କାହାଣୀ ଯେମିତି ଦୀର୍ଘ, ତା’ ସହ ଯୋଡ଼ା ଘଟଣାବଳୀ ମଧ୍ୟ ଅନୁରୂପ ଭାବେ ବ୍ୟାପକ। କାହାଣୀ ନୁହେଁ ତ ଆଉ କ’ଣ? ସତରେ କ’ଣ ବିଶ୍ବାସ ଥିଲା ଯେ ସବୁ ପ୍ରଦେଶ ଓ ଶହ ଶହ ରାଜୁଡ଼ା ସରହଦ ଦିନେ ଏକ ହେବ ଏବଂ ସେ ସବୁର ପରିଚାଳନା ଲାଗି ଗୋଟେ ବିଶଦ୍ ନିୟମ-ଗ୍ରନ୍ଥ ବା ସଂବିଧାନ ପ୍ରଣୟିତ ହେବ?
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ବ୍ରିଟିସ୍ ସରକାର ଚାଲାକି ଖେଳିଥିଲେ। ଭାରତର ଭବିଷ୍ୟତ-ଏକତାକୁ ଚୁର୍ମାର୍ କରିବା ସକାଶେ ଗଡ଼ଜାତ ରାଜାମାନଙ୍କୁ ନିଜ ନିଜ କ୍ଷେତ୍ରରେ ପ୍ରଜା ପରିଷଦ ଗଢ଼ି ଆପଣା ନିୟମ-ଗ୍ରନ୍ଥ ଗଢ଼ିବାକୁ ପରାମର୍ଶ ଦେଇଥିଲେ। କେତେ କେତେ ରାଜ୍ୟରେ ସେଭଳି ଆଇନ୍ ବି ଗଢ଼ା ହୋଇଯାଇଥିଲା। ୧୯୪୨ର କ୍ରିପସ୍ ପ୍ରସ୍ତାବର ଉଷୁକାଣ ଥିଲା ଏ ଚକ୍ରାନ୍ତ ପଛରେ। ସେତେବେଳେ ଆମ୍ବେଦକର ସାହେବ ପ୍ରେସ୍କୁ ନିଜର ମନ୍ତବ୍ୟ ଦେଇ କହିଥିଲେ- ‘‘ଏହା ଭାରତକୁ ଖଣ୍ଡ ଖଣ୍ଡ କରିବା ଲାଗି ଅଭିପ୍ରେତ।’’
ବିଲାତରେ ଶ୍ରମିକ ସରକାର ଆସିବା ଫଳରେ କାହାଣୀର ମୋଡ଼ ବଦଳି ଯାଇଥିଲା। ଭାରତକୁ ନିଜ ବ୍ୟବସ୍ଥା ଅନୁସାରେ ଶାସିତ ହେବାକୁ ଛାଡ଼ି ଦେବା ସହ ଏକ ସଂବିଧାନ ପ୍ରଣୟନ ସକାଶେ କ୍ୟାବିନେଟ୍ ମିଶନ୍ ପ୍ରସ୍ତାବ ଧରି ଆସିଥିଲେ। ସେଥିରେ ଗଡ଼ଜାତଗୁଡ଼ିକ ଲାଗି ବ୍ୟବସ୍ଥା ଥିଲା ଯେ ସଂବିଧାନ ପ୍ରଣୟନକାରୀ ସଭାରେ ଗୋଟିଏ ନିେଗାସିଏଟିଂ କମିଟି ବା ଆପୋଷ ଆଲୋଚନାକାରୀ ଗୋଷ୍ଠୀ ଧରି ସେମାନେ ଭାଗ ନେବେ। ମୋଟାମୋଟି ପାରସ୍ପରିକ ଆଲୋଚନାରେ ସଂବିଧାନ ସଭା ଗଢ଼ାଯିବାର ବ୍ୟବସ୍ଥା ଥିଲା। ତିନିପଟିଅା ଆଲୋଚନା। ସରକାର, ପ୍ରାଦେଶିକ ପ୍ରତିନିଧି ଓ ରାଜନ୍ୟମଣ୍ଡଳୀଙ୍କ ଗୋଷ୍ଠୀ।
