ଆଳାପ ଓ ଆଲୋଚନା: କୋଣାର୍କର କିୟଦଂଶ

ଅଭିରାମ ବିଶ୍ବାଳ

ସ୍ବାକ୍ଷର ଆଭିମୁଖ୍ୟ ବସୁଧୈବ କୁଟୁମ୍ବକମ୍ ପ୍ରତି ଅଂଗୀକାର ଓ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସାଂଗକୁ ନୂଆଦିଲ୍ଲୀ ଠାରେ ନିକଟରେ ଜି-୨୦ ଶିଖର ସମ୍ମିଳନୀ ସକାଶେ ଏକାଠି ହୋଇଥିବା ବିଶ୍ବ ନେତାନେତ୍ରୀଗଣ ଅପଲକ ନୟନ ତଥା ବିସ୍ମୟାଭିଭୂତ ଭାବାବେଗ ସହକାରେ ଉପଭୋଗ କରିଥିଲେ ସଭାପୀଠ ଭାରତ ମଣ୍ଡପମ୍‌ର ଶୋଭାବର୍ଦ୍ଧକ ଦୁଇ ଅତି ମହାନ୍ ‌କଳାକୃତି କୋଣାର୍କ ଚକ୍ର ଏବଂ ନଟରାଜ ପ୍ରତିମୂର୍ତ୍ତି। ଓଡ଼ିଶାର ଅସ୍ମିତାର, ଓଡ଼ିଆ ଅସ୍ମିତାର ପ୍ରମୁଖ ପରିଚାୟକ ଭିତରେ ସର୍ବଦା ସାଧାରଣତଃ ପରିଗଣିତ ହୋଇଥାଏ ଓଡ଼ିଆ ଭାଷା, ଶ୍ରୀଜଗନ୍ନାଥ, ମହାନଦୀ, ଚିଲିକା, ସମ୍ବଲପୁରୀ ଶାଢ଼ୀ ଓ ନୃତ୍ୟ, ଓଡ଼ିଶୀ ନୃତ୍ୟ ଓ ସଂଗୀତ, ଲିଂଗରାଜ ମନ୍ଦିର, ପାଇକ ବିଦ୍ରୋହ ଏବଂ କୋଣାର୍କ। କୋଣାର୍କ ସହିତ ଜୈବିକ ସୂତ୍ରରେ ଗୁନ୍ଥା କେତେ ନା କେତେ ସାଂସ୍କୃତିକ ସ୍ମୃତି, କାହାଣୀ, ଇତିହାସ, ଉପାଖ୍ୟାନ, ବର୍ଣ୍ଣନା, ସ୍ଥାପତ୍ୟ ଅବତାରଣା, ଅତିକଥା, ଲୋକ ବୟାନ, ଅତୀତ ଗୌରବ ଗାଥା, ସାରସ୍ବତ ପ୍ରତିକ୍ରିୟା, ବୌଦ୍ଧିକ ଅନୁଶୀଳନ ଓ ନନ୍ଦନତାତ୍ତ୍ବିକ ଦୃଷ୍ଟିଭଂଗୀ। ଏସବୁ ବିନା ଏକ ଜାତିର ଐତିହାସିକ ସାମର୍ଥ୍ୟ ଓ ଉତ୍କର୍ଷକୁ ବୁଝି ବିଭିନ୍ନ ବାଗରେ ସଂରକ୍ଷିତ କରି ରଖିବା ସହଜ ଓ ସମ୍ଭବ ନୁ‌େହଁ।

କୋଣାର୍କକୁ ନେଇ ଓଡ଼ିଆ ସାହିତ୍ୟରେ ରାଶି ରାଶି ଲେଖା ‌ରହିଛି। ପଞ୍ଚସଖାଙ୍କ ଭିତରେ ଗୋପବନ୍ଧୁ, ନୀଳକଣ୍ଠ ଓ କୃପାସିନ୍ଧୁଙ୍କ ବହୁ ଚର୍ଚ୍ଚିତ ଲେଖା କିଏ ବା ନ ଜାଣେ! ଯାହା ଭିତରେ ସାମିଲ- ଗୋପବନ୍ଧୁଙ୍କ ଧର୍ମପଦ ଓ ନୀଳକଣ୍ଠଙ୍କ କୋଣାର୍କେ କାବ୍ୟ ଏବଂ କୃପାସିନ୍ଧୁଙ୍କ କୋଣାର୍କ ଆଲୋଚନା ଗ୍ରନ୍ଥ। ଗ୍ରନ୍ଥଟି ୧୯୧୯ରେ ବାହାରିଥିଲା। ବାମଣ୍ଡା ରାଜା ସୁଢ଼ଳ ଦେବଙ୍କ ଆନୁକୂଲ୍ୟରେ ତାହା ପ୍ରକାଶିତ ହୋଇଥିଲା। ମଧୁସୂଦନ ଦାସ ସେଥିରେ ମୁଖବନ୍ଧ ଲେଖିଥିଲେ। ଜାତିର ଆତ୍ମା ନିର୍ମାଣ ପାଇଁ ବେଳେବେଳେ ମଣିଷର ଆତ୍ମୋତ୍ସର୍ଗ ଲୋଡ଼ା ପଡ଼ିପାରେ! ଧର୍ମପଦ ବା ଧରମାମାନଙ୍କ କରୁଣ ଓ ମନୋରମ କାହାଣୀ ସେଇଠି ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ ଏବଂ ସେଇ ଭାବେ ଉଙ୍କିମାରେ। ପାଣ୍ଡିତ୍ୟ ଓ ଜ୍ଞାନ ମାର୍ଗର କଠୋର ସାଧକ ନୀଳକଣ୍ଠଙ୍କ କୋଣାର୍କେ କୃତିର ସରଳ-ତରଳ କବିତ୍ବ ପଇଡ଼ର ଭିତର ଭଳି ଅତି କୋମଳ। କୋଣାର୍କର ରୂପାନ୍ତର କ୍ଷମତା କହିଲେ ନ ସରେ।

ରବୀନ୍ଦ୍ର ନାଥ ଟାଗୋର ଥରେ କହିଥିଲେ ମଣିଷର ଭାଷାକୁ ପାଷାଣର ଭାଷା ଯେ କେତେ ଗୁଣରେ ବଳିଯାଏ ତା‌’ର ପ୍ରମାଣ ମିଳେ କୋଣାର୍କରୁ। କୋଣାର୍କ ପ୍ରସଂଗ ମଧ୍ୟ ଆନ୍ଦୋଳିତ କରିଥିଲା ମାୟାଧର ମାନସିଂହ, ସଚ୍ଚିଦାନନ୍ଦ ରାଉତରାୟ, ଗୁରୁ ପ୍ରସାଦ ମହାନ୍ତି, ଭାନୁଜୀ ରାଓ, ରବି ସିଂହ, ମନୋଜ ଦାସ, ଜୟନ୍ତ ମହାପାତ୍ର, ପ୍ରତିଭା ରାୟ ଓ ଝୁମ୍ପା ଲାହିରି ପ୍ରଭୃତିଙ୍କୁ। ଏମାନଙ୍କ ସର୍ଜନାର ସ୍ବର ଥିଲା ଭିନ୍ନ ଭିନ୍ନ ପ୍ରକରଣର- ରୋମାଣ୍ଟିକ୍ ଓ ସୌନ୍ଦର୍ଯ୍ୟ ଅବଗାହନ କିମ୍ବା ନଷ୍ଟାଲ୍‌ଜିଆ ସମ୍ବଳିତ ଅଥବା ଶ୍ରମର ଶୋଷଣ ସଂପର୍କିତ ବାମପନ୍ଥୀ ବ୍ୟାଖ୍ୟାନ ନତୁବା ବଣଭୋଜି ପ୍ରବଣ ଭାବନାକୁ ନେଇ ଅନ୍ୟଥା ଧ୍ବଂସାବଶେଷର ଚମତ୍କାର ରୂପ ବର୍ଣ୍ଣନା ନୋହିଲେ ପର୍ଯ୍ୟଟକର ଗଦ୍‌ଗଦ୍ ଭାବ କିଂବା ଐତିହ୍ୟ ଦେଇ ଇତିହାସଗତ ସଂପର୍କର ପୁନରାବିଷ୍କାର। ସମସ୍ତଙ୍କ ଲେଖା ନିଜ ନିଜ ଗୁଣ ଓ ଦୃଷ୍ଟିକୋଣରେ ପ୍ରଭାବଶାଳୀ। ହେଲେ ବେଶ୍ ଚର୍ଚ୍ଚିତ ସଚ୍ଚି ରାଉତରାୟଙ୍କ କବିତା ‘କୋଣାର୍କ’ ଯାହା ପ୍ରକାଶିତ ହୋଇଥିଲା ୧୯୩୭ ମସିହାରେ। ସେଥିରେ ସିଏ ଲେଖିଥିଲେ- ‘‘ତୁମେ ଦେଖିଅଛ ଶିଳାରେ ତା’ର ତ/ ରମ୍ୟକଳାର ରୂପ/ ମୁଁ ଦେଖିଚି ତହିଁ କୋଟି କଙ୍କାଳ। ଭଗ୍ନ ବୁକୁର ସ୍ତୂପ। x x ରମ୍ୟ କଳାର ଲୀଳା! କିଛି ତ କହିନି ମଣିଷର କଥା,/ କହିବାର ଯାହା ଥିଲା’’। ଉପରୋକ୍ତ ସବୁ ଲେଖକ-ଲେଖିକାଙ୍କ ଲେଖା ଦେଇ କୋଣାର୍କର କିଛି କିଛି ଝଲକ ମିଳେ। କିନ୍ତୁ କୋଣାର୍କର ଆସ୍ଥାନ, ଉପସ୍ଥିତି, କାରୁକାର୍ଯ୍ୟ, ଉଚ୍ଚତା ଓ ଆ‌ବେଦନ ଦୃଷ୍ଟିରୁ ବିଚାର କଲେ କୋଣାର୍କ ଅନେକ ସମ୍ମିଳିତ ଝଲକ ଅପେକ୍ଷା କେତେ ବଡ଼।
ସୂର୍ଯ୍ୟ ମନ୍ଦିର ଭାବେ ଖ୍ୟାତ କୋଣାର୍କ ସହ ଶାମ୍ବ ଉପାଖ୍ୟାନ ଯୋଡ଼ା। କୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର ଶାମ୍ବ। ବ୍ରହ୍ମର୍ଷି ନାରଦଙ୍କୁ ଶାମ୍ବ ଉପହାସ କରିବାକୁ ପଛଉନଥିଲେ। ଶାମ୍ବଙ୍କ ଚେହେରାର ମେଳ ଥିଲା କୃଷ୍ଣଙ୍କ ସହ। ଥରେ ନାରଦ କୌଶଳ କରି ଶାମ୍ବଙ୍କୁ କହିଥିଲେ ରୈବତକ ପର୍ବତ ପାଖକୁ ଆସିବାକୁ ଯେଉଁଠି ତାଙ୍କୁ ଅପେକ୍ଷା କରିଛନ୍ତି କୃଷ୍ଣ। ହେ‌େଲ ବାସ୍ତବରେ ସେଠି ଗୋପୀଗଣ ଏକ ପୁଷ୍କରିଣୀରେ ଜଳକେଳି କରୁଥିଲେ। ଶାମ୍ବଙ୍କୁ କୃଷ୍ଣସମ ମଣି ସେମ‌ାନେ ନିଜ ନିଜର ଏକାନ୍ତ ବ୍ୟକ୍ତିଗତ ଜଳକେଳିରେ ନିମଗ୍ନ ରହିଲେ। ନାରଦ ସେପଟେ କୃଷ୍ଣଙ୍କୁ ଖବର ଦେଇ ସେଠିକି ଆସିବାକୁ ଅନୁରୋଧ ଜଣାଇଥିଲେ। ଗୋପୀଙ୍କ ମେଳରେ ଶାମ୍ବଙ୍କୁ ଦେଖି କୃଷ୍ଣ ହତଚକିତ। ଶାମ୍ବଙ୍କୁ ଘୋର ଅଭିଶାପ ଦେଇ କୃଷ୍ଣ କହିଥିଲେ- କୁଷ୍ଠ ହୋଇ ତୋର ସମସ୍ତ ସୌନ୍ଦର୍ଯ୍ୟ ଲୁପ୍ତ ହେଉ। ପରେ ଯେତେବେଳେ କୃଷ୍ଣ ସବୁକଥା ଜାଣିଲେ ଓ ନାରଦଙ୍କ ଅସଲ ଦୋଷ ବାବଦରେ ଅବଗତ ହେଲେ ‌େସତେବେଳେ ସିଏ ସୂର୍ଯ୍ୟ ଉପାସନା କରି କୁଷ୍ଠମୁକ୍ତ ହେବାକୁ ଶାମ୍ବଙ୍କୁ ପରାମର୍ଶ ଦେଲେ। କୁହାଯାଏ ଚନ୍ଦ୍ରଭାଗା କୂଳେ ମୈ‌େତ୍ରୟ ବନରେ- କେତେକଙ୍କ ମତ ବୃହତ୍ତର କୋଣାର୍କ ପରିସରରେ- ଶାନ୍ତ, ଦାନ୍ତ, ନିରାହାର ଓ ଜିତେନ୍ଦ୍ରିୟ ‌ହୋଇ ବାରବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ଧ୍ୟାନରେ ନିମଗ୍ନ ରହି ଶାମ୍ବ ଆରୋଗ୍ୟ ଲାଭ କରିଥିଲେ। ଶାମ୍ବ ଉପାଖ୍ୟାନ ନେଇ ଅନ୍ୟ ପ୍ରକାରର ବ୍ୟାଖ୍ୟାନ ମଧ୍ୟ ରହିଛି ଯାହା ଭିତରେ ଅନ୍ତର୍ଭୁକ୍ତ ଦୁର୍ବାଶାଙ୍କ ଅଭିଶାପ। ହେଲେ ଆଧୁନିକ ସମୟର ମା’ମାନେ ଏବେ ବି ଶାମ୍ବ ଦଶମୀ ପାଳନ୍ତି ପିଲାମାନଙ୍କ ସ୍ବାସ୍ଥ୍ୟ ମନାସି। ଉଭୟ ବିଜ୍ଞାନ ଓ ବିଶ୍ବାସରେ ସୂର୍ଯ୍ୟ ସକଳ ଶକ୍ତି, ସମସ୍ତ ଉର୍ଜାର ଆଧାର।

ରହସ୍ୟମୟ ଲାଗୁଥିବା ଅନେକ ଗ୍ରହଣୀୟ ଓ ଉପାଦେୟ କି˚ବଦନ୍ତି ରହିଛି କୋଣାର୍କ ମନ୍ଦିର ନିର୍ମାଣ ପ୍ରକ୍ରିୟା ବାବଦରେ। ଗୋଟିଏ ଯାଉକୁ ନେଇ, ଅନ୍ୟଟି ବରକୋଳି ସମ୍ବନ୍ଧରେ। ରାଜା ଲାଙ୍ଗୁଳା ନରସିଂହ ଦେବ ତାଙ୍କ ମନ୍ତ୍ରୀ ଶିବାଇ ସାନ୍ତରାଙ୍କୁ ନିର୍ଦ୍ଦେଶ ଦେଲେ କୋଣାର୍କ ଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ନିମନ୍ତେ। ଆଦେଶ ପାଳି ଶିବାଇ ଜଳାଶୟ (ଗଣ୍ଡ/ସମୁଦ୍ରର କିଛି ଭାଗ)ରେ ପଥର ପକେଇବା ଆରମ୍ଭ କରିଦେଲେ। କିନ୍ତୁ ପଥର ପକଉଥିଲେ ଗଣ୍ଡ ମଝିରେ ଯାହା ଭାସି ଯାଉଥିଲା କିମ୍ବା ରାଘବ ଗିଳି ଦେଉଥିଲା। କାମ ଆଗଉନଥିବା ଦେଖି ବିବ୍ରତ ସାନ୍ତରା ସ୍ଥିର କଲେ ରାଜାଙ୍କୁ ସବୁ କଥା ଜଣାଇବାକୁ। ବାଟରେ ଭୟଙ୍କର ଝଡ଼ତୋଫାନ ହେଲା। ବାଧ୍ୟହୋଇ ଜଣକ ଘରେ ସିଏ ଆଶ୍ରୟ ନେଲେ। ସେ ଘରେ ରହୁଥିବା ବୁଢ଼ୀ ମାଉସୀ ଥାଳିରେ କିଛି ଯାଉ ଆଣି ତାଙ୍କୁ ଖାଇବାକୁ ଦେଲେ। ଶିବାଇ ଥାଳି କଡ଼ରୁ ନଖାଇ ମଝିରୁ ଖାଇବା ଆରମ୍ଭ କରନ୍ତେ ପାଟି ପୋଡ଼ିଗଲା। ବୁଢ଼ୀ ତହୁଁ ହସି ହସି କହିଲେ- କିରେ ତୁ ତ ଅବିକଳ ଶିବାଇ ସାନ୍ତରା ଭଳି ହେଉଛୁ; ସିଏ ପାଣି ମଝିରେ ପଥର ପକେଇଲା ଭଳି ତୁ ଥାଳି ମଝିରୁ ଯାଉ ଖାଉଚୁ! ଏତକି ଶୁଣି ସାନ୍ତରାଙ୍କ ଚୈତନ୍ୟୋଦୟ ହେଲା। ତାଙ୍କୁ ଲାଗିଲା ବୁଢ଼ୀ ବେଶରେ ରାମଚଣ୍ଡୀ ତାଙ୍କୁ ମାର୍ଗଦର୍ଶନ ଦେଲେ।

