ଆଳାପ ଓ ଆଲୋଚନା: ଆମେରିକାରେ କ୍ରିକେଟ୍‌ର ପୁନଃପ୍ରବେଶ

ଅଭିରାମ ବିଶ୍ବାଳ

ଭାରତ ଓ ଦକ୍ଷିଣ ଆଫ୍ରିକା ଆଜି ଖେଳିବେ ବିଶ୍ବକପ୍ ଟି-୨୦ କ୍ରିକେଟ୍ ଫାଇନାଲ୍। ଚଳିତ ସଂସ୍କରଣର ଅନ୍ୟ ଅନେକ ଉଲ୍ଲେଖଯୋଗ୍ୟ ଦିଗ ଭିତରୁ କେତୋଟି ହେଲା- ସହଆୟୋଜକ ଭାବେ ଆମେରିକାର ଭୂମିକା ଏବଂ ଆଫଗାନିସ୍ତାନ ଓ ଅାମେରିକାର ଭଲ ପ୍ରଦର୍ଶନ। ସେମି ଫାଇନାଲ୍ ପହଞ୍ଚି ପାରିଥିବା ଆଫଗାନିସ୍ତାନ ପୁଣି ଥରେ ପ୍ରମାଣିତ କରିଦେଲା ଯେ ସେ ଦେଶର ପରିଚୟ ଓ ଭାବମୂର୍ତ୍ତି ପ୍ରକୃତରେ ବୋମା କି ବନ୍ଧୁକ ନୁହେଁ। କ୍ରୀଡ଼ା କ୍ଷେତ୍ରରେ ଆମେରିକାର ଅସାଧାରଣ ସାଫଲ୍ୟ କଥା ଉଠିଲେ ସାଧାରଣତଃ ବେସ୍‌ବଲ୍, ବକ୍ସିଂ, ଦଉଡ଼, ବାସ୍କେଟ୍‌ବଲ୍, ଗଲ୍‌ଫ, ସନ୍ତରଣ ଓ ଟେନିସ୍ ଆଦିର ଉଦାହରଣ ଦିଆଯାଏ। ହେଲେ ପ୍ରଥମ ପଦାର୍ପଣରେ କ୍ରିକେଟ୍ ବାଟେ ବି ଆମେରିକା ସୂଚେଇ ଦେଲା ଯେ ଆଗକୁ ଆମେରିକାର ଖେଳାଳିମାନେ ପ୍ରଜାପତି ଭଳି ଉଡ଼ିପାରିବେ ଓ ମହୁମାଛି ସମ ଦଂଶି ପାରିବେ! ପୁଣି ଆଫଗାନିସ୍ତାନ ବି କ୍ର‌ିକେଟ୍ ଜଗତର ଏକ ଅତି ପ୍ରଭାବଶାଳୀ ଦଳ ଭାବେ ଉଭା ହେବାରେ ଲାଗିଲାଣି।

ଅଭିଲେଖ, ଇତିହାସ ପୁସ୍ତକ ଓ କୋମଳ ପ୍ରଯୁକ୍ତି ସୂତ୍ରମାନଙ୍କରୁ ଜାଣିବାକୁ ମିଳେ ଯେ ବିଶ୍ବର ଅନ୍ୟତମ ପୁରାତନ କ୍ରିକେଟ୍ ମ୍ୟାଚ୍ ଆମେରିକାରେ କାନାଡା ଓ ଆମେରିକା ଭିତରେ ୧୮୪୪ ମସିହା ସେପ୍‌ଟେମ୍ବର ଶେଷ ସପ୍ତାହରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା। ସେ ମ୍ୟାଚ୍ ଅବଶ୍ୟ କାନାଡା ୨୩ ରନ୍‌ରେ ଜିତି ନେଇଥିଲା। ସ୍କୋର୍‌ବୋର୍ଡ ଥିଲା ଏଇଭଳି: କାନାଡା-୮୨, ଆମେରିକା-୬୪; କାନାଡା-୬୩ ଏବଂ ଆମେରିକା-୫୮। ମୂଳ ଯୋଜନା ମୁତାବକ ମ୍ୟାଚ୍‌ଟି ଦୁଇଦିନିଅା ହେବାର ଥିଲା। କିନ୍ତୁ ଦ୍ବିତୀୟ ଦିନର ବର୍ଷାଜନିତ ପ୍ରତିକୂଳ ପାଗ ଯୋଗୁଁ ମ୍ୟାଚ୍ ଆଉ ଦିନେ ଘୁଞ୍ଚିଗଲା। ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ଥିଲା ପାଞ୍ଚରୁ କୋଡ଼ିଏ ହଜାର ଭିତରେ। ସେ ସମୟର ନ୍ୟୁୟର୍କ ହେରାଲ୍‌ଡରେ ବାହାରିଥିଲା ଏମିତିଆ ଏକ ଦୃଷ୍ଟି ଆକର୍ଷଣକାରୀ ସମ୍ବାଦ- ଗ୍ରେଟ୍ କ୍ରିକେଟ୍ ମ୍ୟାଚ୍ ଫର୍ $୧୦୦୦। ଏକ ଚମତ୍କାର ରେଖାଚିତ୍ରରେ ଘୋଡ଼ାଟିଏ ବାଉଣ୍ଡେରି ସେପଟେ ଠିଆ ହେବାର ଦିଶୁଥିଲା। ଦର୍ଶକ କିମ୍ବା କ୍ଷେତ୍ରରକ୍ଷକ ଭାବେ ନିଶ୍ଚୟ ନୁହେଁ। ଘୋଡ଼ାଟି ମନେ ମନେ ଭାବୁଥିବ- ମୋର ଅତି ପ୍ରିୟ ଏ ପଡ଼ିଆରେ ବ୍ୟାଟ୍ ଓ ବଲ୍ ଭିତରେ କି ଖେଳ ଚାଲିଛି?

କୁହାଯାଏ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନ୍ ଥିଲେ ଜଣେ ବଡ଼ କ୍ରିକେଟ୍ ରସିକ। ଆମେରିକୀୟ ବିପ୍ଳବ ସମୟ‌େର ସୈନିକ ଦଳ ଭାଲି ଫୋର୍ଜରେ ଡେରା ପକାଇଥିଲା ବେଳେ ୱାସିଂଟନ୍ କ୍ରିକେଟ୍ ଖେଳରେ ମଜି ଯାଇଥିଲେ। ୧୮୬୧ ମସିହାର ଗୃହଯୁଦ୍ଧ କିନ୍ତୁ କ୍ରୀଡ଼ା ସଂପର୍କିତ ଅଗ୍ରାଧିକାର ବଦଳେଇ ଦେଲା। ବେସ୍‌ବଲ୍‌ର ଜାତୀୟ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଲା। ଯୁଦ୍ଧ କାଳରେ ଚିତ୍ତବିନୋଦନରେ ସହାୟକ ହେବା ସାଙ୍ଗକୁ ବେସ୍‌ବଲ୍ ସାଧାରଣ ସୈନିକ ଓ ପଦସ୍ଥ ସାମରିକ ଅଧିକାରୀଙ୍କୁ ଖେଳ ବାଟେ ଅଧିକ ଏକାଠି ଓ ଅନ୍ତରଙ୍ଗ କରେଇ ପାରିଥିଲା। ଏପରିକି ଖୋଦ୍ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବେସ୍‌ବଲ୍ ଖେଳିବାକୁ ପସନ୍ଦ କରୁଥିଲେ। କ୍ରିକେଟ୍ ତୁଳନାରେ ବେସ୍‌ବଲ୍ କମ୍ ସମୟରେ ସରୁଥିଲା ଏବଂ କ୍ରିକେଟ୍ ଭଳି ତାହା ଏକ ଇଂଲଣ୍ଡାଗତ ବିଦେଶୀ ଖେଳ ନ ଥିଲା। ପ୍ରେକ୍ଷାପଟ ଏମିତି ବଦଳି ନ ଥିଲେ ବେସ୍‌ବଲ୍ ପୂର୍ବରୁ ଆମେରିକାରେ ଆଦୃତ କ୍ରିକେଟ୍ ହୁଏତ କାହିଁ କେତେ ଉପରେ ରହିସାରନ୍ତାଣି! ହୃଷ୍ଟପୁଷ୍ଟ ଓ ସ୍ମାର୍ଟ ଆମେରିକାର ଖେଳାଳି କ୍ରିକେଟୀୟ ଦକ୍ଷତା ତଥା କୌଶଳ ହାସଲ କରି ଅନେକ ଅପୂର୍ବ ସମ୍ଭବ କରିପାରିବା ଭାବିବା ଅସ୍ବାଭାବିକ ନୁହେଁ।

