ପ୍ରୀତୀଶ ଆଚାର୍ଯ୍ୟ

Advertisment

ବେଶୀ ଜରୁରି ନ ଥିଲେ ପିଲା ପ୍ରାୟତଃ ‘ହେଡ୍ ଚେମ୍ବର’ (ବିଭାଗୀୟ ମୁଖ୍ୟଙ୍କ ପ୍ରକୋଷ୍ଠ)କୁ ଆସନ୍ତି ନାହିଁ। ଅଫିସରେ ଦସ୍ତଖତ ପାଇଁ କାଗଜମାନ ଜମା କରିଦିଅନ୍ତି। ସେ ଦିନ ଛାତ୍ରୀ ଜଣକ ଛୁଟିରେ ଯିବ ବୋଲି ମୋ ଚେମ୍ବରକୁ ଆସିଲା ଏବଂ କାଳେ ମୁଁ ବିରକ୍ତ ହେବି ଆଶଙ୍କା କରି ଭୟାର୍ତ୍ତ ମୁଦ୍ରାରେ ଆବେଦନ ପତ୍ର ଧରି ଛିଡ଼ା ହେଲା। ଅନ୍ୟ ବ୍ୟସ୍ତତା ଯୋଗୁଁ ତାକୁ ଟିକିଏ ଅପେକ୍ଷା କରିବାକୁ ଓ ସେ ପର୍ଯ୍ୟନ୍ତ ଛିଡ଼ା ନ ହୋଇ ବସିବାକୁ କହିଲି। ଦେଖିଲାରୁ ଜାଣିଲି ଯେ ଛୁଟିର କାରଣ ହରିଆଣାର ତା’ ସହରକୁ ସେ ଡାକ୍ତରୀ ପରାମର୍ଶ ପାଇଁ ଯିବ। ପଚାରିଲି, ଘରକୁ ଯିବା ଲାଗି ଡାକ୍ତରୀ ପରାମର୍ଶ ବୋଧେ ବାହାନା! ବିଚଳିତ ନ ହୋଇ ଝିଅଟି କହିଲା, ‘ନା ସାର୍, ପ୍ରତି ଦୁଇ ମାସରେ ମତେ ଡାକ୍ତରୀ ପରାମର୍ଶ ପାଇଁ ଯିବାକୁ ହୁଏ।’ କହିଲି, ‘ସୁସ୍ଥ ତ ଦେଖାଯାଉଛ; ପୁଣି ଡାକ୍ତରୀ ପରାମର୍ଶ କୋଉଥି ପାଇଁ?’’ ଆଗଭଳି ଅବିଚଳିତ ରହି ସେ କହିଲା, ‘ମାନସିକ ରୋଗ।’
ତା’ ସିଧା ଜବାବ ଶୁଣି ତାକୁ ଅଧିକ ପଚାରିବା ଏବେ ମୋତେ କର୍ତ୍ତବ୍ୟ ଭଳି ମନେ ହେଲା। ତା’ ଘରେ ପ୍ରତିଦିନ ମା’-ବାପାଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୁଏ। ସେହି କାରଣରୁ ଦୁଇ ବର୍ଷ ହେଲା ସେ ମାନସିକ ରୋଗୀ। ବାପା ସନ୍ଧ୍ୟାରେ ମଦ ପିଇ ଘରକୁ ଫେରନ୍ତି। ମା’ ଝଗଡ଼ା ଆରମ୍ଭ କରନ୍ତି, କାରଣ ତଦ୍ଦ୍ବାରା କିଡ୍‌ନି ନଷ୍ଟ ହେବ; ଦୁଇ ଦୁଇଟି ଛୁଆଙ୍କୁ ସେ ବଡ଼ କରିବ କେମିତି? 
ବାପା ‘ପ୍ରପର୍ଟି ଡିଲର୍’; ଘରେ ଆର୍ଥିକ ଅସୁବିଧା ନାହିଁ; ଛୁଆଙ୍କୁ ସେ ଏତେ ଭଲ ପାଆନ୍ତି ଯେ ହଜାରେ ଟଙ୍କା ମାଗିଲେ ଦୁଇ ହଜାର ଦିଅନ୍ତି। ଘରର ବିଷାକ୍ତ ପରିବେଶରୁ ମୁକ୍ତ ରହିବ ବୋଲି ସାନ ଭାଇକୁ ବୋର୍ଡିଂ ସ୍କୁଲରେ ରଖିଛନ୍ତି। ସାନ ଭାଇ ତ ‘ଟେନ୍‌ସନ୍’କୁ ସହ୍ୟ କରିନିଏ। କିନ୍ତୁ ଝିଅଟି ପାରେନା। ରାତି ରାତି ଧରି ଶୋଇ ପାରିଲାନି ବୋଲି ବାପା ତାକୁ ମାନସିକ ଡାକ୍ତରଙ୍କ ପାଖକୁ ନେଲେ। ଔଷଧ ଚାଲିଛି; ପ୍ରତି ଦୁଇ ମାସରେ ଥରେ ଡାକ୍ତରଙ୍କୁ ଭେଟିବାକୁ ପଡ଼େ। 
ଝିଅଟି କହିଲା, ‘ମା’ କହେ, ଆମ ଭାଇଭଉଣୀଙ୍କ ଯୋଗୁଁ ସେ ଆତ୍ମହତ୍ୟା କରି ପାରୁନାହିଁ। ଏବେ ଆମେ ବଡ଼ ହୋଇଗଲୁଣି। ମୋର ଡର ବାପା ଯଦି ମଦ ଛାଡ଼ିବେନି ମା’ ଆତ୍ମହତ୍ୟା କରିବେ ଖୁବ୍ ଶୀଘ୍ର!’
