ଭାରତର ପ୍ରତି ବୃକ୍ଷ କଳ୍ପବଟ,
ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ।
-ଗୋପବନ୍ଧୁ ଦାସ, ବନ୍ଦୀର ଆତ୍ମକଥା
ଶ୍ରୀଜଗନ୍ନାଥଙ୍କ ପବିତ୍ର ନେତ୍ରୋତ୍ସବ ହେଉଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି। ୧୯୨୮ ମସିହାରେ ସେହି ତିଥି ପଡ଼ିଥିଲା ଜୁନ୍ ମାସ ୧୭ ତାରିଖରେ। ମାତ୍ର ୫୧ ବର୍ଷ ବୟସରେ କର୍ମପୀଠ ସତ୍ୟବାଦୀଠାରେ ସେଦିନ ଗୋପବନ୍ଧୁଙ୍କର ବିୟୋଗ ଘଟିଥିଲା। ଆଉ ମାତ୍ର ତିନିବର୍ଷ ପରେ ପାଳିତ ହେବ ତାଙ୍କର ମୃତ୍ୟୁ-ଶତବାର୍ଷିକୀ।
ମୃତ୍ୟୁର ପ୍ରାୟ ଶତବର୍ଷ ପରେ ମଧ୍ୟ ଗୋପବନ୍ଧୁଙ୍କ କବିପ୍ରସିଦ୍ଧି ଆଜି ବି ଭାସ୍ୱର। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରାକବିତା’ ଓ ‘ବନ୍ଦୀର ଆତ୍ମକଥା’ ତାଙ୍କର ପ୍ରସିଦ୍ଧ କାବ୍ୟକୃତି। ଭାରତୀୟ ଜାତୀୟ କଂଗ୍ରେସର ଗଙ୍ଗାଙ୍କୁ ସେ ଓଡ଼ିଶାରେ ପ୍ରବାହିତ କରାଇ କଂଗ୍ରେସର ଭଗୀରଥ ବିବେଚିତ ହୋଇଥିଲେ। ତାଙ୍କର ଓଡ଼ିଶା ଭାବନା ଥିଲା ଭାରତ ଭାବନା ସହ ସମନ୍ୱିତ। ତାଙ୍କ ‘ବନ୍ଦୀର ଆତ୍ମକଥା’ (୧୯୨୨)ର ଉପରୋକ୍ତ ସୁଭାଷିତରେ ଏହା ପ୍ରତିଫଳିତ।
ଏଥିରେ ଗୋପବନ୍ଧୁ କହିଛନ୍ତି- ତାଙ୍କ ଦୃଷ୍ଟିରେ ଭାରତର ପ୍ରତିଟି ଶିଳା ହେଉଛି ଶାଳଗ୍ରାମ। ଭାରତର ପ୍ରତି କ୍ଷେତ୍ର ହେଉଛି ତାଙ୍କର ପ୍ରିୟ ପୁରୀଧାମ। ଭାରତର ପ୍ରତିଟି ବୃକ୍ଷ ହେଉଛନ୍ତି କଳ୍ପବଟ ଏବଂ ଶ୍ରୀଜଗନ୍ନାଥ ସବୁଠାରେ ପ୍ରକଟିତ ରହିଛନ୍ତି।
ଏ ଦୃଷ୍ଟିରୁ, ଶେଷରେ ସେ କହିଛନ୍ତି- ମୁଁ ଭାରତବର୍ଷର ଯେଉଁଠି ଥିଲେ ମଧ୍ୟ, ମୋର ମନେହୁଏ ମୁଁ ଶ୍ରୀମନ୍ଦିରର ନୀଳଚକ୍ର ତଳେ ହିଁ ଅଛି।
ଗୋପବନ୍ଧୁ ଦାସଙ୍କ ଏହି ଭାରତଭାବନା ଶ୍ରୀଜଗନ୍ନାଥଙ୍କୁ ଏକ ପରିବ୍ୟାପ୍ତ ପରିସରରେ ପ୍ରତିଷ୍ଠିତ କରି ଆମ ଓଡ଼ିଆ ଅସ୍ମିତାକୁ ଏକ ବ୍ୟାପକ ଭିତ୍ତି ଦେଇଛି।