ଧନଞ୍ଜୟ ସ୍ୱାଇଁ
ଶେଷ ଫାଲଗୁନର ପବନରେ ଭାସି ଉଡୁଥିଲା ଚୁନା ଚୁନା ଅବିର। ରଙ୍ଗାୟିତ ହୋଇଥିଲା ଜଳେଶ୍ୱର-ଦୀଘା ରାଜରାସ୍ତା। ଖରାର ପ୍ରକୋପ ସାମାନ୍ୟ ଥିଲେ ବି ପବନରେ ଭରି ରହିଥିଲା ହାଲ୍କା ହାଲ୍କା ଶୀତଳ ମାଦକତା। ତ୍ରୟୋଦଶୀ ତିଥିରେ ଧାଡ଼ି ଧାଡ଼ି ବିମାନରେ ସାହି ସାହିରେ ଚାଲିଥିଲା ମେଳଣ ଯାତ୍ରା। ବିମାନରେ ଝୁଲୁଥିଲେ ରାଧାକୃଷ୍ଣ, ଝୁଲୁଥିଲା ଯୁଗଳ କଷି ଆମ୍ବ। ରାଜରାସ୍ତାର ଦୁଇ କଡ଼ରେ ରୌଦ୍ର ରଙ୍ଗର ପଳାଶ ନିର୍ମମ ନିଦାଘର ସୂଚନା ଦେଉଥିଲା ଓ କିଆରି କିଆରି ଖରାଟିଆ ଧାନ ଫସଲରେ ସବୁଜିମା ଢେଉ ଭାଙ୍ଗୁଥିଲା। ବାଲେଶ୍ୱରର ସଭାରାମପୁର ଓଭର ବ୍ରିଜ୍ ଡେଇଁଲା ପରେ ବୁଢ଼ାବଳଙ୍ଗର ତୀରେ ତୀରେ ପଡ଼ିଲା ଭାସ୍କରଗଞ୍ଜ, ଆନନ୍ଦ ବଜାର ଛକ, ନୟନଯୋଡ଼ି ପୋଲ ଓ ଫୁଲାଡ଼ି ଗଁା। ସାଙ୍ଗରେ ଥିବା ‘ଅକ୍ଷାଂଶ’ର ସମ୍ପାଦକ ହରିଶ୍ଚନ୍ଦ୍ର ବେହେରା କହୁଥିଲେ ଏଇ ଗଁାରେ ସଂଘଟିତ ହୋଇଥିଲା ମରହଟ୍ଟା ବର୍ଗୀ ଓ ଇଂରେଜମାନଙ୍କ ଭିତରେ ରକ୍ତାକ୍ତ ଫୁଲୱାରୀ ଯୁଦ୍ଧ; ଆଉ ସେଇଥିପାଇଁ ଏ ଗଁାର ନାମ ଫୁଲାଡ଼ି। ନିକଟରୁ ଦିଶୁଥିଲା ନିସ୍ତରଙ୍ଗ ବୁଢ଼ାବଳଙ୍ଗ ନଈ। ସୁଦୂର ଶିମିଳିପାଳର ପାହାଡ଼ ଛାତିରୁ ଝରି ଆସୁଛି ଏଇଠି ବାଲେଶ୍ୱରର ଜୀବନରେଖା ହୋଇ, ତା’ର ଅର୍ଥନୀତି, ଗମନାଗମନ ଓ ତୀର୍ଥରାଜିକୁ ପରିପୁଷ୍ଟ କରି। ମତ୍ସ୍ୟସମ୍ପଦରୁ ଆରମ୍ଭ କରି ଋତୁ ଅନୁଯାୟୀ ଉତ୍ପାଦିତ ଫସଲ ପର୍ଯ୍ୟନ୍ତ ସବୁଠି ତା’ର ଭୂମିକାର ସ୍ବାକ୍ଷର।
ଜଳେଶ୍ୱର ପୌରାଞ୍ଚଳରୁ ୯୦ କିଲୋମିଟରର କ୍ଳାନ୍ତିପ୍ରଦ ଯାତ୍ରା ପରେ ପଡ଼ିଲା ଚନ୍ଦନେଶ୍ୱର ବଜାର; ବାମ ପଟେ ୪ କିଲୋମିଟର ପରେ ଦୀଘାର ସୁବିସ୍ତୀର୍ଣ୍ଣ ବେଳା, ଯାହା ଝାଉଁବଣର ସଙ୍ଗୀତ ଶୁଣେଇ ଶୁକ୍ଳପକ୍ଷର ଜୋଛନାରେ ଗାଧେଇ ଥିଲା ଯେମିତି। ଡାହାଣ ପଟକୁ ଚନ୍ଦନେଶ୍ୱର ଶିବ ମନ୍ଦିର ଦେଇ ଯେଉଁ ଅଣଓସାରିଆ ପିଚୁ ସଡ଼କଟି ସମୁଦ୍ର କୂଳ ବିଚିତ୍ରପୁର ପ୍ରକୃତି ନିବାସ ଆଡ଼କୁ ମୁହେଁଇଛି, ସେଠୁ ମାତ୍ର ୩ କିଲୋମିଟର ପରେ ପଡ଼େ ଶଙ୍ଖାରି; ସବୁ ଗଁା ପରି ଏ ଗଁାଟି ସାଧାରଣ ମନେ ହେଲେ ବି ଏହା ଐତିହାସିକ ପ୍ରଫେସର ମନ୍ମଥନାଥ ଦାସ ଓ ଅନନୁକରଣୀୟ କଥାକାର ମନୋଜ ଦାସଙ୍କ ପୈତୃକ ଗ୍ରାମ ଭାବ ସ୍ୱତନ୍ତ୍ର। ଆଦ୍ୟ ଯୌବନରେ ଗଁାଟି ମନୋଜଙ୍କ ମନରେ କି ପ୍ରଗାଢ଼ ରେଖାପାତ କରିଥିଲା, ତାହା ତାଙ୍କ କେତେ ପଦ କବିତାରୁ ସ୍ପଷ୍ଟ:
“ନିର୍ଜନତା ବନିଯାଇ ଗୋଟିଏ ବିହଙ୍ଗ
ସମୁଦ୍ରକୁ ମନେ କରି ନିହାତି ନିଃସଙ୍ଗ
ନୀଡ଼ ଦିନେ ଗଢ଼ିଥିଲା କିନାରେ ତାହାରି
କାଳକ୍ରମେ ହେଲା ତାହା ନାମିତ ‘ଶଙ୍ଖାରି’।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଏଇ ସୀମାନ୍ତ ଗଁା ଏକ ଗ୍ରାମ ପଞ୍ଚାୟତ ମଧ୍ୟ। ନାଫରାଇ, ଚକ ନାଫରାଇ, ଚକ ସରାବଣୀ, ଶଙ୍ଖାରି ଓ ଆରୁଆପାଳ ଗ୍ରାମକୁ ନେଇ ଶଙ୍ଖାରି ପଞ୍ଚାୟତ। ଲୋକସଂଖ୍ୟା ୫୩୮୬। ଗଁାରେ ଅଛି ଛୋଟ ଶାଖା ଡାକଘର, ଉ.ପ୍ରା. ବିଦ୍ୟାଳୟ, ହୋମିଓପାଥି ଡାକ୍ତରଖାନା, ଇସ୍କନ ମନ୍ଦିର ଓ ଗୋଟିଏ ଛୋଟ ବଜାର। କିନ୍ତୁ ଗଁାର ମଧ୍ୟ ସ୍ଥଳରେ ଯେଉଁ ଭବ୍ୟ ଅନୁଷ୍ଠାନଟି ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ମନ୍ମଥ-ମନୋଜ ସ୍ମାରକୀ; ଯାହା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ। ୨୦୨୪ ମସିହା, ଫେବ୍ରୁଆରି ୨୮ ତାରିଖରେ ଏହା ଲୋକାର୍ପିତ ହୋଇଛି। ଏହାର ଉପର ମହଲାରେ ରହିଛି ମନ୍ମଥ ଓ ମନୋଜଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପୁରସ୍କାର ଓ ପ୍ରଶସ୍ତିପତ୍ର। ଏକ ମନୋଜ୍ଞ ବାତାବରଣରେ ଏଠାରେ ରହିଛି ଏକ ମୁକ୍ତାକାଶ ରଙ୍ଗମଞ୍ଚ, ପାଠାଗାର, ଦୃଶ୍ୟଶ୍ରାବ୍ୟ ସୁବିଧା ଥିବା ସମ୍ମିଳନୀ କକ୍ଷ। ତତ୍ସହିତ ସ୍ମାରକୀ ପରିସରରେ ଅଛି ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି।
