ଧନଞ୍ଜୟ ସ୍ୱାଇଁ

ମୁଣ୍ଡ ଉପରେ ଭାଦ୍ରବର ମେଘ-ମଳିନ ଆକାଶ। ଶିଶିର-ସାଉଁଳା ସଞ୍ଜ ଆକାଶର ଗୋଧୂଳି ନକ୍ଷତ୍ର ସବୁ ଏକ ଦୁଇ କରି ଫୁଟିଲା ପରି ଭୁବନେଶ୍ୱର-ପୁରୀ ରାଜରାସ୍ତାର ଦୁଇ କଡ଼େ କୁନି କୁନି ଫୁଲସବୁ ମେଘ ମଳିନତାରୁ ମୁହଁ କାଢ଼ି ପ୍ରଭାତର ଉଜ୍ଜ୍ବଳତା ବଢ଼ାଉଥିଲେ। ସାକ୍ଷୀଗୋପାଳ ସନ୍ନିକଟ ବୀରପୁରୁଷୋତ୍ତମପୁର ଛକ ନିକଟରେ ଗ୍ରାହକ ଅପେକ୍ଷାରେ ଥିବା ଜଣେ ପଇଡ଼ ବେପାରୀଙ୍କ ଚାଳିଆ ପାଖରେ ଗାଡ଼ି ଅଟକାଇଲେ ସୁରଞ୍ଜନ ବାବୁ। ପଇଡ଼ କାଟି ବଢ଼େଇ ଦେଲାବେଳେ ସୁରଞ୍ଜନ ବାବୁ ପଚାରିଦେଲେ ପଇଡ଼ ବେପାରୀ ରମେଶଙ୍କୁ ତାଙ୍କ ଘର, ପରିବାର, ଲାଭ-କ୍ଷତି, ପଇଡ଼ କିଣାବିକାର କଥା। ତା’ରି ଭିତରେ ଅନ୍ତରଙ୍ଗତା ବଢ଼ି ଯାଇଥିଲା। ସୁରଞ୍ଜନ ବାବୁ ଅନୁଭବ କରୁଥିଲେ ଜୀବନରେ ଆନନ୍ଦକୁ ଚିହ୍ନିବାକୁ ହୁଏ। ଛୋଟ ଛୋଟ କଥାରେ ଯେଉଁ ଆନନ୍ଦ ମିଳେ, ତାହା ଜୀବନକୁ ଅର୍ଥପୂର୍ଣ୍ଣ ଓ ଆନନ୍ଦମୟ କରିଦିଏ। ତାକୁ ଅବହେଳା କଲେ ଜୀବନରେ କେବଳ ଦୁଃଖ ହିଁ ମିଳେ।
ପଟ୍ଟଚିତ୍ରର ଗାଁ ରଘୁରାଜପୁର ଡେଇଁ ଚନ୍ଦନପୁର ବଜାରରେ ପହଞ୍ଚିଲା ବେଳକୁ ଅପରାହ୍‌ଣର ପାଣିଚିଆ ଖରା ଆଞ୍ଜୁଳାଏ ମେଘ ଫୁଲ ଧରି ସ୍ୱାଗତ ମୁଦ୍ରାରେ ଯେମିତି ଅପେକ୍ଷା କରିଥିଲା। ବ୍ରାହ୍ମଣ ଶାସନ ଗାଁର ନଡ଼ିଆ ମାଳ ଭିତରୁ ଦିଶୁଥିଲା ଦୂର ନୀଳଚକ୍ର ନେତ। ସୁରଞ୍ଜନ ବାବୁଙ୍କ ମନେ ପଡୁଥିଲା ଭିକାରୀ ବଳଙ୍କ ଭଜନ ପଦିଏ:
‘ଚନ୍ଦନପୁରରୁ ପତିତପାବନ
ଅଳପ ଅଳପ ଦିଶେ, ସଙ୍ଗାତରେ
ଅଳପ ଅଳପ ଦିଶେ।
ବାଟମଙ୍ଗଳାରୁ ବଡ଼ ଦେଉଳ
ପାଖେଇ ପାଖେଇ ଆସେ, ସଙ୍ଗାତରେ
ପାଖେଇ ପାଖେଇ ଆସେ।’
ଚୁଡ଼ାକଦମା ପାଇଁ ପ୍ରସିଦ୍ଧ ଚନ୍ଦନପୁର (ଦାମୋଦରପୁର) ବଜାରରେ ସ୍ଥାନୀୟ ଜଣେ ବନ୍ଧୁଙ୍କ ସହାୟତାରେ ଚୁଡ଼ାକଦମା ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଲା ବେଳେ ଦୋକାନୀ ଜଣକ କହୁଥିଲେ, ଚୁଡ଼ା ସଂଗ୍ରହ କରି ଗୁଣ୍ଡ କରିବା ପରେ ଚୁଡ଼ା ଗୁଣ୍ଡରୁ ତିନି ଭାଗରୁ ଏକ ଭାଗ ଚିନି/ଗୁଡ଼, ପାଞ୍ଚ ଭାଗରୁ ଏକ ଭାଗ ଘିଅ, ତିନି ଭାଗରୁ ଏକ ଭାଗ ନଡ଼ିଆ କୋରା ମିଶ୍ରଣ କରି ଭଲ ଭାବରେ ଘଷା ହେବା ପରେ ଘିଅ ଦିଆଯାଇ ମସଲା (ଜାଇଫଳ, ଲବଙ୍ଗ, ଗୁଜୁରାତି, ଖାଇବା କର୍ପୂର, ଗୋଲମରିଚ, ଅଳେଇଚ) ବ୍ୟବହାର ପୂର୍ବକ ଏହା ପ୍ରସ୍ତୁତ କରାଯାଏ। ଚନ୍ଦନପୁର ସଂଲଗ୍ନ ଆଖପାଖର ଗ୍ରାମ ଯଥା ଜାନକୀଦେଈପୁର, ବୀରପ୍ରତାପପୁର, ବଳଭଦ୍ରପୁର, ହରେକୃଷ୍ଣପୁରରେ ମଧ୍ୟ ଚୁଡ଼ାକଦମାର ବହୁଳ ବ୍ୟବହାର ଦେଖିବାକୁ ମିଳେ। କାରଣ ଆଗ କାଳରେ ଉକ୍ତ ଗ୍ରାମମାନଙ୍କରେ ଜଗନ୍ନାଥ ଦର୍ଶନ ଅଭିଳାଷୀ ତୀର୍ଥଯାତ୍ରୀମାନଙ୍କର ଦୀର୍ଘ ପଥ ଅତିକ୍ରମ ଉପରାନ୍ତ ବିଶ୍ରାମ ନେବା ଅବସରରେ ପାକ ଅନ୍ନ ବଦଳରେ ଶାଳି ଅନ୍ନ ବ୍ୟବହାର କରୁଥିବାରୁ ଏ ସ୍ୱାଦିଷ୍ଠ ଖାଦ୍ୟର ଚାହିଦା ଏ ଅଞ୍ଚଳରେ ଅଧିକ। ଏହା ସହିତ ମାଲପୁଆ ଓ ଡାଲମାର ସ୍ୱାଦ ଗୁଣ ଅନନ୍ୟ ଅନୁଭବ କରୁଥିଲେ ସୁରଞ୍ଜନ ବାବୁ। 
ତଥ୍ୟ କହେ ନବମ ଶତାବ୍ଦୀ ସମୟକୁ ଭାରତରେ ବିଘଟିତ ହୋଇ ଅବସ୍ଥାନ କରୁଥିବା ସନ୍ନ୍ୟାସୀମାନଙ୍କୁ ଏକତ୍ର କରାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ‘ଦଶନାମୀ’ ସମ୍ପ୍ରଦାୟ ସୃଷ୍ଟି କରି ଯାଇଥିଲେ। ଭିନ୍ନ ଧର୍ମ ଦର୍ଶନର ପ୍ରଭାବକୁ ପ୍ରତିହତ କରିବା ପାଇଁ ଏକ ସଶସ୍ତ୍ର ବୈରାଗୀ ଗୋଷ୍ଠୀ ଗଠନ ମଧ୍ୟ କରିଥିଲେ। ଏହି ବର୍ଗର ସନ୍ନ୍ୟାସୀମାନଙ୍କୁ ‘ନାଗା’ ସନ୍ନ୍ୟାସୀ କୁହା ଯାଉଥିଲା। ଷୋଡ଼ଶ ଶତାବ୍ଦୀର ଅୟମାରମ୍ଭରେ ଜଗନ୍ନାଥ, ଶ୍ରୀରାମଚନ୍ଦ୍ର ଓ ଶ୍ରୀଗୋବିନ୍ଦଙ୍କ ମିଶ୍ରିତ ଭାବ ହେତୁ ଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ବରେ ମହାବୀର ଉପାସନା ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଉତ୍ତର ପଥ ଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଭାବରେ ଭାର୍ଗବୀ ନଦୀ ତଟ ସଂଲଗ୍ନ ଗ୍ରାମମାନଙ୍କରେ ସୁରମ୍ୟ ବାଟିକାମାନ ଶୋଭା ପାଉଥିଲା; ଯେଉଁଠାରେ ଯାତ୍ରୀମାନେ ପାକ ଅନ୍ନ ପରିବର୍ତ୍ତେ ଏହି ଚୁଡ଼ା କଦମା ଖାଇ ପୁରୀକୁ ତୀର୍ଥାଟନରେ ବାହାରୁଥିଲେ।