ବାରଶହ ବଢ଼େଇ ବର୍ଷ ବର୍ଷ ଧରି -‌େଷାହଳ ବର୍ଷ- କୋଣାର୍କ ଦେଉଳ ତିଆରିରେ ଲାଗି ପଡ଼ିଥିଲେ ଘରଦ୍ବାର ଛାଡ଼ି। ସେମାନଙ୍କ ଭିତରୁ ଜଣେ ଥିଲେ ବିଶୁ ମହାରଣା। ଘରୁ ଆସିଲା ବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ତାଙ୍କ ବାରି ଅଗଣାରେ ଥିଲା ନୂତନ ଧରଣର ବରକୋଳି ଗଛ। ଯଥା ସମୟରେ ସୁନ୍ଦର ପୁତ୍ରର ଜନନୀ ହେଲେ ତାଙ୍କ ପତ୍ନୀ। ସାଙ୍ଗସାଥୀଙ୍କ ମେଳରେ ଖେଳୁଥିଲା ବେଳେ ସଙ୍ଗୀମାନେ ତାକୁ ଚିଡ଼େଇ କହିଥିଲେ- ଆରେ ଅଣବାବୁଆରେ, ଅଣବାବୁଆ‌; ଗୁଲି ଖେଳୁଥାଇ ଅତି ବଢ଼ିଆ। ଅପମାନିତ ପୁତ୍ର ନିଜ ଘରକୁ ଯାଇ ମା’ଙ୍କୁ ସବୁ କଥା ପଚାରି ବୁଝିଲା। ବାରି ବରକୋଳି ନେଇ ବାହାରିଲା କୋଣାର୍କ, ନିର୍ମାଣାଧୀନ ମନ୍ଦିର ଜାଗାକୁ। ବଢ଼େଇମାନଙ୍କ ଭିତରେ ପିଲାଟିର ପିତା ହିଁ ବରକୋଳି ଦେଖି ପୁଅକୁ ଚିହ୍ନିଲେ। ପୁତ୍ର ଧର୍ମପଦକୁ। ମନ୍ଦିର କାମ ସରି ପାରୁ ନଥାଏ। ଅନ୍ୟମାନେ ରାତିରେ ଶୋଇଥିଲା ବେଳେ ଧରମା ମନ୍ଦିରର ମୁଣ୍ଡି ମାରିଦେଲା। ସକାଳେ ବଢ଼େଇମାନଙ୍କ ଭିତରେ ଭାଳେଣି ପଡ଼ିଲା- ରାଜା ଧରମାର ଅବଦାନ କଥା ଜାଣିଲେ ମୁଣ୍ଡକାଟ ହୋଇଯିବ। ବିଶୁ ମହାରଣାକୁ ପଚାରିଲେ- ତୋର ବାରଶହ ବଢ଼େଇରେ ଦାୟୀ କି ଏକା ପୁଅରେ ଦାୟୀ? ପିତା‌ ଅସୁବିଧାରେ ପଡ଼ିବେ ଜାଣି ଧର୍ମପଦ ମନ୍ଦିର ଉପରୁ ଡେଇଁପଡ଼ି ଆତ୍ମବଳି ଦେଇ ଅମର ହୋଇଗଲା।

ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ କୁହୁକ ପ୍ରାୟ ସମ୍ମୋହିତ କରେ ସମସ୍ତଙ୍କୁ। ମନ୍ଦିରର ସ୍ଥାପତ୍ୟଗତ କଳାକୌଶଳ ଅତ୍ୟ‌ାଧୁନିକ ସମୟର ମହାବିଶେଷଜ୍ଞଙ୍କୁ ଆଚମ୍ବିତ କରିଦିଏ। ସେ ଶିଳ୍ପକଳା ବିଶଦ ଭାବେ ଆଲୋଚନା