୨୦୨୩ ମସିହାରେ ଭାରତର ଶତାଧିକ ଷ୍ଟାର୍ଟଅପ୍‌ କମ୍ପାନି ୧୫,୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିସାରିଲେଣି। ସୂଚନା ଅନୁଯାୟୀ ଆର୍ଥିକ ଦୁରବସ୍ଥ ଦେଇ ଗତି କରୁଥିବା ଷ୍ଟାର୍ଟଅପ୍ କମ୍ପାନି ‘ବାଇଜୁସ୍’ ଏ ବର୍ଷର ଦ୍ବିତୀୟ ଛେକ ଛଟେଇରେ ପ୍ରାୟ ୨,୫୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କିଛି ଦିନ ତଳେ ଏହାର ସଂସ୍ଥାପକ ବାଇଜୁ ରବୀନ୍ଦ୍ରନ କର୍ମଚାରୀଙ୍କୁ ଦରମା ଦେବା ଲାଗି ନିଜ ଘର ବନ୍ଧା ପକାଇଥିବାର ଶୁଣିବାକୁ ମିଳିଥିଲା। ଏ ବର୍ଷ ଶତାଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିବା ଅନ୍ୟ କେତେକ ପ୍ରମୁଖ ଷ୍ଟାର୍ଟଅପ୍‌ ହେଉଛନ୍ତି ଓଲା (୨୦୦ ଜଣ), କ୍ୟାପ୍‌ଟେନ୍ ଫ୍ରେସ୍ (୧୨୦), ସେଆର୍‌ଚାଟ୍‌ (୫୦୦), ସ୍ବିଗି (୩୮୦), ମେଡିବଡି (୨୦୦), ମାଇଗେଟ୍‌ (୨୦୦), ସାପ୍ ଲ୍ୟାବ୍‌ସ (୩୦୦), ପ୍ରିଷ୍ଟିନ କେଆର୍ (୩୦୦), ୧କେ କିରାନା (୬୦୦), ଡନ୍‌ଜୋ (୩୦୦), ସ୍କିଲ୍ ଲିଙ୍କ (୪୦୦), ଏକ୍‌ଷ୍ଟ୍ରାମାର୍କସ୍‌ (୩୦୦), ମିଶୋ (୨୫୧), ୱେକୁଲ୍ (୩୦୦), ମିଲ୍‌କବାସ୍କେଟ୍ (୪୦୦), ଟେକ୍‌ଆୟନ୍ (୩୦୦), ସ୍ପିନି (୩୦୦), ଏମ୍‌ପିଏଲ୍‌ (୩୫୦), ସିମ୍ପଲିଲର୍ନ (୨୦୦)। ବିଶ୍ବ ସ୍ତରରେ ଦେଖିଲେ ୧,୧୬୦ଟି ଟେକ୍‌ନୋଲୋଜି ଷ୍ଟାର୍ଟଅପ୍‌ କମ୍ପାନି ଏ ବର୍ଷ ୨୬,୦୨,୨୩୮ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଗତ ବର୍ଷ ୧,୦୬୪ ଟେକ୍ କମ୍ପାନି ୧,୬୪,୯୬୯ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଟେକ୍‌ ଷ୍ଟାର୍ଟଅପ୍‌ କ୍ଷେତ୍ରକୁ ଏ ବର୍ଷ ନୂଆ ନିବେଶ ଆସିବା କମିଯିବା କାରଣରୁ କମ୍ପାନିମାନେ ଖର୍ଚ୍ଚ କାଟ୍‌ କରିବା ପାଇଁ ମାର୍କେଟିଂ ବ୍ୟୟ କମ୍ କରିବା ସହିତ ମାନବ ସମ୍ବଳ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଏ ବର୍ଷ ଜାନୁଆରିରୁ ନଭେମ୍ବର ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ୍‌ କ୍ଷେତ୍ରକୁ ଆସୁଥିବା ନିବେଶ ଆକାର ୬୫.୮% ହ୍ରାସ ପାଇଛି। ଏ ବର୍ଷ ଷ୍ଟାର୍ଟଅପ୍‌ଗୁଡ଼ିକୁ ମିଳିଥିବା ନିବେଶର ମୂଲ୍ୟ ୬.୯ ବିଲିଅନ୍ ଡଲାର ହୋଇଥିବା ବେଳେ ଗତ ବର୍ଷ ମାତ୍ର ଚାରିମାସରେ ତାହା ୧୦ ବିଲିଅନ୍ ଡଲାର ଟପିଯାଇଥିଲା। ସେହିପରି ଏ ବର୍ଷ ୟୁନିକର୍ନ ମାନ୍ୟତା ହାସଲ କରିବାରେ ମାତ୍ର ଦୁଇଟି କମ୍ପାନି ଯଥା ‘ଜେପ୍‌ଟୋ’ ଓ ‘ୟୁନିକର୍ନ’ ସଫଳ ହୋଇଛନ୍ତି, ଯେତେବେଳେକି ୨୦୨୨ ମସିହାରେ ୨୪ଟି କମ୍ପାନି ୟୁନିକର୍ନ ମାନ୍ୟତା ହାସଲ କରିଥିଲେ।