ଖାଲି ଚୁଡ଼ାକଦମା ନୁହେଁ, ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ଏହି ଚନ୍ଦନପୁର ପଞ୍ଚାୟତ ରସୁଆଳ ପାନ ପାଇଁ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଛି। ବଜାରର ମଝି ଭାଗରେ ବାବା ବୁଢ଼ାଲିଙ୍ଗଙ୍କ ମନ୍ଦିର, ସମ୍ମୁଖରେ ଆୟତାକାର କ୍ଷେତ୍ର ବିଶିଷ୍ଟ ଏକ ତୀର୍ଥ ପୁଷ୍କରିଣୀ, ତା’ ମଧ୍ୟରେ ଦୀପଦାଣ୍ଡି। ସତେ ଯେମିତି ସିନ୍ଦୂର ବୋଳା ବେଲପତ୍ରରେ ସହସ୍ର ପ୍ରଦୀପ ଲହଡ଼ି ଭାଙ୍ଗୁଛି ସେଠି। ତା’ରି ସମ୍ମୁଖରେ ପାନ ହାଟରେ ପଶିଲା ବେଳକୁ ଅପରାହ୍‌ଣର ଛାଇ ଲମ୍ବି ଲମ୍ବି ଯାଉଥିଲା। ଦିନ ଥିଲା ଭାରତର ଉତ୍ତର, ପଶ୍ଚିମ ରାଜ୍ୟମାନଙ୍କରେ ପୁରୀ ପାନର ଚାହିଦା ଯଥେଷ୍ଟ ଅଧିକ ଥିଲା। ଭାର୍ଗବୀ ଓ କଞ୍ଚ ନଦୀର ମଧ୍ୟ ସ୍ଥଳର ବାଲିଆ ମୃତ୍ତିକା ଯୋଗୁଁ ପାନ ଚାଷ ବହୁଳ ଭାବରେ ଏଠାରେ ହେଉଥିଲା। ଏବେ ଚନ୍ଦନପୁର ପାନର ରପ୍ତାନି ତ ଦୂରର କଥା, ବାହାର ବେପାରୀମାନେ ମଧ୍ୟ ଏଠାକୁ ଆଉ ଆସୁନାହାନ୍ତି। ସ୍ଥାନୀୟ ବେପାରୀଙ୍କ କିଣାବିକାରେ ହାଟଟି ୫୦/୬୦ ବୋଝ ପାନକୁ ନେଇ ଯାହା ଚାଲେ। ଚନ୍ଦନପୁରର ଆଖପାଖ ଗାଁ ଯଥା କୃଷ୍ଣାନନ୍ଦପୁର, ପୋଡ଼ାକେରା, ଅରେଇପଡ଼ା, ଚାଳିଶବାଟିଆ, ରଘୁରାଜପୁର, ଗୋବର୍ଦ୍ଧନପୁର, ଘୋଡ଼ାହତା, ତୁଳସୀ ଚଉରା, ମଠ ସାହି ପରି ଗାଁମାନଙ୍କରେ ପାନ ବରଜ ଦେଖିବାକୁ ମିଳୁଥିଲେ ମଧ୍ୟ ବୀମା ଯୋଜନା ନ ଥିବାରୁ ଓ ବାତ୍ୟା, ବନ୍ୟାରେ କିଛି କ୍ଷତିପୂରଣ ମିଳୁ ନ ଥିବାରୁ ପାନ ଚାଷୀମାନେ ପାନ ଚାଷ ପ୍ରତି ଆଉ ଆଗ୍ରହୀ ହେଉନାହାନ୍ତି। 
