ଲୁଣରୁ ଉଡ଼ାଜାହାଜ ଯାଏ ବ୍ୟାପିଥିଲା ତାଙ୍କ ଉଦ୍ୟୋଗପତିସୁଲଭ ସଂପୃକ୍ତିର ପ୍ରକାଣ୍ଡ ବଳୟ ଏବଂ ସେ ବଳୟ ଭିତରେ ଅଧିକନ୍ତୁ ସାମିଲ ଥିଲା ତେଲ, ସାମ୍ପୁ, ଚା’, କଫି, ଲୁହା, ଇସ୍ପାତ, ଶକ୍ତି, ଉର୍ଜା, ହୋଟେଲ, ଗହଣା, ଘଡ଼ି, ପୋଷାକ, ବୀମା, କାର ଓ ଅନ୍ୟାନ୍ୟ ଯାନବାହନ, ଶିକ୍ଷା, ସ୍ବାସ୍ଥ୍ୟସେବା, ଏ.ସି., ଫ୍ରିଜ୍, କଳା, ସାହିତ୍ୟ, ବିଜ୍ଞାନ, ଗବେଷଣା, ସୂଚନା ପ୍ରଯୁକ୍ତି, ଯୋଗାଯୋଗ ଓ ଆହୁରି କେତେ କ’ଣ। ବାଣିଜ୍ୟ, ବ୍ୟବସାୟ, ଶିଳ୍ପ, ଉଦ୍ୟୋଗସମୂହ, ସାମାଜିକ ଦାୟିତ୍ବବୋଧ ଓ ପ୍ରାଣୀପ୍ରୀତି- ଏ ସବୁ ଅଭିକ୍ରମ ମୋଟାମୋଟି ଏକାକାର ହୋଇଗଲା ସେହି ଉତ୍ତୁଙ୍ଗ ବ୍ୟକ୍ତିତ୍ବଙ୍କ ଦରଦୀ, ଦୂରଦୃଷ୍ଟିସଂପନ୍ନ ଓ ରୂପାନ୍ତରକାରୀ ନେତୃତ୍ବ ବଳରେ। ରତନ ଟାଟା (୧୯୩୭-୨୦୨୪) ଅଧ୍ୟକ୍ଷ ଥିବା ଅମଳରେ (୧୯୯୧-୨୦୧୨) ଟାଟା ନଁାଟି ସାମଗ୍ରୀ, ଉତ୍ପାଦ ଓ ଭାରତରେ ସୀମିତ ନ ରହି ବ୍ରାଣ୍ଡ୍ ସହ ଗୁନ୍ଥି ହେଲା ଏବଂ ନିଜର ଭାରତୀୟ ଲଂଗରକୁ ଉଖାଡ଼ି ନ ଦେଇ ବିଶ୍ବ ବଜାରରେ ଆସ୍ଥାନ ଜମେଇ ପାରିଥିଲା। ନୀତି ନୈତିକତାଯୁକ୍ତ ବ୍ୟବସାୟ କହିଲେ ଅନେକ ସାଙ୍ଗେ ସାଙ୍ଗେ ଓ ପ୍ରଥମେ ଟାଟାର ଉଦାହରଣ ସହଜରେ ଦେଇପାରୁଥିଲେ ଏବଂ ତାହା ସମ୍ଭବ କରିବାରେ ରତନଙ୍କର ଅବଦାନ କିଛି କମ୍ ନ ଥିଲା। ତାଙ୍କ ଅନ୍ୟ କେତୋଟି ବୈଶିଷ୍ଟ୍ୟ ହେଲା ଆୟକୁ ସଂପଦ ସୃଷ୍ଟି ସହ ‌େଯାଡ଼ି ଓ ଅର୍ଥକୁ ବୈଭବ ସର୍ଜନାରେ ବିନିଯୋଗ କରି ଜାତି ନିର୍ମାଣରେ ସହାୟକ ହେବା।