ଏଥରକ ପ୍ରାରମ୍ଭିକ ପର୍ଯ୍ୟାୟର ତିନିଟି ମ୍ୟାଚ୍‌ରେ ଆମେରିକା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କାନାଡାକୁ ହରାଇଥିଲା; ପୁଣି ପାକିସ୍ତାନ ବିରୋଧରେ ଜିତିବା ସାଙ୍ଗକୁ ଭାରତ ସହ ଲଢ଼ି ହାରିଥିଲା। ଭାରତ ବିପକ୍ଷ ମ୍ୟାଚ୍‌ରେ ଉଭୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଆଉଟ୍ କରିଥିଲେ ସୌରଭ ନେତ୍ରଭାଲକାର ଯାହାଙ୍କ ମୂଳ ଘର ମୁମ୍ବାଇର ମଲାଡ୍‌ରେ। ତାଙ୍କ ଇଚ୍ଛ‌ା ଥିଲା ଭାରତୀୟ ଜାତୀୟ ଦଳ ସକାଶେ ଓ ନିୟମିତ ଭାବେ ମୁମ୍ବାଇ ପାଇଁ ଖେଳିବାକୁ। ହେଲେ ଉଚ୍ଚଶିକ୍ଷା ଓ ଅଭିଳାଷ ଡାକରାରେ ଚାଲିଗଲେ ଆମେରିକା ୨୦୧୫ ମସିହାରେ। କର୍ଣ୍ଣେଲ୍ ବିଶ୍ବବିଦ୍ୟାଳୟରେ କମ୍ପ୍ୟୁଟର ପଢ଼ି ଓରାକଲ୍‌ରେ ଚାକିରି କଲେ। ତାଙ୍କ ଭିତରର କ୍ରିକେଟ୍ ପ୍ରୀତି ଏକପ୍ରକାରେ ଫିକା ପଡ଼ିବାର ଆଶଙ୍କା ଉପୁଜିବାକୁ ଯାଉଥିଲା ବେଳେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ନିୟମ କୋହଳ କରି ଅନୁମତି ଦେଲେ ‌େଯ ତିନି ବର୍ଷ ବସବାସ ବଳରେ ଜଣେ ଅଣଆମେରିକୀୟ ଖେଳିପାରିବେ ଆମେରିକା ପାଇଁ। ସୌରଭଙ୍କ ବାପାଙ୍କ ମତରେ ଏ ସବୁ କପାଳ ଲିଖନ, ସଂଯୋଗ, ନିୟତି ବା ଭାଗ୍ୟ! ପୁତ୍ର ସୌରଭଙ୍କ ବ୍ୟକ୍ତିତ୍ବରେ ଦୃଢ଼ସଂକଳ୍ପ, ମୁମ୍ବାଇକର ସୁଲଭ କ୍ରିକେଟ୍ ନିଶା ଓ ଆମେରିକୀୟ ସ୍ବପ୍ନର ସଂଗମ ପରିଲକ୍ଷିତ ହୁଏ। କମ୍ପ୍ୟୁଟର ଓ କ୍ରିକେଟ୍ ଭଳି ଦୁଇ ନାବରେ ଗୋଡ଼ ଦେଇଥିବା ସୌରଭ କ୍ରିକେଟ୍ ପଡ଼ିଆକୁ ଆସନ୍ତି ଉଭୟ ବ୍ୟାଟ୍ ଓ ଲ୍ୟାପ୍‌ଟପ୍ ସହ ଏବଂ ସମୟ ପାଇଲେ ଷ୍ଟାଡିଅମ୍‌ରୁ ଅଫିସ କାମ ବି କରନ୍ତି। କହିହେବ ଏକପ୍ରକାରର ବ୍ୟାଟ୍-ଲ୍ୟାପ୍‌ଟପ୍ ଯୁଗଳବନ୍ଦୀ!