ଗଡ଼ଜାତ ରାଜାମାନେ କ୍ୟାବିନେଟ୍ ମିଶନ୍ର ଏ ସଂବିଧାନ ସଭା ଗଠନକୁ ଗ୍ରହଣ କରି ନେଲେ ସତ, ହେଲେ ଗୋଟାଏ ପ୍ରସ୍ତାବ ରଖିଲେ। ଯେଉଁ ସଂବିଧାନ ସଭା ହେବ ତାହା କେନ୍ଦ୍ରପାଇଁ ନିୟମଗ୍ରନ୍ଥ କଲେ ମଧ୍ୟ ଗଡ଼ଜାତ ସମୂହ ତାହାକୁ ନୀତିଗତ ଭାବେ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଲାଗୁ ହୋଇପାରିବ ନାହିଁ। ଯଦି ପ୍ରଣୟିତ ସଂବିଧାନ ତାଙ୍କ ଦ୍ବାରା ଗୃହୀତ ନ ହୁଏ ତେବେ ସେମାନେ ଆଗକୁ ପ୍ରସ୍ତୁତ ହେବାକୁ ଥିବା ଭାରତୀୟ ରାଷ୍ଟ୍ର ସଂଘରେ ସାମିଲ ହେବେ ନାହିଁ। ଏ ସଂକ୍ରାନ୍ତରେ ‘‘ରାଜନ୍ୟ ପରିଷଦ’’ ବା ଚେମ୍ବର ଅଫ୍ ପ୍ରିନ୍ସେସ୍ର ଷ୍ଟାଣ୍ଡିଂ କମିଟି ୨୯ ଜାନୁଆରି, ୧୯୪୭ରେ ଏକ ପ୍ରସ୍ତାବ ଗୃହୀତ କରାଇ ନେଇଥିଲେ।
ମନେ ରଖିବାକୁ ହେବ ଯେ କ୍ୟାବିନେଟ୍ ମିଶନ୍ର ସୁପାରିସ ଅନୁସାରେ ୯ ଡିସେମ୍ବର, ୧୯୪୬ରୁ ପହିଲେ ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା ଓ ଦୁଇଦିନ ପରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ସଂବିଧାନ ସଭା ନିଜର କାମ ଆରମ୍ଭ କରି ଦେଇଥିଲା। ପ୍ରଦେଶଗୁଡ଼ିକରୁ ସଭ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇ ଆସି ସାରିଥିଲେ। ସଂବିଧାନ କିଭଳି ହେବ ସେଥିପାଇଁ ନକ୍ସା ବା ଅବ୍ଜେକ୍ଟିଭ୍ ରିଜୋଲ୍ୟୁସନ (ଲକ୍ଷ୍ୟ ପ୍ରସ୍ତାବ) ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଜାନୁଆରି ୨୨ରେ ଗୃହୀତ କରାଇ ନେଇଥିଲେ। ଅଥଚ ସେତେବେଳ ଯାଏ ରାଜା ରାଜୁଡ଼ାମାନେ ଭବିଷ୍ୟତକୁ ନେଇ କିଛି ସ୍ଥିର କରିପାରିନଥିଲେ।
ଏ ସବୁ କଥା ପଛ।
ସ୍ମରଣକୁ ଆସିବା ଦରକାର ଯେ ଭାରତୀୟ ସଂବିଧାନ ତିଆରିର ଦୀର୍ଘ ଯାତ୍ରା ପ୍ରକୃତରେ ୧୯୪୬ର କ୍ୟାବିନେଟ୍ ମିଶନ ପ୍ରସ୍ତାବରୁ ଆରମ୍ଭ ହୋଇନଥିଲା। ଏହା ଥିଲା କାହାଣୀ ଭଳି ରୋଚକ ପୁଣି ଭିନ୍ନ ଭିନ୍ନ ଘଟଣା ପ୍ରବାହ ସହ ଯୋଡ଼ା ଏକ ବିଶାଳ ଇତିହାସର କଥା।
ଏ ଯାତ୍ରାର ସୂତ୍ରପାତ ହୁଏ ୧୮୫୭ ସିପାହି ବିଦ୍ରୋହ ପୂର୍ବରୁ। ବିଦ୍ରୋହ ମୂଳରେ ଥିଲା ସାରା ଭାରତ ପାଇଁ ଗୋଟିଏ ନିୟମ ପ୍ରଣୟନର ମନୋଭାବ। ମାତ୍ର ତାହା ଅଧିକାଂଶ ରାଜା, ଜମିଦାରଙ୍କ କାରଣରୁ ହିଁ ବ୍ରିଟିସ୍ ଦମନ ମାଧ୍ୟମରେ କେଉଁଆଡ଼େ ଲୁଚି ଛପି ଗଲା। ରାଣୀ ଭିକ୍ଟୋରିଆଙ୍କ ଘୋଷଣା ତା’ର ପ୍ରତିରୂପ ହୋଇ ଠିଆ ହୋଇଗଲା ୧୮୫୮ରେ। ଉଦାରପନ୍ଥୀ ଗୋଖ୍ଲେଙ୍କ ଜୀବନୀ ଅନୁଧ୍ୟାନ କଲେ ଜଣାପଡ଼େ, ୧୯୧୪ ମସିହାରେ ଏ ପ୍ରସିଦ୍ଧ ଜନନାୟକ ଭାରତ ପାଇଁ ଗୋଟିଏ ସଂବିଧାନର ପ୍ରସ୍ତାବ ରଖିଥିଲେ। ଇଂରେଜମାନେ ଏହାକୁ ଗ୍ରହଣ କରିବା ଲାଗି ପ୍ରତିଶ୍ରୁତ ମଧ୍ୟ ଥିଲେ। ହେଲେ ପ୍ରଥମ ବିଶ୍ବଯୁଦ୍ଧ ପରେ ଦେଇଥିବା ପ୍ରତିଶ୍ରୁତି ସେମାନେ ପାଳନ କଲେ ନାହିଁ।
ଭାରତ ପାଇଁ ସଂବିଧାନ ବ୍ରିଟିସ୍ ସରକାର ନିଜେ ଗଢ଼ିବେ ବୋଲି ସବୁବେଳେ ଚକ୍କରରେ ଥିଲେ। ଏହା ଭାରତୀୟ ନେତୃବୃନ୍ଦଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖ୍ୟାତ ହେଉଥିଲା। ମହାତ୍ମା ଗାନ୍ଧୀ ହିଁ ଏଭଳି ସରକାରୀ ମନୋଭାବର ଥିଲେ ଘୋର ବିରୋଧୀ। ଭାରତର ସ୍ବାଧୀନତା ସଂଗ୍ରାମରେ ଆଉ ଯେ ସଂଗ୍ରାମୀ ଗୋଷ୍ଠୀ ନ ଥିଲେ େସ କଥା ନୁହେଁ, ମାତ୍ର କଂଗ୍ରେସ ଥିଲା ସବୁଠାରୁ ଆଗରେ ଓ ସର୍ବଭାରତୀୟ କାନ୍ଭାସର ରୂପରେଖ କଂଗ୍ରେସ ହିଁ ଅଧିକ ବୁଝିଥିଲା। ଅତଏବ କଂଗ୍ରେସ ତରଫରୁ ପ୍ରସିଦ୍ଧ ଓକିଲ ତଥା ନେତା ମୋତିଲାଲ୍ ନେହରୁ ୧୯୨୮ ମସିହାରେ ଏକ ସଂବିଧାନ ପ୍ରସ୍ତୁତ କରିଥିଲେ। ଏହା ‘‘ସ୍ବରାଜ ସଂବିଧାନ’’ ଭାବରେ ଆଦର ଲାଭ କରିଥିଲା ଅଥଚ ନାନା ବିରୋଧ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ୧୯୨୯ ବେଳକୁ ଜବାହରଲାଲ ପାଲଟିଥିଲେ କଂଗ୍ରେସର ସଭାପତି। ତା’ଙ୍କର ମତ ଥିଲା ‘‘ବ୍ରିଟିସ୍ ସରକାର ଯଦି ଆମ ପାଇଁ ସଂବିଧାନ ପ୍ରସ୍ତୁତ କରିବେ ତେବେ ଗୋଲାମି ଯିବ ନାହିଁ। ଆମେ ଅାମ ପାଇଁ ସଂବିଧାନ ପ୍ରସ୍ତୁତ କଲେ ଯାଇ ସ୍ବାଧୀନତାର ଅର୍ଥ ଜଣାପଡ଼ିବ।’’ ୧୯୩୪ ବେଳକୁ ସ୍ବାଧୀନ ଭାରତର ସଂବିଧାନ ପାଇଁ କଂଗ୍ରେସ ଦଳ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ। ଏତିକିବେଳେ ୧୯୩୫ ମସିହାରେ ବ୍ରିଟିସ୍ ସରକାର ଯେଉଁ ଆଇନ ଆଣିଥିଲେ ସେଥିରେ କଂଗ୍ରେସ ଦଳ ଓ ମୁସ୍ଲିମ୍ ଲିଗ୍ ଭିତରେ ଦୂରତ୍ବ ବୃଦ୍ଧି ପାଇଥିଲା।
୧୯୪୫ରେ ଡକ୍ଟର ତେଜ୍ ବାହାଦୁର ସାପ୍ରୁ ସମସ୍ତ ରାଜନୈତିକ ଦଳକୁ ଏକାଠି କରି ସଂବିଧାନ ଗଢ଼ିବାର ଏକ ନିଷ୍ଫଳ ପ୍ରୟାସ କରିଥିଲେ ମଧ୍ୟ।
୧୯୪୬ର କ୍ୟାବିନେଟ୍ ମିଶନ ହିଁ ଭାରତ ପାଇଁ ସଂବିଧାନ ଗଢ଼ିବାର ଶେଷ ପୃଷ୍ଠାଟି ଉନ୍ମୋଚନ କରିଥିଲେ। ମିଶନ୍ଙ୍କ ଆଗରେ ତିନି ତିନି ଖଣ୍ଡ ହୋଇ ଠିଆ ହୋଇଥିଲା ଭାରତ। ଅଥଚ ଏଭଳି ପରିଣତି ପାଇଁ ସେମାନେ ନିେଜ ଥିଲେ ଦାୟୀ। ରକ୍ତପାତ ସୁନିଶ୍ଚିତ। ବିଭାଜନ ଆସନ୍ନ। ଆଗରେ ହିନ୍ଦୁସ୍ତାନ, ପାକିସ୍ତାନ, ପୁଣି ପ୍ରିନ୍ସଲିସ୍ତାନ୍।
ଅାଜି ସ୍ବାଧୀନ ଭାରତର ନାଗରିକମାନେ ସେ ପରିସ୍ଥିତିକୁ ହୃଦୟଙ୍ଗମ କରିବା କଷ୍ଟ। ଷ୍ଟାଫୋର୍ଡ କ୍ରିପ୍ସ, ପେଥିକ୍ ଲରେନ୍ସ, ଏ. ଭି.ଆଲେକ୍ଜାଣ୍ଡର୍। ତିନି ଅଭିଜ୍ଞ ବ୍ରିଟିସ୍ ମନ୍ତ୍ରୀ। ଜଳ ଜଳ ହୋଇ ଦିଶୁଥିଲା ଭାରତ ସାରା ଭୟାନକ ଗୃହଯୁଦ୍ଧର ବିଭୀଷିକା। ଚିତ୍ର ଅସ୍ପଷ୍ଟ।
କିଏ ଥିଲା ଏ ସବୁର ସମାଧାନ କରିବାକୁ? ଭାରତ କ’ଣ ହେବ ଜଣା ନାଇଁ। ନିଖିଳ ଭାରତ ଲାଗି ସଂବିଧାନ ତିଆରି ହେବ କେମିତି? କ୍ୟାବିନେଟ୍ ମିଶନ୍ର ସଦସ୍ୟମାନଙ୍କର ଭରସା ଥିଲା ଯେ କେବଳ ଜଣେ ଏ କଥାକୁ ପାରିବ। ମୋହନ ଦାସ ଗାନ୍ଧୀ। ଇତିହାସକାରମାନେ କେତେ ଏ କଥାକୁ ଟିପି ରଖିଛନ୍ତି ଜଣା ନାଇଁ। ଭାରତ ପାଇଁ ଅନ୍ତରୀଣ ସରକାର ଗଠନ ଓ ସଂବିଧାନ ପ୍ରଣୟନକାରୀ ସଭା ବସିବା ପୂର୍ବରୁ ମିଶନ୍ ସିମ୍ଲାଠାରେ ଗାନ୍ଧୀଜୀଙ୍କ ସହ ଆଲୋଚନା କରିବା ପାଇଁ ଯୋଜନା କରିଥିଲେ। ଗାନ୍ଧୀଜୀ କିନ୍ତୁ ଆଗରୁ କହି ସାରିଥିଲେ ଯେ ‘‘ଭାରତକୁ ଭାଗ ଭାଗ କରିବାର ଭାବନା ହିଁ ଏକ ଗୁରୁତର ଅପରାଧ ବୋଲି ଆପଣମାନେ ଜାଣିନେବା ଦରକାର। ଦ୍ବିତୀୟରେ ଯଦି ମିଶନ୍ କାହାକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ତେବେ ଜିନ୍ନାଙ୍କ କଥାକୁ ମଧ୍ୟ ଶୁଣିବା ଅନୁଚିତ୍। ସମଗ୍ର ଭାରତର ମଙ୍ଗଳ ପାଇଁ ଜିନ୍ନାଙ୍କର ମନ ପରିବର୍ତ୍ତନ କରିବା କାମ କ୍ୟାବିନେଟ୍ ମିଶନ୍ର।’’
ସିମ୍ଲା ଆଲୋଚନାରେ ଯୋଗ ଦେବା ପାଇଁ ସାର୍ ଷ୍ଟାଫୋର୍ଡ କ୍ରିପ୍ସ ଯାଇଥିଲେ ଗାନ୍ଧୀଜୀଙ୍କୁ ନିମନ୍ତ୍ରଣ କରିବାକୁ। ଗାନ୍ଧୀଜୀଙ୍କ ଉତ୍ତର ଥିଲା- ‘‘ମୁଁ ନା କଂଗ୍ରେସର ନା ମୁସ୍ଲିମ୍ ଲିଗ୍ର ସଭ୍ୟ। ତେଣୁ ସେଠାରେ ମୋର ଉପସ୍ଥିତି ଆଦୌ ଯଥାର୍ଥ ନୁହେଁ।’’
ସିମ୍ଲା ଠାରେ ଭାରତର ଭବିଷ୍ୟତ ପାଇଁ ଯେଉଁ ବୈଠକ ବସିଥିଲା ସେଥିରେ କଂଗ୍ରେସ ଅଧ୍ୟକ୍ଷ ମୌଲାନା ଅବୁଲ୍ କଲାମ ଆଜାଦ୍ଙ୍କ ସହ ଆସିଥିଲେ ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଏବଂ ଖାନ୍ ଅବଦୁଲ୍ ଗଫୁର୍ ଖାନ୍। ମୁସ୍ଲିମ୍ ଲିଗ୍ ତରଫରୁ ଥିଲେ ମହମ୍ମଦ ଅଲ୍ଲି ଜିନ୍ନା, ଲିୟାକତ୍ ଅଲ୍ଲୀ ଖାଁ, ସର୍ଦ୍ଦାର ନିସ୍ତର୍ ଓ ନବାବ୍ ଇସ୍ମାଇଲ୍ ଖାଁ। ଏହା ବ୍ୟତୀତ ଶିଖ୍, ପାର୍ସୀ, ଖ୍ରୀଷ୍ଟିଆନ୍ ଏବଂ ଦଳିତ ପ୍ରତିନିଧିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ରାଜା ମହାରାଜାଙ୍କ ପକ୍ଷରୁ ଉପସ୍ଥିତ ଥିଲେ ରାଜନ୍ୟ ପରିଷଦର କୁଳାଧିପତି ଭୋପାଳର ନବାବ ମହମ୍ମଦ ହମିଦୁଲ୍ଲା ଖାନ୍।
ସାର୍ ଷ୍ଟାଫୋର୍ଡ କ୍ରିପସ୍ ଉପସ୍ଥିତ େନତୃମଣ୍ଡଳୀଙ୍କୁ ସମ୍ବୋଧନ କରି କହିଥିଲେ- ‘‘ଆମେ ଆଜି ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ କଥା ପାଇଁ ଏକତ୍ରିତ ହୋଇେଛ। ପୃଥିବୀ ଘୋର ପରିବର୍ତ୍ତନ ଦେଇ ଗତି କରୁଛି। ୨ୟ ବିଶ୍ବଯୁଦ୍ଧ ଭଳି ରକ୍ତାକ୍ତ ସଂଘର୍ଷ ଆଗରୁ କେବେ ଦେଖା ଦେଇନଥିଲା। ଭାରତୀୟମାେନ ଆଗକୁ ସ୍ବାଧୀନ ହେବେ, ନିଜକୁ ନିଜେ ଶାସନ କରିବେ। ତେଣୁ ଏକ ଶାସନ ଖସଡ଼ା ବା ସଂବିଧାନ ତିଆରି ହେବା ଦରକାର। ଏହି ସଭାରେ ବ୍ରିଟିସ୍-ଭାରତର ପ୍ରତିନିଧି ଓ ଭାରତୀୟ-ସମୂହର ପ୍ରତିନିଧି ମିଶି ଭାରତ ପାଇଁ ସଂବିଧାନ କିପରି ହେବ ତାହା ସ୍ଥିର କରିବେ।’’
ସାମନା ସାମନି ହୋଇ ବସିଥାନ୍ତି କଂଗ୍ରେସର ସଭାପତି ଆଜାଦ୍ ଓ ମୁସଲିମ୍ ଲିଗ୍ର ସଭାପତି ଜିନ୍ନା। ଜିନ୍ନା ବରାବର କଂଗ୍ରେସକୁ ହିନ୍ଦୁ ଦଳ ବୋଲି କହି ଆସିଥିଲେ, ଏବେ ତାଙ୍କ ଆଗରେ କଂଗ୍ରେସର ଚାରି ଜଣରୁ ଦୁଇଜଣ ମୁସଲମାନ। ଆଜାଦ୍ ଜଣାଇଦେଲେ ଯେ ‘‘ସମ୍ପୂର୍ଣ୍ଣ ହିନ୍ଦୁସ୍ତାନର ସ୍ବାଧୀନତା ପାଇଁ ସମସ୍ତେ ଏଠାରେ ଉପସ୍ଥିତ। ଭାରତକୁ ନେଇ ସବୁ ପ୍ରାନ୍ତ ଓ ବର୍ଗର ଲୋକ ଦେଖିଥିବା ସ୍ବପ୍ନକୁ କେମିତି ସାକାର କରିବା ତାହା ସଂବିଧାନ ସଭାରେ ଆଲୋଚିତ ହେବ।’’
ଚିହିଁକି ଉଠିଥିଲେ ଜିନ୍ନା। ‘‘ଅସମ୍ଭବ! କଂେଗ୍ରସକୁ ତା’ ବାଟରେ ଯିବାକୁ ଛାଡ଼ିଦେଲେ ମୁସଲମାନମାନଙ୍କ ଆଶା ନିରାଶାରେ ପରିଣତ ହେବ। ସ୍ବାଧୀନ ଭାରତରେ ଦିନଟିଏ ବି ସେମାନେ ଚଳିପାରିବେ ନାହିଁ। ମୁସଲମାନମାନଙ୍କ ପାଇଁ ଆମର ସ୍ବାଧୀନ ଷ୍ଟେଟ୍ ଗ୍ରୁପ୍ ଲୋଡ଼ା।’’
ଏହି ଷ୍ଟେଟ୍ ଗ୍ରୁପ୍ରେ ଥିଲା ମୁସଲମାନବହୁଳ ରାଜ୍ୟ ସିନ୍ଧୁ ପ୍ରଦେଶ, ପଞ୍ଜାବ, ବେଲୁଚିସ୍ତାନ୍, ଉତ୍ତର-ପଶ୍ଚିମ ପ୍ରଦେଶ, ଆସାମ ଓ ବଙ୍ଗଳା। ମୁସଲମାନମାନଙ୍କ ପାଇଁ ଅଲଗା ରାଷ୍ଟ୍ର ଓ ଅଲଗା ସଂବିଧାନ ଚାହୁଁଥିଲେ ସେ। ଦେଶୀୟ ରାଜ୍ୟମାନେ କ’ଣ କରିବେ ସେ ସ୍ବାଧୀନତା ତାଙ୍କୁ ମିଳିବା ଦରକାର ବୋଲି ମଧ୍ୟ ସେ ମନ୍ତବ୍ୟ ଦେଇଥିଲେ।
ଭାରତକୁ ତିନିଗୋଟି ଗ୍ରୁପ୍ କରି ସାରିଥିଲେ ଜିନ୍ନା। ନେହରୁଜୀ, ପଟେଲଜୀଙ୍କର ସମ୍ପୂର୍ଣ୍ଣ ସ୍ବାଧୀନ ଭାରତ ଗଠନର ଦୃଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାତ କରି ସେ ଦୁଇଟି ସଂବିଧାନର ଦାବି ଦୋହରାଇବାକୁ ଲାଗିଲେ। କ୍ୟାବିନେଟ୍ ମିଶନ୍ ବୁଝିଲେ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ଅଲଗା ଅଲଗା ସଂବିଧାନ ସାଙ୍ଗକୁ ଦେଶୀୟ ରାଜାମାନଙ୍କର ନିଜସ୍ବ ସଂବିଧାନ ରହିବା ଯୁକ୍ତିରେ ଜିନ୍ନା ଅଟଳ। ବିଷମ ପରିସ୍ଥିତି।
ସାରା କଂଗ୍ରେସ ଥିଲା ଏହାର ଘୋର ବିରୋଧୀ। କାହାଣୀ ସରୁ ନ ଥିଲା। ଶେଷ ପୃଷ୍ଠା ଥିଲା ସବୁଠାରୁ ଅଧିକ ଶବ୍ଦ-ବହୁଳ। କେହି ଠଉରେଇ ପାରୁନଥିଲେ ଭାରତ ଏକ ହୋଇ ରହିବ କି ଚିରୁଡ଼ା, ଚିରୁଡ଼ା ହୋଇଯିବ। କୂଳକିନାରା ପାଉନଥିଲା କ୍ୟାବିନେଟ୍ ମିଶନ୍। ଅଶାନ୍ତ ଗ୍ରହପରି ଘୂରୁଥିଲେ ସମସ୍ତେ।
[email protected]
କାହାଣୀର ଶେଷ ପୃଷ୍ଠା
ଆମ ସଂବିଧାନ, ଆମ ଧର୍ମଗ୍ରନ୍ଥ
/sambad/media/post_attachments/wp-content/uploads/2023/04/65j4g65j456jggjdgjggj.jpg)