ଛୋଟ ଦେଶର ବଡ଼ ଲୋକ

କୁମାର ପ୍ରଶାନ୍ତ

ମାତ୍ର ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ନ୍ୟୁଜିଲାଣ୍ଡ ଆଜି କିଛି ବଡ଼ ଦେଖାଯାଉଛି, ଏଥିପାଇଁ ଯେ କେହି ଜଣେ ତାହାକୁ ବଡ଼ ହେବାର ମାନେ ଶିଖାଇଛି। ତେବେ କେତେ ବଡ଼ ହେବା ପାଇଁ? ନିଜ ଶରୀର ଆକୃତିର! ସେଠାରେ ଜଣେ ମହିଳା ରହୁଛନ୍ତି- ଯାହାଙ୍କ ନାମ ଜେସିଣ୍ଡା କେଟ୍ ଲରେଲ ଆର୍ଡର୍ନ। ଗତକାଲି ଯାଏ ସେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ଆଜି କିନ୍ତୁ ସେ ଆଉ ସେଇ ପଦରେ ନାହାନ୍ତି। ସେ ୩୭ ବର୍ଷ ବୟସରେ ନ୍ୟୁଜିଲାଣ୍ଡ ଏବଂ ସାରା ବିଶ୍ବର ସବୁଠୁ କନିଷ୍ଠତମ ପ୍ରଧାନମନ୍ତ୍ରୀ ହୋଇ ପାରିଥିଲେ ଏବଂ ସାଢ଼େ ୫ ବର୍ଷ ଯାଏ ନିଜ ପଦରେ ରହିଥିଲେ। ତେବେ କିଏ ତାଙ୍କୁ ହରାଇଲା? ନା କିଏ ତାଙ୍କୁ ହଟାଇଲା? ବିପକ୍ଷ ଦଳ? ନା ତାଙ୍କ ନିଜ ଦଳ? ନା ତାଙ୍କ ଉପରେ ଭ୍ରଷ୍ଟାଚାରର ଦୋଷାରୋପ ଲାଗିଲା? ତେବେ କ’ଣ ଅଦାଲତ ତାଙ୍କୁ ହଟାଇଦେଲେ? ନା ସେନା ବିଦ୍ରୋହରେ ଏପରି ଘଟିଲା? ଏମିତି ଅଜସ୍ର ସମ୍ଭାବ୍ୟ ପ୍ରଶ୍ନ ପଚରାଯାଇପାରେ, ମାତ୍ର ସବୁର ଉତ୍ତର ହେବ ‘ନା’।

ଜେସିଣ୍ଡା ଏବେ ପ୍ରଧାନମନ୍ତ୍ରୀ ନାହାନ୍ତି, କାରଣ ସେ ସ୍ବୟଂ ପ୍ରଧାନମନ୍ତ୍ରୀ ନ ରହିବା ପାଇଁ ନିଷ୍ପତ୍ତି ନେଲେ। ସେ ନିଜ ଦେଶକୁ ଜଣାଇଦେଲେ: ମୁଁ ସଂପୂର୍ଣ୍ଣ ଖାଲି ହୋଇଗଲି। ଭିତରେ ଆଉ କିଛି ଏମିତି ବଞ୍ଚି ରହିନାହିଁ, ଯାହା ମୁଁ ନ୍ୟୁଜିଲାଣ୍ଡକୁ ଦେଇପାରିବି। ଯଦି ମୁଁ ଏବେ ଆଉ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବି, ତେବେ ନ୍ୟୁଜିଲାଣ୍ଡ ପାଇଁ ତାହା ଅପସେବା ହେବ। ତେଣୁ ମୁଁ ଏ ପଦ ତ୍ୟାଗ କରୁଛି। ମୁଁ ଆଶା କରୁଛି କି, ମୁଁ ନ୍ୟୁଜିଲାଣ୍ଡବାସୀଙ୍କୁ ବତାଇଦେଇ ପାରିଛି ଯେ ତୁମେ ଦୃଢ଼ ହୋଇ ବି ଦୟାଳୁ ହୋଇପାରିବ, ସହାନୁଭୂତିପୂର୍ଣ୍ଣ ରହି ମଧ୍ୟ ନିର୍ଣ୍ଣାୟକ ହୋଇପାରିବ ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅବିଚଳିତ ହୋଇ ରହିପାରିବ। ଏବଂ ନିଜ ତରଫରୁ ଏଭଳି ନେତୃତ୍ବ ଦେଇପାରିବ, ଯହିଁରେ କେତେବେଳେ ପଛକୁ ଫେରିବାକୁ ପଡ଼ିବ ତାହା ଜାଣିପାରୁଥିବ।

ଏ ଏକ ନୂଆ କଥା। ଆମେ ତ ଦେଶଦୁନିଆର ଏଭଳି ନେତୃତ୍ବର ହୁଙ୍କାର ଶୁଣିବାରେ ଅଭ୍ୟସ୍ତ ହୋଇଗଲେଣି କି ଯିଏ ଆଗାମୀ ଶତାବ୍ଦୀ ଯାଏ ଶାସନ କରିବେ ବୋଲି କହି ଚାଲିଛନ୍ତି। ଏମିତି କିଛି ନେତା ବି ଅଛନ୍ତି ଯିଏ କହିବା ଶୁଣିବା ଛାଡ଼ି ଏଭଳି ସାମ୍ବିଧାନିକ ବ୍ୟବସ୍ଥା କରିଦେଉଛନ୍ତି, ଯଦ୍ଦ୍ବାରା ସେ ଯେତେ ଦିନ ରହିଥିବେ, କ୍ଷମତା ହିଁ ଭୋଗ କରୁଥିବେ। ଏମିତି କିଛି ବି ଅଛନ୍ତି ଯିଏ ତାଙ୍କର ସମକକ୍ଷ ହେବାର ଆଶଙ୍କାକୁ ଟାଳିବା ପାଇଁ ଅନ୍ୟମାନଙ୍କ ଶିର ଛେଦନ କରୁଛନ୍ତି। ଜେସିଣ୍ଡାଙ୍କ ପାଇଁ ମଧ୍ୟ ଏପରି କରିବା କଷ୍ଟସାଧ୍ୟ ନଥିଲା। ମାତ୍ର ସେ ସେପରି କିଛି ନକରି ନିଜ ଲେବର ପାର୍ଟିକୁ ଜଣାଇଦେଲେ କି ଏବେ ନିଜ ଦଳର ନୂଆ ନେତା ଚୟନ କର। ତାଙ୍କ ଦଳ ମଧ୍ୟ କ୍ରିସ୍ ହିପ୍‌କିନ୍‌ସଙ୍କୁ ନିଜର ନୂଆ ନେତା ଭାବେ ବାଛିଲା ସତ, ମାତ୍ର ତାଙ୍କ ପାଇଁ ଜେସିଣ୍ଡା ଏଜେଣ୍ଡା ପ୍ରସ୍ତୁତ କରନ୍ତୁ ବୋଲି ଦଳ ଆଶା ରଖିଥିଲା। ତାହାକୁ ମଧ୍ୟ ଜେସିଣ୍ଡା ଅଗ୍ରାହ୍ୟ କରିଦେଇ ଜଣାଇଲେ, ‘ସେ ନିଜସ୍ବ ବିଚାରଧାରା ଓ ଅନୁଭବରେ ଚାଲିବା ଦରକାର। ମୁଁ ତାଙ୍କ ପାଇଁ ବାଟ କେମିତି ବନ୍ଦ କରିଦେବି?’

ଏହା ହେଉଛି ଜେସିଣ୍ଡାଙ୍କର ବିଶେଷତ୍ବ। ୨୦୧୭ ମସିହାରେ ଯେବେ ଲେବର ପାର୍ଟି ତାଙ୍କୁ ନିଜର ନେତା ଭାବେ ଚୟନ କଲା ଓ ଦେଶର ୪୦ତମ ପ୍ରଧାନମନ୍ତ୍ରୀ ଭାବେ ବାଛିଲା, ସେବେ ଠାରୁ ଆଜି ଯାଏ, ଦଳର ନେତା ନଥିଲେ କି ପ୍ରଧାନମନ୍ତ୍ରୀ ନଥିଲେ ମଧ୍ୟ, ଜେସିଣ୍ଡା ସର୍ବଦା କିଛି ନା କିଛି ନୂଆ କରି ଦେଖାଇଛନ୍ତି। ୨୦୧୮ରେ ସେ ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଗଲା ବେଳେ ତାଙ୍କ କୋଳରେ ତାଙ୍କର କୁନି ଝିଅ ରହିଥିଲା। ନିଜ ଶିଶୁକୁ କାଖେଇ କିଏ ଏମିତି ବୈଶ୍ବିକ ମଞ୍ଚରେ ଛିଡ଼ା ହୋଇପାରିବ? ସମସ୍ତେ ତାଟକା ହୋଇଯାଇଥିଲେ। ଏମିତି ନଥିଲା କି ଜେସିଣ୍ଡାଙ୍କ ପୂର୍ବରୁ କୌଣସି ମହିଳା ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରସଂଘକୁ ସମ୍ବୋଧିତ କରିବାକୁ ଆସିନଥିଲେ, ମାତ୍ର କେହି ଦୁନିଆର ମଞ୍ଚରେ ମାତୃତ୍ବକୁ ଏଭଳି ପ୍ରତିଷ୍ଠିତ କରିନଥିଲେ। ‘ସେ କେବଳ ନ୍ୟୁଜିଲାଣ୍ଡର ବର୍ତ୍ତମାନକୁ ନିୟନ୍ତ୍ରଣ କରୁନାହାନ୍ତି, ତାହାର ଭବିଷ୍ୟତକୁ ମଧ୍ୟ ସମ୍ଭାଳିଛନ୍ତି’- ଜେସିଣ୍ଡା ଏଭଳି ସହଜ ଘୋଷଣା ପୂର୍ବକ ବିଶ୍ବବ୍ୟାପୀ ମହିଳାଙ୍କୁ ଆତ୍ମବିଶ୍ବାସ ପ୍ରଦାନ କରିଥିଲେ। ସଂଯୁକ୍ତ ରାଷ୍ଟ୍ରସଂଘ ମଧ୍ୟ ଜେସିଣ୍ଡାଙ୍କୁ ନୂତନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ ହେଲା। ମନୁଷ୍ୟ ମନରେ ଏଭଳି ଭାବେ ନୂତନ ସଭ୍ୟତା ଜାଗି ଉଠିଥାଏ।

୨୦୧୯ରେ ଏଭଳି ପରିସ୍ଥିତି ହେଲା, ସତେ ଯେମିତି ନ୍ୟୁଜିଲାଣ୍ଡକୁ କିଏ ଖଣ୍ଡା ଧାରରେ ଚଢ଼େଇ ଦେଇଛି! ଆତଙ୍କବାଦ ପ୍ରଥମ କରି ସେହି ଦେଶରେ ନିଜର ରକ୍ତିମ ସ୍ବାକ୍ଷର ଛାଡ଼ିଲା। ଜଣେ ଶ୍ବେତାଙ୍ଗ ଆତଙ୍କବାଦୀ ଦୁଇଟି ମସଜିଦ୍‌ରେ ଆଖିବୁଜା ଗୁଳି ଚଳାଇ ୫୦ରୁ ଅଧିକ ମୁସଲମାନ ନାଗରିକଙ୍କୁ ହତ୍ୟା କରିଦେଲା ଏବଂ ଶ୍ବେତ ନ୍ୟୁଜିଲାଣ୍ଡକୁ ନିଜ ସହ ଛିଡ଼ା ହେବାକୁ ଆହ୍ବାନ କଲା। ବିଶ୍ବର ପ୍ରତି ଅଞ୍ଚଳରେ ଏପରି ଆତଙ୍କବାଦୀ ହମଲାର ଜବାବ ପୁଲିସ-ଫୌଜ ଦେଇ ଆସୁଛନ୍ତି। ମାତ୍ର ଜେସିଣ୍ଡା ତାହାର ରାଜନୈତିକ ଜବାବ ଦେଇଥିଲେ। ସେ ବୁର୍ଖା ପିନ୍ଧି ମସଜିଦରେ ପହଞ୍ଚିଗଲେ, ମୃତକଙ୍କ ପରିଜନମାନଙ୍କର ଲୋତକ ପୋଛିଲେ, ସେମାନଙ୍କ ପାଇଁ ସରକାରୀ ସୁବିଧା ବ୍ୟବସ୍ଥା କରାଇଲେ, ଆହତମାନଙ୍କ ଚିକିତ୍ସା କରାଇଲେ ଏବଂ ସ୍ପଷ୍ଟ ଭାବରେ ଘୋଷଣା କଲେ କି ନ୍ୟୁଜିଲାଣ୍ଡ ହେଉଛି ତାହାର ସମସ୍ତ ନାଗରିକମାନଙ୍କର। ଆତଙ୍କବାଦୀମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ‘ତୁମ ସହ ରହିବା ପାଇଁ ତୁମେ ଆମକୁ ଆମନ୍ତ୍ରଣ କରିଛ, ତେଣୁ ତୁମେ ଶୁଣିରଖ ଯେ ମୁଁ ତୁମକୁ ଓ ତୁମ ନିମନ୍ତ୍ରଣକୁ ଏହି ମୁହୂର୍ତ୍ତରୁ ଏହିଠାରୁ ହିଁ ପ୍ରତ୍ୟାଖ୍ୟାନ କରୁଛି’। କେବଳ ସେତିକି ନୁହେଁ, ସବୁ ବିରୋଧୀଙ୍କୁ ସାଙ୍ଗରେ ଧରି ଅସ୍ତ୍ରଶସ୍ତ୍ରର ସାର୍ବଜନୀନ ଉପଲବ୍‌ଧତା ବିରୋଧରେ ଆଇନ ପାରିତ କରାଇଲେ। ନ୍ୟୁଜିଲାଣ୍ଡ ସେହି ଦିନ ହିଁ ଆତଙ୍କବାଦ ମୁଠାରୁ ଫେରି ଆସିଥିଲା ଏବଂ ଅଦ୍ୟାବଧି ସେମିତି ଛିଡ଼ା ହୋଇ ରହିଛି।