ଆମେରିକୀୟ କ୍ରିକେଟ୍ ଦଳରେ ବହିରାଗତ ପ୍ରତିଭା ଓ ଡାୟାସ୍ପୋରାର ଛାପ ସୁସ୍ପଷ୍ଟ। ଦଳର ଅନେକ ଖେଳାଳିଙ୍କ ମୂଳ ଜାତୀୟତା ଗୁନ୍ଥା ଭାରତ, ପାକିସ୍ତାନ, ଦକ୍ଷିଣ ଅଫ୍ରିକା, ନ୍ୟୁଜିଲାଣ୍ଡ୍ ଓ ୱେଷ୍ଟ୍‌ଇଣ୍ଡିଜ୍ ସହ। ଏଇ ଯେମିତି- ଏବେକାର କୋଚ୍ ଅଷ୍ଟ୍ରେଲିଆର, ଅଧିନାୟକ ବାରବାଡ୍‌ସର ଏବଂ ସୌରଭାଦି ଭାରତର। ଏଭଳି କ୍ଷେତ୍ରରେ ଚେର ଜନ୍ମଭୂମି ଓ ଡାଳ କର୍ମଭୂମି ଭିତରେ ଆବେଗିକ ତଥା ଅାନୁଗତ୍ୟଗତ ଆହ୍ବାନର ସନ୍ତୁଳନ ମାମୁଲି କଥା ନୁହେଁ। ସେବେକାର ଦେଶ ଓ ଏବେକାର ରାଷ୍ଟ୍ର/ଦଳ ମଧ୍ୟରେ ମ୍ୟାଚ୍ ସମୟରେ ଜାତୀୟ ସଂଗୀତ ଗାନ ଏବଂ ପତାକା ପ୍ରତି ସମ୍ମାନ କ୍ଷଣକୁ ଗହିରେଇ ଦେଖିବା କଥା। ଯଦି ଭାରତର ବିରାଟ ଓ ରୋହିତ ଏବଂ ଆମେରିକା ତରଫର ସୌରଭ ପରସ୍ପରକୁ ଭେଟିଥିବେ ତେବେ ହୁଏତ ପଚରାପଚରି ହୋଇଥିବେ- ହମ୍ କୌନ୍? ମୁମ୍ବେୟା? ଆ‌େମରିକାରେ ନେତ୍ରଭାଲକାରଙ୍କ ସଫଳତା ଅବସରରେ ଉତ୍ସବମୁଖର ହୋଇଉଠିଥିଲା ତାଙ୍କ ମଲାଡ୍ ହାଉସିଂ ସୋସାଇଟି, ଯେଉଁଠିକାର ବାଲ୍ୟ ବନ୍ଧୁଙ୍କ ସହ ସିଏ ମିଶି ରାସ୍ତାରେ ରବର ବଲ୍ କ୍ରିକେଟ୍ ଖେଳିଥିଲେ। ସେ ବନ୍ଧୁମାନଙ୍କ ପାଇଁ ସୌରଭଙ୍କ ଯାତ୍ରା ଓ କାହାଣୀର ସଫଳତା – ସିଏ ଯେଉଁଠି ଥାଆନ୍ତୁ ନା କାହିଁକି – ମଧ୍ୟ ସେମାନଙ୍କ ଯାତ୍ରା ଓ କାହାଣୀର ସଫଳତା। ଏ ସବୁ ସମ୍ଭବତଃ ଦୂରଦୂରାନ୍ତର ଜାତୀୟତାବାଦ ବା ‘ଲଙ୍ଗ୍‌ ଡିଷ୍ଟାନ୍‌ସ ନ୍ୟାସ୍‌ନାଲିଜିମ୍‌’ର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଭାରତୀୟ ଚେଳ ମୂଳର ଆଉ ଜଣେ ହେଲେ ହରମିତ୍ ସିଂ ଯିଏ କି ଏବେ ଆମେରିକା ପାଇଁ ଖେଳୁଛନ୍ତି। ସିଏ ବି ମୁମ୍ବାଇର, ମୁମ୍ବାଇର