ଧନଞ୍ଜୟ ସ୍ୱାଇଁ
ମାନସିଂହ ସାହିତ୍ୟ ସଂସଦ, ନନ୍ଦଳାର ମୁଖପତ୍ର ‘ଏଇ ସହକାର’ର ଶାରଦୀୟ ସଂଖ୍ୟାର ଶୁଭ ଉନ୍ମୋଚନ ସକାଶେ ନିମନ୍ତ୍ରଣ ପାଇ ଚିଲିକା କୂଳର ନଈରୀ ଗଁା ପାଖରେ ସୁରଞ୍ଜନ ବାବୁ ସକାଳେ ପହଞ୍ଚିଲା ବେଳକୁ ଆଶ୍ୱିନର କଅଁଳ ଖରା ମାଟିରେ ଅରାଏ ଝୋଟି ଚିତା ପରି ଲାଗୁଥିଲା ଆଉ ମାଟି ମୋହରେ ଉଚ୍ଚାଟ ହେଉଥିଲା ତାଙ୍କ ମନ। ଡଙ୍ଗା ପାର ହୋଇ କାଙ୍କଣ ଶିଖରୀରେ ପହଞ୍ଚି ତା’ର ଚିତ୍ରିତ ସବୁଜିମାରେ ଅନୁଭବ କରୁଥିଲେ ପାର୍ବଣର ପୁଲକ। ନଈ ପଠାରେ କାଶଫୁଲର ହାଟ, ଗହୀର ବିଲରେ ଛୁଞ୍ଚିମୁନିଆ କାଇଁଚର ଚଅଁର, ତୁଳା ଭିଣା ଉଡ଼ାମେଘ ଆସରରେ ବଗୁଲୀର ଭସା ଆଖିରେ ଚିତ୍ରିତ ସକାଳ ଦେଖି ତାଙ୍କର ମନେ ପଡୁଥିଲା ସଚ୍ଚି ବାବୁଙ୍କର କବିତାର ପଙ୍କ୍ତିଟିଏ:
“ଶରତ ଆସିବା ହେଉ ଆନନ୍ଦର ଚେତନାର ଘରେ
ଅକ୍ଷତ ରଙ୍ଗର ମେଘ, ସାଦା ହଂସପଲ
ସାଦା ଜୂଈ ଫୁଲ ତା’ର ପ୍ରତିଧ୍ୱନି କରେ।”
ନଈରୀ ଗଁା ଅନତି ଦୂରରେ ଡାଙ୍କିନୀ ପାହାଡ଼ କୂଳରେ ଏ କାଙ୍କଣ ଶିଖରୀ ପୀଠ, ଯେଉଁଠି ମୋଗଲମାନଙ୍କ ଆକ୍ରମଣରୁ ରକ୍ଷା ପାଇବାପାଇଁ ଜଗନ୍ନାଥଙ୍କୁ ଗୁପ୍ତରେ ରଖାଯାଇଥିଲା। ସେଇଠି ଥିଲା ‘ଏଇ ସହକାର’ର ନିରାଡ଼ମ୍ବର ଶାରଦୀୟ ସଂଖ୍ୟା ଉନ୍ମୋଚନ ଉତ୍ସବ।
ଓଡ଼ିଶା ରାଜ୍ୟ ଓ ରାଜ୍ୟ ବାହାରେ ଯେତେ ରଥଯାତ୍ରା ଅନୁଷ୍ଠିତ ହୁଏ, ତନ୍ମଧ୍ୟରେ ଚିଲିକା କୂଳର ଏ ରଥଯାତ୍ରା ଅନନ୍ୟ, କାରଣ ଏଠାରେ ନୌକା ହୁଏ ନନ୍ଦିଘୋଷ ଓ ଭୋଗ ହୁଏ କାଙ୍କଡ଼ ଏବଂ ଚିଲିକାର ବିସ୍ତୃତ ଜଳରାଶି ପାଲଟେ ବଡ଼ଦାଣ୍ଡ। ମାଦଳା ପାଞ୍ଜିର ତଥ୍ୟ ଅନୁଯାୟୀ ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୁସଲିମ୍ ଶାସକ ତକୀ ଖଁାର ଶ୍ରୀମନ୍ଦିର ଆକ୍ରମଣ ଏଡ଼ାଇ ପଣ୍ଡା ପଢ଼ିଆରୀମାନେ ଶ୍ରୀଜିଉଙ୍କୁ ଚିଲିକା ହ୍ରଦ ଭିତରେ ଭେଳାରେ ଆଣି ନଈରୀ ନିକଟସ୍ଥ ଗଙ୍ଗାଯମୁନା ଘାଟର ଅନତି ଦୂରରେ ଥିବା କାଙ୍କଣଶିଖରୀ ପରିସରରେ ରଖିଥିଲେ। ତତ୍ପରେ ନଈରୀ ଗ୍ରାମର ଶୈବ ପୀଠ ହରିହରେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ। ସଂଯୋଗବଶତଃ ସେତେବେଳେ ରଥଯାତ୍ରା ପଡ଼ିଥିବାରୁ ପରମ୍ପରା ରକ୍ଷା ପାଇଁ ଶଗଡ଼ିରେ ଠାକୁରମାନଙ୍କୁ ବିଜେ କରାଇ ନଈରୀର ବଡ଼ଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ପୁନରୁଜ୍ଜୀବିତ କରିବା ପାଇଁ କାଙ୍କଣଶିଖରୀ ପୀଠରେ ଗତ ଦଶ ବର୍ଷ ଧରି ଚିଲିକାର ନୀଳ ଜଳରେ ଏହି ଅନନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ଏବେ ଆସିବା ପାର୍ବଣ ପତ୍ରିକା ପ୍ରସଙ୍ଗକୁ। ପୂଜା ବଜାରକୁ ଦୃଷ୍ଟିରେ ରଖି ପାଖାପାଖି ୧୨୦ କ୍ଷୁଦ୍ର, ମଧ୍ୟମ ଓ ବୃହଦାକାର ପତ୍ରିକା ତା’ର ସୁନ୍ଦର ପରିପାଟୀରେ ବଜାର ପ୍ରବେଶ କରିଛି। ଏ ପ୍ରସଙ୍ଗରେ ପତ୍ରପତ୍ରିକାର ବହୁଳତାକୁ ନେଇ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଏସବୁ ‘ସାହିତ୍ୟିକ ଅପଚୟ’ ବୋଲି କହିଥିଲେ ବି ତାହାକୁ ପରୋକ୍ଷରେ ସମର୍ଥନ କରି କହିଥିଲେ ଗଙ୍ଗଶିଉଳିରୁ ମୁଠାଏ ଝରିପଡ଼ିଲେ କ’ଣ ଚଳନ୍ତା ନାହିଁ, କିନ୍ତୁ ଗଙ୍ଗଶିଉଳିର ଯଥାର୍ଥ ଶୋଭା ତା’ର ରାଶିରାଶି ଝରି ପଡ଼ିବାରେ। ଶରତର ଆକାଶ ପାଇଁ ଭେଳାଭେଳା ମେଘର କି ପ୍ରୟୋଜନ? ଜଳର ଭାରହୀନ ଖଣ୍ଡେ ଉଦାସୀ ମେଘ ଶରତର ବ୍ୟଞ୍ଜନା ପାଇଁ ଯଥେଷ୍ଟ। ପୁଣି ସୂର୍ଯ୍ୟାସ୍ତ ପାଇଁ ଚେନାଏ ନାଲିଆ ଆକାଶ କ’ଣ ଯଥେଷ୍ଟ ନୁହେଁ? କିନ୍ତୁ ଏପରି ଅପଚୟ ନଥିଲେ ଆମ ସାହିତ୍ୟିକ ଅଙ୍ଗନ ଯେ ଶ୍ରୀହୀନ ଲାଗନ୍ତା, ସାହିତ୍ୟରେ ପ୍ରାଣ ଚପଳତା ଯେ ସୌଦାଗରୀ ସଫଳତା ମଧ୍ୟରେ ନିଃସ୍ପନ୍ଦ ହୋଇପଡ଼ନ୍ତା ଏବଂ ସାହିତ୍ୟରେ ଯାହା କିଛି ଅନନ୍ୟତା, ସେ ସବୁ ସହଜଲଭ୍ୟ ହୁଅନ୍ତା ନାହିଁ ଓ କାଳକାଳ ପାଇଁ ଅପ୍ରକାଶିତ ରହିଯା’ନ୍ତା- ଏଥିରେ ସନ୍ଦେହ ନାହିଁ।
ଅପରାହ୍ଣର ଛାଇ ଲମ୍ବିଲମ୍ବି ଆସୁଥିଲା। ଚିଲିକା ବକ୍ଷରେ ଡଙ୍ଗା ପାରିର ଭୟ ଥିବାରୁ ସୁରଞ୍ଜନ ବାବୁ ତରତର ହୋଇ ଡଙ୍ଗାରେ ବସି ପଡ଼ିଲେ। ଆହୁଲାର ସଂଘାତରେ ଜଳ ଛିଟିକା ପଡ଼ିଲା ବେଳେ ସୁରଞ୍ଜନ ବାବୁ ଅତୀତର ସ୍ମୃତି ରୋମନ୍ଥନ କରି ବନ୍ଧୁମାନଙ୍କୁ କହୁଥିଲେ, ‘ଏହି ଜଳ ପଥରେ ଗଜପତି ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ବିଜୟ ପରେ ଘନକେଶୀ ପଦ୍ମାବତୀକୁ ଧରି ପ୍ରତ୍ୟାବର୍ତ୍ତନ କଲାବେଳେ ତାଙ୍କର ଘନକେଶ କିପରି ଚିଲିକାର ନୀଳ ଜଳକୁ ଉପହାସ କରୁଥିଲା।’ ‘ଚିଲିକା’ କାବ୍ୟର ପଦେ ତାଙ୍କର ମନେ ପଡୁଥିଲା:
‘ନୀଳିମାରେ ବାମା ଚାରୁ କେଶପାଶ,
ତୋ ନୀଳବୀଚିକି କଲା ଉପହାସ
ତେଣୁ କି ତରଙ୍ଗ ଅପମାନ ଭରେ
ମଥା ପିଟୁଛନ୍ତି ତରଣୀ ପଞ୍ଜରେ।’
ମୋ: ୯୪୩୭୦୦୦୬୩୬