ଗଲା ନଭେମ୍ବର ୨୭ ତାରିଖ ଦିନ ସିଲକ୍ୟାରା ସୁଡ଼ଙ୍ଗରେ ଫସିଥିବା ଏକଚାଳିଶ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ଦେଶରେ ଆନନ୍ଦର ଲହରି ଖେଳି ଯାଇଥିଲା। ସେମାନେ ସତର ଦିନ ଧରି ସେହି ସୁଡ଼ଙ୍ଗ ଭିତରେ ରହିଥିଲେ। ତେବେ ଏଭଳି ଦୁର୍ଘଟଣା କିଛି ନୂଆ କଥା ନୁହେଁ। ପୃଥିବୀରେ ଅନେକ ସ୍ଥାନରେ ସୁଡ଼ଙ୍ଗ ଭୁଶୁଡ଼ି ଦୁର୍ଘଟଣାମାନ ଘଟିଛି। ୨୦୧୨ ମସିହା ଡିସେମ୍ବର ମାସରେ ଜାପାନରେ ଏକ ସୁଡ଼ଙ୍ଗ ଭୁଶୁଡ଼ିବାର ଖବର ବାହାରିଥିଲା। କୋସୁନାଗାର ଏବଂ ଓଟମୁକୀ ଭଳି ଦୁଇ ସହରକୁ ଭୂଗର୍ଭରେ ସଂଯୋଗ କରୁଥିବା ସାସଗୁ ନାମକ ସୁଡ଼ଙ୍ଗ ହଠାତ୍ ଭୁଶୁଡ଼ି ପଡ଼ିଲା। ଦୁର୍ଘଟଣା ସକାଳ ଆଠଟାରେ ଘଟିଲା। ଭୁଶୁଡ଼ି ପଡ଼ିଥିବା ୧୫୦ଟି ବିଶାଳ କଂକ୍ରିଟ ସ୍ଲାବ୍ ତଳେ ତିନିଟି ମୋଟର ଗାଡ଼ି ଚୂର୍ଣ୍ଣ ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ନଅ ଜଣ ଲୋକ ପ୍ରାଣ ହରାଇଥିଲେ। ଜାପାନର ଇତିହାସରେ ଏହା ଥିଲା ସର୍ବାଧିକ ବଡ଼ ସୁଡ଼ଙ୍ଗ ଦୁର୍ଘଟଣା।
ସେମିତି ୨୦୦୬ ମସିହା ଜୁଲାଇ ୧୦ ତାରିଖରେ ଆମେରିକାର ବୋଷ୍ଟନ ମହାନଗରୀରେ ଘଟିଥିବା ଏକ ସୁଡ଼ଙ୍ଗ ଦୁର୍ଘଟଣାରେ ୪୦ ଫୁଟ ଲମ୍ବ ୨୦ ଫୁଟ ଚଉଡ଼ାର ତଥା ୨୪,୦୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଛାତ ପ୍ୟାନେଲ ଗଳି ପଡ଼ିଥିଲା। ସେତିକି ବେଳେ ସେହି ଅଂଶ ଦେଇ ଯାଉଥିବା ଗୋଟିଏ କାର ତଦ୍ଦ୍ବାରା ଚାପି ହୋଇ ଯାଇଥିଲା। ଫଳରେ ଦୁଇ ଜଣ କାର ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯୨୫ ମସିହାରେ ଆମେରିକାର ଭର୍ଜିନିଆ ରାଜ୍ୟର ଚର୍ଚ୍ଚହିଲ ପାହାଡ଼ ତଳେ ଖେଳା ଯାଇଥିବା ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା। ୧୮୭୦ ମସିହାରେ ଟ୍ରେନ ଚଳାଚଳ ଲାଗି ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ଫଳରେ ଗୋଟିଏ ଟ୍ରେନ ଓ ଦଶଟି କାର ସୁଡ଼ଙ୍ଗ ଭିତରେ ଅବରୁଦ୍ଧ ହୋଇ ରହିଯାଇଥିଲେ। ଅନେକ କଷ୍ଟ ପରେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସଂପନ୍ନ ହୋଇଥିଲା। ଦୁର୍ଘଟଣା ପରେ ଅଗତ୍ୟା ତାହାକୁ ବନ୍ଦ କରି ଦିଆଯାଇଥିଲା। ସେମିତି ଇଂଲାଣ୍ଡର କ୍ଲିଫଟନ ହଲ ଟନେଲ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଏହି ସୁଡ଼ଙ୍ଗଟି ପେଟ୍ରିକ୍ରସ ଓ ମୋଲିନିଉକସ ରେଳ ଜଙ୍କସନକୁ ସଂଯୋଗ କରୁଥିଲା। କୋଇଲା ପରିବହନକୁ ତ୍ବରାନ୍ବିତ କରିବା ପାଇଁ ୧୮୫୦ ମସିହାରେ ଏହି ସୁଡ଼ଙ୍ଗର ନିର୍ମାଣ କରାଯାଇଥିଲା। ଯେଉଁ ପଥର କାଟି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା, ସେ ସବୁ ଥିଲା ବେଶ୍ ଭଙ୍ଗୁର। ତେଣୁ ସୁଡ଼ଙ୍ଗ ଥିବା ଅଞ୍ଚଳରେ ଭୂପୃଷ୍ଠରେ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯାଇଥିଲା। ତେଣୁ, ବଡ଼ ବଡ଼ ନିର୍ମାଣ ସିନା କରାଗଲା ନାହିଁ, ଲୋକେ ନିଜ ଘରମାନ ତିଆରିରେ ଲାଗିଲେ। ସୁଡ଼ଙ୍ଗ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଲା। ସୁଡ଼ଙ୍ଗକୁ ଭୁଶୁଡ଼ି ପଡ଼ିବାରୁ ରକ୍ଷା କରିବା ଲାଗି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା। କିନ୍ତୁ ସବୁ କିଛି ବିଫଳ ହେଲା। ଏହି ସୁଡ଼ଙ୍ଗଟିକୁ ମଧ୍ୟ ବନ୍ଦ କରି ଦିଆଗଲା। ଇଂଲାଣ୍ଡର ବଂକିମହାମସାୟରର ୩୧୦ ମିଟର ଦୀର୍ଘ ଜେରାଡକ୍ରସ ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଲୋକଙ୍କର ବିରୋଧ ଓ ବିଶେଷଜ୍ଞ ମଣ୍ଡଳୀର ପ୍ରତରିକୂଳ ପରାମର୍ଶ ସତ୍ତ୍ୱେ ଆରମ୍ଭ କରାଗଲା। ୨୦୦୫ ମସିହା ଜୁନ ମାସର ଶେଷ ଦିନରେ ଏହାର ଏକ ଅଂଶ ଭୁଶୁଡ଼ି ଯାଇଥିଲା। ଘଟଣାର ଚଉଦ ବର୍ଷ ପରେ ତାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି।
ଇତିହାସରୁ ଜଣାଯାଏ ଯେ ଖ୍ରୀଷ୍ଟପୂର୍ବ ୫୩୦ ବେଳକୁ ସୁଡ଼ଙ୍ଗ ନିର୍ମାଣ ଆରମ୍ଭ ହୋଇଯାଇଥିଲା। ରେଳପଥ ପାଇଁ ୧୭୯୩ ମସିହାରେ ପ୍ରଥମେ ସୁଡ଼ଙ୍ଗ ତିଆରି କରାଯାଇଥିଲା। ଏହି ସୁଡ଼ଙ୍ଗ ୧୯୩୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗୁଥିଲା। ତେବେ କେବଳ ଯେ ବିକାଶ କାର୍ଯ୍ୟରେ ସୁଡ଼ଙ୍ଗ ଖେଳା ଯାଇଥାଏ, ତାହା ନୁହେଁ। ଜେଲରୁ ଖସିବା ଲାଗି ଅନେକ ସମୟରେ କଏଦୀମାନେ ସୁଡ଼ଙ୍ଗ ଖୋଳି ଥାଆନ୍ତି। ଏଭଳି ଗୋଟିଏ ଘଟଣା ଘଟିଥିଲା ୧୯୮୩ ମସିହାରେ। ସୁଡ଼ଙ୍ଗ ଜରିଆରେ ଜେଲରୁ ପଳାୟନ କରିବା ଘଟଣା ଭିତରେ ଏହାକୁ ସବୁଠାରୁ ଅଧିକ ସାହସିକ ବୋଲି କୁହାଯାଏ। ଆୟର୍ଲାଣ୍ଡର ମେଜ୍ ଜେଲକୁ ପୃଥିବୀର ସର୍ବାଧିକ ଦୁର୍ଭେଦ୍ୟ ଜେଲ ଭିତରୁ ଗୋଟିଏ ଭାବେ ବିଚାର କରାଯାଏ। ୧୯୮୩ ମସିହାରେ ସେହି ଜେଲରୁ ୩୮ ଜଣ କଏଦୀ ପ୍ରାୟ ୩୨୦ ମିଟର ଦୀର୍ଘ ସୁଡ଼ଙ୍ଗ ଖୋଳି ପଳାୟନ କରିଥିଲେ। ଜେଲ ପରିସର ଭିତରୁ ବାହାର ପର୍ଯ୍ୟନ୍ତ ସୁଡ଼ଙ୍ଗ ଖନନ ଏକ ଅତିମାନବୀୟ କାର୍ଯ୍ୟ ଥିଲା ବୋଲି ବିଚାର କରାଯାଏ।
ସଂପ୍ରତି ଇସ୍ରାଏଲ୍ ଦ୍ବାରା ଗାଜା ଉପରେ ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେମାନେ ଏଭଳି ଅନେକ ସୁଡ଼ଙ୍ଗମାନ ରହିଥିବା କଥା ଜାଣୁଛୁ, ଯାହାକୁ ହମାସ ଆତଙ୍କବାଦୀମାନେ ନିଜ ସୁରକ୍ଷା ଲାଗି ନିର୍ମାଣ କରିଥିଲେ। ଏଭଳି କେତେକ ସୁଡ଼ଙ୍ଗରେ ‘ଏସ୍କେେଲଟର’ ବା ‘ଚଳନ୍ତା ପାହାଚ’ ଏବଂ ଶୀତତାପ ନିୟନ୍ତ୍ରଣର ବ୍ୟବସ୍ଥା ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ମୂଷା ଜାତୀୟ ଅନେକ ପ୍ରାଣୀ ଗାତ ଖୋଳି ରହନ୍ତି ଏବଂ ମାଟି ତଳେ ସେମାନେ ସୁଡ଼ଙ୍ଗର ଏକ ଜାଲ ବିଛାଇ ଦେଇଥାଆନ୍ତି। ଏହା ସେମାନଙ୍କୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ। କିନ୍ତୁ ମନୁଷ୍ୟ ଲାଗି ସୁଡ଼ଙ୍ଗ ଖୋଳିବାର ଆବଶ୍ୟକତା ପଛରେ ରହିଛି ଭୂପୃଷ୍ଠ ଜମିର ଅଧିକ ବ୍ୟବହାରକୁ ଏଡ଼ାଇବା। କାରଣ ଭୂପୃଷ୍ଠ ଅଧିକ ଜନାକୀର୍ଣ୍ଣ ହୋଇଯାଉଥିବାରୁ ସୁଡ଼ଙ୍ଗ ଖନନ ଜରୁରୀ ହୋଇ ପଡୁଛି। କିନ୍ତୁ କଥା ହେଲା, ଯେତେ ଯତ୍ନର ସହିତ ଏହାର ନିର୍ମାଣ କରାଗଲେ ସୁଦ୍ଧା କଦବା କେମିତି ଏହି ସବୁ ଭୁଶୁଡ଼ି ପଡ଼ି ଦୁର୍ଘଟଣାମାନ ମଧ୍ୟ ଘଟୁଛି।
ମୋ: ୯୯୩୭୮୬୩୫୨୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/tunnel1.jpg)