ସରଳ କୁମାର ଦାସ
ଏ ବର୍ଷ ଖରିଫ ଚାଷ ଲାଗି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣରେ ୟୁରିଆ ସାର ସୁଲଭ ମୂଲ୍ୟରେ ମିଳୁ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବାର ଖବରମାନ ନିତି ଶୁଣିବାକୁ ମିଳୁଛି। ଫଳରେ କଳାବଜାରୀ ବୃଦ୍ଧି ହେବା ସହ ଅସାଧୁ ବ୍ୟବସାୟୀମାନେ ଏହି ସୁଯୋଗର ଅପବ୍ୟବହାର କରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ସେଭଳି କରୁଥିବା ଅନେକ ବ୍ୟବସାୟୀଙ୍କ ଗୋଦାମକୁ ଇତିମଧ୍ୟରେ ସିଲ୍ କରି ସେମାନଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି। ସାର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ନ ଦେଲେ ଚାଷ କାମରେ ଗୁରୁତର ବିଭ୍ରାଟ ଏବଂ ଉତ୍ପାଦନ ତଥା ଚାଷୀଙ୍କ ଜୀବିକା ପ୍ରଭାବିତ ହେବ ବୋଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ରସାୟନ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୮ ମସିହାରେ ତାଳଚେର ସାର କାରଖାନାର ଶିଳାନ୍ୟାସ ହେବାର ୭ ବର୍ଷ ପରେ ମଧ୍ୟ ସେଠାରୁ ଉତ୍ପାଦନ ହୋଇ ପାରିନାହିଁ, ଯାହା ପରିତାପର ବିଷୟ। ବାସ୍ତବରେ ଏ ବର୍ଷ ୟୁରିଆ ସମସ୍ୟା ଅତ୍ୟନ୍ତ ଉତ୍କଟ ହୋଇଛି। ତେଣୁ ନିଃସନ୍ଦେହରେ କୁହାଯାଇପାରେ ଯେ ଏହା ପଛର କାରଣଗୁଡ଼ିକୁ ଅନୁଧ୍ୟାନ କରି ଦୀର୍ଘମିଆଦୀ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ।
କେବଳ ଓଡ଼ିଶା ନୁହେଁ, ଏ ବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସମେତ ଭାରତର ପ୍ରାୟ ସବୁ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟରେ ଖରିଫ ଋତୁରେ ୟୁରିଆର ଉତ୍କଟ ଅଭାବ ଦେଖାଦେଇଛି। ୨୦୨୪-୨୫ରେ ୟୁରିଆର ଚାହିଦା ପ୍ରାୟ ୩୮୫ ଲକ୍ଷ ଟନ୍ ଥିବା ବେଳେ ବିଦେଶରୁ ପ୍ରାୟ ୫୫ ଲକ୍ଷ ଟନ୍ ଆମଦାନି ହୋଇଥିଲା। ଆମଦାନି ପରିମାଣ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୨.୭% ହ୍ରାସ ପାଇଥିଲା। ଭାରତ ମୁଖ୍ୟତଃ ଓମାନ, ଚୀନ, କାତାର, ରୁଷିଆ, ସାଉଦି ଆରବ ଓ ୟୁଏଇଠାରୁ ୟୁରିଆ ଆମଦାନି କରିଥାଏ। ରୁଷିଆ-ୟୁକ୍ରେନ ଓ ଇରାନ-ଇସ୍ରାଏଲ ସଂଘର୍ଷ ଯୋଗୁଁ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇ ୟୁରିଆ ଆମଦାନି ବାଧାପ୍ରାପ୍ତ ହୋଇଛି। ଅନ୍ୟ ପକ୍ଷରେ ୨୦୨୪ ମସିହା ଜୁନ୍ ମାସରୁ ଚୀନ ଭାରତକୁ ୟୁରିଆ ରପ୍ତାନି ଉପରେ କଟକଣା ଲଗାଇଛି। ଅବଶ୍ୟ ନିକଟରେ ଭାରତ ଚୀନ ମଧ୍ୟରେ ସମ୍ପର୍କରେ ଉନ୍ନତି ହୋଇଥିବାରୁ ଏହି କଟକଣା କୋହଳ ହେବାର ଆଶା ଉଜ୍ଜ୍ୱଳ ହୋଇଛି। ୨୦୨୬ ଆର୍ଥିକ ବର୍ଷରେ ସାର ପାଇଁ ସବସିଡିର ପରିମାଣ ପୂର୍ବ ବର୍ଷର ୧.୮୮ ଲକ୍ଷ କୋଟି ଟଙ୍କାରୁ ୧.୭୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଏତିକି ବେଳେ ଅନ୍ତର୍ଜାତୀୟ ବଜାରରେ ୟୁରିଆର ଦରରେ ତୀବ୍ର ବୃଦ୍ଧି ଘଟି ଚାଲିଛି। ୨୦୨୫ ମସିହା ଫେବ୍ରୁଆରି ମାସରେ ଟନ୍ ପିଛା ଦର ୫୪୭ ଡଲାର ଥିବା ବେଳେ ତାହା ଜୁଲାଇ ମାସରେ ୬୩୦ ଡଲାରକୁ ବଢ଼ି ଯାଇଥିଲା। ବର୍ଷକ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧିର ପରିମାଣ ଥିଲା ପ୍ରାୟ ୩୦ ପ୍ରତିଶତ। ତେଣୁ ବିଦେଶରୁ ଉଚ୍ଚା ଦରରେ ଅଧିକ ପରିମାଣରେ ୟୁରିଆ ଆମଦାନି ଏଡ଼ାଇବାକୁ ହେଉଛି। ଅନ୍ୟ ପକ୍ଷରେ ଆମ ଦେଶରେ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ପ୍ରାକୃତିକ ଗ୍ୟାସର ଏକ ବହୁଳାଂଶ ବିଦେଶରୁ ଆମଦାନି କରାଯାଇଥାଏ। ଏହାର ମୂଲ୍ୟ ବୃଦ୍ଧି କାରଣରୁ ୟୁରିଆ ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଭାରତୀୟ କମ୍ପାନିଗୁଡ଼ିକ ବି ଏହାର ଉତ୍ପାଦନ ହ୍ରାସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୫ ମସିହା ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଚାରି ମାସ ମଧ୍ୟରେ ଉତ୍ପାଦନ ପରିମାଣ ୯୩.୬ ଲକ୍ଷ ଟନ୍ ଥିଲା, ଯାହା ପୂର୍ବ ବର୍ଷର ଏହି ସମୟର ଉତ୍ପାଦନ ପରିମାଣ ଠାରୁ ପ୍ରାୟ ୮.୫ ଲକ୍ଷ ଟନ୍ କମ୍। ତେଣୁ ୟୁରିଆ ଉତ୍ପାଦନ କ୍ଷେତ୍ରରେ ୨୦୨୫-୨୬ ସୁଦ୍ଧା ଦେଶ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ତାହା ପୂରଣ ହେବାର ସମ୍ଭାବନା କ୍ଷୀଣ। ତେଣୁ ଅଧିକ ମୂଲ୍ୟରେ ବିଦେଶରୁ ୟୁରିଆ ଆମଦାନି ଚାଲୁ ରହିବା ଅବଶ୍ୟମ୍ଭାବୀ। ଗତ ବର୍ଷ ଅଗଷ୍ଟ ୧ ତାରିଖରେ ଦେଶରେ ଗଚ୍ଛିତ ୟୁରିଆ ସାରର ପରିମାଣ ଥିଲା ୮୬.୪୩ ଲକ୍ଷ ଟନ୍। ଚାହିଦା ବୃଦ୍ଧି ସହିତ ଆମଦାନି ଓ ଉତ୍ପାଦନ ହ୍ରାସ ଯୋଗୁଁ ଏ ବର୍ଷ ଅଗଷ୍ଟ ୧ ତାରିଖରେ ତାହା ୩୭.୧୯ ଲକ୍ଷ ଟନ୍କୁ ହ୍ରାସ ପାଇଥିଲା, ଯାହା ଅଧାରୁ ଅଧିକ।
