ଧନେଶ୍ବର ସାହୁ

ମାନବବାଦ ଏକ ଜୀବନ-ଦର୍ଶନ। ଏହି ଜୀବନ-ଦର୍ଶନର ଏକ ବିସ୍ତାରିତ ଅର୍ଥ ହେଉଛି ସାମାଜିକ ନ୍ୟାୟ ଓ ମାନବିକ ଅଧିକାର। ସାମାଜିକ ନ୍ୟାୟର ସରଳ ଅର୍ଥ ହେଉଛି ସମାଜରେ ବ୍ୟକ୍ତିମାନଙ୍କ ମଧ୍ୟରେ ସମ୍ବନ୍ଧ ଔଚିତ୍ୟବୋଧ ଓ ନୀତିପୂର୍ଣ୍ଣ ହେବା ଆବଶ୍ୟକ। ସମାଜର ସମସ୍ତ ନାଗରିକ ସମାନ ସୁବିଧା, ସୁଯୋଗ ଓ ନିଜ ସାମର୍ଥ୍ୟର ବିକାଶ ପାଇଁ ଅବକାଶ ପାଇବେ ଏବଂ କୌଣସି ବ୍ୟକ୍ତି ବା ‌େଗାଷ୍ଠୀ କିଛି ଭେଦଭାବ, ଶୋଷଣ ବା ଉତ୍ପୀଡ଼ନର ଶିକାର ହେବେ ନାହିଁ। ଏକ ସୁସ୍ଥ ଓ ନିରାପଦ ଜୀବନ ବଞ୍ଚିବାର ପରିବେଶ ପ୍ରତ୍ୟେକ ବ୍ୟକ୍ତିକୁ ମିଳିବା ଆବଶ୍ୟକ। ଜୀବନଧାରଣ ପାଇଁ ଆବଶ୍ୟକ ପଡୁଥିବା ଭୌତିକ ସାଧନ ସହ ଶିକ୍ଷା, ସ୍ବାସ୍ଥ୍ୟସେବା, ସାଂସ୍କୃତିକ ସୁଯୋଗ ସମସ୍ତଙ୍କୁ ମିଳିବା ଦରକାର। ସମାଜରେ କୌଣସି ବ୍ୟକ୍ତି ବା ଗୋଷ୍ଠୀ ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଓ ମାନବିକ କାର୍ଯ୍ୟକଳାପରୁ ବହିଷ୍କୃତ ହେବେନାହିଁ। ସମାଜରେ ନାନା ବିବିଧତା ରହିବା ଏକ ସ୍ବାଭାବିକ ଘଟଣା। ଜାତି, ଧର୍ମ, ଭାଷା, ରଙ୍ଗ, ଲିଙ୍ଗ ଇତ୍ୟାଦି ବିଭିନ୍ନ ପରିଚୟ ବହନ କରୁଥିବା ଗୋଷ୍ଠୀର ଲୋକମାନେ ରହିବେ, ତେବେ କୌଣସି ପରିଚୟ କିମ୍ବା ଅସ୍ମିତାକୁ ନେଇ କେହି କୌଣସି ଶୋଷଣ କିମ୍ବା ଭେଦଭାବର ଶିକାର ହେବେନାହିଁ। ସାମାଜିକ ବିକାଶ ପ୍ରକ୍ରିୟାରେ ସମସ୍ତଙ୍କର ସହଯୋଗ ଓ ସହଭାଗିତା ରହିବ ଏବଂ ସାମାଜିକ ଜୀବନ ପ୍ରଭାବରୁ କୌଣସି ଗୋଷ୍ଠୀକୁ ବହିଷ୍କୃତ ବା ବଞ୍ଚିତ କରାଯିବ ନାହିଁ। ସମାଜରେ ଯାହା କିଛି ସୁବିଧା, ସୁଯୋଗ ଓ ସମ୍ବଳ ରହିଛି ସେଥିରେ ସମସ୍ତଙ୍କର ଅଧିକାର ରହିବ। ମାନବବାଦୀ ଚେତନାର ବିକାଶରୁ ଏହିସବୁ ଭାବଧାରା ଚିନ୍ତାରାଜ୍ୟକୁ ଆସିଛି, ଯାହାକୁ ସାମାଜିକ ନ୍ୟାୟ କୁହାଯାଉଛି।
