ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ

୧୪୧ତମ ଜନ୍ମୋତ୍ସବ ଉପଲକ୍ଷେ

ଯୁଗଧର୍ମର ପ୍ରବର୍ତ୍ତନ ନିମିତ୍ତ ଯେଉଁ ଯୁଗଗୁରୁଙ୍କର ଆବିର୍ଭାବ ହେଲା ଅର୍ଥାତ୍ ବିଶ୍ୱମାନବର ପରିତ୍ରାଣ ନିମିତ୍ତ ଯେଉଁ ମହାପୁରୁଷ ଏହି ଗୁହ୍ୟତମ ଗୁରୁପରାୟଣ ଧର୍ମ ପ୍ରକଟ କଲେ, ସେ ହେଉଛନ୍ତି ଆମମାନଙ୍କର ପରମ ଉପାସ୍ୟ ଓ ପ୍ରେମର ଆସ୍ପଦ ଶ୍ରୀଶ୍ରୀଠାକୁର ପରମହଂସ ଶ୍ରୀମତ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ।

ଆଜି ଝୁଲଣ ପୂର୍ଣ୍ଣିମା; ଶ୍ରୀଶ୍ରୀଠାକୁରଙ୍କର ୧୪୧ତମ ଶୁଭ ଜନ୍ମଦିବସ। ଆଜକୁ ଏକଶତ ଚାଳିଶ ବର୍ଷ ପୂର୍ବେ ୧୨୮୬ ସାଲ ବା ୧୮୮୦ ମସିହାରେ ନଦିଆ ଜିଲ୍ଲାର କୁତବପୁର ଗ୍ରାମରେ ଶ୍ରାବଣପୂର୍ଣ୍ଣିମା ତିଥିରେ ତାଙ୍କର ଶୁଭ ଆବିର୍ଭାବ। ତାଙ୍କର ପୂର୍ବାଶ୍ରମର ନାମ ନଳିନୀକାନ୍ତ। ପିତାଙ୍କ ନାମ ଭୁବନମୋହନ ଭଟ୍ଟାଚାର୍ଯ୍ୟ ଏବଂ ମାତାଙ୍କ ନାମ ମାଣିକ୍ୟସୁନ୍ଦରୀ ଦେବୀ।

ଶୈଶବକାନ୍ତିରେ ତାଙ୍କର ସିଦ୍ଧଲକ୍ଷଣମାନ ପ୍ରକାଶିତ। କିଶୋର ବୟସରେ ସେ ସମବୟସ୍କ ଓ ବୟୋଜ୍ୟେଷ୍ଠ ବାଳକମାନଙ୍କର ନେତୃତ୍ୱ ନେଇ ଜନମଙ୍ଗଳ କାର୍ଯ୍ୟମାନ ସଂପାଦନ କରୁଥିଲେ। ଦରିଆପୁର ସ୍କୁଲ୍‌ରେ, ମାତୁଳାଳୟରେ ବିଦ୍ୟାଭ୍ୟାସ ସମୟରେ ତାଙ୍କ ମାତାଙ୍କର ଅକାଳ ବିୟୋଗ ହେଲା। ମୃତ୍ୟୁ ସମୟରେ ମା’ ତାଙ୍କୁ ଜଗନ୍ମାତାଙ୍କ କୋଳରେ ସମର୍ପଣ କରିଦେଇଯାଇଥିଲେ। ଜଗନ୍ମାତାଙ୍କ ଦର୍ଶନ ଲାଭ ନିମିତ୍ତ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଦର୍ଶନ ଲାଭ କରିପାରିଲେନାହିଁ। ସୁତରାଂ ସେ ମନେକଲେ ପରକାଳ ଓ ଭଗବାନ ସମସ୍ତ ମିଥ୍ୟା। ଯେତେବେଳେ ସେ ଯୌବନରେ ପଦାର୍ପଣ କଲେ, ପିତାଙ୍କ ଅନୁରୋଧରେ ସୁଧାଂଶୁବାଳା ନାମ୍ନୀ ଏକ ପରମାସୁନ୍ଦରୀ କନ୍ୟାଙ୍କ ସହିତ ବିବାହ କଲେ। ବିବାହର ଅଳ୍ପଦିନ ପରେ ସ୍ତ୍ରୀଙ୍କର ମଧ୍ୟ ଅକାଳ ବିୟୋଗ ଘଟିଲା। ଯେଉଁଦିନ ସ୍ତ୍ରୀଙ୍କର ଦେହାବସନା ହେଲା, ସେଦିନ ସେ କର୍ମକ୍ଷେତ୍ରରେ ସ୍ତ୍ରୀଙ୍କର ଛାୟାମୂର୍ତ୍ତି ଦର୍ଶନ କରି ପରଲୋକର ଅସ୍ତିତ୍ୱ ସମ୍ବନ୍ଧରେ ବିଶ୍ୱାସ କଲେ। କିଭଳି ପରଲୋକବାସୀ ସତ୍ତାଙ୍କ ସହିତ ଏହି ଦେହରେ ସାକ୍ଷାତ୍ ଦର୍ଶନ ହେବ, ସେହି ବାସନା ତାଙ୍କର ଅତିଶୟ ବଳବତୀ ହୋଇଉଠିଲା।

