ଦଶାନନ ରାବଣର ମରଣ‌ରେ ‘ରାମାୟଣ’ର ଏକ ବହୁଚର୍ଚ୍ଚିତ ଚରିତ୍ରର ଅବସାନ ଘଟିଥିଲା। ରାବଣ ଏକାଧାରରେ ନାୟକ ଓ ଖଳନାୟକ। ପୁତ୍ର ମହାବୀର ମେଘନାଦର ମୃତ୍ୟୁ ପରେ ରାବଣ ଅତ୍ୟନ୍ତ ଅସ୍ଥିର ହୋଇପଡ଼ିଥିଲା। ତାହାର ସମସ୍ତ ମନ୍ତ୍ରୀ, ସେନାପତି, ଭାଇ, ବନ୍ଧୁ, ପୁତ୍ର ଆଦି ମୃତ୍ୟୁମୁଖରେ ପଡ଼ିି ସାରିଥିଲେ। ତଥାପି ଅହଂକାରର ବଶବର୍ତ୍ତୀ ହୋଇ ରାମଙ୍କ ଶରଣାପନ୍ନ ହେବା ବଦଳରେ ସେ ରାମଙ୍କ ସହିତ ଯୁଦ୍ଧ କରିବାପାଇଁ ପ୍ରସ୍ତୁତ ହୋଇ ଯୁଦ୍ଧଭୂମିରେ ପହଞ୍ଚିଲା। ଦୁହିଁଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଲା। ରାମଙ୍କର ଅନେକ ବାନର ସେନାଙ୍କୁ ରାବଣ ମୃତାହତ କଲା। ଏହା ଦେଖି ପ୍ରଭୁ ଶ୍ରୀରାମ ଶର ନି‌େକ୍ଷପ କରି ରାବଣର ଶିରଛେଦନ କରିବାକୁ ଲାଗିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ବାରମ୍ବାର ଶିରଛେଦନ କଲେ ମଧ୍ୟ ତାର ମୃତ୍ୟୁ ହେଉନଥାଏ। ବରଂ‌ ଗୋଟିଏ ପରେ ଗୋଟିଏ  ଶିର ଭୂତଳଶାୟୀ ହେବା ପରେ ପୁଣି ଆସି ରାବଣର ସ୍କନ୍ଧ ମଣ୍ଡନ କରୁଥାଏ। ଶିରଛେଦନ କରି କରି ପ୍ରଭୁ କ୍ଳାନ୍ତ ହୋଇପଡ଼ିଲେ। ଆକାଶ ମଣ୍ଡଳରେ ରହି ଯେଉଁ ଦେବତା ଓ ସିଦ୍ଧ ସାଧକମାନେ ଏହି ଦୃଶ୍ୟ ଦେଖୁଥିଲେ, ସେମାନେ ମଧ୍ୟ ରାବଣର ମୃତ୍ୟୁ ନ ହେବାରୁ ଦୁଃଖ ପ୍ରକାଶ କରୁଥିଲେ। ଏହି ସମୟରେ ରାମ ବିଭୀଷଣଙ୍କ ଉପରେ ଦୃଷ୍ଟିପାତ କଲେ। ରାମଙ୍କ ଇଙ୍ଗିତ ବୁଝିପାରି ବିଭୀଷଣ ଯାହା କହିଲେ, ଗୋସ୍ବାମୀ ତୁଳସୀ ଦାସ ତାହାକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ  କରିଛନ୍ତି।
‘ନାଭିକୁଣ୍ଡ ପୀୟୂଷ ବସୟାକେଁ। 
ନାଥ ଜିଅତ ରାବନୁ ବଇତା କେଁ।
ସୁନତ ବିଭୀଷନ ବଚନ କୃପାଲା। 
ହରଷି ଗହେ କରବାନ କରାଲା।
ଅର୍ଥାତ୍, ହେ ଶରଣାଗତ-ପାଳକ, ଶୁଣନ୍ତୁ! ଏହାର ନାଭିକୁଣ୍ଡରେ ଅମୃତର ନିବାସ। ହେ ନାଥ, ରାବଣ ତାହାରି ବଳରେ ଜିଇ ରହିଛି। 
ବିଭୀଷଣର କଥା ଶୁଣିବା ମାତ୍ରେ ଶ୍ରୀରାମ ରାବଣର ନାଭିକୁ ଲକ୍ଷ୍ୟକରି ବାଣ ଛାଡ଼ିଲେ। ସେହି ବାଣ ନାଭିକୁଣ୍ଡର ସମସ୍ତ ଅମୃତ ଶୋଷିନେବା ଫଳରେ ରାବଣର ମୃତପିଣ୍ଡ ଭୂମି ଉପରେ ଲୋଟି ପଡ଼ିଲା। 
ରାବଣର ନାଭିମଣ୍ଡଳରେ ଥିବା ଏହି ଅମୃତ କୁମ୍ଭ ସଂପର୍କରେ ବିଭିନ୍ନ ପୁରାଣରେ ବିଭିନ୍ନ କଥା ଉପକଥାର ଉଲ୍ଲେଖ ରହିଛି। କେଉଁଠାରେ ଉଲ୍ଲେଖ ଅଛି, ମନ୍ଦୋଦରୀ ସ୍ବର୍ଗରୁ ଅମୃତ ଆଣି ସୁଷେଣ ବୈଦ୍ୟଙ୍କ ସାହାଯ୍ୟରେ ରାବଣର ନାଭିରେ ସ୍ଥାପନ କରିଥିଲେ। ଆଉ କେଉଁଠ‌ାରେ ଉଲ୍ଲେଖ ଅଛି, ବ୍ରହ୍ମା ଆଶୀର୍ବାଦ କରି ଏହା ରାବଣକୁ ଦାନ କରିଥିଲେ। 
କଥା-ଉପକଥା ମଧ୍ୟରେ ଆଉ ଏକ ସତ୍ୟ ଉଦ୍‌ଘାଟିତ ହୁଏ ଯେ ରାବଣ ଥିଲା ମହାଯୋଗୀ ଓ ମହାଜ୍ଞାନୀ। ପ୍ରାୟ ସମସ୍ତ ଯୋଗୀ ଷଡ଼ଚକ୍ର ସାଧନା କରିଥାନ୍ତି। ଷଡ଼ଚକ୍ର ମଧ୍ୟରେ ନାଭିମଣ୍ଡଳରେ ଥିବା ମଣିପୁରଚକ୍ର ସବୁଠାରୁ ମହତ୍ତ୍ବପୂର୍ଣ୍ଣ। ମଣିପୁର ଅର୍ଥାତ୍‌ ମଣିର ଭଣ୍ଡାର; ଅାଲୋକରଶ୍ମି ବା ଅଗ୍ନିର ଭଣ୍ଡାର। ଏହି ଚକ୍ରରେ ଥିବା ଦଶଦଳ ପଦ୍ମ ଲକ୍ଷ୍ମୀ-ନାରାୟଣଙ୍କର ଆବାସ ସ୍ଥଳ। ଏହା ସାଧକର ଶକ୍ତିର ପ୍ରାଣକେନ୍ଦ୍ର। କୌଣସି କାରଣରୁ ଯଦି ଏହି ଶକ୍ତି ନଷ୍ଟ ବା କ୍ରିୟାହୀନ ହୋଇଯାଏ ତେବେ ସାଧକର ଜୀବନ ନିରାଶା, ଅବସନ୍ନତା ଓ ଅନାସକ୍ତି ମଧ୍ୟରେ ଲୀନ ହୋଇଯାଏ। ତାହାର ଇଚ୍ଛାଶକ୍ତି, କ୍ରିୟାଶକ୍ତି, ମାୟାଶକ୍ତି ସବୁ କିଛି ଲୋପ ପାଇଯାଏ; ଯାହା ମଣିପୁର, ମଣିଭଣ୍ଡାର ବା ନାଭିର ଅମୃତ ଭଣ୍ଡାର ମଧ୍ୟରେ ସଂଚିତ ହୋଇ ରହିଥାଏ। ପରମଯୋଗୀ ରାବଣକୁ ମାରିବାପାଇଁ ତାର ଏହି ଭଣ୍ଡାରକୁ ନଷ୍ଟ କରିବାର ଆବଶ୍ୟକତା ଥିଲା।
ତେଣୁ ବିଭୀଷଣଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ର ରାବଣର ନାଭିଚକ୍ରକୁ ଶରବିଦ୍ଧ କରି ତାକୁ ମୃତ୍ୟୁଦାନ କରିଥିଲେ। ସେହି ଚକ୍ର ନଷ୍ଟ ହେବା ଫଳରେ ତାର ଇଚ୍ଛା ଓ କ୍ରିୟାଶକ୍ତି ଲୋପ ପାଇଗଲା। ସେ କାମନାହୀନ ହୋଇ ଜଡ଼ ପାଲଟି ଗଲା। ଏହି ମୃତ୍ୟୁ ପାପାଚାରୀ ରାବଣକୁ ଚିର ମୁକ୍ତି ପ୍ରଦାନ କରିଥିଲା।
-ଡକ୍ଟର ତୁଳସୀ ଓଝା