ପଡ଼ୋଶୀ ଗାଁ ହିସାବରେ ଦୂରରୁ ଦିଶୁଥିଲା ରଘୁରାଜପୁର। ସେଠାରେ ପହଞ୍ଚିଲା ବେଳକୁ ସଞ୍ଜ ନଇଁ ଆସିଥିଲା। ପଟ୍ଟଚିତ୍ର କଳାର ଅନ୍ତୁଡ଼ିଶାଳ ରଘୁରାଜପୁର ଗାଁର ଇତିହାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ସହ ସଂଶ୍ଳିଷ୍ଟ। ଶାସ୍ତ୍ରୀୟ ନୃତ୍ୟ ଭାବରେ ଓଡ଼ିଶୀ ଆଜି ବିଶ୍ୱ ଦରବାରରେ ପହଞ୍ଚି ସାରିଥିଲା ବେଳେ, ତା’ର ଆଧାର ଗୋଟିପୁଅ ନୃତ୍ୟ ଶୈଳୀର ଅୟମାରମ୍ଭ ପ୍ରଥମେ ଏଇ ଗାଁରୁ ଆରମ୍ଭ ହୋଇଥିଲା। ଓଡ଼ିଆ କଳା ସଂସ୍କୃତିର ଏକକ ପରିଚୟ ବହନ କରିଥିବା ରଘୁରାଜପୁର ମଧ୍ୟ ଗଞ୍ଜପା ଭଳି ଏକ ପ୍ରାଚୀନ କଳାତ୍ମକ କ୍ରୀଡ଼ାର କେନ୍ଦ୍ରବିନ୍ଦୁ ଥିଲା; ଯାହା ଆଜି କିଛି ସୀମିତ ଲୋକଙ୍କ ଭିତରେ ବଞ୍ଚି ରହିଛି, ଯେଉଁମାନେ ବୟସର ଅପରାହ୍‌ଣରେ ଉପନୀତ।
ଚନ୍ଦନପୁରଠାରୁ ପୁରୀର ଦୂରତା ମାତ୍ର ବାର କିଲୋମିଟର ହୋଇଥିବାରୁ ପୁରୀର ଖାଦ୍ୟ ସଂସ୍କୃତିର ଯଥେଷ୍ଟ ପ୍ରଭାବ ଏ ଅଞ୍ଚଳରେ ଅନୁଭୂତ ହୁଏ। ମାତ୍ର ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ‘ଛପନ ଭୋଗ’ ଯଥା ଅଟକାଳୀ, ଅମାଲୁ, ଆରିସା, ଏଣ୍ଡୁରି, କଦମ୍ବ, ହଂସକେଳି, ଚୁଞ୍ଚିପତ୍ର, ପୋଟଳି, ଖୁଆମଣ୍ଡା, ମନୋହରା, ରସାବଳୀ, ଲହୁଣିଆ ଇତ୍ୟାଦି ମଧ୍ୟରେ ସୂଚିତ ‘କଦମ୍ବ’ ସହିତ ଚନ୍ଦନପୁରରେ ଉପଲବ୍‌ଧ ହେଉଥିବା ‘ଚୁଡ଼ାକଦମା’ ବା ‘ଚୁଡ଼ା କଦମ୍ବା’ର କିଛି ସାଦୃଶ୍ୟ ନଥିବାର କୁହନ୍ତି ସୁଆର ସେବକମାନେ। ସେମାନଙ୍କ ମତରେ ‘ଚୁଡ଼ା କଦମା’ର ଉତ୍ପତ୍ତି ସ୍ଥଳ ହେଉଛି ଚନ୍ଦନପୁର।
ଓଦା ପବନର ଆଶ୍ଳେଷ ଭିତରେ ସଞ୍ଜ ଅନ୍ଧାର ଗାଢ଼ ହେଉଥିଲା। ବିସ୍ତୃତ ବିଲମାଳ ଭିତରେ ଠିଆ ହୋଇଥିବା ପାନବରଜ ସବୁ ଏ ଅଞ୍ଚଳର ସମୃଦ୍ଧିର କଥା ସୂଚନା ଦେଉଥିଲେ। ରଘୁରାଜପୁରର ଉଚ୍ଚ ପିଣ୍ଡା ଉପରେ ପଟି ଥୋଇ ଶ୍ରୀକୃଷ୍ଣ ଲୀଳାଦିର ଚରିତ୍ରମାନଙ୍କ ଉପରେ ସେମାନଙ୍କ କୁଶଳୀ ହାତରେ ରଙ୍ଗ ଲେପୁଥିଲେ କିଛି ମହିଳା ଚିତ୍ରକର। ଭୋଜନପ୍ରିୟ ‘ବଡ଼ଖିଆ’ ଠାକୁରଙ୍କୁ ମୁଣ୍ଡିଆ ମାରି ସୁରଞ୍ଜନ ବାବୁ କହୁଥିଲେ:
‘ଚିତ୍ର ପ୍ରତିମା ଚିତ୍ରମୟ
ଚିତ୍ରରେ ସ୍ୱରୂପ ଶ୍ରୀମୟ
ଚିତ୍ତ ଚୈତନ୍ୟ ପରମାଣି
ଚିତ୍ର ପୁରୁଷ ଚିନ୍ତାମଣି।’ 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