ଧନଞ୍ଜୟ ସ୍ୱାଇଁ
ବାଦାମବାଡ଼ିର ବ୍ୟସ୍ତତାବହୁଳ ରାସ୍ତା ଡେଇଁ ଦୋଳମୁଣ୍ଡେଇ ଜଗନ୍ନାଥ ମନ୍ଦିର ନିକଟରେ ସୁରଞ୍ଜନ ବାବୁ ପହଞ୍ଚିଲା ବେଳକୁ ସଞ୍ଜ ଘନେଇ ଆସିଥିଲା କଟକର ରାଜରାସ୍ତାକୁ। ମନ୍ଦିର ପ୍ରାଙ୍ଗଣରୁ ଶୁଭୁଥିଲା ଘଣ୍ଟ ଘଣ୍ଟାର ଆଳତି। ଆକାଶରେ ତାରାଫୁଲଙ୍କ ରୋଷଣି। ଆଗରେ ଜନଗହଳିପୂର୍ଣ୍ଣ ବଜ୍ରକବାଟି ରୋଡର ଆଖି ଝଲସା ଆଲୁଅ। ତା’ର ବାମ ପଟ ବୋର୍ଡ ସ୍କୁଲ ନିକଟସ୍ଥ ଯେଉଁ ରାସ୍ତାଟି ଗହ୍ମାଡ଼ିଆ ଦେଇ ବକ୍ସି ବଜାର ଆଡ଼କୁ ଲମ୍ବି ଯାଇଛି, ସେଇଠୁ ପାଞ୍ଚଶ’ ମିଟର ଗଲା ପରେ ପଡ଼ିଲା ଦୀପଶିଖା ଆପାର୍ଟମେଣ୍ଟ। ଏଇ ବଜ୍ରକବାଟି ରୋଡସ୍ଥିତ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ରହନ୍ତି ଓଡ଼ିଶୀ ସଂଗୀତର ସୁପ୍ରସିଦ୍ଧ ସାଧିକା, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ।
ରାଜେନ୍ଦ୍ର ନାରାୟଣ ଦାସଙ୍କ ‘ସ୍ମୃତିରେ କଟକ’ ବହିରେ ଅଛି, “ଲୋକମାନେ କୁହନ୍ତି ଏଇ ବଜ୍ରକବାଟି କୁଆଡ଼େ ଏକ ନଦୀବନ୍ଧ। କାଠଯୋଡ଼ି ନଦୀର ପାଣିକୁ କଟକ ସହର ଭିତରେ ପ୍ରବେଶ ନ କରାଇବାକୁ ଏହାର ପରିକଳ୍ପନା କରା ଯାଇଥିଲା ଓ ଏହି ଉଦ୍ଦେଶ୍ୟରେ ଏହା ନିର୍ମାଣ କରା ଯାଇଥିଲା। ପୂର୍ବରେ ଥିବା ବନ୍ୟାପ୍ଳାବିତ ତଳିଆ ଅଞ୍ଚଳ ଓ ପଶ୍ଚିମରେ ଥିବା ସହରାଞ୍ଚଳ ମଧ୍ୟରେ ଥିବା ଏକ ଦୃଢ଼ ‘କପାଟିକା’ ହେତୁ ଏହାର ନାମ ବଜ୍ରକବାଟି ହୋଇଥିଲା ବୋଲି ମନେ କରାଯାଏ।’’
ଆଗରୁ ସୂଚନା ଦେଇ ଯାଇଥିବାରୁ ଅପେକ୍ଷାରେ ଥିଲେ ଶ୍ୟାମାମଣି ଦେବୀ। ଶୀର୍ଣ୍ଣ ଶରୀର। ଆଖିରେ ବାଦାମୀ ରଙ୍ଗର ଚଷମା। ବୟସ ପଞ୍ଚାଅଶୀ ପାଖାପାଖି। ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ଚଳଚଞ୍ଚଳ ଥିଲେ। ବାଙ୍କୀ ଅଂଶୁପା ନିକଟସ୍ଥ ସୁବର୍ଣ୍ଣପୁରର ମୂଳ ବାସିନ୍ଦା ଶ୍ୟାମାମଣି ଦେବୀ କଥା ଆରମ୍ଭ କଲେ କଟକ ସହର ପ୍ରତି ତାଙ୍କ ଭଲ ପାଇବାରୁ। ଏହାର ଉତ୍ତମ ପଡ଼ୋଶୀ ସମ୍ପର୍କ, ଭାଇଚାରା, ପାର୍ବଣ ସମୟରେ ମୁହଁ ଫଟାଫଟି ଭୁଲି ସାହିଭାଇଙ୍କର ଲୋଡ଼ିବା ପଣ, ବିଜୁଳି ଆଲୁଅ ନ ଥିବା ବେଳେ ସନ୍ଧ୍ୟା ହେଲେ କଟକ ମ୍ୟୁନିସିପାଲିଟି ଲୋକମାନେ କିପରି ବତି ଖୁଣ୍ଟରେ କିରାସିନି ତେଲ ପୂରାଇ ଲଣ୍ଠନ ଲଗାଉଥିଲେ ଓ ଘଣ୍ଟି ଲଗା ରିକ୍ସା ଗାଡ଼ିର କଥା ସବୁ। ଅନୁରୋଧରେ ଗୀତ ପଦେ ବାହାରି ଆସିଲା ତାଙ୍କ ବୀଣାଜିଣା କଣ୍ଠରୁ।
“ତୋରେ ଶରଣ ଗଲିରେ ମୁରଲୀ
ଦିନେ ନ ଡାକିବୁ ରାଧିକା ବୋଲିରେ ମୁରଲୀ...
ମୁରଲୀରେ ତୋର ଏତେ ବଡ଼ାଇ
ପତିବ୍ରତା ଗନ୍ଧ ଦେଉ ଛଡ଼ାଇ ରେ ମୁରଲୀ...’’
ସେ ସ୍ୱର ସୁରଞ୍ଜନ ବାବୁଙ୍କ ମନକୁ ଉଚ୍ଚାଟିତ କରୁଥିଲା। ଲାଗୁଥିଲା ଯେମିତି ରୌଦ୍ର ଦଗ୍ଧ ଅପରାହ୍ଣରେ ମଧୁ ମାସର ଧୀର ପବନରେ ଲଳିତ ଲବଙ୍ଗଲତା ପରି କୋମଳ ଦଲକାଏ ଦକ୍ଷିଣା ପବନ। ତାଙ୍କ ସାଧନା ଓ ସଂଗୀତମୟ ଜୀବନ ସମ୍ପର୍କରେ ଜାଣିବାକୁ ସୁରଂଜନ ବାବୁଙ୍କ ଆଗ୍ରହ ଦେଖି ସେ କଥା ଲମ୍ବେଇଲେ। ଏକ ସାଙ୍ଗୀତିକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ୟାମାମଣି ଗାଁରେ ହେଉଥିବା ପାଲା ଶୁଣି ପାରମ୍ପରିକ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ, ଯଦିଓ ତାଙ୍କ ସମୟରେ ସଂଗୀତ କରିବା ଓ ଗୀତ ଗାଇବା ନେଇ ସଂଭ୍ରାନ୍ତ ଘରର ଝିଅମାନଙ୍କ ପାଇଁ ବହୁତ କଟକଣା ଥିଲା। ବଡ଼ବାପା କାଳୀଚରଣ ପଟ୍ଟନାୟକ, ଯାହାଙ୍କୁ ସମସ୍ତେ ଜାଣନ୍ତି ଓ ଘରେ ବାପା ଚୈତନ୍ୟ ଧର୍ମରେ ଦୀକ୍ଷିତ ହୋଇ କୀର୍ତ୍ତନ ପରିବେଷଣ କରୁଥିବାରୁ ସେ ସଂଗୀତ ପ୍ରତି ତାଙ୍କ ଆଗ୍ରହ ଦେଖାଇଥିଲେ।
ଏହି ସଂଗୀତ ସରସ୍ୱତୀ ଜଗନ୍ନାଥଙ୍କ ପ୍ରତି ସମର୍ପିତା ଓ ଜଗନ୍ନାଥ ତାଙ୍କର ପ୍ରଥମ ଶ୍ରୋତା ବୋଲି କହନ୍ତି ଗର୍ବରେ। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ରତ୍ନ ସିଂହାସନରେ ଜଗନ୍ନାଥଙ୍କୁ ଛୁଇଁ ସେ ଗାଇଥିଲେ ‘ମଲ୍ଲୀମାଳ ଶ୍ୟାମକୁ ଦେବି, ମନ ତୋଷିବି...।’ ଦିନ ଥିଲା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଜୟଦେବ ଭବନରେ ତାଙ୍କ ପସନ୍ଦର ଏହି ଗୀତ ଶୁଣିବା ପାଇଁ, ‘ସରିଗଲି ଲାଜେ ସଜନୀ...।’
