ଧନଞ୍ଜୟ ସ୍ୱାଇଁ

ଜଗତସିଂହପୁର ପୌରପାଳିକା ଅନ୍ତର୍ଗତ ଚର୍ଚ୍ଚିକା ବଜାର ଦେଇ ପ୍ରାୟ ତିନି କିଲୋମିଟର ଗଲା ପରେ ଯେଉଁ ସହରୀ ଗାଁଟି ଦୃଷ୍ଟିପଥରେ ପଡ଼ିଲା, ସେଇଟି ହେଉଛି ପାଟେଣୀ ଗାଁ। ପୁଲକ ପହଁରା ପାର୍ବଣ ସକାଳର ଅସରାଏ ବର୍ଷା ଛାଡ଼ି ଯାଇଥିଲା। ଅଣଓସାରିଆ କେନାଲ ବନ୍ଧର ଦୁଇ କଡ଼ରେ ଖଜୁରୀ, ଚାକୁଣ୍ଡା, ଶିମୁଳି ଗଛର ପତ୍ରରେ ପାଣିଚିଆ ଖରାର କାନ୍ଦୁରାପଣ ବାରି ହୋଇ ପଡୁଥିଲା। ପୂର୍ବରୁ ସୂଚନା ଦେଇ ଯାଇଥିବାରୁ ସୁରଞ୍ଜନଙ୍କ ଅପେକ୍ଷାରେ ଥିଲେ ପାଟେଣୀ ଗାଁକୁ ପ୍ରାଣ ଭରି ଭଲ ପାଉଥିବା ଛୟାଅଶୀ ବର୍ଷୀୟ ସୁପରିଚିତ ଓଡ଼ିଆ ଉପନ୍ୟାସକାର ଭାଗୀରଥି ଦାସ। ‘ପର ଝିଅ ଘର ଭାଙ୍ଗେନା’ ଉପନ୍ୟାସ କଥା ଭାବୁଥିଲେ ସୁରଞ୍ଜନ, ଯାହା ପରେ ଚଳଚ୍ଚିତ୍ରର ରୂପ ନେଇ ଓଡ଼ିଆମାନଙ୍କ ମନ ମୋହି ନେଇଥିଲା। ଏକଦା ଭାଗୀରଥି ବାବୁଙ୍କ ପାଠକପାଠିକାଙ୍କ ସଂଖ୍ୟା ଥିଲା ଅସୁମାରି। ଝିଅମାନେ ବାପ ଘରୁ ବିଦା ହୋଇ ଗଲା ବେଳେ ସେମାନଙ୍କ ଟ୍ରଙ୍କରେ ମା’ମାନେ ରଖି ଦେଉଥିଲେ କାହ୍ନୁଚରଣଙ୍କ ସହିତ ଭାଗୀରଥି ଦାସଙ୍କ କିଛି ଉପନ୍ୟାସ। ସାହିତ୍ୟର ସମୀକ୍ଷକମାନେ କହନ୍ତି କାହ୍ନୁଚରଣଙ୍କ ପରେ ବିଭୂତି ପଟ୍ଟନାୟକଙ୍କୁ ଯେଉଁ କଡ଼ି ଯୋଡ଼ିଥିଲା, ତାହା ଥିଲା ଭାଗୀରଥି ବାବୁଙ୍କ କୃତି।
ଘିଅ ରଙ୍ଗର ଧଳା ଟ୍ରାଉଜର ପଞ୍ଜାବୀରେ ଶୁଭ୍ର ସନ୍ନ୍ୟାସୀ ପରି ଦିଶୁଥିଲେ ସେ। କଥା ପ୍ରସଙ୍ଗରେ ସେ କହିଥିଲେ, ‘ମୁଁ ଏହିପରି ଏକ ମାଟି ବୈକୁଣ୍ଠରେ ଜନ୍ମ ନେଇଛି, ଯାହାର ନାଁ ପାଟେଣୀ ଗାଁ।’ ଜଗତସିଂହପୁର ଜିଲ୍ଲାରେ ଅନ୍ତତଃ ପାଟେଣୀ ନାମଧାରୀ ଚାରିଟା ଗାଁ ଥିବାରୁ ତାଙ୍କ ଗାଁକୁ ଚିହ୍ନା ଯାଏ ପଡ଼ୋଶୀ ଗାଁ ନାମରେ। ତରଡ଼ାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏଇ ଗାଁରେ ତାଙ୍କର ଜନ୍ମ ୧୯୩୯ ମସିହା ନଭେମ୍ବର ମାସ ୧ ତାରିଖରେ। ଭାଗୀରଥି ବାବୁ ସ୍ମୃତି ରୋମନ୍ଥନ କରି କହୁଥିଲେ ଆଦ୍ୟ ଯୌବନ ଥିଲା ଦାରିଦ୍ର୍ୟ ନିପୀଡ଼ିତ। ପେଟପାଟଣା ଲାଗି ମଙ୍ଗଳାବାଗ ଛକରେ ସେ ଖବରକାଗଜ ବିକ୍ରି କରିଛନ୍ତି, କଲେଜ ଛକର ‘ସିଟି ଇଲେକ୍ଟ୍ରିକାଲ୍‌ସ’ରେ ସେଲସ୍‌ମ୍ୟାନ୍ ଭାବେ କାମ କରିଛନ୍ତି ଓ ଆହୁରି କେତେ କ’ଣ! ତାଙ୍କ ବାପା ବାଉରୀବନ୍ଧୁ ଥିଲେ ଅଳ୍ପ ପାଠୁଆ‌, କିନ୍ତୁ ‌େଲଖୁଥିଲେ ଭଜନ, ଜଣାଣ। ଆଦ୍ୟ କୈଶୋରରେ ଭାଗୀରଥି ମିଶିଥିଲେ ବାଳକୃଷ୍ଣ ମହାନ୍ତିଙ୍କ ଜୟଦୁର୍ଗା ନାଟ୍ୟ ମଣ୍ଡଳରେ ଏବଂ ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ। ପରେ ରାଢ଼ଙ୍ଗ ଯାତ୍ରା ଦଳର ସ୍ୱତ୍ୱାଧିକାରୀ ହେଲେ ତାଙ୍କ ଶଶୂର। ଦାରିଦ୍ର୍ୟ ସତ୍ତ୍ବେ ଏକ କଳାର ପରିବେଶ ତାଙ୍କୁ ସୃଜନମନସ୍କ କରିଥିଲା। 
କଥାବାର୍ତ୍ତା ବେଳେ ମା’ ସାରଳାଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇ ସେ କହିଲେ, ‘ଯାହା କିଛି ପାଇଛି, ସବୁ ମା’ ସାରଳାଙ୍କ ପ୍ରସାଦରୁ।’ ଲଙ୍ଗଳ କଣ୍ଟି ଧରିଥିବା ମୂର୍ଖ ସିଦ୍ଧେଶ୍ୱର ପରିଡ଼ା ମା’ ସାରଳାଙ୍କ କୃପା ଲାଭ କରି ଲୁହାର ଲେଖନୀରେ ସର୍ଜି ନ ଥିଲେ କି ଓଡ଼ିଆ ମହାଭାରତ ଓ ହୋଇଯାଇ ନ ଥିଲେ କି ମହାକବି ସାରଳା ଦାସ? ସୁରଞ୍ଜନଙ୍କର ମନେ ପଡ଼ିଯାଉଥିଲା ସାରଳା ଦାସଙ୍କ ରଚିତ କେଇ ଧାଡ଼ି:
“ସେ ଯାହା ରାତ୍ରରେ କହେ ତାହା ମୁଁ ଲେଖଇ
ମୂର୍ଖ, ଅପଣ୍ଡିତ ମୋର ଶାସ୍ତ୍ରଜ୍ଞାନ ନାହିଁ।”