ଓଡ଼ିଶାରେ ଚଳନ୍ତି ୟୁରିଆ ସଙ୍କଟ କଥା ଆଲୋଚନା କରିବା ପୂର୍ବରୁ ଆସନ୍ତୁ ଚାଷୀଙ୍କ ଦୁର୍ଦ୍ଦଶାର କେତେକ ଚିତ୍ର ଅବଲୋକନ କରିବା। ଅଧିକାଂଶ ସମିତିରେ ୟୁରିଆ ବସ୍ତା ପିଛା ଧାର୍ଯ୍ୟ ମୂଲ୍ୟ ୨୬୭ ଟଙ୍କା ସ୍ଥଳେ ଚାଷୀଟିଏ ୩୦୦ ଟଙ୍କା ଦେଇ କିଣୁଥିବାର ଅଭିଯୋଗ ହୁଏ। ସମିତିରୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ମିଳୁ ନଥିବାରୁ ଚାଷୀମାନେ ଘରୋଇ ସାର ବିକ୍ରେତାଙ୍କ ଦ୍ୱାରସ୍ଥ ମଧ୍ୟ ହୁଅନ୍ତି ଓ କଳାବଜାରର ଶିକାର ହୁଅନ୍ତି। ସ୍ଥଳ ବିଶେଷରେ ସେମାନେ ବସ୍ତା ପିଛା ୬୦୦ ଟଙ୍କା ବା ଅଧିକ ଦିଅନ୍ତି। କେହି କେହି ବିକ୍ରେତା ଅତ୍ୟଧିକ ଦର ନ ହାଙ୍କି ୟୁରିଆ ସହିତ ନାନୋ ୟୁରିଆ, ନାନୋ ଡିଏପି ସାର କିଣିବାକୁ ବାଧ୍ୟ କରନ୍ତି। ଫଳରେ ଚାଷୀମାନଙ୍କୁ ଅଯଥା ଓ ଅନିଚ୍ଛାକୃତ ତଣ୍ଡ ଗଣିବାକୁ ପଡ଼େ, ଏବଂ ଏହା ଦ୍ବାରା ଅଧିକ ହଇରାଣ ହୁଅନ୍ତି ଭାଗଚାଷୀ।
ଧାନ, ମକା ଓ ଆଖୁ ଚାଷରେ ୟୁରିଆ ସାର ଅଧିକ ଦରକାର ହୋଇଥାଏ। ଏ ବର୍ଷ ଭଲ ମୌସୁମୀ ବର୍ଷା କାରଣରୁ ଚାଷୀମାନେ ଧାନ ଓ ଆଖୁ ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। କେବଳ ସେତିକି ନୁହେଁ, ଧାନର ବ୍ୟବସ୍ଥିତ ସଂଗ୍ରହ ଚାଷୀମାନଙ୍କୁ ଧାନଚାଷ ପ୍ରତି ଅଧିକ ଆକୃଷ୍ଟ କରିଥାଏ। ଏପରି ସ୍ଥଳେ ୟୁରିଆର ଆବଶ୍ୟକତା ଆଶାତୀତ ଭାବେ ବଢ଼ିଛି। ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉତ୍କଟ ଅଭାବ ଦେଖାଦେଇଛି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଅଛି ବୋଲି ସରକାରଙ୍କ ତରଫରୁ ବାରମ୍ୱାର କୁହାଯାଉଛି ସିିନା, ଚାଷୀଙ୍କୁ ଯଥେଷ୍ଟ ପରିମାଣରେ ସାର ଉପଲବ୍ଧ ହେଉ ନାହିଁ, ଯାହାର ଅର୍ଥ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲି ଧାରଣା ହେଉଛି। ପ୍ରଶ୍ନ ଉଠୁଛି ଯେ ବେଳହୁଁ ଅବ୍ୟବସ୍ଥାକୁ ଚିହ୍ନଟ କରି ତାହା ଦୂର କରାଯାଇପାରିଲା ନାହିଁ କାହିଁକି? ଏବେ ‘ପର୍ଯ୍ୟାପ୍ତ’ର ଅର୍ଥ ତର୍ଜମା କରିବା। ସର୍ବଭାରତୀୟ ସ୍ତରରେ ଏକର ପିଛା ହାରାହାରି ୫୬ କିଲୋଗ୍ରାମ ରାସାୟନିକ ସାର ପ୍ରୟୋଗ କରାଯାଉଥିବା ବେଳେ ଓଡ଼ିଶାରେ ତାହା ମାତ୍ର ୨୩ କିଲୋଗ୍ରାମ ବା ଅଧାରୁ କମ୍। ଏହି କାରଣରୁ ଓଡ଼ିଶାକୁ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ପରିମାଣର ସାର ଆବଣ୍ଟିତ ହୋଇଥାଏ। ତଦନୁଯାୟୀ ଏ ବର୍ଷ ଓଡ଼ିଶାକୁ ୯.୫୫ ଲକ୍ଷ ଟନ୍ ସାର ଆବଣ୍ଟିତ ହୋଇଛି। ଇତିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମଧ୍ୟ ରାସାୟନିକ ସାରର ପ୍ରୟୋଗ ବଢୁଥିବାରୁ ଓଡ଼ିଶାକୁ ମିଳୁଥିବା ସାର ‘ପର୍ଯ୍ୟାପ୍ତ’ ବୋଲି ମନେ ହୁଏନାହିଁ। ତେଣୁ ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଅଧିକ ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ ଓ ଅନୁରୋଧ କରାଯିବା ଆବଶ୍ୟକ।