ଆଜି ନୂଆ ପ୍ରଜନ୍ମର ପିଲାମାନଙ୍କ ପାଖରେ ଶିଖିବାର ଭୋକ ନାହିଁ, ଧୈର୍ଯ୍ୟ ନାହିଁ, ଗୁରୁମାନଙ୍କ ଠାରୁ ଶିଖି, ଆଣି ନିଜ ଗଳାରେ ବସେଇ ଶ୍ରୋତାମାନଙ୍କୁ ପରଷି ଦେବା ପାଇଁ ଯେଉଁ ପ୍ରତ୍ୟୟ ଓ ପ୍ରଯତ୍ନ ଦରକାର, ତାହା ସେ ଦେଖୁନାହାନ୍ତି ବୋଲି କହୁଥିଲେ। ପାରିବାରିକ ଜଞ୍ଜାଳ, ପିଲାମାନଙ୍କ ଦାୟିତ୍ୱ କେବେ ତାଙ୍କ କଳା ଜୀବନରେ ବାଧକ ହୋଇନାହିଁ। ସମୟ ଓ ଯୁଗ ରୁଚିର ପରିବର୍ତ୍ତନ ସହ ଶାସ୍ତ୍ରୀୟ ସଂଗୀତର ଅନେକ ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ ହେଲାଣି, ଯାହାକୁ ସ୍ୱାଭାବିକ ବୋଲି କହିଥିଲେ ସେ। ଆଗରୁ ଓ ଏବେ କିପରି ଗୀତଟିଏ ତା’ର ଆବେଦନରେ ଅଲଗା ଶୁଭୁଛି, ତା’ର ଉଦାହରଣ ଦେଇ ଗାଇଲେ,
“ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନି ଭାଇ,
ଅକ୍ରୁର ଆସିଛି ତାଙ୍କୁ ଧରିନେବା ପାଇଁ
ରାଜା ପରଜା ସହିତେ,
ସଜ ହୋଇଥାଅ କାଲି
ଚଳିବା ପ୍ରଭାତେ।”
ତାଙ୍କର ମୁମ୍ବାଇ ଅବସ୍ଥାନ କାଳରେ ଗୁରୁ ଭି.ଆର୍. ନବରଙ୍ଗଙ୍କ ସହାୟତାରେ ସେ ଲତାଜୀଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇଥିଲେ। ସଂଗୀତରେ କାରୁଣ୍ୟ, କ୍ରୋଧ, ଲାଳିତ୍ୟ ଓ ଶବ୍ଦର ଠିକ୍ ଉଚ୍ଚାରଣ ସମ୍ପର୍କରେ ଅନେକ ଜ୍ଞାନ ଆହରଣ କରି ଶେଷରେ ମାଟି ମା’ର ଆକର୍ଷଣରେ ଓଡ଼ିଶା ଫେରିଥିଲେ। ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓ ସିଙ୍ଗାରୀ ଶ୍ୟାମସୁନ୍ଦର କରଙ୍କ ପଟ୍ଟଶିଷ୍ୟା ଶ୍ୟାମାମଣି ଯେଉଁ ଗୀତଟି ଲତାଙ୍କ ଆଗରେ ପରିବେଷଣ କରିଥିଲେ, ତାହା ଗାନ କରି ସନ୍ଧ୍ୟାକୁ ସୁରଭିତ କରିଥିଲେ। ତାହା ଥିଲା, ‘କଦମ୍ବ ବନେ ବଂଶୀ ବାଜିଲା ରେ ସଙ୍ଗାତ, ରାଧା ଦମ୍ଭ ଶିଖିରୀ ଭାଜିଲା ରେ....।’
୧୯୫୦ରେ ଆକାଶବାଣୀ କଟକରେ ସଂଗୀତ ଜୀବନ ଆରମ୍ଭ କରିଥିଲେ ଶ୍ୟାମାମଣି। ଖୋକା ଭାଇଙ୍କ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରି କହିଥିଲେ କିଭଳି ଯୋଡ଼ା, ବଡ଼ବିଲ, ଟେନ୍ସା, ରାଜଗାଙ୍ଗପୁରରେ ଦୁହେଁ ଅନେକ ସଂଗୀତ ପରିବେଷଣ କରିଥିଲେ। ଖୋକା ଭାଇଙ୍କ ସହ ଗାଇଥିବା ଗୀତଟି ଥିଲା, ‘ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ’ ଓ ‘କାନ୍ତ ବିନା ଦିବା ରଜନୀ ସଜନୀ କୋଟି ଯୁଗ ସମ ଲାଗିଲା ରେ’।
ଶାରଳା ପୁରସ୍କାର, ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନଠାରୁ ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ପର୍ଯ୍ୟନ୍ତ ଅନେକ ସମ୍ମାନ ଓ ସ୍ୱୀକୃତିର ଅଧିକାରିଣୀ ଶ୍ୟାମାମଣି। ନିୟମିତ ଅଭ୍ୟାସ ସହିତ ଦୈନନ୍ଦିନ ନିଜର ନିଃଶ୍ୱାସ ଓ ବିଶ୍ୱାସ ଭାବି ସଂଗୀତକୁ ଭଲ ପାଇବାକୁ ସେ ତରୁଣ ପିଢ଼ିର ପିଲାମାନଙ୍କୁ ପରାମର୍ଶ ଦିଅନ୍ତି। ତାଙ୍କ ଉପଦେଶ ହେଲା, ଗାଅ କମ୍ ଓ ଶୁଣ ବେଶୀ।
ଆମ ହୃଦୟର ଅଭ୍ୟନ୍ତରରେ ଆଲୋକର ଅନୁଭବ ପାଇଁ ସଂଗୀତର ଭୂମିକାକୁ ଅସ୍ୱୀକାର କରାଯାଇ ପାରିବନି। ଓଡ଼ିଶୀ ସଂଗୀତ ବିଶ୍ୱସ୍ତରୀୟ ଆଦୃତି ପାଇବାକୁ ହେଲେ ଆମ ପାରମ୍ପରିକ ମୌଳିକ ସଂଗୀତରେ ବିଶ୍ୱ ମାନର ଉପାଦାନଗୁଡ଼ିକ ସଂଯୋଜିତ କରିପାରିଲେ ଆମେ ବିଶ୍ୱବାସୀଙ୍କୁ ଉପହାର ସୂତ୍ରରେ ଏହା ପ୍ରଦାନ କରିପାରିବା। ଓଡ଼ିଶୀ ସଂଗୀତରେ ପାରଦର୍ଶିତା ଲାଭ କରିଥିବା ଶ୍ୟାମାମଣିଙ୍କ ପାଖରୁ ଉତ୍ତୀର୍ଣ୍ଣ ସଞ୍ଜରେ ବିଦାୟ ନେଲାବେଳକୁ ଅନେକ ଡେରି ହୋଇ ଯାଇଥିଲା। ଶେଷ ଗୀତ ପଦିଏ ଶୁଣି ଶ୍ୟାମାମଣିଙ୍କ ଠାରୁ ବିଦାୟ ନେଲେ ସୁରଂଜନ।
“ଆରେ ମଦାଳସା
ଶେଷ ହୋଇ ଯାଉଥିଲା ଚନ୍ଦ୍ର ନିଶା
ଆରେ ମଦାଳସା,
ମାଣିକ୍ୟର ବତି ଜାଳି ଚଉକତି
ନାନା ପୁଷ୍ପ ତଳେ ଖୋଷି ଖୋଷା
ଆରେ ମଦାଳସା।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