୧୯୨୪ରେ ସମୁଦ୍ର କୂଳର ଗଁା ଶଙ୍ଖାରିରେ ମନ୍ମଥଙ୍କ ଜନ୍ମ ଗ୍ରହଣ, ୧୯୪୨ରେ ରେଭେନ୍ସା କଲେଜରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ, ୧୯୫୬ରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପିଏଚ୍.ଡି. ହାସଲ, ୧୯୬୨ରେ ଭାରତ ସରକାରଙ୍କ ଦ୍ୱାରା ସୋଭିଏତ୍ ରୁଷିଆ, ଲେନିନ୍ଗ୍ରାଡ୍ ଓ ତାସ୍କେଣ୍ଟ ଠାରେ ଭାରତ ଇତିହାସ ସମ୍ପର୍କରେ ଭାଷଣ ଦେବା ପାଇଁ ପ୍ରେରଣ, ୧୯୭୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପରିଦର୍ଶକ ପ୍ରଫେସର ଭାବରେ କାର୍ଯ୍ୟ, ୧୯୮୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, ୧୯୯୮ରେ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହେବା ଇତ୍ୟାଦି ଭଳି ଘଟଣାକ୍ରମ ସଂପର୍କରେ ସୁବିନ୍ୟସ୍ତ ବିବରଣୀ ସେହି ଠାରେ ଅଛି। ଠିକ୍ ସେହିପରି ମନୋଜଙ୍କ କାଳଜୟୀ ଗଳ୍ପଗୁଡ଼ିକ ଯେପରି ‘ଶେଷ ବସନ୍ତର ଚିଠି’, ‘ଲକ୍ଷ୍ମୀର ଅଭିସାର’, ‘ଅପହୃତ ଟୋପିର ରହସ୍ୟ’ ଇତ୍ୟାଦିର ସ୍ୱଳ୍ପାଂଶ କାନ୍ଥରେ ସ୍ଥାନିତ ହୋଇଛି, ଯାହା ଦେଖି ମନୋଜ ମୁଗ୍ଧ ଅସଂଖ୍ୟ ପାଠକପାଠିକା ଆଉ ଥରେ ଆମୋଦିତ ହୁଅନ୍ତି।
ମନୋଜ ଦାସଙ୍କ ସଂପର୍କରେ ଏଇ ଲେଖାକୁ ଲକ୍ଷ୍ୟ କରନ୍ତୁ ପାଠକେ: “ପିଲାଦିନରୁ ଜଣେ ସତ୍ୟ ଅନୁସନ୍ଧାନକାରୀ ତଥା ଚିନ୍ତାଶୀଳ ଲେଖକ ମନୋଜ ଦାସଙ୍କ କୃତିଗୁଡ଼ିକ ପ୍ରାୟତଃ ଦୈନନ୍ଦିନ ପରିସ୍ଥିତିରେ ଅନନ୍ତ ସତ୍ୟର ପ୍ରାପ୍ତି ପାଇଁ ଏକ ଅନ୍ୱେଷଣ ଭାବରେ ବ୍ୟାଖ୍ୟା କରାଯାଇଥାଏ। ଗ୍ରାମୀଣ ଜୀବନକୁ ନେଇ ତାଙ୍କର ଗଭୀର ଚିନ୍ତା ‘ଦି ସବ୍ମର୍ଜଡ୍ ଭ୍ୟାଲି’ ଏବଂ ‘ଦି ବୁଲ୍ଡୋଜର୍ସ’ ଭଳି କୃତିରେ ସ୍ପଷ୍ଟ ହୋଇଛି। ତାଙ୍କ ଉପନ୍ୟାସ ‘ସାଇକ୍ଲୋନସ୍’, ‘ଏ ଟାଇଗର୍ ଆଟ୍ ଟ୍ୱିଲାଇଟ୍’ ଏବଂ ‘ଦି ଏସ୍କେପିଷ୍ଟ’ରେ ଉପନିବେଶବାଦରୁ ଉତ୍ତର-ଉପନିବେଶବାଦୀ ରାଷ୍ଟ୍ରୀୟତା ଭାବରେ ଭାରତର ପରିବର୍ତ୍ତନ ସମ୍ପର୍କରେ ଜାଣିବାକୁ ହୁଏ। ଡକ୍ଟର ହରେକୃଷ୍ଣ ମହତାବ ଯଥାର୍ଥରେ ତାଙ୍କ ସମ୍ପର୍କରେ ଲେଖିଥିଲେ, “ସାଂପ୍ରତିକ ଘଟଣାକୁ ଆମ୍ଭେମାନେ ଯେଉଁ ଦୃଷ୍ଟିରେ ଦେଖୁ ଓ ବିଚାର କରୁ, ମନୋଜ ଦାସ ଆଦୌ ସେପରି ଦୃଷ୍ଟିରେ ଦେଖେ ନାହିଁ ଏବଂ ଘଟିଥିବା ଘଟଣାର ବାହ୍ୟ ଅଂଶ ଅପେକ୍ଷା ସେ ଘଟଣାର ଅନ୍ତଃଦୃଶ୍ୟକୁ ଅଧିକ ନିରୀକ୍ଷଣ କରେ।”
କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ପ୍ରଚାର-ପ୍ରସାର ଅଭାବରୁ ଏତେ ବଡ଼ ଭବ୍ୟ ସ୍ମାରକୀରେ ଦର୍ଶକମାନଙ୍କର ଉପସ୍ଥିତି ସେପରି ଉତ୍ସାହଜନକ ନଥିଲା। ଶଂଖାରିଠାରୁ ମାତ୍ର ୩ କିଲୋମିଟର ଦୂର ଚନ୍ଦନେଶ୍ୱରକୁ ଓଡ଼ିଶା ଓ ପଶ୍ଚିମବଙ୍ଗରୁ ପାଖାପାଖି ପ୍ରତ୍ୟହ ପାଞ୍ଚ ହଜାର ତୀର୍ଥଯାତ୍ରୀ ଆସୁଥିଲେ ମଧ୍ୟ, ଏ ସ୍ମାରକୀକୁ ଦର୍ଶନ କରିବା ପାଇଁ ପଚାଶ ଜଣ ଦର୍ଶକ ଆସୁ ନ ଥିବା ଭଳି ମନେ ହେଲା। ପାଖାପାଖି ୧୦୦ କିଲୋମିଟର ବିଶିଷ୍ଟ ଜଳେଶ୍ୱର-ଦୀଘା ରାଜପଥ କଡ଼େ ଏ ସ୍ମାରକୀ ସମ୍ବନ୍ଧରେ ଗୋଟିଏ ହେଲେ ହୋର୍ଡିଙ୍ଗ ଦେଖିବାକୁ ମିଳିଲା ନାହିଁ। ଭବ୍ୟ ସ୍ମାରକୀର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ସହିତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଏହାର ପରିଦର୍ଶନ ସକାଶେ ସୁଯୋଗ ମିଳିଲେ ଆମର ଉତ୍ତର ପିଢ଼ି ଉପକୃତ ଓ ଉଦ୍ବୁଦ୍ଧ ହୁଅନ୍ତେ।
ସ୍ମାରକୀଟିର ପରିସରରେ ଅପରାହ୍ଣର ଛାଇ ବଢ଼ିବଢ଼ି ଚାଲିଥିଲା। ସୁରଞ୍ଜନ ବାବୁ ତରତର ହେଉଥିଲେ ବାଲେଶ୍ୱର ଫେରିବାକୁ। ମନୋଜଙ୍କ ପ୍ରତିମୂର୍ତ୍ତିର ପାଦ ତଳେ ପ୍ରଣାମ ଜଣାଇ ଲେଉଟିଲା ବେଳେ କାନ୍ଧରେ ଶାନ୍ତି ନିକେତନୀ ବ୍ୟାଗ୍ଟିଏ ଝୁଲେଇ ଓ ଊର୍ଦ୍ଧ୍ୱକୁ ହସ୍ତ ଉତ୍ତୋଳନ କରିଥିବା ପ୍ରତିମୂର୍ତ୍ତିଟି ଯେମିତି କହୁଥିଲା,
“ମୁଁ ପୁଣି ଆସିବି ଫେରି, ସମୟର ଶୁଭ୍ର ବାଲୁଚରେ
ବାରିବାରି ପଦଚିହ୍ନ, ଏ ବିସ୍ମୃତ ତିମିର ଶିବିରେ
ବେନି କରେ ଆଣିଥିବି ସେ ଦିନ ମୁଁ ଆବୋରି ଯତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ପ୍ରଦାହ-ସଦନେ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