ପରେ ପରେ ସାରା ବିଶ୍ବ କରୋନା ସୁନାମିରେ ଘାଣ୍ଟିହେଲା। ନ୍ୟୁଜିଲାଣ୍ଡ ବି ତାହା କବଳରେ ପଡ଼ିଥିଲା। ସେତିକି ବେଳେ ଜେସିଣ୍ଡାଙ୍କ ନେତୃତ୍ବର ପରୀକ୍ଷା ହେଲା। ସେ ସରକାରଙ୍କର ସଂପୂର୍ଣ୍ଣ ତାକତ ଓ ମାତୃତ୍ବ ଭଣ୍ଡାର ଖୋଲିଦେଲେ। ମାନବୀୟ ସ୍ପର୍ଶ ସହିତ ଆବଶ୍ୟକ କଠୋରତା ବି ଦେଖାଇଲେ। ସେଠାରେ ରୋଗାକ୍ରାନ୍ତଙ୍କୁ ମୃତ୍ୟୁ ଭରସାରେ ଛାଡ଼ିଦେବାର ଅମାନବିକତା ନଥିଲା କି ମୃତ୍ୟୁ ପ୍ରତି ଭୟଭୀତ ଥିବା ଲୋକଙ୍କୁ ଅଯଥାରେ ତ୍ରସ୍ତ କରାଯାଇ ନ ଥିଲା। ପାଶ୍ଚାତ୍ୟ ଦେଶମାନଙ୍କରେ ସମସ୍ତେ ଏହି କୋଭିଡ୍-୧୯ ଯୁଦ୍ଧରେ ଲଢ଼େଇ କରିଥିଲେ, ମାତ୍ର ନ୍ୟୁଜିଲାଣ୍ଡରେ ମୃତ୍ୟୁ ହାର ସର୍ବନିମ୍ନ ଥିଲା। ଏପରିକି ନ୍ୟୁଜିଲାଣ୍ଡ ଚେହେରାରେ ମଧ୍ୟ କରୋନାର ବିଷାକ୍ତ ପଞ୍ଝାର ଦାଗ କ୍ବଚିତ୍ ଦେଖିବାକୁ ମିଳିଲା। ନୂଆ ପ୍ରଧାନମନ୍ତ୍ରୀ କ୍ରିସ୍ ହିପକିନ୍‌ସ ସେଇ କରୋନା-ଯୁଦ୍ଧର ଉତ୍ପାଦ। ସେହି ସମୟରେ ମଧ୍ୟ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଥିଲା, ମାତ୍ର ଜେସିଣ୍ଡା କେବେ ବି ଭୂମି ଛାଡ଼ିନଥିଲେ।