ପରବର୍ତ୍ତୀ କତିପୟ ବାକ୍ୟରେ ଯାହା ଉଲ୍ଲେଖ କରାଯାଇଛି ସେ ବାବଦରେ ଅବଗତ ଓ ଅନୁଭବ ନିଶ୍ଚୟ ଅନେକଙ୍କର ଥିବ। ହାଇସ୍କୁଲ ସମୟ କଥା। ଅତି ପ୍ରିୟ ଓ ଜ୍ଞାନୀ ଶିକ୍ଷକଙ୍କ ଭିତ‌ରୁ କେତେଜଣ ବେଳେବେଳେ ପଚାରୁଥିଲେ- କହିଲ ପିଲାଏ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ପ‌େର ସବୁଠୁଁ ଅଧିକ ମାସିକ ଦରମା କିଏ ପାଆନ୍ତି? ଉତ୍ତର ଦେବାରେ ସଂପୂର୍ଣ୍ଣ ଅସମର୍ଥ ଥିଲୁ ଆମେ ଓ ଆମ ଅସହାୟତାର କାରୁଣ୍ୟକୁ ଅଧିକ ଦୀର୍ଘଜୀବୀ ହେବାକୁ ନ ଦେଇ ସେହି ସାର୍‌ମାନେ କହି ଦେଉଥିଲେ- ଟାଟା, ବିଖ୍ୟାତ ଶିଳ୍ପପତି ଜେ.ଆର୍.ଡି. ଟାଟା। ଆମ୍ଭର ଅତ୍ୟନ୍ତ ସୀମିତ ସାଧାରଣ ଜ୍ଞାନର ପରିଧିକୁ ସଂପ୍ରସାରିତ କରିବାକୁ ଯାଇ ପୂଜ୍ୟ ଶିକ୍ଷକଗଣ ଆହୁରି କହୁଥିଲେ- ବିରଳା, ଗୋଏଙ୍କା, ଡାଲମିଆ ଓ ସିଂଘାଣିଆ ଅବଶ୍ୟ ଅଛନ୍ତି। ହେ‌ଲେ ଟାଟା, ଟାଟା। ସେଇ କାଟର ଶିକ୍ଷକମାନେ ଏବେ ବି ନିଜର ଛାତ୍ରଛାତ୍ରୀଙ୍କୁ କହୁଥିବାର ଜାଣିବାକୁ ମିଳେ- ଯେ ଅମ୍ବାନି, ଆଦାନି, ଗଦରେଜ, ପିରାମଲ, ହୀରାନନ୍ଦାନୀ, ଜିନ୍ଦଲ, ମହିନ୍ଦ୍ରା, ଖଇତାନ, ମିତ୍ତଲ, ମୁଂଜାଲ ଓ ପୁନାୱାଲା ପ୍ରମୁଖ ବେଶ୍ ସକ୍ରିୟ ଅଛନ୍ତି। ହେଲେ ରତନ ଟାଟା- ରତନ ଟାଟା। ତାଙ୍କ ବିୟୋଗ ପରେ ପରେ ନବ ପ୍ରଜନ୍ମର ପରିଚିତି କେତେ ଜଣ କଲାମ ଓ ବାଜପେୟୀଙ୍କ କଥା ବି ମନେ ପକାଇଦେଇ କହିଥିଲେ ସଂଯୋଗ କ୍ରମେ ଏ ତିନିହେଁ ଥିଲେ ଅବିବାହିତ। ଅବିବାହିତ ହୋଇ ନ ଥିଲେ ସେମାନେ ଶେଷରେ ଯାହା ହୋଇପାରିଲେ ତାହା ହୋଇପାରିଥାନ୍ତେ କି? ପ୍ରଶ୍ନ ଆକାରରେ ଏଭଳି ଉକ୍ତି ସେମାନଙ୍କର ତାରୁଣ୍ୟସୁଲଭ ଉଚ୍ଛ୍ବାସ ଓ ଫାଜିଲପଣିଆ ଭରା ବୋଲି କହି କେହି କେହି ନ୍ୟୂନ କରିଦେଇପାରନ୍ତି। ମାତ୍ର ଏ ପ୍ରସଙ୍ଗରେ ଖୋଦ ରତନଙ୍କ କେତେକ ସାକ୍ଷାତକାରକାଳୀନ ପରିପ୍ରକାଶ ପ୍ରଣିଧାନଯୋଗ୍ୟ। ଚାରି ଚାରି ଥର ମୋ ବାହାଘର ଚୂଡ଼ାନ୍ତ ହେବା ଉପରେ ଥିଲା; କିନ୍ତୁ କୌଣସି ନା କୌଣସି କାରଣବଶତଃ ଡରି