ସଭ୍ୟତା କ୍ରମବିକାଶର ଇତିହାସରୁ ଜଣାଯାଏ ଯେ ମାନବ ସମାଜ ସର୍ବଦା ଶ୍ରେଣୀବିଭକ୍ତ ରହିଆସିଛି। ଅତୀତରେ ରାଜତନ୍ତ୍ର, ସାମନ୍ତବାଦ ପ୍ରାୟ ସବୁ ସମାଜରେ ରହିଥିଲା। ସାମନ୍ତ ରାଜା-ରାଜୁଡ଼ାମାନେ ବିଳାସପୂର୍ଣ୍ଣ ଜୀବନ ନିର୍ବାହ କରୁଥିଲେ ଓ ବଡ଼ ବଡ଼ ଦୁର୍ଗ ଭିତରେ ରହୁଥିଲେ। ସମାଜର ଅଗଣିତ ମଣିଷ ସେମାନଙ୍କର ବିଳାସ ବ୍ୟସନ ପାଇଁ ଓ ଉତ୍ପାଦନ ପାଇଁ ‌ନିୟୋଜିତ ହୋଇ ଶୋଷିତ ହୋଇ ରହିଥିଲେ। ଶିଳ୍ପ ବିପ୍ଳବ ଯୁଗରେ ମୁଷ୍ଟିମେୟ ଲୋକ ସକଳ ପୁଞ୍ଜିର ଅଧିକାରୀ ହେବା ସହ ପ୍ରାଚୁର୍ଯ୍ୟ ଭିତରେ ରହିବା ବେଳେ ସମାଜର ଶ୍ରମଜୀବୀ ଓ ମେହନତୀ ମଣିଷମାନେ ଉପମାନବୀୟ ବା ‘ସବ୍‌ହ୍ୟୁମାନ’ ସ୍ତରରେ ଜୀବନ ନିର୍ବାହ କରୁଥିଲେ। ବର୍ଣ୍ଣବୈଷମ୍ୟ, ଅସ୍ପୃଶ୍ୟତା, ଆପର୍‌ଥେଡ୍ ପରି ଭେଦଭାବ ବିଭିନ୍ନ ଦେଶର ସାମାଜିକ ବ୍ୟବସ୍ଥା ଥିଲା। ଯୁଦ୍ଧ, ହିଂସା, ମାନବକୃତ ବିଭୀଷିକା, ସାଂପ୍ରଦାୟିକ ବିଦ୍ବେଷ ଅଗଣିତ ମନୁଷ୍ୟଙ୍କର ସାମାଜିକ ଜୀବନକୁ ନାନା ଭାବରେ ବିପର୍ଯ୍ୟସ୍ତ କରିବାର କାହାଣୀ ଇତିହାସରୁ ଜାଣିବାକୁ ମିଳେ।
ମାନବବାଦୀ ଭାବଧାରାର ବିକାଶରୁ ରାଜନୈତିକ ସ୍ତରରେ ସାମନ୍ତବାଦ ଓ ରାଜତନ୍ତ୍ରର ବିକଳ୍ପ ଭାବେ ଗଣତନ୍ତ୍ରର ପରିକଳ୍ପନା ଏକ ବୈଚାରିକ କ୍ରାନ୍ତି ଥିଲା। ରାଷ୍ଟ୍ରୀୟ ଭାବନାର ଅଭ୍ୟୁଦୟ ସହ ଦେଶର ଜନଗଣ ଯେ ସାର୍ବଭୌମ ଏହା ଏକ ଉନ୍ନତ ଭାବନା ଥିଲା। ରାଜତନ୍ତ୍ରର ବିଲୋପ ମଣିଷ ସମାଜ ପାଇଁ ପ୍ରେରଣାଦାୟକ ଥିଲା। ସେହିପରି ସାରା ପୃଥିବୀରୁ ସାମ୍ରାଜ୍ୟବାଦର ବିଲୋପ ପାଇଁ ଉପନିବେଶବାଦୀ ଶକ୍ତି ବିରୋଧରେ କେତେକ ଦେଶରେ ମଧ୍ୟ ସଂଗ୍ରାମ ହୋଇଥିଲା। ଦେଶର ରାଜନୈତିକ ସ୍ବାଧୀନତା ଜନଗଣଙ୍କର ଯେ ମୌଳିକ ଅଧିକାର ଏହି ବିଚାର ମଧ୍ୟ ସମାଜରେ ବହୁ ପରେ ସୃଷ୍ଟି ହେଲା। ସେହିପରି ଅର୍ଥନୈତିକ ସ୍ତରରେ ପୁଞ୍ଜିବାଦ ପରିବର୍ତ୍ତେ ସମାଜବାଦ ଓ ସମତାଭିତ୍ତିକ ସମାଜର ପରିକଳ୍ପନା ମଧ୍ୟ ଅନ୍ୟ ଏକ କ୍ରାନ୍ତିକାରୀ ଭାବନା ଥିଲା।