ଭାଗୀରଥି ବାବୁଙ୍କ ଲେଖା ସକାଶେ ପ୍ରେରଣାର ସ୍ରୋତ ହେଲା ଗ୍ରାମ୍ୟ ପରିବେଶ ଓ ଗାଁର ଜନ ସମାଜ। ବୃତ୍ତିଗତ ଜୀବନରେ ମଧ୍ୟ ସେ ଅନେକ ଗାଁ ଗଣ୍ଡା ବୁଲି ଅସଂଖ୍ୟ ପରିବାର ସହିତ ମିଶିଥିଲେ। ଏ ସମସ୍ତ ଅଭିଜ୍ଞତା ତାଙ୍କ ଗଳ୍ପ, ଉପନ୍ୟାସ ଓ ନାଟକକୁ ଜୀବନ୍ତ କରି ଦେଉଥିଲା। ଆତ୍ମଜୀବନୀ ‘ନିଃଶବ୍ଦ ଯନ୍ତ୍ରଣା’ରେ ସେ ଲେଖିଛନ୍ତି, ‘ସକାଳେ ପଖାଳ ଗଣ୍ଡେ ଖାଇ ଦଦରା ସାଇକେଲ୍‌ଟିଏ ଚଳାଇ ମୁଁ କଟକ ସଦର, ବିରିଡ଼ି, ରଘୁନାଥପୁର ଓ ଜଗତସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ କରୁଥିଲି। ଏହାପରେ ଢେଙ୍କାନାଳ ଉପ-କୃଷି ନିର୍ଦ୍ଦେଶକଙ୍କ ଅଫିସ୍‌ରେ କଟାଇଛି। ମୁଁ ଦିନକୁ ତିରିଶରୁ ଷାଠିଏ କିଲୋମିଟର ପଥ ସାଇକେଲ୍ ଯୋଗେ ଯିବାଆସିବା କରି ଲୋକଙ୍କ ସହ ମିଶୁଥିଲି।’ 
୧୯୬୧-୬୨ ମସିହାରେ ତାଙ୍କର ଲେଖାଲେଖି ଆରମ୍ଭ ହୁଏ ସିନା ୧୯୬୮-୬୯ରେ ତାଙ୍କର ପ୍ରଥମ ଉପନ୍ୟାସ ‘ଦାରୁଣ ଦଇବ’ ତାଙ୍କୁ ଲେଖକର ପରିଚୟ ଦିଏ। ପରେପରେ ‘ପରଝିଅ ଘର ଭାଙ୍ଗେନା’ ଗାଁ ଗହଳରେ ଚହଳ ପକାଏ। ତାଙ୍କ ଲେଖନୀରୁ ଜନ୍ମ ନେଇଛି ଅନେକଗୁଡ଼ିଏ ସଂସ୍କାରଧର୍ମୀ ନାଟକ ଯେମିତି କି ‘ଭିନ୍ନ ଏକ ପୃଥିବୀ’, ‘ମୋ ସଂସାର ଭାସିଗଲା’, ମୋ ଭଙ୍ଗା ଘର କାନ୍ଦୁଛି’, ଇତ୍ୟାଦି। ନିରକ୍ଷରତା, ଦାରିଦ୍ର୍ୟ ଦୂରୀକରଣ, ବଧୂ ନିର୍ଯାତନାର ବିରୋଧ, ନିଶା ନିବାରଣ, ଜାତି ପ୍ରଥା ଓ ଯୌତୁକ ପ୍ରଥା ନିରୋଧ ଭଳି ସାମାଜିକ ବ୍ୟାଧିର ଉନ୍ମୂଳନ ଲାଗି ତାଙ୍କ ଲେଖନୀ ଚଞ୍ଚଳ ହୋଇଛି। କେବଳ ସେତିକି ନୁହେଁ, ଉନ୍ନତ କୃଷି ଓ ଗୋ-ପାଳନ ଭଳି ବିଷୟ ମଧ୍ୟ ତାଙ୍କ ଲେଖାର ସଂଦର୍ଭ ହୋଇଛି। ଦୀର୍ଘ ୬୦ ବର୍ଷର ସର୍ଜନା କାଳରେ ସେ ସୃଷ୍ଟି କରି ପାରିଛନ୍ତି ୫୨୭ ଖଣ୍ଡ ଉପନ୍ୟାସ, ୨୫ରୁ ଅଧିକ ନାଟକ, ୧୮ଟି ଗଳ୍ପ ସଂକଳନ ଓ ଅନେକ କବିତା, ରମ୍ୟ ରଚନା। 
