ଜଷ୍ଟିସ୍ ଦୀପକ ମିଶ୍ର
‘ଜଣେ ଐତିହ୍ୟ କର୍ମୀର କଥା ଓ ବ୍ୟଥା’ ନାମକ ବହିଟିର ସଫ୍ଟ କପି ଇ-ମେଲ୍ରେ ପାଇବା ପରେ ସାହିତ୍ୟ ଛାତ୍ର ହିସାବରେ ଏହାକୁ ଧ୍ୟାନର ସହ ପଢ଼ିବା ଆରମ୍ଭ କଲି। ସେତେବେଳେ ମୋର ଆଇଜାକ ଆସିମଭ୍ଙ୍କ କଥା ମନେ ପଡ଼ିଲା, ଯିଏ ପୃଥିବୀର ସର୍ବାଧିକ ସଫଳ ଲେଖକଙ୍କ ମଧ୍ୟରୁ ଜଣେ। ତାଙ୍କ ଲେଖାର ଉଦ୍ଦେଶ୍ୟ ଥିଲା ପାଠକମାନଙ୍କୁ ଜଣାଇବା ଓ ତା’ ସହିତ କିଛି ଶିକ୍ଷା ଦେବା। ମୁଁ ଯେତିକି ଜାଣିଛି, ବହିର ଲେଖକ ଅମିୟ ଭୂଷଣ ତ୍ରିପାଠୀ ମଧ୍ୟ ପାଠକପାଠିକାମାନଙ୍କୁ ସଚେତନ, ଅବଗତ ଓ ଜାଗ୍ରତ କରିବାକୁ ବହିଟି ଲେଖିଛନ୍ତି, ଯାହା ସେମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ଲାଗି ଉତ୍ପ୍ରେରକ ସାଜିବ।
ପ୍ରଥମେ ବହିଟିର ‘ଶୀର୍ଷକ’କୁ ଯଥାର୍ଥରେ ଅନୁଶୀଳନ କରିବାକୁ ଚାହୁଛି। ଏହା ଗଦ୍ୟ ସାହିତ୍ୟର କୌଣସି ଚିରାଚରିତ ଶୀର୍ଷକ ନୁହେଁ, ଯହିଁରେ ନାମକରଣର ଆଧାର ହୋଇପାରେ କୌଣସି ଚରିତ୍ର ବା ବିଚାର ବା ହୋଇପାରେ କୌଣସି ନିର୍ଦ୍ଦିଷ୍ଟ ଧାଡ଼ି। ଏହି ଶୀର୍ଷକଟି କିନ୍ତୁ ଆସିଛି ମସ୍ତିଷ୍କ ଓ ଅସ୍ଥି ମଜ୍ଜାର ଗଭୀରତାରୁ ତଥା ହୃତ୍ପିଣ୍ଡର ଜୀବନ୍ତ କୋଷମାନଙ୍କରୁ; ସତେ ଯେମିତି ଦାରୁଣ ଯନ୍ତ୍ରଣା ସହ ବ୍ୟକ୍ତ ଏକ କବିତା। ଦୁଇଟି ହୃଦୟସ୍ପର୍ଶୀ ଶବ୍ଦର ଏହା ସମାହାର, ‘କଥା’ ଓ ‘ବ୍ୟଥା’। ‘କଥା’ ଶବ୍ଦରୁ ଏହାକୁ ଶୁଣିବା, ବୁଝିବା ଓ ସହାନୁଭୂତି ଦର୍ଶାଇବାର ଇଚ୍ଛା ବ୍ୟକ୍ତ ହୋଇଥାଏ। ମନେ ହୁଏ ଲେଖକ ଚାହାନ୍ତି ସମସ୍ତେ କାନ ଡେରି ତାଙ୍କ କଥା ଶୁଣନ୍ତୁ; ଯହିଁରେ ସମାହିତ ତାଙ୍କ ମାତୃଭୂମି, ଜୀବନ ଓ କର୍ତ୍ତବ୍ୟର କିଛି ଅଂଶ। ‘ପ୍ରଥମ ପୁରୁଷ ବହୁବଚନ’ ଦୃଷ୍ଟିଭଙ୍ଗୀରେ ଏହା ରଚିତ, କିନ୍ତୁ ଲୁହ ତକ କେବଳ ତାଙ୍କର। ‘ବ୍ୟଥା’ ମଧ୍ୟ ତାଙ୍କର, ଯଦିଓ ସେ ତା’ ଉପରେ ଏକାନ୍ତ ଅଧିକାର ଜାହିର କରନ୍ତି ନାହିଁ। ସେହି ବ୍ୟଥାକୁ ମଧ୍ୟ ସେ ଅନୁରାଗ ଓ ସାହସର ସହିତ ବ୍ୟକ୍ତ କରିଛନ୍ତି। ମୁଁ ଏଠାରେ ଜାଣିବୁଝି ‘ସାହସ’ ଶବ୍ଦ ଲଗାଇଛି, କାରଣ ତାଙ୍କ ଅଭିବ୍ୟକ୍ତି, ବିଚାର ଓ କାର୍ଯ୍ୟରେ ‘ସାହସ’ ପ୍ରତିଫଳିତ ହୋଇଛି।
ମୁଁ ପ୍ରଥମେ ରେଭେନ୍ସା କଲେଜ (ସଂପ୍ରତି ଏକ ବିଶ୍ବବିଦ୍ୟାଳୟ), ସମ୍ପର୍କିତ ଅଧ୍ୟାୟର ଆଲୋଚନା କରିବି। ରେଭେନ୍ସା ତାଙ୍କ ଚେତନ ଓ ଅବଚେତନ ମନରେ ସୃଷ୍ଟି କରିଥିବା ତରଙ୍ଗ କଥା ଏଥିରେ ସେ ଲେଖିଛନ୍ତି। ସେ ଜଣେ ରେଭେନ୍ସାଭିଆନ୍ ଏବଂ ବିଭିନ୍ନ ସମୟରେ ତାହାର ଅଧଃପତନ ନେଇ ସେ ଚିନ୍ତିତ। ସେ ତ୍ରୁଟିହୀନ ଭାବେ ଓଡ଼ିଶାର ପ୍ରଥମ କଲେଜ ପ୍ରତିଷ୍ଠାର କାହାଣୀ, ସେଠାକାର ବିଚକ୍ଷଣ ଅଧ୍ୟାପକ, ତାହାର ଐତିହାସିକ ପୃଷ୍ଠଭୂମି, କେତେକ ଲେଖକ ଓ ଅନେକ ରାଜନେତାଙ୍କ ଅଭ୍ୟୁଦୟ, ଓଜସ୍ବୀ ଭାଷଣ, ଛାତ୍ରଙ୍କ ଶକ୍ତି, କଲେଜରେ ସାହିତ୍ୟ ଚର୍ଚ୍ଚା, ବିଶାଳ ବିଲ୍ଡିଂ ଓ ପ୍ରକାଣ୍ଡ ପରିସର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। କୌଣସି ଅହଂ ପୋଷଣ ନ କରି ସେ ଉଲ୍ଲେଖ କରିଛନ୍ତି କିଭଳି ବନ୍ଧୁମାନଙ୍କ ସହିତ ମିଶି ଏକକ ଆଇନ ଦ୍ବାରା ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟର ସ୍ବୀକୃତି ହାସଲ ପାଇଁ ସେ ଉଦ୍ୟମ କରିଛନ୍ତି। ତେଣୁ ଯେତେବେଳେ ସମସ୍ତ ବିଶ୍ବବିଦ୍ୟାଳୟ ଲାଗି ପ୍ରଯୁଜ୍ୟ ଆଇନ ଅଧୀନରେ ରେଭେନ୍ସାକୁ ରଖାଗଲା, ତାହା ତାଙ୍କୁ ବ୍ୟଥିତ କରିଥିଲା। ଟିଉସନ୍ କ୍ଲାସ୍ଗୁଡ଼ିକୁ ବନ୍ଦ କରାଯିବା ଓ ସମାନ ବିଧାନରେ ଅନେକ କନିଷ୍ଠ କଲେଜକୁ ବିଶ୍ବବିଦ୍ୟାଳୟ କରାଯିବା କଥାକୁ ମଧ୍ୟ ସେ ଗ୍ରହଣ କରିପାରିନାହାନ୍ତି। ତାହା ହିଁ ହେଉଛି ସେହି ‘ବ୍ୟଥା’। ତାଙ୍କ ବେଦନା ଏହି କଥାରେ ସ୍ପଷ୍ଟ: “ଏ ପରିଚ୍ଛେଦ ଶେଷ କଲା ବେଳେ ଆମେ ଜାଣିପାରିବା ରେଭେନ୍ସା ବର୍ତ୍ତମାନ ନିଃସଙ୍ଗ, ସାଙ୍ଗରେ କେହି ନାହିଁ।’’