ବୋରିଭାଲି ଅଞ୍ଚଳର। ମୁମ୍ବାଇ ପାଇଁ ମଧ୍ୟ ସିଏ କ୍ରିକେଟ୍ ଖେଳିଥିଲେ। ରୋହିତ ଶର୍ମା ଯେଉଁ ସ୍କୁଲରେ ପଢ଼ିଥିଲେ ହରମିତ୍ ବି ସେଇଠି ପଢ଼ିଥିଲେ। ତାଙ୍କ ପ୍ରତିଭାରେ ମୁଗ୍‌ଧ ‌ଦିଲିପ ସରଦେଶାଇ ଏକଦା କହିଥିଲେ- ହରମିତ୍ ଆଉ ଜଣେ ବିଶନ୍ ସିଂ ବେଦୀ ହୋଇ ବାହାରିବେ। ପୁଣି ଇଆନ୍ ଚାପେଲ କହିଥିଲେ- ୟାଙ୍କ ଭଳି ପ୍ରତିଭାକୁ ମଉଳି ଯିବାକୁ ଯେମିତି ଦିଆ ନ ଯାଏ! ୧୯ ବର୍ଷରୁ କମ୍ ବୟସର ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ବକପ୍ କ୍ରିକେଟ୍‌ରେ ତାଙ୍କ ସମସାମୟିକ ଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ବମ୍ବେ ଲୋକାଲ୍ ଟ୍ରେନ୍‌ରେ ସିଏ ନିୟମିତ ବୋରିଭାଲିରୁ ଆସୁଥିଲେ ଦାଦର୍ ଶିବାଜୀ ପାର୍କ ଜିମ୍‌ଖାନାରେ କ୍ରିକେଟ୍ ଅଭ୍ୟାସ କରିବା ପାଇଁ ନିଜ ମା’ଙ୍କ ସହ। କୋଭିଡ୍‌ର ପ୍ରଥମ ବର୍ଷ ୨୦୨୦ ମସିହାରେ ସିଏ ଯାଇଥିଲେ ଆମେରିକା। ସେଠି କ୍ରିକେଟ୍ ଖେଳିବାର ସୁଯୋଗ ପାଇଲେ। ଆମେରିକାରେ ଥିଲାବେଳେ ତାଙ୍କ ମା’ କୋଭିଡ୍‌ରେ ଚାଲିଗଲେ ଯାହାଙ୍କ ଶେଷକୃତ୍ୟ ସିଏ କମ୍ପ୍ୟୁଟର ପରଦାରେ ଦେଖିଥିଲେ। ହରମିତ୍ ଭାବନ୍ତି ଆମେରିକୀୟ ଆନ୍ତର୍ଜାତିକ କ୍ରିକେଟ୍‌ର ସିଏ ଅନ୍ୟତମ ଅାଦ୍ୟ ବିନିବେଶକାରୀ ଏବଂ ସେଭଳି ଭୂମିକା ତାଙ୍କ ମା’ଙ୍କ ପ୍ରୋତ୍ସାହନ ବିନା ସମ୍ଭବ ହୋଇପାରି ନଥାନ୍ତା। ହେଲେ ତାଙ୍କ ସଫଳ ଦିନମାନଙ୍କୁ ଦେଖିବାକୁ ତାଙ୍କ ମା’ ଆଉ ନାହାନ୍ତି।