ଯାଇଥିଲି ମୁଁ; ଏବେ ଭାବୁଛି ଯାହା ହୋଇଛି ତାହା ସବୁ ସଂପୃକ୍ତ ପକ୍ଷଙ୍କ ଭଲ ପାଇଁ ହୋଇଛି; ମତେ ସମୟ ମିଳି ନଥାନ୍ତା ମୋ କାମ ସକାଶେ କି ମୁଁ ସମୟ କାଢ଼ି ପାରି ନଥାନ୍ତି ସଂସାର ଜଞ୍ଜାଳ ନିମନ୍ତେ- ଏ ସବୁ ଶବ୍ଦ ମୋଟାମୋଟି ରତନ ଟାଟାଙ୍କ ମୁଖ ନିସୃତ ବାଣୀର ସାରାଂଶ।
ଭାରତୀୟ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରରେ ରତନ ଟାଟା ଜଣେ ବ୍ୟତିକ୍ରମୀ ବ୍ୟକ୍ତିତ୍ବ, ଆଇକନ୍ ଭାବେ ଉଭା ହୋଇପାରିଥିବା ଆଢୁଆଳେ ଅନେକ ଦୈନନ୍ଦିନ ଓ ପୃଷ୍ଠଭୂମିଗତ କାରଣ ରହିଥିଲା। ସିଏ ଥିଲେ ପାର୍ସୀ ସଂପ୍ରଦାୟର ଓ ଭାରତର ଶିଳ୍ପ, ସ୍ବାଧୀନତା ସଂଗ୍ରାମ, ଚଳଚ୍ଚିତ୍ର, ବିଜ୍ଞାନ, ଭେଷଜ ଶାସ୍ତ୍ର, ଚିତ୍ରକଳା, ଆଇନକାନୁନ, ରାଜନୀତି, ସମାଜସେବା ଆଉ ଅନୁଷ୍ଠାନ ନିର୍ମାଣ ଆଦି କ୍ଷେତ୍ରରେ ସେ ସଂପ୍ରଦାୟର ଅବଦାନ ଥିଲା ପଥ ପ୍ରଦର୍ଶକ ଓ ମୂଲ୍ୟଯୁକ୍ତକାରୀ। ବମ୍ବେକୁ ଏକ ବିଶ୍ବସ୍ତରୀୟ ମହାନଗରୀ, ଦେଶର ବାଣିଜ୍ୟିକ ରାଜଧାନୀ, ଆଦୌ ଶୋଉ ନ ଥିବା- ୨୪x୭ ସଜାଗ ସହର ଓ ଅସରନ୍ତି ସମ୍ଭାବନାର ସର୍ବଗ୍ରାହୀ ଠିକଣାରେ ପରିଣତ କରିବାରେ ପାର୍ସୀମାନଙ୍କର ଭୂମିକା ସର୍ବଜନବିଦିତ। ସେଇ ସହର ସମ୍ଭବ କରିଥିଲା ରତନଙ୍କୁ ଓ ରତନ ସେଇ ସହରର ଅତ୍ୟାଧୁନିକ ଅସ୍ମିତା ସାବ୍ୟସ୍ତ କରିବାରେ ନିଜକୁ ନିୟୋଜିତ କରିଥିଲେ ଜଣେ କର୍ମସଂସ୍କୃତି ବିଶ୍ବାସୀ ବ୍ୟକ୍ତି ଭାବେ ଉଭୟ ଟିକିନିଖିର ତର୍ଜମା ତଥା ସୁଦୂର ଭବିଷ୍ୟତ୍ ଭାବନା ଦୃଷ୍ଟିରେ ରଖି। କୁହାଯାଏ ତାଙ୍କ ଆଖି ସବୁକିଛି ଦେଖିପାରୁଥିଲା ଓ ମସ୍ତିଷ୍କ ସମସ୍ତ ବିଷୟ ଜାଣିପାରୁଥିଲା। ପୁଣି ଚକ୍ଷୁ ଓ ମାନସ ସହ ମିଶାଉଥିଲେ ସିଏ ହୃଦୟକୁ। ଏକା ସାଙ୍ଗରେ ମାଇକ୍ରୋସ୍କୋପ୍ ଓ ଟେଲିସ୍କୋପ୍‌ର ସମୁଚିତ ପ୍ରୟୋଗ ସିଏ କରିପାରୁଥିଲେ, କରିବାକୁ ପଛଉ ନ ଥିଲେ। ବାଣିଜ୍ୟ, ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରରେ ଲାଭ ତଥା ପ୍ରତିଯୋଗିତାର ସ୍ଥାନ କ’ଣ ସିଏ ଜାଣିଥିଲେ; କିନ୍ତୁ କୁହାଯାଏ ଲାଭ ଓ ପ୍ରତିଯୋଗିତା ସହ ସିଏ ମିଶେଇଥିଲେ ସାମାଜିକ ସଂବେଦନା, ବିବେକ ଓ ସମାନୁଭୂତିକୁ। ଅଭିଭୃଦ୍ଧି ଓ ଦେଶ ନିର୍ମାଣର ସହାବସ୍ଥାନ ଯେ ସମ୍ଭବ ତାହା ରତନ ଟାଟା କାମରେ କରି ଦେଖାଇବାର ଚେଷ୍ଟାରୁ ନିବୃତ୍ତ ହେଉ ନ ଥିଲେ। ଏଇଠି ଅନ୍ୟ କେତେଜଣ ପ୍ରଥିତଯଶା ପାର୍ସୀଙ୍କ ନାମ ଉଲ୍ଲେଖ କରିବା ଅସମୀଚୀନ ହେବନି। ସେମାନଙ୍କ ଭିତରେ ସାମିଲ- ଜାମ୍‌ସେଦ୍‌ଜୀ ଟାଟା, ଦୋରାବ୍‌ଜୀ ଟାଟା, ସାର୍ ରତନଜୀ ଟାଟା, ଜେ.ଆର୍.ଡି. ଟାଟା, ଦାଦାଭାଇ ନାରୋଜୀ, ଫିରୋଜ ଶାହ ମେହେଟ୍ଟା, ହୋମି ଭାବା, ସୋହରାବ ମୋଦୀ, ଭିକାଜୀ କାମା, ଫିରୋଜ ଗାନ୍ଧୀ, ଶାମ୍ ମାନେକ୍‌ସା, ଡାଏନା ଏଦୁଲ୍‌ଜୀ, ଫାରୁକ୍ ଇଞ୍ଜିନିଅର୍, ପଲି ଉମ୍ରିଗର୍, ଜାହାଙ୍ଗୀର୍ ସବାଭାଲା, ନାନି ପାଲ୍‌କିୱାଲା, ଫଲି ନରିମ୍ୟାନ୍, ସୋଲି ସୋରାବ୍‌ଜୀ, କେକି ଦାରୁୱାଲା, ରୋହିନଟନ୍ ମିସ୍ତ୍ରୀ, ବାପ୍‌ସି ସିଦ୍ଧ୍ବା, ଜୁବିନ୍ ମେହେଟ୍ଟା, ଅରୁଣା ଇରାନୀ ଓ ଫ୍ରେଡି ମରକୁରୀ ପ୍ରମୁଖ। ଦାଦାଭାଇ ନାରୋଜୀଙ୍କ ପ୍ରଭାବ ଓ ପ୍ରତିଷ୍ଠା ଏମିତି ଥିଲା ଯେ ତାଙ୍କ ସମ୍ମାନରେ ତିନିିଟି ଦେଶରେ - ଭାରତ, ଇଂଲାଣ୍ଡ ଓ ପାକିସ୍ତାନରେ - ରାସ୍ତା ନାମିତ ହୋଇଛି। କହିବା ବାହୁଲ୍ୟ, ଭାରତର ଜନସଂଖ୍ୟାର ଶତକଡ଼ା ୦.୧୫ ଭାଗରୁ କମ୍ ପାର୍ସୀମାନଙ୍କ ସଂଖ୍ୟା ଏବଂ ସେମାନଙ୍କ ବିରୋଧରେ ହିଂସା ଓ ଅପରାଧର ଅଭିଯୋଗ ଅତି କମ୍। ପ୍ରାୟ ନାହିଁ କହିଲେ ଚଳେ।