ଏହି ଉକ୍ତି ସୁଖଦ ଏକାନ୍ତ ଭାବକୁ ନୁହେଁ, ବରଂ ଅସହାୟ ଏକାକୀତ୍ବକୁ ସୂଚାଉଛି। ସତେ ଯେମିତି ରେଭେନ୍ସା କହୁଛି, ମୋତେ ‘ଅନାଥ’ କରିଦିଅନାହିଁ। ତେବେ, ସବୁ ସତ୍ତ୍ବେ ଲେଖକ ଆଶାବାଦୀ; କାରଣ ରେଭେନ୍ସା ୟୁନିଭର୍ସିଟି ପାଇଥିବା ବ୍ୟାପକ ସ୍ବୀକୃତି। ଏ ପୃଷ୍ଠଭୂମିରେ ତାଙ୍କର ଆଶାବାଦ ଵୁଡ୍ରୋ ଵିଲ୍ସନ୍ଙ୍କ ଏକ ବିଜ୍ଞ ବିଚାର ମନେ ପକାଇଦିଏ: ‘ସୂର୍ଯ୍ୟକିରଣ ଓ ଆଲୁଅ ସର୍ବଦା ସେମାନଙ୍କ ପାଖକୁ ଆସିଥାଏ ଯେଉଁମାନେ ଆନ୍ତରିକ ଭାବେ ଆଶା କରନ୍ତି ଯେ ସେମାନଙ୍କ ସ୍ବପ୍ନ ପୂରଣ ହେବ।’
ମୁଁ ତାଙ୍କୁ କହେ ‘କର୍ମଯୋଗୀ’, କାରଣ ସେ ଏହି ଅନୁଷ୍ଠାନ ଓ ଐତିହାସିକ ସ୍ଥଳୀମାନଙ୍କର ସ୍ଥାୟିତ୍ବ ଲାଗି ଆନ୍ତରିକତାର ସହ କାମ କରିଆସିଛନ୍ତି, ସଫଳତା ପାଇବା ବା ନ ପାଇବାକୁ ଭ୍ରୂକ୍ଷେପ ନ କରି! ଭଗବାନ କୃଷ୍ଣ ଗୀତାରେ କହିଛନ୍ତି: “ଯୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ, ସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ।’’
ଦ୍ବିତୀୟରେ ମୋର ଆଲୋଚ୍ୟ ହେଉଛି ‘କୋଣାର୍କ’ ନାମକ ଅଧ୍ୟାୟ। ଏହା ନାନା ଦିଗରୁ ଜ୍ଞାନୋଦୟ କରିଥାଏ। ଏହାର ନିର୍ମାଣର ଐତିହାସିକ ପୃଷ୍ଠଭୂମିରୁ ଆରମ୍ଭ କରି ଏହା ଭଗ୍ନ ସ୍ଥିତିକୁ ଆସିବା ପଛର କାରଣ ଖୋଜିବା ଲାଗି ହୋଇଥିବା ବିଭିନ୍ନ ଗବେଷଣା ପର୍ଯ୍ୟନ୍ତ ଅନେକ ବିଷୟରେ ତହିଁରୁ ଜାଣିବାକୁ ମିଳେ। କୋଣାର୍କର ସଂରକ୍ଷଣରେ ଅନ୍ୟମାନଙ୍କ ସହିତ ତାଙ୍କର ନିଷ୍ଠାପର ଭୂମିକାରୁ ତାଙ୍କ ଆଗ୍ରହର ପ୍ରମାଣ ମିଳେ। ମୁଁ ନିଶ୍ଚିତ ଯେ ସେ ‘କୋଣାର୍କ, ଦି ବ୍ଲାକ୍ ପାଗୋଡ଼ା’ର ଓଡ଼ିଆ ଅନୁବାଦ କରିବା ସମୟରେ ସୁଖଦ ପୀଡ଼ା ଅନୁଭବ କରିଥିବେ। ଏହି ଧାଡ଼ିରୁ ତାଙ୍କ ପୀଡ଼ାର ଧାରଣା ମିଳିଥାଏ: ‘ପ୍ରଥମ କଥା ହେଲା ଯାହା ଓଡ଼ିଶାବାସୀ ଭୁଲିବା କଥା ନୁହେଁ, ଏ ମନ୍ଦିର ସଂରକ୍ଷଣ ପାଇଁ ଓଡ଼ିଶାବାସୀଙ୍କ ବ୍ୟାକୁଳତା କେବେ ପ୍ରକାଶ ପାଇ ନାହିଁ।’
ଆମ ସମୃଦ୍ଧ ସ୍ଥାପତ୍ୟ ସଂସ୍କୃତିର ଉତ୍ତରାଧିକାରୀ ପ୍ରତ୍ୟେକ ଓଡ଼ିଆ ଏହି ଭାବନାର ମର୍ମ ବୁଝିବା ଜରୁରି।
ଏବେ ‘ଶିଶୁପାଳଗଡ଼’ ଅଧ୍ୟାୟକୁ ଆସିବା। ଏହି ଅଧ୍ୟାୟଟି ଭାରତର ସବୁଠାରୁ ପୁରାତନ ଦୁର୍ଗ ମଧ୍ୟରୁ ଗୋଟିଏ ଲାଗି ଉତ୍ସର୍ଗୀକୃତ ଏବଂ ଏହା ‘ଟାଇମ୍ ମେସିନ୍’ରେ ପାଠକକୁ ବସାଇ ଚେଦି ବଂଶ ଓ ପ୍ରସିଦ୍ଧ ସମ୍ରାଟ ଖାରବେଳଙ୍କ ଯୁଗକୁ ନେଇଯାଏ। ଏହା ଓଡ଼ିଶାର ଗୌରବମୟ ଇତିହାସ ଓ ଆମ ପୂର୍ବପୁରୁଷଙ୍କ ଅକଳ୍ପନୀୟ ଦୂରଦୃଷ୍ଟି ସମ୍ପର୍କରେ ଧାରଣା ମଧ୍ୟ ଜାତ କରିଥାଏ। କାଗଜରେ ଯୋଜନା ଓ ବାସ୍ତବ କ୍ଷେତ୍ରରେ ନିଷ୍କ୍ରିୟତା ନେଇ ବିଭିନ୍ନ ପତ୍ରାଳାପରେ ଲେଖକଙ୍କ ଖେଦୋକ୍ତି ଉପଲବ୍ଧି କରିହୁଏ। ତଥାପି, ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ଗର୍ବ କରିବା ଲାଗି ଓ ଭାଷଣ ଦେବା ବଦଳରେ ସାଧ୍ୟମତେ କିଛି କରିବା ପାଇଁ ସେ ସଭିଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି। ଯାହାକୁ ସଂରକ୍ଷିତ କରା ଯାଇପାରିବ ତାହାର ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ସେ ଏବେ ବି ଆହ୍ବାନ ଦେବା ଜାରି ରଖିଛନ୍ତି।
ଉପସଂହାର ପୂର୍ବରୁ କହିବାକୁ ଚାହେ, ମୁଁ ପ୍ରଥମେ ରେଭେନ୍ସା କଥା ଉଲ୍ଲେଖ କରିଛି କାରଣ ତାହା ମୋର ପୂର୍ବ ଶିକ୍ଷାନୁଷ୍ଠାନ, ଯେଉଁଠାରେ ମୁଁ ୧୯୬୯ରୁ ୧୯୭୫ ଯାଏ ପଢ଼ିଥିଲି। ମୁଁ ସେଠାରେ କାଟିଥିବା ଦିନଗୁଡ଼ିକୁ କଦାପି ଭୁଲିପାରିବି ନାହିଁ; ପ୍ରତିଦ୍ବନ୍ଦ୍ବିତାମୂଳକ ବିତର୍କ ପ୍ରତିଯୋଗିତା, ଇଂରେଜୀ ନାଟକରେ ଅଭିନୟ କରିବାର ସୁଖ ଏବଂ ଅସ୍ତିତ୍ବବାଦ, ନେତିବାଦ ଭଳି ସିଦ୍ଧାନ୍ତ ଓ ଡେକାର୍ଟ ଓ ନିତ୍ସେଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା ଇତ୍ୟାଦି।
ଦ୍ବିତୀୟରେ କୋଣାର୍କ; କାରଣ ୧୯୬୭ରେ କୃପାସିନ୍ଧୁ ମିଶ୍ରଙ୍କର ଏହି ଶୀର୍ଷକରେ ରଚିତ ବହିଟି ମୁଁ ପଢ଼ିଥିଲି। ସେହି ପୁସ୍ତକ ମୋ ଯୁବ ମନକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ୧୯୭୧ରେ ଯେତେବେଳେ କୋଣାର୍କ ଦେଖିଲି ସେହିସବୁ ଭାବନା ଆହୁରି ଉଚ୍ଚାଟିତ ହୋଇଯାଇଥିଲା।
ନିଃସନ୍ଦେହରେ କହିବି ଯେ ଏହି ପୁସ୍ତକ ଯେ କୌଣସି ପାଠଗାରକୁ ସମୃଦ୍ଧ କରିବ।
(ସମ୍ପାଦିତ ଅଂଶ)
ପୂର୍ବତନ ମୁଖ୍ୟ ବିଚାରପତି, ସୁପ୍ରିମ୍ କୋର୍ଟ