କରିବା ଏ ଲେଖାର ସୀମିତ କଳେବରର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଭାରତ ମଣ୍ଡପରେ ସ୍ଥାନିତ କୋଣାର୍କ ଚକ୍ର ସୂଚେଇ ଦିଏ ଓଡ଼ିଶାର ପ୍ରାଚୀନ ଜ୍ଞାନ ବିଜ୍ଞାନ କୌଶଳ, ଉନ୍ନତ ସଭ୍ୟତା ଓ ଶିଳ୍ପକଳାର ଉତ୍କର୍ଷ ସମ୍ବନ୍ଧରେ। ବିଖ୍ୟାତ କୋଣାର୍କ ଚକ୍ର ବି କାଳଚକ୍ର; ସେ ଚକ୍ରର ଘୂର୍ଣ୍ଣନଧର୍ମୀ ଗତି ସହ ସଂପର୍କ ରହିଛି ପ୍ରଗତି ଓ ପରିବର୍ତ୍ତନର ଯାହା ଲୋକତନ୍ତ୍ରର ଦୁଇ ପ୍ରତିନାମ। କୋଣାର୍କ ଚକ୍ର ପୁଣି ସୂର୍ଯ୍ୟ ଘଡ଼ି ଏବଂ ସୂର୍ଯ୍ୟଙ୍କ ପ୍ରକାଣ୍ଡକାୟ ରଥ ଓ ଘୋଡ଼ା କଥା ମନେ ପକାଇ ଦିଏ। ସେ ଚକ୍ରର ସଂରଚନା ସହ ପ୍ରତୀକାତ୍ମକ ଭାବେ ଖାଲି ନୁହେଁ, ବରଂ ପ୍ରକୃତରେ ଗର୍ଭିତ ବହୁ ଅର୍ଥ ବିଶିଷ୍ଟ ତିନିଟି ସଂଖ୍ୟା- ୧୨, ୨୪ ଓ ୮ ଅର୍ଥାତ୍; ମାସ, ଘଣ୍ଟା ଓ ପ୍ରହରୀ। ସମୟ ଓ ଜୀବନଚର୍ଯ୍ୟା ସହ ଜଡ଼ିତ କୋଣାର୍କ ଚକ୍ରର ପ୍ରତିକୃତି ନଟରାଜ ପ୍ରତିମୂର୍ତ୍ତିକୁ ମଧ୍ୟ ଆନନ୍ଦମୟ ସାନ୍ନିଧ୍ୟର ମୁହୂର୍ତ୍ତ ଯୋଗାଇ‌ ଦେଇଥିବ। କୋଣାର୍କର ଜୟ ହେଉ। ସୂର୍ଯ୍ୟ ମନ୍ଦିର କୋଣାର୍କରେ ଫୁଲ ଭଳି ଫୁଟିଥିବା ପଥର ନିର୍ମିତ ମଣିଷ, ପଶୁ, ପକ୍ଷୀ, ଲତା, ଅପସରା, ବୀଣା ଓ ମର୍ଦ୍ଦଳଧାରୀ ଶିଳ୍ପୀ ଏବଂ ଗୁରୁ ଅଧୀନ ନୃପତି କୃତି ଆଗକୁ ଅଧିକରୁ ଅଧିକ ଅର୍କକ୍ଷେତ୍ରକୁ ମାନବୀୟ ପ୍ରତିଭାର ପରାକାଷ୍ଠାର ନିଦର୍ଶନ ରୂପେ ସାବ୍ୟସ୍ତ କରି ଚାଲିଥାନ୍ତୁ। ଯଥାର୍ଥରେ ପଣ୍ଡିତ କୃପାସିନ୍ଧୁ ମିଶ୍ର କହିଥିଲେ- କୋଣାର୍କ ଓଡ଼ିଆ ମସ୍ତିଷ୍କର ଉଦ୍ଭାବନ। ବିଶ୍ବକର୍ମାଙ୍କୁ ମଧ୍ୟ ତାହା ଚକିତ କରିବାର କ୍ଷମତା ରଖେ। ସେଠି ଶିଆଳି ଆଚ୍ଛାଦିତ ଶିଳାରାଶି ଦିନେ ଏକ ଜାତି ପାଇଁ ଅକଳ୍ପନୀୟ ଆତ୍ମବିଶ୍ବାସର ମୂଳଦୁଆ ସାଜିଥିଲା।
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର