ସରଳ କୁମାର ଦାସ

Advertisment

ଏଇ ସପ୍ତାହକ ଭିତରେ ଦେଶର ଅର୍ଥନୀତିକୁ ନେଇ ଦୁଇଟି ବଡ଼ ଖବର ପ୍ରକାଶ ପାଇଛି। ପ୍ରଥମଟି, ଜାପାନକୁ ପଛରେ ପକାଇ ଭାରତ ଚତୁର୍ଥ ସର୍ବବୃହତ୍ ଅର୍ଥ-ବ୍ୟବସ୍ଥାରେ ପରିଣତ ହେବା ସହ ଏହାର ଅର୍ଥନୀତିର ଆକାର ୪ ଟ୍ରିଲିଅନ୍ (ଲକ୍ଷ କୋଟି) ଡଲାର୍‌ ଟପିଯାଇଛି। ଏକ ଉଲ୍ଲସିତ ହେଲା ଭଳି ଏକ ଖବର। ଏଥିରୁ ଆହୁରି କୁହାଯାଉଛି ଯେ ଭାରତର ସର୍ବମୋଟ ଘରୋଇ ଉତ୍ପାଦ ବା ଜାତୀୟ ଆୟ(ଜି.ଡି.ପି.)ର ବୃଦ୍ଧି ହାର ୬%ରୁ ସାମାନ୍ୟ ଅଧିକ ରହିଲେ ଏହା ୨୦୨୮ ମସିହା ସୁଦ୍ଧା ତୃତୀୟ ସ୍ଥାନରେ ଥିବା ଜର୍ମାନୀକୁ ଟପି ଯାଇ ୫ ଟ୍ରିଲିଅନ୍ ଡଲାରର ଅର୍ଥ-ବ୍ୟବସ୍ଥାରେ ପରିଣତ ହେବ। ତେବେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ବିଶ୍ୱରେ ୧୯୪ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୬। କାରଣ ଭାରତର ମୁଣ୍ଡପିଛା ଆୟ ମାତ୍ର ୨୮୮୦ ଡଲାର। ଏବେ ମଧ୍ୟ ଏହା ଏକ ନିମ୍ନ-ମଧ୍ୟମ ଆୟ ବର୍ଗର ଦେଶ ହୋଇ ରହିଛି। ମୁଣ୍ଡପିଛା ଆୟ ଆହୁରି ୫୫% ବୃଦ୍ଧି ପାଇ ୪୪୬୬ ଡଲାର ହେଲେ ଯାଇ ଏହା ଏକ ଉଚ୍ଚ-ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ ହେବ। 
ଦ୍ୱିତୀୟଟି ହେଲା ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୫ ଆର୍ଥିକ ବର୍ଷରେ ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ)ର ନିଟ୍ ପ୍ରବାହ (ନେଟ୍ ଇନ୍‌ଫ୍ଲୋ) ପୂର୍ବ ବର୍ଷ ତୁଳନାରେ ୯୬%ରୁ ଅଧିକ ହ୍ରାସ ପାଇବା, ଯାହା ଏକ ଉଦ୍‌ବେଗଜନକ ସୂଚନା। ନିଯୁକ୍ତି ଓ ରୋଜଗାର କ୍ଷେତ୍ର ଉପରେ ଦ୍ୱିତୀୟ ଖବରଟିର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ଅଛି। ୨୦୨୪ ଆର୍ଥିକ ବର୍ଷରେ ସର୍ବମୋଟ ‘ଏଫ.ଡି.ଆଇ.’ର ପରିମାଣ ୭୧୨୮ କୋଟି ଡଲାର ଥିବା ବେଳେ ୨୦୨୫ ଆର୍ଥିକ ବର୍ଷରେ ତାହା ୧୩.୭ ପ୍ରତିଶତ ବୃଦ୍ଧି ପାଇ ୮୧୦୪ କୋଟି ଡଲାର ହୋଇଛି। କିନ୍ତୁ, ଗଚ୍ଛିତ ଥିବା ସର୍ବମୋଟ ‘ଏଫ.ଡି.ଆଇ.’ ମଧ୍ୟରୁ ମାତ୍ର ୨୯୫୫ କୋଟି ଡଲାର ଏ ବର୍ଷ ପ୍ରତ୍ୟକ୍ଷ ନିବେଶ ଭାବେ ମିଳିଛି। ଗତ ବର୍ଷ ଏହାର ପରିମାଣ ଥିଲା ୨୬୮୧ କୋଟି ଡଲାର। ତେବେ, ୨୦୨୫ ମସିହାରେ ମୋଟ ‘ଏଫ.ଡି.ଆଇ.’ ପରିମାଣରେ ବୃଦ୍ଧି ସତ୍ତ୍ୱେ ନିଟ୍ ‘ଏଫ.ଡି.ଆଇ.’ ପରିମାଣରେ ଏତେ ଅଧିକ ହ୍ରାସ ଘଟିଛି। ପ୍ରଶ୍ନ ହେଲା ଏମିତି ହେଲା କିପରି? ପ୍ରତି ବର୍ଷ ବିଦେଶୀ ପୁଞ୍ଜି ନିବେଶକମାନେ ଯେମିତି ପୁଞ୍ଜି ନିବେଶ କରନ୍ତି ସେମିତି କିଛି ମାତ୍ରାରେ ପୁଞ୍ଜି ପ୍ରତ୍ୟାହାର ମଧ୍ୟ କରିଥାଆନ୍ତି। କିଛି ଭାରତୀୟ କମ୍ପାନି ବିଦେଶରେ ପୁଞ୍ଜି ନିବେଶ କରୁଥିବାରୁ ଏଠାରେ ବିଦେଶୀ ପୁଞ୍ଜି ହ୍ରାସ ପାଇଥାଏ। ତେବେ ପ୍ରତ୍ୟାହୃତ ହେଉଥିବା ପୁଞ୍ଜି ଏବଂ ଦେଶ ଭିତରକୁ ପ୍ରବେଶ କରୁଥିବା ପୁଞ୍ଜି ଭିତରେ ଥିବା ଅନ୍ତର ବା‌ ବ୍ୟବଧାନ ହେଉଛି ନିଟ୍ ବିଦେଶୀ ପୁଞ୍ଜି ବା ‘ଏଫ.ଡି.ଆଇ.’। ୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟାହୃତ ପୁଞ୍ଜିର ପରିମାଣ ଥିଲା ୧୬୭୦ କୋଟି ଡଲାର। ଏ ବର୍ଷ ତାହା ହଠାତ୍ ୨୯୨୦ କୋଟି ଡଲାରକୁ ବୃଦ୍ଧି ପାଇଲା। ଫଳରେ ୨୦୨୪ ଆର୍ଥିକ ବର୍ଷରେ ନିଟ୍ ‘ଏଫ୍‌.ଡି.ଆଇ.’ ପରିମାଣ ୧୦୧୩ କୋଟି ଡଲାର ଥିବାବେଳେ ଏ ବର୍ଷ ତାହା ମାତ୍ର ୩୫ କୋଟି ଡଲାର ହୋଇଛି। କହିବା ବାହୁଲ୍ୟ, ଏହା ଏକ ତୀବ୍ର ସ୍ଖଳନ।
୨୦୨୫ ଆର୍ଥିକ ବର୍ଷରେ ବିଭିନ୍ନ ବିଦେଶୀ କମ୍ପାନିଙ୍କ ଦ୍ୱାରା ଭାରତରୁ ସର୍ବାଧିକ ୪୯୫୩ କୋଟି ଡଲାର ପୁଞ୍ଜି ପ୍ରତ୍ୟାହୃତ ହୋଇଛି। ଗତ ବର୍ଷ ଏହି ପୁଞ୍ଜି ପ୍ରତ୍ୟାହାରର ପରିମାଣ ଥିଲା ୪୧୩୩ କୋଟି ଡଲାର। ବିଗତ ଦିନଗୁଡ଼ିକରେ ଭାରତୀୟ ସେୟାର ମାର୍କେଟ ବା ଅଂଶଧନ ବଜାର ଯେଉଁଭଳି ଦ୍ରୁତ ଉପରମୁହାଁ ହୋଇଥିଲା, ସେଥିରୁ ଲାଭ ଉଠାଇବା ଲାଗି ହୁଣ୍ଡାଇ ମୋଟର, ସ୍ୱିଗି, ବିଶାଲ ମେଗା ମାର୍ଟ, ଆଇଟିସି, ଏୟାରଟେଲ ଆଦି କମ୍ପାନିରେ ନିବେଶ କରିଥିବା ବିଦେଶୀ କମ୍ପାନିଗୁଡ଼ିକ ‘ଆଇ.ପି.ଓ.’ ମାଧ୍ୟମରେ ଅଂଶଧନ ବିକ୍ରି କରି ବିପୁଳ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଏହି କ୍ରମରେ କିଛି ଘରୋଇ ଅଂଶଧନ ଓ ‘ଭେଞ୍ଚର କ୍ୟାପିଟାଲ ଫଣ୍ଡ’ ମଧ୍ୟ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ତେବେ, ବିଦେଶୀ କମ୍ପାନିଗୁଡ଼ିକ ଆସ୍ଥା ହରାଉ ଥିବାରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ବୋଲି ଯୁକ୍ତି କରାଯାଉଥିଲେ ସୁଦ୍ଧା ତାହା ଠିକ୍ ହୋଇ ନପାରେ। ଏହି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଏକ ବ୍ୟାବସାୟିକ ନିଷ୍ପତ୍ତି, ଯାହା ଅନେକ କାରଣ ଉପରେ ନିର୍ଭର କରିଥାଏ। ତେଣୁ ଏହାକୁ କେବଳ ବିଶ୍ୱାସ ସଙ୍କଟ ଜନିତ ବୋଲି କହିବା ଉଚିତ ନୁହେଁ। 
ରିଜର୍ଭ ବ୍ୟାଙ୍କ ତଥ୍ୟାନୁସାରେ ନିଟ୍ ‘ଏଫ.ଡି.ଆଇ.’ ହ୍ରାସ ପାଇବାର ଏକ ବଡ଼ କାରଣ ହେଉଛି ବହିର୍ମୁଖୀ ବିଦେଶୀ ପୁଞ୍ଜି ନିବେଶ (ଆଉଟୱାର୍ଡ ‘ଏଫ.ଡି.ଆଇ.’) ପରିମାଣରେ ବୃଦ୍ଧି। ଭାରତୀୟ କମ୍ପାନିଗୁଡ଼ିକ ବିଦେଶରେ ପୁଞ୍ଜି ନିବେଶ କଲେ ଦେଶରୁ ବିଦେଶୀ ମୁଦ୍ରା ବିଦେଶକୁ ଯାଇଥାଏ। ୨୦୨୪ ଆର୍ଥିକ ବର୍ଷରେ ଏଭଳି ପୁଞ୍ଜିର ପରିମାଣ ଥିଲା ମାତ୍ର ୧୬୬୮ କୋଟି ଡଲାର। ଏ ବର୍ଷ ତାହା ୨୯୨୦ କୋଟି ଡଲାରକୁ ଅର୍ଥାତ୍‌ ପ୍ରାୟ ୭୫% ବୃଦ୍ଧି ପାଇଛି। ଅର୍ଥାତ୍ ଅଧିକରୁ ଅଧିକ ଭାରତୀୟ କମ୍ପାନି ବିଦେଶରେ ପୁଞ୍ଜି ନିବେଶ କରିବାକୁ ତତ୍ପରତା ଦେଖାଇଛନ୍ତି। ବିଶ୍ୱ ବଜାରକୁ ଦଖଲ କରିବାର ଆକାଂକ୍ଷା ସହିତ ଉତ୍ପାଦନ ଓ ଯୋଗାଣ ବୃଦ୍ଧିର ଲକ୍ଷ୍ୟ ରଖି ଭାରତୀୟ କମ୍ପାନିଗୁଡ଼ିକ ବିଭିନ୍ନ ଦେଶରେ ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି; ଏପରିକି ସେହି ପ୍ରକ୍ରିୟାରେ ସେମାନେ ସେଠାକାର କମ୍ପାନିକୁ କିଣି ନିଜ ଅକ୍ତିଆରକୁ ଆଣୁଛନ୍ତି। ଏ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କର ‘ଉଦାରୀକୃତ ରେମିଟାନ୍‌ସ ଯୋଜନା’ (ଏଲ୍.ଆର୍.ଏସ୍.) କମ୍ପାନିଗୁଡ଼ିକ ଲାଗି ବିଶେଷ ଉପଯୋଗୀ ହୋଇଛି। ଫଳ ସ୍ୱରୂପ, ଆଦିତ୍ୟ ବିରଳା ଗ୍ରୁପ, ଇନ୍‌ଫୋସିସ, ହିରୋ ମୋଟୋକର୍ପ, ଆଦାନି ଗ୍ରୁପ ଆଦି ଭଳି ଅନେକ ଭାରତୀୟ କମ୍ପାନି ବିଦେଶରେ ସେମାନଙ୍କ ବିସ୍ତାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଏହା ଭାରତ ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ। ତେବେ କିଛି ବର୍ଷ ତଳେ କେନ୍ଦ୍ର ସରକାର ଘରୋଇ କମ୍ପାନିଗୁଡ଼ିକୁ କର୍ପୋରେଟ ଟିକସରେ ଯେଉଁ ରିହାତି ପ୍ରଦାନ କରିଥିଲେ, ତା’ର ଉଦ୍ଦେଶ୍ୟ ଥିଲା କମ୍ପାନିଗୁଡ଼ିକ ସେମାନଙ୍କ ଉଦ୍‌ବୃତ୍ତ ରାଶିକୁ ଦେଶ ଭିତରେ ନିବେଶ କରିବେ, ଯଦ୍ଦ୍ୱାରା ଏଠାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। କିନ୍ତୁ ତାହା ଆଶାନୁରୂପ ଭାବେ ଫଳବତୀ ହେଲାନାହିଁ। ଏତିକି ବେଳେ ଭାରତୀୟ କମ୍ପାନିଗୁଡ଼ିକ ବିଦେଶରେ ବିସ୍ତାର ଲାଭ କରିବାକୁ ତତ୍ପର ହେଲେ ତଦ୍ଦ୍ବାରା ଭାରତରେ ନିବେଶ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇପାରେ। ଏହା ଦ୍ବାରା ଦେଶ ଭିତରେ ନିଯୁକ୍ତି ଓ ରୋଜଗାର ସମସ୍ୟା ଅଧିକ ତୀବ୍ର ହେବ। ଯଦି ଆମେରିକାରେ ଉତ୍ପାଦନ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଆମେରିକୀୟ କମ୍ପାନିଗୁଡ଼ିକ, ଏପରିକି ‘ଆପଲ୍’ ଭଳି ବିଶାଳ କମ୍ପାନି, ଉପରେ ଚାପ ପ୍ରୟୋଗ କରିପାରୁଛନ୍ତି, ତେବେ ଭାରତ କାହିଁକି ଭାରତୀୟ କମ୍ପାନିଗୁଡ଼ିକ ଭାରତରେ ପୁଞ୍ଜି ନିବେଶ କରନ୍ତୁ ବୋଲି ବାଧ୍ୟ ନ କରିବ? ଦେଶ ହିତକୁ ଧ୍ୟାନରେ ରଖି ଏ ସମ୍ପର୍କରେ ନୀତି ନିର୍ଦ୍ଧାରଣର ଆବଶ୍ୟକତା ରହିଛି।
ବିଦେଶୀ ନାଗରିକମାନେ ବଣ୍ଡ୍‌ ବା ଅଂଶଧନ କ୍ରୟ ଜରିଆରେ ଏଠାକାର ଅଂଶଧନ ବଜାରରେ ନିବେଶ କରିଥାନ୍ତି, ଯାହାକୁ ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫ.ପି.ଆଇ.) ବୋଲି କୁହାଯାଏ। ଏହି ଧରଣର କେତେକ ନିବେଶକ ଲାଭ ହେଉଥିବା ଦେଖିଲେ ତୁରନ୍ତ ଅଂଶଧନ ବିକ୍ରି କରି ବଜାରରୁ ବାହାରି ଯିବାକୁ ବସନ୍ତି, ଯେଉଁ ପ୍ରକାର ନିବେଶ ନିର୍ଭରଯୋଗ୍ୟ ନୁହେଁ। ଏ ବର୍ଷ ନିଟ୍ ‘ଏଫ.ପି.ଆଇ.’ ପରିମାଣ ୨୬୭ କୋଟି ଡଲାର ରହିଛି, ଯାହା ନିଟ୍ ‘ଏଫ.ଡି.ଆଇ.’ର ପ୍ରାୟ ୬ ଗୁଣରୁ ଅଧିକ। ଏହା ଚିନ୍ତାକୁ ବଢ଼ାଉଛି।
ବିଦେଶୀ କମ୍ପାନି ଏଠାରେ କରିଥିବା ନିବେଶରୁ ପାଉଥିବା ଲାଭାଂଶକୁ ବିଦେଶୀ ମୁଦ୍ରାରେ ନେଇପାରିବେ ବା ତା’ର ପୁନଃ ନିବେଶ କରିପାରିବେ। ଖୁସିର କଥା ଯେ ୨୦୨୫ ଆର୍ଥିକ ବର୍ଷରେ ଏହିପରି ଭାବେ ପ୍ରାୟ ୨୩୫୪ କୋଟି ଡଲାର ପୁଞ୍ଜି ପୁନଃ ନିବେଶ ହୋଇଛି, ଯାହା ହୁଏତ ପ୍ରତ୍ୟାହୃତ ହୋଇପାରିଥାନ୍ତା। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଆର୍ଥିକ ବର୍ଷରେ ପୁନଃ ନିବେଶ ହୋଇଥିବା ପୁଞ୍ଜିର ପରିମାଣ ଥିଲା ମାତ୍ର ୧୯୭୭ କୋଟି ଡଲାର। ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରତି ବିଦେଶୀ କମ୍ପାନିଙ୍କ ଆସ୍ଥାକୁ ସୂଚାଉଛି। 
ବିଶାଳ ପରିମାଣରେ ପୁଞ୍ଜି ନିବେଶ ହେବା ଓ ପୁଞ୍ଜି ପ୍ରତ୍ୟାହୃତ ହେବାକୁ କେହି କେହି ଏକ ପରିପକ୍ୱ ଅର୍ଥ ବ୍ୟବସ୍ଥାର ପରିଚାୟକ ବୋଲି ମଧ୍ୟ କହିଥାନ୍ତି। ବିଦେଶୀ ପୁଞ୍ଜି ନିବେଶକମାନେ ସହଜରେ ପୁଞ୍ଜି ପ୍ରତ୍ୟାହାର କରିପାରିଲେ, ସେମାନଙ୍କର ସେହି ଦେଶର ଅର୍ଥ ବ୍ୟବସ୍ଥା ପ୍ରତି ବିଶ୍ୱାସ ବୃଦ୍ଧି ପାଇଥାଏ। ସେ ଦୃଷ୍ଟିରୁ ଭାରତ ଏକ ପରିପକ୍ୱ ଅର୍ଥ ବ୍ୟବସ୍ଥା ଭାବେ ବିଦେଶୀ ନିବେଶକଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଉଛି।
ସାରା ବିଶ୍ୱରେ ଲାଗି ରହିଥିବା ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ପ୍ରବାହର ଦିଗ ଓ ପରିମାଣ ନିର୍ଦ୍ଧାରଣ କରିବା ପ୍ରତିଟି ଦେଶ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ଗୋଟିଏ ପଟେ ଆମେରିକା ଦ୍ୱାରା ଟାରିଫ୍ ମାଧ୍ୟମରେ ଏକପ୍ରକାର ବାଣିଜ୍ୟ ଯୁଦ୍ଧ ଚାଲିଥିବା ବେଳେ ବିଶ୍ୱର ବିଭିନ୍ନ ଅଞ୍ଚଳ ଏବେ ସଂଘର୍ଷ ଓ ସାମରିକ ଉତ୍ତେଜନା ଦ୍ବାରା କବଳିତ। ଏଥି ଯୋଗୁଁ ଭିନ୍ନ ଭିନ୍ନ ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଲାଭବାନ ହୋଇପାରନ୍ତି ବା କ୍ଷତିଗ୍ରସ୍ତ ମଧ୍ୟ ହୋଇପାରନ୍ତି। ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍ ବିବାଦ ଅଧିକ ଜଟିଳ ହେଲେ ଚୀନରେ ଥିବା ବିଦେଶୀ କମ୍ପାନିଗୁଡ଼ିକ ମଧ୍ୟରୁ କେତେକ ସେମାନଙ୍କର କାରଖାନା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହେବେ। କେତେକଙ୍କ ପାଇଁ ଭାରତ ସ୍ୱାଭାବିକ ପସନ୍ଦର ଦେଶ ହୋଇଥିବାରୁ ଏଠାରେ ସେମାନେ କମ୍ପାନି ପ୍ରତିଷ୍ଠା କରିପାରନ୍ତି। ଭାରତ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଲାଗି ରହିଲେ ହୁଏତ କିଛି କମ୍ପାନି ଭାରତକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିବେ, ଯାହାର ଲାଭ ହୁଏତ ତୃତୀୟ ଦେଶ ଉଠାଇପାରେ। ଅନ୍ୟ ପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚାପକୁ ଏଡ଼ାଇ ନ ପାରିଲେ ‘ଆପଲ୍’ ଭଳି କିଛି କମ୍ପାନିଙ୍କୁ ହୁଏତ ଭାରତରୁ ବିଦାୟ ନେବାକୁ ପଡ଼ିପାରେ। ତେଣୁ ଆଗାମୀ କିଛି ଦିନ ଧରି ବିଦେଶୀ ପୁଞ୍ଜି ପ୍ରବାହକୁ ନେଇ ଅନିଶ୍ଚିତତା ଲାଗି ରହିବା ସ୍ୱାଭାବିକ।
ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କ୍ଷେତ୍ରରେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ସବା ତଳେ ରହିବା ବାସ୍ତବିକ ନିରାଶାଜନକ। ଏ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଦିଲ୍ଲୀ ଓ ତାମିଲନାଡୁରେ ପ୍ରତି ବର୍ଷ ଶହ ଶହ କୋଟି ଡଲାରର ବିଦେଶୀ ପୁଞ୍ଜି ନିବେଶ ହେଉଥିବା ବେଳେ ଓଡ଼ିଶାରେ ୨୦୧୯ରୁ ୨୦୨୩ ପାଞ୍ଚ ବର୍ଷ ଭିତରେ ମାତ୍ର ୧୬.୫ କୋଟି ଡଲାର ବିଦେଶୀ ପୁଞ୍ଜି ନିବେଶ ହୋଇଥିବା ଜଣାପଡ଼େ। ଏ ପ୍ରସଙ୍ଗରେ ଉଚିତ ପ୍ରତିକାରମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। 
ତେବେ, ପୁଞ୍ଜି ପ୍ରତ୍ୟାହାରକୁ ନେଇ ଅଧିକ ବିଚଳିତ ହେବାର କାରଣ ନାହିଁ। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଦୃଷ୍ଟିରୁ ୨୦୨୫ ଆର୍ଥିକ ବର୍ଷଟିକୁ ଭାରତ ପାଇଁ ଏକ ବ୍ୟତିକ୍ରମ ବର୍ଷ ବୋଲି ଧରା ଯାଇପାରେ। ଆଗାମୀ ବର୍ଷଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ହ୍ରାସ ପାଇ ନିଟ୍ ‘ଏଫ.ଡି.ଆଇ.’ର ପରିମାଣରେ ବୃଦ୍ଧି ଘଟିପାରେ। ଭାରତ ନିକଟରେ ଏବେ ମଧ୍ୟ ପ୍ରାୟ ୬୮,୫୦୦ କୋଟି ଡଲାରର ଏକ ବିଶାଳ ବିଦେଶୀ ମୁଦ୍ରାଭଣ୍ଡାର ଗଚ୍ଛିତ ରହିଛି। ଏହା ସାମୟିକ ଅସ୍ଥିରତାକୁ ଲାଘବ କରିବାକୁ ଯଥେଷ୍ଟ। ତେବେ ଏ ବର୍ଷ ଭଳି ଯଦି ନିଟ ‘ଏଫ.ଡି.ଆଇ.’ରେ ହ୍ରାସ ପାଇବା ଏକ ଧାରାରେ ପରିଣତ ହୁଏ, ତେବେ ତାହା ନିଶ୍ଚିତ ଭାବେ ଆମ ଅର୍ଥନୀତି ପାଇଁ ଶୁଭଙ୍କର ହେବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