ପରେ ସ୍ୱାମୀ ପୂର୍ଣ୍ଣାନନ୍ଦ ସରସ୍ୱତୀଙ୍କ ପରାମର୍ଶରେ ଗୁରୁ ଅନ୍ୱେଷଣ କଲେ। ଗୁରୁ ଅନ୍ୱେଷଣରେ ତାଙ୍କର ତନ୍ମୟତା ଲାଭ ହେବାରୁ, ନିଦ୍ରାଭିଭୂତ ଥିବା ସମୟରେ ଜଣେ ଦିବ୍ୟପୁରୁଷଙ୍କଠାରୁ ଏକାକ୍ଷରୀ ମନ୍ତ୍ର ପ୍ରାପ୍ତ ହେଲେ। ସେହି ମନ୍ତ୍ରର ସାଧନ ନିମିତ୍ତ ଆଦିଷ୍ଟ ହୋଇ ତାରାପୀଠର ସିଦ୍ଧତାନ୍ତ୍ରିକ ବାମାକ୍ଷେପାଙ୍କ ନିକଟରେ ଉପନୀତ ହେଲେ ଓ ତାଙ୍କ କୃପାରୁ ଗୁରୁଶକ୍ତି ତାରାଦେବୀଙ୍କୁ ତାଙ୍କ ସହଧର୍ମିଣୀ ସୁଧାଦେବୀଙ୍କ ରୂପରେ ଦର୍ଶନ ଲାଭ କଲେ।

ଏହାପରେ ମା’ଙ୍କୁ ମୂଳତଃ ଅନ୍ତରରେ ସୂକ୍ଷ୍ମ ଭାବରେ ଉପଲବ୍ଧି କରିବା ନିମିତ୍ତ ଗୁରୁଦେବଙ୍କ ଆଦେଶରେ ଜ୍ଞାନ ସାଧନା ନିମିତ୍ତ ଗମନ କରି ଶ୍ରୀମଦ୍ ସଚ୍ଚିଦାନନ୍ଦ ସ୍ୱାମୀଙ୍କୁ ଜ୍ଞାନୀଗୁରୁ ରୂପରେ ପାଇ ଜ୍ଞାନସାଧନାରେ ବ୍ରତୀ ହେଲେ। ନିଗମର ନିଗୂଢ଼ ତତ୍ତ୍ୱ ଅତି ଅଳ୍ପକାଳ ମଧ୍ୟରେ ହୃଦୟଙ୍ଗମ କରିପାରିଥିବାରୁ ଗୁରୁଦେବ ତାଙ୍କ ନାମ ରଖିଲେ ନିଗମାନନ୍ଦ ସରସ୍ୱତୀ।