ଏମିତି ନୁହେଁ କି, ପ୍ରତିଟି ମାମଲାରେ ଜେସିଣ୍ଡାଙ୍କୁ ସଫଳତା ମିଳିଛି। କିଛି ବିଫଳତା ମଧ୍ୟ ତାଙ୍କ ଖାତାରେ ଟିପି ହୋଇଯାଇଛି। ନ୍ୟୁଜିଲାଣ୍ଡ ଦୁନିଆର ସବୁଠୁ ମହଙ୍ଗା ଦେଶ। ସେଠାକାର ମୁଦ୍ରାସ୍ଫୀତି ସମସ୍ତଙ୍କୁ ଆକ୍ରାନ୍ତ କରିଛି। ଲୋକଙ୍କ ପାଇଁ ବାସଗୃହର ଅଭାବ ରହିଛି ଏବଂ ଲୋକଙ୍କ ପାଇଁ ଗୃହନିର୍ମାଣର ସରକାରୀ ଦାବି ସଂପୂର୍ଣ୍ଣ ବିଫଳ ହୋଇଛି। ଶିଶୁମାନଙ୍କର ଦୁରବସ୍ଥା ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ଅଧିକ ଦାରୁଣ ସମସ୍ୟା ଭାବେ ଉଭା ହୋଇଛି। ସେଠାକାର ନାଗରିକ ସମାଜ ଅତି ସାଂଘାତିକ ଭାବରେ ସାମାଜିକ-ଆର୍ଥିକ ବିଷମତାରେ ବୁଡ଼ି ରହିଛି। ସେହିପରି ୧୦ ପ୍ରତିଶତ ଲୋକଙ୍କ ହାତମୁଠାରେ ଦେଶର ୫୦ ପ୍ରତିଶତରୁ ଅଧିକ ସଂସାଧନ ରହିଛି। କ୍ଷମତା ଓ ସରକାରଙ୍କ ପାଖରେ ଯାଦୁଦଣ୍ଡ ରହିଛି ବୋଲି ରାଜନେତାମାନେ ବିଶ୍ବାସ କରନ୍ତି। ତେଣୁ କ୍ଷମତା ହାସଲ ପାଇଁ ସମସ୍ତଙ୍କର ଆପ୍ରାଣ ଉଦ୍ୟମ। ସେମାନେ ମଧ୍ୟ ଦେଶବାସୀଙ୍କ ପାଖରେ ଶପଥ କରନ୍ତି କି ଶାସନକୁ ଆସିଲେ ସବୁ କିଛି ବଦଳେଇ ଦେବେ। ମାତ୍ର କ୍ଷମତାକୁ ଆସିଲା ପରେ ସେମାନେ ଜାଣିପାରନ୍ତି ଯେ ସେମାନଙ୍କର କ୍ଷମତା କେତେ ସୀମିତ। ନିଜ ପାଇଁ ସୁବିଧା କି ସମ୍ପତ୍ତି ଯୋଗାଡ଼ କରିବା ଭିନ୍ନ କଥା, ମାତ୍ର ଏହି ବିଧିବ୍ୟବସ୍ଥାରେ ସମାଜ ପାଇଁ ବହୁତ କିଛି କରିପାରିବାର କ୍ଷମତା କି ସମ୍ଭାବନା ନାହିଁ। ମହାତ୍ମା ଗାନ୍ଧୀ ଏହାକୁ ବୁଝାଇବାକୁ ଯାଇ ସ୍ବତନ୍ତ୍ର ଭାରତର ଶାସକମାନଙ୍କୁ କହିଥିଲେ: ‘ଶାସନ ଗାଦିରେ ମଜଭୁତ ଭାବେ ବସ, ମାତ୍ର ତାହାକୁ ଜାବୁଡ଼ି ଧରନାହିଁ।’ ଆମ ଶାସକମାନେ ତାହାର ଠିକ୍ ଓଲଟା କରୁଛନ୍ତି। କିନ୍ତୁ ଜେସିଣ୍ଡା ସେପରି କରିନାହାନ୍ତି। ଶାସନଗାଦିରେ ଥିଲା ଯାଏ ସେ ମୂଲ୍ୟବୋଧକୁ ମଜଭୁତ କରି ଧରି ରହିଥିଲେ; ଆଉ ଯେତେବେଳେ ଅନୁଭବ କଲେ କି, କିଛି ନୂଆ କରିବା ପାଇଁ ତାଙ୍କ ପାଖରେ ଆଉ କିଛି ବଳିନାହିଁ, ଗାଦି ଖାଲି କରିଦେଲେ। ସେଥିପାଇଁ ସେ ଅନ୍ୟମାନଙ୍କ ଠାରୁ ଭିନ୍ନ ନଜରରେ ଆସନ୍ତି। ଯୁବକମାନଙ୍କ ନେତୃତ୍ବରେ ନୂତନତ୍ବ କେବଳ ବୟସରେ ନୁହେଁ, ଅନ୍ଦାଜ ବା ଶୈଳୀରେ ମଧ୍ୟ ଆସିପାରିବ। କେବଳ ସର୍ତ୍ତ ଏଇଆ କି ଯୁବକଙ୍କ କାନ୍ଧରେ ବୃଦ୍ଧଙ୍କର ମସ୍ତକ ରହିବନି। ଜେସିଣ୍ଡା ହେଉଛନ୍ତି ତାହାର ଏକ ଦୃଷ୍ଟାନ୍ତ।

ସମ୍ବନ୍ଧିତ ଖବର