ବିଂଶ ଶତାବ୍ଦୀର ମଧ୍ୟଭାଗରେ ଦୁଇଟି ବିଶ୍ବଯୁଦ୍ଧର ଭୟାନକ ପରିଣାମ, ନାଜିମାନଙ୍କ ଦ୍ବାରା ଇହୁଦୀମାନଙ୍କର ଗଣହତ୍ୟା ଓ ଆଣବିକ ବିସ୍ଫୋରଣରେ ଜାପାନର ଦୁଇଟି ସହରର ଧ୍ବଂସ ସାଧନ ଭିତ‌େର ଏହି ଆଶଙ୍କା ପ୍ରକାଶ ପାଇଲା ଯେ ଯଦି ଭବିଷ୍ୟତରେ କୌଣସି କାରଣରୁ ତୃତୀୟ ବିଶ୍ବଯୁଦ୍ଧ ହୁଏ, ତେ‌େବ ପୃଥିବୀରୁ ମାନବ ସଭ୍ୟତା ବିଲୋପର ସମ୍ମୁଖୀନ ହେବ। ଏହି ସ୍ଥିତିରେ ଅନେକ ଶାନ୍ତିକାମୀ ମାନବବାଦୀ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ ଓ ବୈଜ୍ଞାନିକ ଏକ ଶାନ୍ତିପୂର୍ଣ୍ଣ ବିଶ୍ବ ପାଇଁ ଆନ୍ତରିକତା ବ୍ୟକ୍ତ କଲେ। ପରିଣାମ ସ୍ବରୂପ ୧୯୪୫ ଅକ୍‌ଟୋବର ମାସରେ ଜାତିସଂଘର ପ୍ରତିଷ୍ଠା ହେଲା। ମାନବିକ ଅଧିକାର ସଂପର୍କରେ ଏକ ଦଲିଲ୍ ପ୍ରସ୍ତୁତ କରିବା ପାଇଁ ଜାତିସଂଘର ତତ୍‌କାଳୀନ ନିର୍ଦ୍ଦେଶକ ଜନ୍ ହମ୍ପ୍ରେ ଆମେରିକାର ମାନବିକ ଅଧିକାରର ବିଶିଷ୍ଟ ପ୍ରବକ୍ତା ଏଲେନୋର୍ ରୁଜ୍‌ଭେଲ୍‌ଟଙ୍କ ସଭାପତିତ୍ବରେ ଏକ କମିଟି ଗଠନ କଲେ। ଏହି କମିଟି ବିଭିନ୍ନ ଦିଗକୁ ଆଲୋଚନା କରି ଯେଉଁ ଦଲିଲ୍‌ଟି ପ୍ରସ୍ତୁତ କଲେ ତାହା ଶେଷରେ ୧୯୪୮ ଡିସେମ୍ବର ୧୦ ତାରିଖ ଦିନ ଜାତିସଂଘରେ ପାରିତ ହୋଇଥିଲା।
ମାନବିକ ଅଧିକାର ଘୋଷଣାନାମାରେ ତିରିଶଟି ଧାରା ରହିଛି ଏବଂ ପ୍ରତ୍ୟେକ ଧାରା ମାନବିକ ମର୍ଯ୍ୟାଦା, ଅଧିକାର ନେଇ ସୁଚିନ୍ତିତ ବିଚାର ବ୍ୟକ୍ତ କରିଛି। ପ୍ରଥମ ଧାରାଟିରେ କୁହାଯାଇଛି ‘ସମସ୍ତ ମନୁଷ୍ୟ ମୁକ୍ତ ଓ ସମାନ ହୋଇ ଜନ୍ମ ହୋଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ଭିତରେ ବିଚାରଶୀଳତା ଓ ବିବେକବୋଧ ରହିଛି ଏବଂ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ପ୍ରତି ଭ୍ରାତୃତ୍ବପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ଆବଶ୍ୟକ।’ ମୁକ୍ତ ହୋଇ ଜନ୍ମ ହେବାର ତାତ୍ପର୍ଯ୍ୟ ହେଉଛି ସମସ୍ତଙ୍କର ସ୍ବାଧୀନତା ପାଇଁ ଅଧିକାର ରହିଛି। ତେବେ ବ୍ୟକ୍ତିର ସ୍ବାଧୀନତା ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ନିୟନ୍ତ୍ରଣ ଦ୍ବାରା ପ୍ରଭାବିତ ହୋଇଥାଏ। ବ୍ୟକ୍ତି ସ୍ବାଧୀନତା ନିରଙ୍କୁଶ। ସୁତରାଂ ସ୍ବାଧୀନତାକୁ ସ୍ବେଚ୍ଛାଚାରିତା ସହ ସମାନ କରାଯାଇପାରିବ ନାହିଁ। ତେବେ ଜଣେ ବ୍ୟକ୍ତି ମଣିଷ ହିସାବରେ ଜୀବନଧାରଣ କରିବାକୁ କେତେକ ମୌଳିକ ଓ ଅପରିବର୍ତ୍ତନୀୟ ଅଧିକାର ଉପଭୋଗ କରିବା ଆବଶ୍ୟକ। ଜଣେ ବ୍ୟକ୍ତି ଯେଉଁ ସମାଜରେ ବଞ୍ଚେ ସେଠାରେ କୌଣସି ଶୋଷଣ, ଭେଦଭାବ ବା ହୀନମନ୍ୟତାର ଶରବ୍ୟ ହେବ ନାହିଁ। ନିଜ ଶକ୍ତି ଓ ସାମର୍ଥ୍ୟ ନେଇ ସମ୍ମାନର ସହ ଜୀବନ ବଞ୍ଚିବା ଓ କୌଣସି ପ୍ରକାରର ଭେଦଭାବର ଶିକାର ନ ହେବା ମାନବିକ ଅଧିକାରର ତାତ୍ପର୍ଯ୍ୟ।
ମାନବିକ ଅଧିକାରର ବିଶ୍ବ ଘୋଷଣାନାମାରେ ଯେଉଁ ବିଚାର ଓ ଭାବଧାରା ବ୍ୟକ୍ତ ହୋଇଛି ସେଗୁଡ଼ିକୁ କେତେକ ‌ଶ୍ରେଣୀରେ ବିଭାଜନ କରାଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିର ନାଗରିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ରହିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିର ବଞ୍ଚିବାର ଅଧିକାର ହେଉଛି ତା’ର ପ୍ରାକୃତିକ ଓ ମୌଳିକ ଅଧିକାର। ସମ୍ମାନ ତଥା ନିରାପତ୍ତାର ସହ ଜୀବନ ବଞ୍ଚିବା ତା’ର ନାଗରିକ ଅଧିକାର। ଏହା ସହ କେତେକ ସ୍ବାଧୀନତା ଉପଭୋଗ କରିବା ହେଉଛି ତା’ର ରାଜନୈତିକ ଅଧିକାର। ନାଗରିକ ଓ ରାଜନୈତିକ ଅଧିକାର ଭିତରେ ଜୀବନର ନିରାପତ୍ତା, ସ୍ବାଧୀନତାକୁ ପ୍ରାଧାନ୍ୟ ଦିଆଯାଇଛି। ରାଜନୈତିକ ଅଧିକାର ଭିତରେ ମତବ୍ୟକ୍ତ କରିବା, କୌଣସି ଆଇନସମ୍ମତ ସଂଗଠନରେ ସଂପୃକ୍ତ ହେବା ବା ସଂଗଠନ କରିବାକୁ ପ୍ରାଧାନ୍ୟ ଦିଆଯାଇଛି। କୌଣସି ନାଗରିକ ନିଜ ଦେଶରେ ଶୋଷଣ, ଉତ୍ପୀଡ଼ନ ବା ଦାସତ୍ବର ଶିକାର ହେବ ନାହିଁ। ଆଇନ ଦୃଷ୍ଟିରେ ସମସ୍ତେ ସମାନ ବିବେଚିତ ହେବେ। ନିଜ ଦେଶର ରାଜନୈତିକ ବ୍ୟବସ୍ଥାରେ ଜଣେ ନାଗରିକ ଭାବେ ଅଂଶଗ୍ରହଣ କରିବାର ଅଧିକାର ରହିବ। ବିବାହ କରିବା, ପରିବାର କରିବା, ଆଇନଗତ ପନ୍ଥାରେ ସଂପତ୍ତି ଆହରଣ କରିବା ଓ ନିଜର ସ୍ବାଧୀନ ମତ ବ୍ୟକ୍ତ କରିବା ରାଜନୈତିକ ଅଧିକାରର ପରିସରଭୁକ୍ତ। ପ୍ରତ୍ୟେକ ବ୍ୟକ୍ତିର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ପ୍ରତ୍ୟେକ ନାଗରିକ ନିଜ ଦେଶର ପରିବେଶରେ ନିଜର ସାମର୍ଥ୍ୟ ଅନୁଯାୟୀ ସ୍ବାବଲମ୍ବୀ ହେବାର ଅଧିକାର ପାଇବ। ସମସ୍ତ ଅଧିକାର ଉପଭୋଗ କରିବାରେ ପୁରୁଷ ଓ ମହିଳାଙ୍କ ଭିତରେ କୌଣସି ଭେଦଭାବ ରହିବ ନାହିଁ। ନାରୀ ପୁରୁଷ ନିର୍ବିଶେଷରେ ସମାନ କାର୍ଯ୍ୟ ପାଇଁ ସମାନ ପାରିଶ୍ରମିକ ପାଇବା ଓ ଏକ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବାର ଅବକାଶ ସମସ୍ତଙ୍କର ଅଧିକାରର ବିଷୟ। ସାମାଜିକ ଅଧିକାରରେ ଖାଦ୍ୟ, ସ୍ବାସ୍ଥ୍ୟ, ବାସସ୍ଥାନ, ଶିକ୍ଷା ଓ ସାମାଜିକ ଜୀବନକୁ ଅନ୍ତର୍ଭୁକ୍ତ କରାଗଲାବେଳେ ସାଂସ୍କୃତିକ ଅଧିକାର କ୍ଷେତ୍ର‌େର ବିଜ୍ଞାନ, ସାହିତ୍ୟ, କଳାର ବିକାଶ ଘଟାଇବା ସହ ନୈତିକ ଓ ଭୌତିକ ବିକାଶର ଅଧିକାରକୁ ସଂପୃକ୍ତ କରାଯାଇଛି। ଏତଦ୍‌ବ୍ୟତୀତ ସାମୂହିକ ଅଧିକାର ପରିସରରେ ବିକାଶ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସୁସ୍ଥକର ପରିବେଶକୁ ପ୍ରାଧାନ୍ୟ ଦିଆଯାଇଛି।