ଏହାପରେ ସେ ଆସାମର ବ୍ରହ୍ମପୁତ୍ର ନଦୀ ଉପତ୍ୟକାସ୍ଥ କୋକିଳାମୁଖଠାରେ ଶାନ୍ତି ଆଶ୍ରମ ବା ସାରସ୍ୱତ ମଠ ପ୍ରତିଷ୍ଠା କଲେ। ମଠ ପକ୍ଷରୁ ‘ଆର୍ଯ୍ୟଦର୍ପଣ’ ନାମ ଦେଇ ସନାତନ ଧର୍ମର ଖଣ୍ଡିଏ ମାସିକ ମୁଖପତ୍ର ନିଜେ ସଂପାଦନ କଲେ। ଦେଶରେ ପାଞ୍ଚ ଭାଗରେ ପାଞ୍ଚଟି ବିଭାଗୀୟ ଆଶ୍ରମ ଓ ସଂଘମାନ ପ୍ରତିଷ୍ଠା କଲେ, ଭକ୍ତସମ୍ମିଳନୀ ପ୍ରବର୍ତ୍ତନ କଲେ। ଶେଷ ଜୀବନରେ ପୁରୀ ଧାମରେ ସ୍ୱର୍ଗଦ୍ୱାରସ୍ଥ ‘ନୀଳାଚଳ କୁଟୀର’ରେ ଅବସ୍ଥାନ କରୁଥିବା ସମୟରେ ୧୯୩୪ ମସିହା ଝୁଲଣ ପୂର୍ଣ୍ଣିମା ତିଥି ଅର୍ଥାତ୍ ତାଙ୍କର ଶୁଭ ଜନ୍ମ ଉତ୍ସବରେ ‘ନୀଳାଚଳ ସାରସ୍ୱତ ସଂଘ’ ପ୍ରତିଷ୍ଠା କରି ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘଶକ୍ତିର ପ୍ରତିଷ୍ଠା ଓ ଭାବବିନିମୟ କରିବାକୁ ଆଦେଶ ଦେଲେ। ବନମାଳୀ ଦାଶ ଓ ଦୁର୍ଗାଚରଣ ମହାନ୍ତିଙ୍କୁ ସଂଘର ସଭାପତି ଓ ସଂପାଦକ ଭାବେ ଚୟନ କଲେ। ପରବର୍ତ୍ତୀ କାଳରେ ଦୁର୍ଗାଚରଣ ମହାନ୍ତି ଭକ୍ତମାନଙ୍କର ପ୍ରିୟ ‘ଭାଇ’ ଓ ପରିଚାଳକ ଭାବେ ଆଦୃତ ହେଲେ।

୧୯୩୫ ମସିହା ନଭେମ୍ବର ୨୯ ତାରିଖରେ କଲିକତା ମହାନଗରୀରେ ଶ୍ରୀଶ୍ରୀଠାକୁର ଦେହରକ୍ଷା କଲେ। ଦେହରକ୍ଷାର ଅବ୍ୟବହିତ ପୂର୍ବରୁ କହିଲେ, ‘ମୁଁ ମୋର ଗୁରୁଭାର କାହାକୁ ଦେଇଯାଉ ନାହିଁ, ମୁଁ ନିଜେ ଗୁରୁ ରହିଲି।’

‘‘ସେ ଗୁରୁଦେବଙ୍କର ନିତ୍ୟ ବିଦ୍ୟମାନତା ପ୍ରତିପାଦନ କରି ନିଜେ ହୋଇଛନ୍ତି ସେମାନଙ୍କ ମନରେ ନିତ୍ୟବର୍ତ୍ତମାନ। ପୂଜ୍ୟପୂଜାର ପ୍ରଚାର କରି ନିଜେ ହୋଇଛନ୍ତି ଆମର ପୂଜ୍ୟ, ନମସ୍ୟ। ନିତ୍ୟ, ସତ୍ୟ, ଶାଶ୍ୱତ ସତ୍ତାର ଅନୁଭବ ଦେଇ ନିଜେ ହୋଇଛନ୍ତି ଅମର ଏବଂ ସ୍ଥୂଳ ଦେହାବସାନକାଳ ସଦୃଶ ଆଜି ବି ରହିଛନ୍ତି ପ୍ରତ୍ୟେକ ସଂଘର କ୍ରିୟାଶୀଳ ପରିଚାଳକ।’’ (-ଉତ୍କଳରେ ଠାକୁର ନିଗମାନନ୍ଦ ଓ ଭାଇ ଦୁର୍ଗାଚରଣ ୧ମ ଭାଗ)

ବ୍ରହ୍ମାନନ୍ଦ ବେହେରା,
ସଂପାଦକ, ନୀଳାଚଳ ସାରସ୍ୱତ ସଂଘ, ପୁରୀ

ସମ୍ବନ୍ଧିତ ଖବର