ଥାକଥାକ ପୁରସ୍କାର, ମାନପତ୍ର ଓ ଉପଢ଼ୌକନ ଧୂଳିର ଆସ୍ତରଣ ଭିତରୁ ତାଙ୍କ ବୈଠକୀ ଘରେ ଅସ୍ପଷ୍ଟ ଦିଶୁଥିଲା। ଦାଣ୍ଡଘର କାଠ ଆଲମିରାରେ ସଜ୍ଜିତ କୀଟଦ୍ରଂଷ୍ଟ ଉପନ୍ୟାସଗୁଡ଼ିକ ତାଙ୍କ ବିପୁଳ ସର୍ଜନଶୀଳତାର ପ୍ରମାଣ ଦେଉଥିଲା। କଥା ପ୍ରସଙ୍ଗରେ ସେ କହିଥିଲେ କାହ୍ନୁଚରଣ ହେଉଛନ୍ତି ତାଙ୍କ ଗୁରୁ ଦ୍ରୋଣ! ଅନ୍ୟ ପ୍ରିୟ ଲେଖକ ହେଲେ ଗୋପୀନାଥ ମହାନ୍ତି ଓ ରହସ୍ୟ ଔପନ୍ୟାସିକ କଣ୍ଡୁରୀଚରଣ, ଯୋଗେନ୍ଦ୍ର ମହାନ୍ତି ଓ ଶୁକଦେବ ସାହୁ। 
ପ୍ରଗଳ୍‌ଭ ହୋଇ ସେ କହୁଥିଲା ବେଳେ ସେଥିରେ ରୁଦ୍ଧ ଅଭିମାନକୁ ବାରି ପାରୁଥିଲେ ସୁରଞ୍ଜନ। ଯୋଗୀ ଥାଳ ହେଉ କିମ୍ବା କେଲୁଣୀ ପେଟେରାରେ ବା ବୁଲା ବହି ବିକାଳିଙ୍କ ସାଇକେଲ୍‌ରେ ତାଙ୍କ ଉପନ୍ୟାସ ସବୁ ଗାଁଗାଁ ଘରଘର ଘୂରି ବୁଲୁଥିଲେ। ଅଥଚ ଏବେ ସେ ପ୍ରାୟ ବିସ୍ମୃତ! ତାଙ୍କ ଘର ଦୁଆର ମୁହଁରେ ତରୁଣ ଲେଖକ ଓ ପାଣ୍ଡୁଲିପି ଆଶାୟୀ ପ୍ରକାଶକମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ।
ପାଟେଣୀ ଗାଁ ଦାଣ୍ଡରେ ଗୋଧୂଳି ଖରାର ଛାଇ ଲମ୍ବିଲମ୍ବି ଆସୁଥିଲା। ଆଖିରେ ବାଦାମୀ ରଙ୍ଗର ଚଷମା, ବୟସ ଭାରରେ ଅଣ୍ଟା ନଇଁ ପଡ଼ିଥିଲେ ବି ଭାଗୀରଥି ବାବୁଙ୍କ ମେଳାପୀ ମୁହଁରୁ କଥା ସରୁ ନ ଥିଲା। ଗ୍ରାମ୍ୟ ଜୀବନରେ ରସାଣିତ ଏହି ବର୍ଷୀୟାନ ଲେଖକଙ୍କ ଠାରୁ ବିଦାୟ ନେବା ବେଳେ ଗ୍ରାମପଥରୁ କବିତା ପଙ୍‌କ୍ତିଏ ଗୁଣୁଗୁଣଉଥିଲେ ସୁରଞ୍ଜନ: 
“କ୍ଷେତ ପରେ କ୍ଷେତ, କାଶଫୁଲ ଆଉ ବେଣାରେ ଜଟିଳା ପାଟ,
ପାଟ ବଣ, ବଣ ପାରି ହେଲେ ମାମୁଘର ଗାଁ ଦିଶେ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬

Advertisment