ଧନୀ ହେବା, ଅତି ଧନୀ ହେବା ପାପ ନୁହେଁ। ହେଲେ ଧନାଢ଼୍ୟ ବ୍ୟକ୍ତିବିଶେଷ ଯେତେବେଳେ ବିନମ୍ର, ବଦାନ୍ୟ, ଜନହିତୈଷୀ ଓ ଦୟାବନ୍ତ ହୋଇଥାନ୍ତି, ସେତେବେଳେ ତାଙ୍କର ସେଭଳି ସଦ୍‌ଗୁଣ ତାଙ୍କ ବ୍ୟକ୍ତିତ୍ବକୁ ମହାନତା ପ୍ରଦାନ କରେ ଏବଂ ତାଙ୍କର ମହିମା ଗାନ କରାଯାଏ। ରତନ ଟାଟା ସେହି ସଦ୍‌ଗୁଣାବଳୀର ଅଧିକାରୀ ଥିଲେ। ସାଧାରଣତଃ ନିଜ ଗାଡ଼ି ନିଜେ ଚଲେଇ ଯାଉଥିଲେ ସିଏ। ବାଟରେ ଧରାବୀ କିମ୍ବା ନରିମାନ୍ ପଏଣ୍ଟ ନତୁବା କୋଲାବା ରାସ୍ତାରେ ରୁଗ୍‌ଣ ଓ ଆହତ ବୁଲା କୁକୁର ଦେଖିଲେ ଅଟକି ଯାଇ ସେ କୁକୁରକୁ ସାଙ୍ଗରେ ଘରକୁ ନେଇଯାଉଥିଲେ। ଥରେ ସିଏ କହିଥ‌ିଲେ- ତାଙ୍କ ଏକମାତ୍ର ପରିକଳ୍ପିତ ବ୍ୟକ୍ତିଗତ ବିଳାସ ପ୍ରକଳ୍ପ ହେଲା କୁକୁରମାନଙ୍କ ପାଇଁ ସୁଇମିଂ ପୁଲ୍ ତିଆରି କରିବା। ଜୀବନର ଶେଷ ପର୍ଯ୍ୟାୟରେ ଯେତେ‌ବେଳେ ସିଏ ‘ବମ୍ବେ ହାଉସ୍’ର ମରାମତି ଓ ନବବିନ୍ୟାସ କଥା ଶୁଣିଲେ, ସେତେବେଳେ ସିଏ ପଚାରିଥିଲେ- କୁକୁରମାନଙ୍କୁ ହଟାଯିବନି ତ? ତାଙ୍କ ପ୍ରାଣୀପ୍ରୀତି, କୁକୁରଙ୍କୁ ଭଲ ପାଇବା ସମ୍ବନ୍ଧରେ ଦୁଇଟି ଉପାଖ୍ୟାନ ବହୁଚର୍ଚ୍ଚିତ। ପ୍ରାୟ ଛଅ ବର୍ଷ ତଳେ ଯୁବରାଜ ଚାର୍ଲସ୍‌ଙ୍କ ଏକ ଆମନ୍ତ୍ରଣ ରକ୍ଷା କରି ସିଏ ବକିଂହମ୍ ପ୍ୟାଲେସ୍ ଯାଇପାରିଲେନି; କାରଣ ତାଙ୍କ ଅତି ପ୍ରିୟ ପୋଷା କୁକୁର ସେତେବେଳେ ଭୀଷଣ ଅସୁସ୍ଥ ଥିଲା। ସେଇ ଏକା ପ୍ରାଣୀପ୍ରୀତି କାରଣରୁ ତାଙ୍କ ଅତି ଘନିଷ୍ଠ ମିତ୍ର ଓ ସହଯୋଗୀ ପାଲଟିଥିଲେ ତରୁଣ ପିଢ଼ିର ଶାନ୍ତନୁ ନାଇଡୁ, ଯିଏ ରତନ ଟାଟାଙ୍କୁ ବତିଘର ଭାବେ ଚିତ୍ରଣ କରିଛନ୍ତି ନିଜର ପୁସ୍ତିକା ‘‘ଆଇ କେମ୍ ଅପନ୍ ଏ ଲାଇଟ୍ ହାଉସ୍’’ (୨୦୨୧)ରେ। ସେମିତି ସୁଧା ମୂର୍ତ୍ତିଙ୍କ ଭାଷାରେ ରତନ ଥିଲେ ଧ୍ରୁବତାରାସମ ଏବଂ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଦୃଷ୍ଟିରେ ରତନ ଟାଟାଙ୍କୁ କରୁଣାସିକ୍ତ ପୁଞ୍ଜିବାଦ ବା ‘କଂପାସନେଟ୍ କ୍ୟାପିଟାଲିଜ୍‌ମ’ର ମୂର୍ତ୍ତିମନ୍ତ ଦୃଷ୍ଟାନ୍ତ ଭାବେ ଉତ୍‌ଥାପନ କରାଯାଇପାରିବ।
ନିରିଖେଇ ତାଙ୍କ ମୁଖମଣ୍ଡଳକୁ ‌ଅନୁଧ୍ୟାନ କଲେ ଲାଗୁଥିଲା ତାହା ଗମ୍ଭୀର, କରୁଣ, ମନୋରମ ଓ ନିର୍ମଳ ଉପାଦାନମାନ ପ୍ରତିବିମ୍ବିତ କରୁଥିଲା। ରତନ ଅତି ପିଲା ଥିଲାବେଳେ ତାଙ୍କ ବାପା ଓ ମା’ଙ୍କ ବିବାହ ବିଚ୍ଛେଦ ଘଟିଥିଲା ଏବଂ ସେ ଦୁହେଁ ପରେ କର୍କଟରେ ଚାଲିଗଲେ। ଯେତେବେଳେ ଜେ.ଆର୍.ଡି. ଟାଟା ତାଙ୍କୁ ଟାଟା ସଂସ୍ଥାର ଚେୟାର୍‌ମ୍ୟାନ୍ ଘୋଷଣା କରିଥିଲେ, ସେତେବେଳେ ସେ ସଂସ୍ଥାରେ ଋଷି ମୋଦୀ, ଦରବାରୀ ସେଠ୍, ଅଜିତ୍ କେର୍‌କର୍ ଓ ନାନି ପାଲ୍‌କିୱାଲାଙ୍କ ଭଳି ବେଶ୍ ପୁରୁଖା ଓ ପୋଖତ କାର୍ଯ୍ୟକର୍ତ୍ତା ଥିଲେ, ଯେଉଁମାନେ ରତନ ଚେୟାର୍‌ମ୍ୟାନ୍ ହେବାର କିଛି ବର୍ଷ ଭିତରେ ନିଜ ନିଜ ଦାୟିତ୍ବରୁ ଅପସରି ଯାଇଥିଲେ। ୨୦୧୬ ମସିହାରେ ସାଇରସ୍ ମିସ୍ତ୍ରୀ ଟାଟା ମୁଖ୍ୟ ପଦରୁ ହଟିବା ନେଇ ବ୍ୟାପକ ବିବାଦ ବି ସୃଷ୍ଟି ହୋଇଥିଲା। ସେମିତି ନୀରା ରାଡ଼ିଆ ଟେପ୍‌ସ ନେଇ କାହିଁ କେତେ ଚର୍ଚ୍ଚା ଏବଂ ସେ ନେଇ ବ୍ୟକ୍ତଗତ ଗୋପନୀୟତା ବନାମ ସର୍ବସାଧାରଣରେ ପ୍ରଘଟ ହେବା ସଂପର୍କିତ ବିତର୍କ ଓ ମାମଲା ସୃଷ୍ଟି ହୋଇଥିଲା।
୧୯୯୧ରେ ଯେତେବେଳେ ରତନ ଟାଟା ବିଖ୍ୟାତ ଟାଟା ସଂସ୍ଥାର ଚେୟାର୍‌ମ୍ୟାନ୍ ହେଲେ, ସେତେବେଳେ ଭାରତର ଅର୍ଥନୀତିକ ପରିଦୃଶ୍ୟ ବଦଳି ସାରିଥିଲା ଏବଂ ଜଗତ୍‌କରଣ-ଉଦାରୀକରଣ-ଘରୋଇକରଣର ଯୁଗ ଆସିଯାଇଥିଲା। ରତନଙ୍କ ଦ୍ବାରା ବିଦେଶୀ ଟେଟ୍‌ଲେ, ଡେବୁ, ଜାଗୁଆର୍ ଓ କୋରସ୍ ଅଧିଗ୍ରହଣ ସଫଳ ହେଲାବେଳେ ‌ଲକ୍ଷେଟଙ୍କିଆ ନାନୋ କାର୍ ସ୍ବପ୍ନ ବିଘ୍ନର ସମ୍ମୁଖୀନ ହୋଇଥିଲା। ତଥାପି ରତନ ଟାଟା ନିଜ ଅଭିଳାଷର ଦୁଃସାହସ ଓ ରୋମାଞ୍ଚରୁ ଓହରି ଯାଇ ନ ଥିଲେ। ସିଏ କହୁଥିଲେ ସବୁଠୁ ବଡ଼ ରିସ୍କ ହେଲା ଆଦୌ ରିସ୍କ ନ ନେବା। ନେତୃତ୍ବ ମାନେ ଦାୟିତ୍ବ ନେବା, ବାହାନା ଖୋଜିବା ‌ନୁହେଁ। ଭବିଷ୍ୟବାଣୀ ଦେବା ବଦଳରେ ଧ୍ୟେୟ ହେଉ ସେହି ଭବିଷ୍ୟତ୍ ତିଆରି କରିବା। ଜୀବନ ଓ କାମ ଭିତରେ ସନ୍ତୁଳନ ନୁହେଁ, ସଂହତି ଓ ଏକାୟନ ଲୋଡ଼ା।
ନିଜ ଆୟର ପ୍ରାୟ ୬୫% ଭାଗ ରତନ ଟାଟା ନିୟୋଜିତ କରିଥିଲେ ବଦାନ୍ୟ କାମରେ। ସେମିତିଆ ଅାଭିମୁଖ୍ୟ ଯୋଗୁଁ ଟାଟାମାନେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ, ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସାଲ୍ ସାଇନ୍‌ସ, ନାସ୍‌ନାଲ୍ ସେଣ୍ଟର୍ ଫର୍ ପର୍‌ଫର୍‌ମିଂ ଆର୍ଟ, ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ ଓ ଟାଟା ମେମୋରିଆଲ୍ ସେଣ୍ଟର୍ ଆଦି ସମ୍ଭବ ‌କରାଇ ପାରିଥିଲେ। 
ଅନ୍ତିମ ଦର୍ଶନ ନିମନ୍ତେ ରଖାଯାଇଥିବା ରତନ ଟାଟାଙ୍କ ମରଶରୀର ପାଖରେ ଆସି ପହଞ୍ଚିଥିଲା ତାଙ୍କର ଅନ୍ୟତମ ପ୍ରିୟ କୁକୁର। ତାଙ୍କ ଆଗରୁ ତାଙ୍କର ଅତି ପ୍ରିୟ କୁକୁର ଟିଟୋ ଶେଷ ନିଃଶ୍ବାସ ନେଇସାରିଥିଲା। ଏବେ ରତନ ଟାଟା ଯେଉଁଠି ଥିବେ ସେ ଜାଗାରେ, ସ୍ବର୍ଗରେ ସିଏ ହୁଏତ ଟିଟୋ ସହ ‌େଖଳୁଥିବେ, ଭାଲେନ୍ ବଜାଉଥିବେ, ବମ୍ବେ, କର୍ଣ୍ଣେଲ୍, ଜାମ୍‌ସେଦପୁର, ଭାରତବର୍ଷ, ବିମାନ ଚାଳନା ଓ ନିଜ ଐତିହ୍ୟରୁ ନୂଆ ପୁରୁଣା ଅଙ୍ଗପ୍ରତ୍ୟଙ୍ଗ କଥା ସୁମରୁ ଥିବେ। ତାଙ୍କ ଉଷ୍ମ ଉପସ୍ଥିତିରେ ସେ ଭୂଖଣ୍ଡ ମହମହ କରୁଥିବ।
ମୋ: ୯୪୩୭୩୦୭୦୭୯