ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସଲ୍କ ଇନ୍ଷ୍ଟିଚ୍ୟୁଟର କେତେକ ଗବେଷକ ଦାବି କରିଛନ୍ତି ଯେ ସେମାନେ ମଦ୍ୟପାନର ଅଭ୍ୟାସ ସମ୍ପର୍କରେ କିଛି ରହସ୍ୟ ଉନ୍ମୋଚନ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ କିଛି ବ୍ୟକ୍ତିଙ୍କ ମନରେ ମଦ୍ୟପାନ କରିବା ପାଇଁ ଇଚ୍ଛା ଜାଗ୍ରତ ହେବା ପଛରେ ପ୍ରକୃତରେ ମସ୍ତିଷ୍କରେ ଥିବା ଏକ ସର୍କିଟ ଦାୟୀ।
ଗବେଷକମାନେ ବହୁଦିନ ଧରି ଏହା ଜାଣିବାକୁ ପ୍ରୟାସ କରୁଥିଲେ ଯେ କ’ଣ ପାଇଁ କିଛି ଲୋକ ଆଦୌ ମଦ୍ୟପାନ କରିବାକୁ ଇଚ୍ଛା ପ୍ରକାଶ କରି ନଥାନ୍ତି, ଅନ୍ୟପଟେ ଆଉ କିଛି ଲୋକ ବାରମ୍ବାର ମଦ୍ୟପାନ କରିଥାନ୍ତି ଓ ଏହା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଥାଏ। ମୂଷା ଉପରେ ଗବେଷଣା କରି ସେମାନେ ମସ୍ତିଷ୍କରେ ଥିବା ଏକ ସର୍କିଟ୍କୁ ଠାବ କରିଛନ୍ତି। ଯାହାଦ୍ୱାରା ପ୍ରକୃତରେ ଏପରି ଘଟିଥାଏ। ଏହି ସର୍କିଟ୍କୁ ବ୍ୟବହାର କରି ଜଣେ ବ୍ୟକ୍ତି ଆଗାମୀ ଦିନରେ ମଦୁଆ ହେବ କି ନାହିଁ , ତାହା ବି କୁହାଯାଇ ପାରିବ। ତା’ଛଡ଼ା ଏହି ଆବିଷ୍କାର ଯୋଗୁ ମଦ୍ୟପାନ ଅଭ୍ୟାସ ଛଡ଼ାଇବା ଆହୁରି ସହଜସାଧ୍ୟ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି।