ଗୁରୁଭ୍ୟଶ୍ଚାନ୍ୟଦେବେଭ୍ୟୋ ଦୀନାନାଥେଭ୍ୟ ଏବ ଚ।
ଶୀତପ୍ରାବରଣଂ ଦଦ୍ୟାତ୍ ସତ୍କୃତ୍ୟ ପରୟା ମୁଦା।
ଦଦାତି ଭଗବାନ୍ ପ୍ରୀତସ୍ତସ୍ମୈ ବରମନୁତ୍ତମମ୍।ା
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟମ୍, ୪୦/୧୯
ମାର୍ଗଶିର ମାସ କୃଷ୍ଣପକ୍ଷ ଷଷ୍ଠୀ ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ରୂପେ ପାଳିତ ହୁଏ। ଶାସ୍ତ୍ରଭାଷାରେ ଏହା ‘ପ୍ରାବରଣୋତ୍ସବ’। ‘ସ୍କନ୍ଦପୁରାଣ- ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟମ୍’ର ୪୦ ଅଧ୍ୟାୟରେ ଏ ସଂପର୍କରେ ବର୍ଣ୍ଣନା ଅଛି। ଜୈମିନୀ ଋଷି ଅନ୍ୟ ଋଷିମାନଙ୍କୁ କହିଛନ୍ତି- ପୂର୍ବଦିନ, ଅର୍ଥାତ୍ ପଞ୍ଚମୀ ରାତିରେ ଏଥି ନିମନ୍ତେ ଆବଶ୍ୟକ ବସ୍ତ୍ର ସମୂହକୁ ଅଧିବାସ କରାଯାଏ। ତାହା ପରେ, ନିର୍ଦ୍ଦିଷ୍ଟ ବିଧିରେ, ‘ଦ୍ୟୁତାନସ୍ତୁ’ ଇତ୍ୟାଦି ମନ୍ତ୍ରରେ, ସେହି ଦିବ୍ୟବସ୍ତ୍ର ଦ୍ୱାରା ଭଗବାନଙ୍କୁ ଆଚ୍ଛାଦନ କରାଯାଏ। ସେତେବେଳେ ସେହି ବସ୍ତ୍ରଙ୍କୁ ସମ୍ବୋଧନ କରି କୁହାଯାଏ- ହେ ବସ୍ତ୍ର! ଯେଉଁ ଜଗତ୍ପତି ସର୍ବଆଚ୍ଛାଦକ, ତୁମ୍ଭେ ତାହାଙ୍କର ଆଚ୍ଛାଦକ ହୁଅ!
ସେହି ଅଧ୍ୟାୟର ଅନ୍ତିମ ଭାଗରେ ଜୈମିନୀ ଋଷି କହିଛନ୍ତି- ହେ ତପୋଧନ ମୁନିଗଣ! ଯେଉଁମାନେ ଶୀତ ଆଗମନ କାଳରେ ଭଗବାନ୍ଙ୍କୁ ଉତ୍ତମ ବସ୍ତ୍ରସମୂହ ଦ୍ୱାରା ଆବୃତ କରନ୍ତି ଏବଂ ଯେଉଁମାନେ ସେହି ଉତ୍ସବ ଦର୍ଶନ କରନ୍ତି, ସେମାନଙ୍କର ମୋହଆବରଣ ବିନଷ୍ଟ ହୋଇଯାଏ।
ଏହି ଅଧ୍ୟାୟର ଉପରୋକ୍ତ ଅନ୍ତିମ ଶ୍ଳୋକ (ଊନବିଂଶ ଶ୍ଳୋକ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିରେ କୁହାଯାଇଛି, ଯେଉଁମାନେ ଭଗବାନ୍ଙ୍କ ପ୍ରୀତି ଉଦ୍ଦେଶ୍ୟରେ ବ୍ରାହ୍ମଣ, ଗୁରୁ, ଅନ୍ୟାନ୍ୟ ଦେବପ୍ରତିମା ଏବଂ ଦୀନ ଓ ଦୁଃଖୀମାନଙ୍କୁ ସତ୍କାରପୂର୍ବକ ଶୀତବସ୍ତ୍ର ପ୍ରଦାନ କରନ୍ତି, ସେଥିରେ ଭଗବାନ୍ ପ୍ରୀତ ହୁଅନ୍ତି ଏବଂ ସେହି ଶୀତବସ୍ତ୍ରଦାତାଙ୍କୁ ଅଭୀଷ୍ଟ ବର ପ୍ରଦାନ କରନ୍ତି। ଏଣୁ ଶୀତଋତୁରେ ଦେବପ୍ରତିମାମାନଙ୍କ ସମେତ, ବ୍ରାହ୍ମଣ, ଗୁରୁ ଏବଂ ଦୀନ ଓ ଦୁଃଖୀମାନଙ୍କୁ ଶୀତବସ୍ତ୍ର ଦାନ କଲେ ଭଗବାନ୍ଙ୍କର ପ୍ରୀତି ଓ ଆଶିଷ ମିଳେ।
ସୁଭାଷିତ: ଶୀତବସ୍ତ୍ର ଦାନରେ ପ୍ରୀତ ହୁଅନ୍ତି ଭଗବାନ୍
/sambad/media/post_attachments/wp-content/uploads/2023/12/ffsffsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)