ବେସ୍‌ବଲ୍ ଠାରୁ ହାରିଯାଇଥିବା ଭଳି ଲାଗୁଥିବା ଆମେରିକୀୟ କ୍ରିକେଟ୍ ଏକପ୍ରକାରେ ବିସ୍ମୃତ ଓ ଅବହେଳିତ ମଝିଅଁା ପୁଅ(!) ସମ। ଷ୍ଟେରଏଡ୍‌ରେ ଥିବା ବେସ୍‌ବଲ୍ ପ୍ରାୟ! ଦେଖାଯାଉଛି ଆଧୁନିକ ସମୟରେ ଅନ୍ୟତ୍ର ଗମନ କରୁଥିବା ଲୋକେ ନିଜ ସାଂଗରେ ପୁରୁଣା ସ୍ବପ୍ନ, ସମ୍ଭାବନା ଓ ଅଭିଳାଷ ନେଇ ଯାଆନ୍ତି ଯେମିତି ପତାକା ପଛେ ପଛେ ଯାଇଥାଏ ଦେଶ। ସତ୍ୟ (ନାଦେଲା) ଓ ସୁନ୍ଦର (ପିଚାଇ) ହୁଏତ ଏବେ ଭାବୁଥିବେ ସୌରଭଙ୍କୁ ନିଜ ନିଜ ସଂସ୍ଥାକୁ ନେବା ପାଇଁ। ଆଗକୁ ୨୦୨୮ରେ ଅଲିମ୍ପିକ୍‌ସରେ କ୍ରିକେଟ୍ ସ୍ଥାନ ପାଇବ ଏବଂ ତାହା ପୁଣି ଲସ୍‌ ଏଞ୍ଜେଲସ୍‌ରେ ଅନୁଷ୍ଠିତ ହେବ- ଏ କଥା ବିଚାରକୁ ନେଉଥିବେ କି ସତ୍ୟ ଓ ସୁନ୍ଦର?

ଏକ ପ୍ରତୀକ, ପରିଭାଷା ଓ ମାଧ୍ୟମ ଭାବେ କ୍ରିକେଟ୍‌ର କୋମଳ ବଳ କାହିଁରେ କେତେ। ହରମିତ୍ ଭାବୁଥିବେ ସିଏ ‌ଏବେ ତାଙ୍କ ମା’ଙ୍କ ସ୍ବପ୍ନକୁ ସାକାର କରୁଛନ୍ତି। ସୌରଭ ଚିନ୍ତା କରୁଥିବେ ତାଙ୍କ ସ୍କୁଲର ଜଣେ ଛାତ୍ର ରୋହିତ ଦେଖେଇଦେଲେ କ୍ରିକେଟ୍‌ରେ ବହୁତ ଉପରକୁ ଉଠି ହେବ- ଦେଶରେ ନୋହିଲେ ବିଦେଶରେ। ସୌରଭଙ୍କ ଭଉଣୀଙ୍କ ମତ ତାଙ୍କ ଭାଇ ଆମେରିକା ତରଫରୁ ଖେଳି ପାକିସ୍ତାନକୁ ହରେଇ ଉଭୟ ଭାରତ ଓ ଆମେରିକାକୁ ଗର୍ବିତ କଲେ। ହରମିତ୍‌ଙ୍କ ବୋରିଭାଲି ସାଂଗଙ୍କ ମୁଣ୍ଡରେ ଡେରିରେ ଢୁକୁଥିବ- ବମ୍ବେ ଲୋକାଲ୍ ଟ୍ରେନ୍‌ରେ ଜଣେ ଚର୍ଚ୍ଚ ଗେଟ୍‌ରେ ଓହ୍ଲେଇ ଖାଲି ଷ୍ଟେସନ ପ୍ରବେଶ ପଥର ବଡ଼ ଘଣ୍ଟା ଦେଖିବାକୁ କିମ୍ବା ନିକଟସ୍ଥ ନାରିମ୍ୟାନ୍ ପ‌ଏଣ୍ଟ ସମୁଦ୍ର କୂଳରେ ବୁଲିବାକୁ ଯାଇ ନ ଥିଲେ ଭଲ ହୋଇଥାନ୍ତା। କ୍ରିକେଟ୍ ଅନୁରାଗୀ ଭାରତୀୟମାନେ ଆଜିର ଫାଇନାଲ୍ ମ୍ୟାଚ୍ ବେଳେ ଗାଇ ଚାଲିବେ- ଜୟ ହୋ! ଆହୁରି କହିବାକୁ ପଛଉ ନ ଥିବେ: ଦକ୍ଷିଣ ଅଫ୍ରିକା-ଭାରତ ମିତ୍ର ମିତ୍ର।
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର