋଟି ଟଙ୍କା)ର ଏକ ଋଣର ନବୀକରଣ କରିଛି, ଯାହା ଆର୍ଥିକ ଦୃଷ୍ଟିରୁ ପାକିସ୍ତାନର ଚୀନ ଉପରେ ଥିବା ନିର୍ଭରଶୀଳତାରେ ବୃଦ୍ଧିକୁ ଦର୍ଶାଉଛି। ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ୧୦୦ କୋଟି ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୮,୫୦୦ କୋଟି ଟଙ୍କା)ର ‘ସଙ୍କଟଗ୍ରସ୍ତ ଆର୍ଥିକ ସହାୟତା’ (ବେଲ୍ ଆଉଟ୍) ପ୍ୟାକେଜ୍ ପ୍ରଦାନ ଲାଗି ନିଷ୍ପତ୍ତି ନିଆଯିବାର ଥିଲା। ଏଭଳି ସ୍ଥିତିରେ ପାକିସ୍ତାନକୁ ଏତେ ପରିମାଣର ଅର୍ଥ ମିଳିଲେ ତାହାର ସିଂହ ଭାଗ ସାମରିକ ଉଦ୍ଦେଶ୍ୟରେ ବିନିଯୋଗ ହେବାର ଆଶଙ୍କା ଥିବାରୁ ଭାରତ ତାହାର ପ୍ରତିବାଦ କରିଥିଲା। ଆଶା କରାଯାଉଥିଲା ଯେ ‘ଆଇଏମ୍ଏଫ୍’ ଅନ୍ତତଃ କିଛି ଦିନ ପାଇଁ ଏହି ନିଷ୍ପତ୍ତିକୁ ଘୁଞ୍ଚାଇ ଦେବ। ତେବେ ଭାରତର ପ୍ରବଳ ବିରୋଧ ସତ୍ତ୍ୱେ ମେ ୯ରେ ଅନୁଷ୍ଠିତ ‘ଆଇଏମ୍ଏଫ୍’ର ନିର୍ଦ୍ଦେଶକ ମଣ୍ଡଳୀ ପାକିସ୍ତାନକୁ ଏହି ସହାୟତା ରାଶି ମଞ୍ଜୁର କଲେ। ମଞ୍ଜୁରି କମିଟି ବୈଠକରେ ଭାରତ ଭୋଟ ଦାନରୁ ବିରତ ରହିଥିଲେ ମଧ୍ୟ ଯେଉଁ ପ୍ରମୁଖ ଦେଶଙ୍କ ସମର୍ଥନରେ ପାକିସ୍ତାନ ଏହି ରାଶି ପାଇବାକୁ ଯୋଗ୍ୟ ହେଲା ସେମାନଙ୍କ ମଧ୍ୟରେ ଥିଲେ ଆମେରିକା, ଜାପାନ, ଚୀନ, ଜର୍ମାନୀ, ଫ୍ରାନ୍‌ସ, ବ୍ରିଟେନ, ଇଟାଲି, କାନାଡ଼ା। 
ମେ ୪ ତାରିଖ ଦିନ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏକ ଭିନ୍ନ ମଞ୍ଚରେ ଏକ ପ୍ରକାର କ୍ଷୋଭ ପ୍ରକାଶ କରି କହିଥିଲେ ଯେ ‘ଭାରତ ସହଯୋଗୀ ଚାହେଁ, ପ୍ରବଚକ ନୁହେଁ।’ ଏହି ଉକ୍ତି କିଛି ୟୁରୋପୀୟ ଦେଶଙ୍କ ପ୍ରତି ଉଦ୍ଦିଷ୍ଟ ଥିଲେ ମଧ୍ୟ ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରକ୍ଷୀରେ ଉତ୍ତେଜନା ହ୍ରାସ କରିବା ଲାଗି ଭାରତ ‘କ’ଣ କରିବା ଉଚିତ, କ’ଣ ନ କରିବା ଉଚିତ’ର ଉପଦେଶ ଦେଉଥିବା ପ୍ରତିଟି ଦେଶ ପ୍ରତି ଏହା ଥିଲା କଟାକ୍ଷ। ପନ୍ଦର ଦିନ ବିତିଯିବା ପରେ ମଧ୍ୟ ରୁଷିଆ ଓ ଇସ୍ରାଏଲ ବ୍ୟତୀତ ଭାରତ ସମର୍ଥନରେ ଖୋଲାଖୋଲି ଭାବେ ବାହାରିବା ଲାଗି ପ୍ରସ୍ତୁତ ପ୍ରକୃତ ବନ୍ଧୁ ମିଳିଲେ ନାହିଁ। କାରଣ ଏବର ଦୁନିଆରେ କୌଣସି ଦେଶ କାହାର ସ୍ଥାୟୀ ଶତ୍ରୁ ବା ମିତ୍ର ନୁହନ୍ତି। ଦେଶ ଦେଶ ମଧ୍ୟରେ ପ୍ରତିଟି ସମ୍ପର୍କ କେବଳ ନେଣଦେଣ-ମୂଳକ (ଟ୍ରାନ୍‌ଜାକସନାଲ) ଓ ସ୍ବାର୍ଥ ହାସଲ ଭିତ୍ତିିକ ହୋଇଥିବାରୁ ପ୍ରତିଟି ପ୍ରସଙ୍ଗରେ ଲାଭ-କ୍ଷତିକୁ ବିବେଚନା କରି ଦେଶଗୁଡ଼ିକ ନିଷ୍ପତ୍ତି ନେଉଛନ୍ତି। 
ସଂଘର୍ଷ ପୂର୍ବରୁ ଆମେରିକା କୌଣସି ପ୍ରକାର ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍‌ସ ସ୍ପଷ୍ଟ କରିଥିଲେ। କିନ୍ତୁ ସାଂପ୍ରତିକ ଭୂ-ରାଜନୈତିକ ପରିସ୍ଥିତିରେ ଉଭୟ ଭାରତ ଓ ପାକିସ୍ତାନ ଉପରେ ପ୍ରଭାବ ବିସ୍ତାର କରିବାକୁ ମଧ୍ୟସ୍ଥତା କରିବାକୁ ଆମେରିକା ପୂର୍ବର ନିଷ୍ପତ୍ତି ବଦଳାଇଲା। ତେଣୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କରାଇବାରେ ଆମେରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଟ୍ରମ୍ପ ଏହାର ସବୁ ଶ୍ରେୟ ନେବାକୁ ବସିଥିବା ବେଳେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ସାଉଦି ଆରବ, ଇରାନ, ୟୁଏଇ ଓ କାତାର ଭଳି କିଛି ଦେଶ ମଧ୍ୟ ଆନ୍ତରିକ ପ୍ରୟାସ କରିଥିଲେ। 
ଏବେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ର ବା ସେନାଙ୍କ ଦ୍ୱାରା ଲଢ଼ା ଯାଉନାହିଁ। ଏଥିରେ ଅନ୍ତର୍ଜାତୀୟ ଚାପର ଏକ ବଡ଼ ଭୂମିକା ରହୁଛି। ବିଧ୍ୱଂସୀ କ୍ଷେପଣାସ୍ତ୍ରଟିଏର ନିକ୍ଷେପ କରି ହୁଏତ ଯୁଦ୍ଧର ଅୟମାରମ୍ଭ କରାଯାଇପାରେ, କିନ୍ତୁ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଗୋଟିଏ ଫୋନ ମଧ୍ୟ ସେହି ଯୁଦ୍ଧକୁ ବନ୍ଦ କରିବା ଲାଗି ଯଥେଷ୍ଟ ହୋଇପାରେ। କାରଣ ବୃହତ୍ତର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଚାପକୁ ଏଡ଼ାଇବା ବେଳେବେଳେ ଅସମ୍ଭବ ହୋଇପଡ଼େ। ସେଥି ଲାଗି ଇସ୍ରାଏଲ ଓ ହମାସ ଲଢ଼େଇରେ ବିରାମ ଆସିଲା, ଯେମିତି ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଛି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