ମାନବିକ ଅଧିକାରର ବିଶ୍ବ ଘୋଷଣାନାମା‌ର ବିଧାନମାନ ପାଳନ କରିବା ପାଇଁ ପ୍ରତ୍ୟେକ ରାଷ୍ଟ୍ର ଆଇନଗତ ଭାବେ ବାଧ୍ୟ ନୁହନ୍ତି। ଯେତେବେଳେ ଏହା ଜାତିସଂଘରେ ପାରିତ ହୋଇଥିଲା, ସେତେବେଳେ ଜାତିସଂଘରେ ଅଠାବନଟି ରାଷ୍ଟ୍ର ସଭ୍ୟ ରହିଥିଲେ। ପରେ ପୃଥିବୀର ଏକଶହ ନବେରୁ ଅଧିକ ରାଷ୍ଟ୍ର ଜାତିସଂଘରେ ସଭ୍ୟ ହୋଇଛନ୍ତି। ତେବେ ମାନବିକ ଅଧିକାର ଘୋଷଣାନାମାରେ ସଂଯୁକ୍ତ ହୋଇଥିବା ଆନ୍ତର୍ଜାତିକ ଚୁକ୍ତିମାନ ରାଷ୍ଟ୍ରୀୟ ସ୍ତରରେ ମାନବିକ ଅଧିକାର ସୁରକ୍ଷା ପାଇଁ ଅ‌ାଦର୍ଶ ହୋଇଛି। ୧୯୪୮ ପରେ ଜାତିସଂଘର ସାଧାରଣ ପରିଷଦରେ ବିଭିନ୍ନ ସମୟରେ କେତେକ ଚୁକ୍ତି ସାର୍ବଜନୀନ ଭାବେ ଅନୁମୋଦିତ ହୋଇଛି। ୧୯୬୬ରେ ରାଷ୍ଟ୍ରସଂଘର ସାଧାରଣ ପରିଷଦରେ ନାଗରିକମାନଙ୍କର ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଅଧିକାରକୁ ଅନୁମୋଦନ କରାଯାଇଛି। ଏତଦ୍‌ବ୍ୟତୀତ ଗଣହତ୍ୟାମୂଳକ ଅପରାଧର ନିରାକରଣ, ବଂଶୀୟ ଭେଦଭାବର ବିଲୋପନ, ସମସ୍ତ ପ୍ରକାରର ଉତ୍ପୀଡ଼ନ, ନିଷ୍ଠୁରତା ଓ ଅମାନବିକ ବ୍ୟବହାରର ଦୂରୀକରଣ ପାଇଁ ବିଭିନ୍ନ ସମୟରେ ଚୁକ୍ତିନାମାମାନ ଅନୁମୋଦିତ ହୋଇଛି। ସାମାଜିକ ସ୍ତରରେ ବିଭିନ୍ନ ଦେଶରେ ଓ କେତେକ ଗୋଷ୍ଠୀରେ ମହିଳାମାନେ ନାନା ଭେଦଭାବ ଓ ଶୋଷଣର ସମ୍ମୁଖୀନ ହେବା ଦେଖାଯାଏ। ଏହାର ନିରାକରଣ ପାଇଁ ୧୯୭୯ରେ ମହିଳା ବିରୋଧୀ ଭେଦଭାବ ବିଲୋପନ ଚୁକ୍ତି ଅନୁମୋଦିତ ହୋଇଛି। କେତେକ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଭାବନା ଯୋଗୁଁ ବିଭିନ୍ନ ଦେଶରେ ଲିଙ୍ଗଗତ ଭେଦଭାବ ରହିଛି ଏବଂ ମହିଳାମାନେ ଅବୈଧ ଚାଲାଣ, ବେଶ୍ୟା ବୃତ୍ତି ପରି ଅସମ୍ମାନଜନକ ସ୍ଥିତିକୁ ସାମ୍ନା କରୁଛନ୍ତି। ସେହିପରି ଦାରିଦ୍ର୍ୟ ବା ଅନ୍ୟାନ୍ୟ କାରଣରୁ ବିକାଶଶୀଳ ଦେଶମାନଙ୍କରେ ପିଲାମାନେ ବିଭିନ୍ନ ଉତ୍ପୀଡ଼ନ ଓ ଅମାନବିକ ବ୍ୟବହାରକୁ ସାମ୍ନା କରୁଛନ୍ତି। ଶୈଶବ ପ୍ରତ୍ୟେକ ବ୍ୟକ୍ତି ଜୀବନର ମୂଲ୍ୟବାନ ସମୟ ହୋଇଥିବାରୁ ଶିଶୁମାନଙ୍କର ନାଗରିକ, ସାମାଜିକ, ସାଂସ୍କୃତିକ ଓ ମାନବାଧିକାର ନେଇ ଆନ୍ତର୍ଜାତିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏପରିକି ସମାଜର ଭିନ୍ନକ୍ଷମ ବ୍ୟକ୍ତିମାନେ ବି ସମ୍ମାନଜନକ ଭାବରେ ବଞ୍ଚିବା ପାଇଁ ଆନ୍ତର୍ଜାତିକ ଚୁକ୍ତିନାମା ରହିଛି।
ମାନବିକ ଅଧିକାର ନେଇ ସାର୍ବଜନୀନ ଘୋଷଣା, ରାଷ୍ଟ୍ରସଂଘର ସନନ୍ଦ, ବିଭିନ୍ନ ସମୟର ଆନ୍ତର୍ଜାତିକ ଚୁକ୍ତିସମୂହକୁ ମାନକ ଭାବେ ଗ୍ରହଣ କରି ପ୍ରତ୍ୟେକ ରାଷ୍ଟ୍ର ନିଜ ଦେଶର ନାଗରିକମାନଙ୍କର ଅଧିକାରକୁ ସୁରକ୍ଷା ଦେବା ପାଇଁ ପ୍ରୟାସ କରିବ। ସମାଜରୁ ସକଳ ନିର୍ଯାତନା, ଭେଦଭାବ ଓ ଶୋଷଣର ବିଲୋପନ ଦ୍ବାରା ସମାଜର ନୈତିକ ଓ ସାଂସ୍କୃତିକ ପରିବେଶ ଉନ୍ନତ ହୋଇପାରିବ। ଏ କ୍ଷେତ୍ରରେ ନାଗରିକ ସମାଜ, ବିଚାର ବ୍ୟବସ୍ଥା, ଆଇନ ପ୍ରଣୟନକାରୀ ସଂସ୍ଥା ଓ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ଆମ ଦେଶରେ ରହିଥିବା ଜାତିଗତ ସାମାଜିକ ବ୍ୟବସ୍ଥା, ଦାରିଦ୍ର୍ୟ ଓ ସାଂପ୍ରଦାୟିକ ମନୋଭାବ ମାନବିକ ଅଧିକାର ସୁରକ୍ଷା ପାଇଁ ବଡ଼ ପ୍ରତିବନ୍ଧ ମନେ ହୁଏ। ତେବେ ଜାତୀୟ ଓ ରାଜ୍ୟ ସ୍ତରରେ ମାନବିକ ଅଧିକାର ଆୟୋଗମାନ ରହି ମାନବାଧିକାର ଉଲ୍ଲଂଘନକୁ ପ୍ରତିହତ କରିବାକୁ ପଦକ୍ଷେପ ନିଆଯାଉଛି। ସାମାଜିକ ନ୍ୟାୟ, ସମତାର ଭାବ ଓ ମାନବିକ ଅଧିକାର ମାନବବାଦୀ ଚେତନାର ପ୍ରୟୋଗାତ୍ମକ ଆଭିମୁଖ୍ୟ। ଏହି ଚେତନାର ପ୍ରସାର ଯେ ସମାଜକୁ ଉନ୍ନତ କରିଥାଏ, ଏଥିରେ ସନ୍ଦେହ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]