ଝିଅଟି ସବୁ କଥା ଏମିତି କହିଗଲା ଯେ ମଝିରେ ସ୍ପଷ୍ଟତା ପାଇଁ ମୋ ଆଡୁ କୌଣସି ପ୍ରଶ୍ନର ଅବକାଶ ନ ଥିଲା। କହିଲା ବେଳେ ନା ସେ କାନ୍ଦୁଥିଲା ନା କଥାକୁ ଅଯଥା ଦୀର୍ଘ କରୁଥିଲା! ମନେ ହେଲା,  ଯେମିତି ଏ ଯାଏ ସେ ସବୁ କିଛି ଜମା କରି ରଖିଥିଲା, କାହା ଆଗରେ କହିବ ବୋଲି! ଶୁଣିବା ପାଇଁ ମୋ ଠାରେ ଧୈର୍ଯ୍ୟ ଅଛି ବୋଲି ଆଭାସ ଦେବା ବ୍ୟତୀତ ତା’ ସମସ୍ୟାକୁ ଉପଶମ କଲା ଭଳି ଅନ୍ୟ କୌଣସି ବାଟ ମୋ ଠାରେ ନ ଥିଲା। ମୋତେ ଜଣା କ୍ଲାସ୍‌ରେ ଏ ସବୁକୁ ନେଇ ମୁଁ ଚର୍ଚ୍ଚା ବି କରିପାରିବି ନାହିଁ; ପୁଣି କେବେ ଏକା ଭେଟ ହେଲେ ହୁଏତ ସେ ପ୍ରସଙ୍ଗଟି ପୁଣି ଉଠିପାରେ! ପଚାରିଲି, ‘ତୁମର କେହି ଅନ୍ତରଙ୍ଗ ସାଙ୍ଗ ନାହାନ୍ତି, ଯାହା ଆଗରେ ନିଜ କଥା କହିପାରିବ?’ ତା’ର ଉତ୍ତର ହେଲା, ‘ଭଲ ସାଙ୍ଗ ଅଛନ୍ତି, ହେଲେ ମୁଁ କହିପାରେନା। ଲାଗେ, ଶୁଣିବେ ଯଦି ସେମାନେ ମୋ ପ୍ରତି ଦୟା ଭାବ ଦେଖାଇବେ। ସେମାନଙ୍କ ଆଗରେ ବାପା-ମା’ଙ୍କ ସମ୍ମାନ ରହିବନି। ଏହା ମୋର ଉଦ୍‌ବେଳନକୁ ଆହୁରି ବଢ଼େଇଦେବ!’ 
 ‘ହେଲେ ମୋ ଆଗରେ ତ ସବୁ କହିଗଲ!’, ମୁଁ ପଚାରିଲି।
ସେ ଉତ୍ତର ଦେଲା, ‘ଆପଣ ଥରେ କ୍ଲାସ୍‌ରେ କହିଥିଲେ, ଶିକ୍ଷକ ହେଉଛନ୍ତି ଉଭୟ ବାପା-ମା’ର ସମାହାର। ପିଲାମାନେ ପାଠ ସମସ୍ୟା ସାଙ୍ଗରେ ବ୍ୟକ୍ତିଗତ ସମସ୍ୟା ବି ଶିକ୍ଷକଙ୍କ ଆଗରେ ରଖିବା କଥା।’ ମୋର ମନେ ପଡ଼ିଗଲା ଅନେକ ବର୍ଷ ତଳେ ମୋ ଶିକ୍ଷକ କହିଥିବା ଏହି କଥାଟିକୁ ଥରେ ମୁଁ ଶ୍ରେଣୀରେ କହିଥିଲି। ସେତେବେଳେ ଆମେ ଜେଏନ୍‌ୟୁରେ ନୂଆ କରି ନାମ ଲେଖାଇ ଥାଉଁ। ଗଁାରୁ ଯାଇଥିବା କାରଣରୁ ଭାଷା ସମସ୍ୟା, ପାଠ ବୁଝିବାର ସମସ୍ୟା, ବନ୍ଧୁତା ତିଆରି କରିବା ନେଇ ସମସ୍ୟା  ମୋତେ ଘେରି ରହିଥିଲା! ତ ବିପନ ଚନ୍ଦ୍ର ଶିକ୍ଷକ ଭାବରେ ଦିନେ କହିଥିଲେ ଏ କଥା। ତାଙ୍କ କହିବା କଥା, ‘ସେ ହୁଏତ ସବୁ ସମସ୍ୟାର ସମାଧାନ କରିଦେଇ ନ ପାରନ୍ତି, ମାତ୍ର ଧୈର୍ଯ୍ୟ ଧରି ଶୁଣିବାରେ କେବେ କାର୍ପଣ୍ୟ କରିବେ ନାହିଁ।’ ତା’ ସତ୍ତ୍ବେ ମୁଁ ସମସ୍ୟା ନେଇ ତାଙ୍କ ପାଖକୁ ଯିବାର ସାହସ କେବେ ଜୁଟେଇ ପାରି ନ ଥିଲି। କିନ୍ତୁ ତାଙ୍କ ପାଖରୁ ଆଶ୍ବାସନା ମିଳିବା ପରେ ସେହି ନୂଅା ପରିବେଶରେ ନିଜକୁ ଅସହାୟ ମଣି ନଥିଲି। ମୋର ସେହି ଉଦ୍ଧୃତି ଏବେ ଝିଅଟିକୁ ତା’ ସମସ୍ୟା ଖୋଲି କହିବା ପାଇଁ ସାହସ ଦେଲା।  ସେ ଦିନ କ୍ଲାସ୍‌ରେ ଏହା କହିବା ବେଳେ ମୁଁ କେବେ କଳ୍ପନା କରି ନ ଥିଲି ଯେ ଏମିତି ‌େକବେ ଦିନେ ଘଟିବ!
ଝିଅଟି ଶେଷରେ କହିଲା, ‘ସାର୍, ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା ରହିଛି। ଆପଣ ବି କେବେ ସମସ୍ୟା ମୁକ୍ତ ହୋଇ ନ ଥିବେ! ହେଲେ, ଶୁଣିବା ଲୋକ ସମାନୁଭୂତି ବଦଳରେ ସହାନୁଭୂତି ପ୍ରଦର୍ଶନ କଲେ, ସମସ୍ୟା ଅଧିକ ଭାରି ହୋଇଗଲା ଭଳି ଲାଗେ। ସାଙ୍ଗମାନଙ୍କ ତୁଳନାରେ ଶିକ୍ଷକମାନେ ଛାତ୍ରମାନଙ୍କ ପାଇଁ ଅଧିକ ଆସ୍ଥାଭାଜନ ହୋଇ ଥାଆନ୍ତି। କାରଣ ଶିକ୍ଷକ ବୟସରେ ବଡ଼; ପଥ ପ୍ରଦର୍ଶକ ଭଳି। ତେଣୁ ପିଲାଟିଏ ତାଙ୍କ ଆଗରେ ଅକାତରେ ନିଜ କଥା ଖୋଲି କହିଦେଇପାରେ। କେବଳ ସେହି ପ୍ରତ୍ୟୟ ଲୋଡ଼ା, ଯାହା ଆଜି ମୁଁ ଆପଣଙ୍କ ଚେମ୍ବରକୁ ଆସି ପାଇଲି। ଆପଣ ବିରକ୍ତ ହେଲେନି; ମତେ ବସିବାକୁ କହିଲେ; ଛୁଟିରେ ଯିବାର କାରଣ ଜାଣିବାକୁ ଚାହିଲେ। ମୁଁ ମୁହଁ ଖୋଲିବାକୁ ସାହସ ପାଇଗଲି।’ 
ଝିଅଟିର ବୁଦ୍ଧି ଓ ପରିପକ୍ବତା ମୋତେ ପ୍ରଭାବିତ ତ କଲା, ସେଥିରୁ  ଏକ ବଡ଼ ଶିକ୍ଷା ମଧ୍ୟ ପାଇଲି। ଆଗରୁ ବିଭିନ୍ନ କାମ ସକାଶେ ମୋତେ ଏକା ଭେଟିବାକୁ ଆସୁଥିବା ଅନେକ ପିଲାଙ୍କୁ ସମୟ ନ ଦେଇ ଯିବାକୁ କହିଛି। ମୋତେ ଲାଗିଲା ସେହି ଛାତ୍ରଛାତ୍ରୀମାନେ ମୋ ପାଖକୁ କୌଣସି କାମ ନେଇ ଆସିବା ହୁଏତ କେବଳ ବାହାନା ହୋଇଥିବ! ସେମାନେ ହୁଏ’ତ ନିଜ ମନ କଥା ଖୋଲି କହିଦେବା ଲାଗି ଆସିଥିବେ ଏବଂ ମୋ ଠାରେ ସେ ସମ୍ଭାବନା ନିବୁଜ ଦେଖି ଫେରି ଯାଇଥିବେ! ସେହି ଛାତ୍ରୀ ମୋତେ ସେ ଦିନ ସଚେତନ କରି ଦେଇଗଲା।
[email protected]