ଭାରତ ସରକାର ନାନୋ ୟୁରିଆ ଓ ନାନୋ ଡିଏପିର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ୫୦୦ ମିଲିଲିଟର ବିଶିଷ୍ଟ ତରଳ ନାନୋ ୟୁରିଆ ବୋତଲରେ ୧୨୫ ଲିଟର ପାଣି ମିଶାଇ ଗୋଟିଏ ଏକର ଜମିରେ ସିଞ୍ଚନ କରାଯାଇପାରିବ। ଗୋଟିଏ ୪୫ କେଜି ୟୁରିଆ ବସ୍ତା ସାରର କାମ ଗୋଟିଏ ନାନୋ ୟୁରିଆ ବୋତଲ ଦ୍ବାରା ସଂପାଦିତ ହୋଇପାରିବ ବୋଲି କୁହାଯାଉଛି। ତେଣୁ ସ୍ବାଭାବିକ ଭାବେ ନାନୋ ୟୁରିଆ ସାରର ବ୍ୟବହାର ବଢ଼ିଲେ ୟୁରିଆ ସାରର ଆବଶ୍ୟକତା ହ୍ରାସ ପାଇବ। ହେଲେ ନାନୋ ୟୁରିଆର ବ୍ୟବହାର ନେଇ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯାଇପାରିନାହିଁ। ଆଗରୁ କୁହାଯାଇଥିବା ଭଳି କେତେକ ଘରୋଇ ସାର ବିକ୍ରେତାଙ୍କ ଠାରୁ ଚାଷୀମାନେ ବାଧ୍ୟବାଧକତାରେ ନାନୋ ୟୁରିଆ ଆଣୁଥିବା ଏହାର ପ୍ରମାଣ। ଅନେକ ଚାଷୀଙ୍କୁ ଭିଟାମିନ୍ ବୋଲି କହି ନାନୋ ୟୁରିଆ ଦିଆଯାଉଛି। ଅନେକ ଚାଷୀ ତରଳ ନାନୋ ୟୁରିଆକୁ ବ୍ୟବହାର କରିବାକୁ ଭୟ କରୁଛନ୍ତି। ନାନୋ ୟୁରିଆର ବ୍ୟବହାର ନେଇ ସଚେତନତା ବୃଦ୍ଧି ପାଇଲେ ଏହି ନାନୋ ୟୁରିଆକୁ ଡ୍ରୋନ୍ ଯୋଗେ ଏକ ବିସ୍ତୃତ ଅଞ୍ଚଳରେ ସିଞ୍ଚନ କରାଯାଇ ୟୁରିଆର ଚାହିଦା କମ୍ ହୁଅନ୍ତା। ପ୍ରକାଶ ଥାଉ କି ଏଥିପାଇଁ ୨୦୨୩-୨୪ରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ୩ ବର୍ଷ ମଧ୍ୟରେ ଦେଶରେ ‘ଡ୍ରୋନ୍ ଦିଦି’ କାର୍ଯ୍ୟକ୍ରମ ମାଧ୍ୟମରେ ୧୫,୦୦୦ ଡ୍ରୋନ ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତହିଁରୁ ଓଡ଼ିଶା ପାଇଁ ୪୭୩ ଡ୍ରୋନ ଦିଦିଙ୍କ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ମାତ୍ର ୧୬ ଜଣ ଡ୍ରୋନ ଦିଦି କାର୍ଯ୍ୟ କରୁଛନ୍ତି।
ଧାନ ଚାଷର ଉତ୍ପାଦକତା ଉପରେ ନାନୋ ସାରର ପ୍ରଭାବକୁ ନେଇ ହୋଇଥିବା କେତେକ ଅଧ୍ୟୟନରୁ ଜଣା ପଡୁଛି ଯେ ଏହା ମିଶ୍ରିତ ଫଳ ଦେଉଛି। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ କହିଛି ଯେ ନାନୋ ୟୁରିଆର ପ୍ରୟୋଗ ପରେ ଧାନ ଉତ୍ପାଦନ ହ୍ରାସ ପାଉଛି। ଅଥଚ, ତାମିଲନାଡୁ କୃଷି ବିଶ୍ୱ ବିଦ୍ୟାଳୟର ଅଧ୍ୟୟନ ଏହାର ବିପରୀତ କଥାଟି କହିଛି। ପ୍ରୟୋଗ ବିଧି, ସାନ୍ଦ୍ରତା, ଜଳବାୟୁ, ମୃତ୍ତିକାର ପ୍ରକାରେଭଦ ଏହି ମିଶ୍ରିତ ଫଳାଫଳର କାରଣ ହୋଇପାରେ। ତେବେ, ବିଭିନ୍ନ ଅଞ୍ଚଳରେ ଅଧିକ ଅଧ୍ୟୟନ ନକରି ନାନୋ ୟୁରିଆର ବ୍ୟବହାରକୁ ଚାଷୀଙ୍କ ଉପରେ ଲଦି ଦିଆଯିବା ମଧ୍ୟ ଅନୁଚିତ, ଯାହା ବିରୋଧରେ ଚାଷୀମାନେ ସ୍ୱର ଉତ୍ତୋଳନ କଲେଣି। ତେଣୁ ଆମ ରାଜ୍ୟର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସାରର ଫଳପ୍ରଦତା ନେଇ ଅଧ୍ୟୟନର ଆବଶ୍ୟକତା ରହିଛି। ଏଣେ ଏପରି ଏକ ଧାରଣା ମଧ୍ୟ ସୃଷ୍ଟି କରାଗଲାଣି ଯେ ନାନୋ ୟୁରିଆ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ ୟୁରିଆ ସାରର କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି।
ସାର କମ୍ପାନିଗୁଡ଼ିକ ‘ମାର୍କଫେଡ’କୁ ୫୦% ୟୁରିଆ ସାର ଦେଉଥିବା ବେଳେ ଆଉ ୫୦% ଘରୋଇ ବିକ୍ରେତାଙ୍କୁ ଦେଉଛନ୍ତି। ‘ମାର୍କଫେଡ’ ପକ୍ଷରୁ ସମିତିଗୁଡ଼ିକୁ ସାର ଯୋଗାଇ ଦିଆଯାଉଥିବାରୁ ଓ ଅଧିକ ଚାଷା ସାର ପାଇଁ ସମିତି ଉପରେ ନିର୍ଭରଶୀଳ ଥିବାରୁ କମ୍ପାନିଗୁଡ଼ିକ ‘ମାର୍କଫେଡ’କୁ ଅଧିକ ୟୁରିଆ ସାର ଯୋଗୋଇ ଦେବାକୁ ନିଶ୍ଚିତ କରାଯିବା ଉଚିତ। ରାଜ୍ୟର ସମସ୍ତ ସାର ଗୋଦାମରେ ସି.ସି. କ୍ୟାମେରା ଯୋଗେ ନିରୀକ୍ଷଣର ବ୍ୟବସ୍ଥା ରହିବାକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଏଥି ସହିତ ଗୋଦାମକୁ ଆସୁଥିବା ଓ ଯାଉଥିବା ଯାନବାହନଗୁଡ଼ିର ‘ଜି.ପି.ଏସ.’ ଉପରେ ନଜର ରଖାଯିବା ଆବଶ୍ୟକ। ଫଳରେ ସାରର କଳାବଜାର ହ୍ରାସ ପାଇବ।
ଦେଖାଯାଏ ଯେ କୃଷି କ୍ଷେତ୍ରରେ ଯେତେବେଳେ ସଙ୍କଟ ଦେଖାଦିଏ, ସରକାର ପ୍ରଥମେ ତାକୁ ଅସ୍ୱୀକାର କରନ୍ତି। ସମସ୍ୟା ଉତ୍କଟ ହୋଇ ଚାଷୀମାନେ ଆେନ୍ଦାଳନକୁ ଓହ୍ଲାଇଲା ପରେ ଯାଇ ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼େ। ଏ ସଂଦର୍ଭରେ ଏକ ମତ ହେଲା ଚାଷର ବାସ୍ତବ ସ୍ଥିତି, ଚାଷୀ ସମସ୍ୟା, ଚାଷୀମାନଙ୍କ ଶୋଷଣ ଆଦି ବିଷୟରେ ଜାଣିବା ସକାଶେ ଏକ ସ୍ବତନ୍ତ୍ର ଗୁଇନ୍ଦା ବିଭାଗ କାର୍ଯ୍ୟ କରିବା ଦରକାର, ଯାହାର ଗୁପ୍ତ ରିପୋର୍ଟ ସରକାରଙ୍କୁ ଯେ କୌଣସି କୃଷି ଭିତ୍ତିକ ସମସ୍ୟା ନେଇ ପୂର୍ବରୁ ଅବହିତ କରାଇବ। ଏଭଳି ଏକ ସଂସ୍ଥା ଯଦି ଗଢ଼ାଯାଏ, ତେବେ ତାହା ଦେଶରେ ଏଭଳି ପ୍ରଥମ ସଂସ୍ଥା ରୂପେ ଦୃଷ୍ଟାନ୍ତ ସ୍ଥାପନକାରୀ ମଧ୍ୟ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